“ମୁଁ ଚାହେଁ ନା, ଚାହେଁନା, କାହାକୁ ଚାହେଁ ନା –ଏଠାରୁ ବାହିରି ଯାଅ, କୁତ୍ତିପଲ!!”
ନିଃଶବ୍ଦ ପଦକ୍ଷେପରେ ଧୀରେ ଆସି ମରିୟା ଆହତ ଲୋକଟି ବିଛଣା ପାଖରେ ଛିଡ଼ା ହେଲା। ତା’ପରେ ତାହାର ବ୍ୟାଣ୍ଡେଜବନ୍ଧା ମୁଣ୍ଡ ଉପରେ ହାତ ରଖିଲା, ମୋଟା ବ୍ୟାଣ୍ଡେଜ ଭାଙ୍ଗ ଭିତରୁ କଳା ଆଖିଟାଏ ତା ଆଡ଼କୁ ଅନାଇ ରହିଛି।
“ କଣ ଚାହଁ ତୁମେ-” ଆହତ ଲୋକଟି ଚିତ୍କାର କରି ଉଠିଲା।
ମରିୟା ବୁଝିପାରିଲା ଲୋକଟି ତାକୁ ଚିହ୍ନି ପାରିଛି ଏବଂ ତା ସହିତ ତାହାର ଛାଟିପିଟି ହେବା ବନ୍ଦ ହୋଇଯାଇ ଶାନ୍ତଭାବ ଫେରିଆସିଛି।
“ କଣ ସବୁ ୟେ ହେଉଥିଲା କୁହ ତ ? ତୁମେ ଲଜ୍ଜିତ ହେବା ଉଚିତ। କି ଚମତ୍କାର ବ୍ୟବହାର।” ମରିୟା ନିର୍ଦ୍ଦେଶ ଦେବାରୁ ନର୍ସ ଦୁହେଁ ନିଃଶବ୍ଦରେ ଉଠି ଚାଲିଗଲେ।
“ ଶହେ ଥର ମୁଁ କହୁଛି ସେମାନଙ୍କୁ।.... କହି ନାହିଁ ମୁଁ?.... କହିନାହିଁ ?”
ଲୋକଟିର ଉଚ୍ଚ କଣ୍ଠ ଉଚ୍ଚତର ହୋଇ ଆସିଲା, ବୋଧହୁଏ ପୁଣି ସେ ଚିତ୍କାର କରିବା ଆରମ୍ଭ କରିଦେବ।
“କଅଣ ଏପରି ଗୋଟିଏ ଅଦ୍ଭୁତ କଥା କହିଛ, ଶୁଣେଁ ଭଲା?”
“ ମୁଁ ଚାହେନା ଏସବୁ। ମୁଁ ତୁମଠୁ ସବୁ ମୋଟେ କିଛି ଚାହେନା। ଏହି ବ୍ୟାଣ୍ଡେଜ୍ ଇନ୍ଜେକ୍ସନ୍, ଅପରେସନ୍, ଡ଼ାକ୍ତର, ହାସପାତଳ, କିଛି ମୋର ଲୋଡ଼ା ନାହିଁ। ତୁମର ସବୁ କି ଅଧିକାର ଅଛି, କାହର ଆଦେଶରେ ଏସବୁ କରୁଛ? ତୁମଠୁଁ ସବୁ ମୋର କିଛି ବୋଲି କିଛି ଦରକାର ନାହିଁ।”
ତାହାର ବ୍ୟାଣ୍ଡେଜ୍ ବନ୍ଧା ମୁଣ୍ଡ ଉପରୁ ହାତ ନ ଉଠାଇ ମରିୟା ତାର ବିଛଣା ପାଖରେ ଥିବା ଗୋଟିଏ ଚେୟାର୍ରେ ବସିପଡ଼ିଲା।
“ଆଚ୍ଛା,ଏତେଗୁଡ଼ିଏ ଲୋକ ତୁମର ହେପାଜତ କରୁଛୁ,ତେବେ ତୁମର କଅଣ ଲୋଡ଼ା କହିଲ ଭଲା?”
“ କିଛି ଚାହେଁ ନାହିଁ ମୁଁ, କିଛି ନୁହେଁ। ‘ ମୁଁ ଚାହେଁ ମରିବାକୁ ଶୁଣୁଛ?’ ଆଉ ସେ ଅଧିକାର ଟିକକ ମୋର ଅଛି। କାହିଁ ତୁମେ ସବୁ ମୋତେ ଅଯଥା ଉତ୍ତ୍ୟକ୍ତ କରୁଛ ଭଲା?
“ ମରିଯିବାକୁ କହିବା ଖୁବ୍ ସହଜ କଥା, ମରିଯିବାଟା ବି ବଡ଼ ସହଜ ମଧ୍ୟ, ବଞ୍ଚିରହିବାଟାରେ ଯାବତ୍ ଝିନ୍ଝିଟ୍, ନାଁ? ହେଲେ, ତୁମକୁ ବଞ୍ଚି ରହିବାକୁ ପଡ଼ିବ ଆଉ ତୁମେ ବଞ୍ଚି ରହିବ।”
“ ମୁଁ ଚାହେଁନା ବଞ୍ଚିରହିବାକୁ । ଏଠାରେ ବସି କାହିଁକି ତୁମର ସମୟ ନଷ୍ଟ କରୁଛ,ନର୍ସ୍? ମୋତେ ପହରା ଦେଉଛ। ଏଇଟା କଣ ଜେଲଖାନା? କଣ ଶୁଣୁଛ? ଏଇଟା କଣ ଜେଲଖାନା ?”
ମରିଆ ହୁସିଆରରେ ଏକାନ୍ତ ଦରଦୀ ହୃଦୟରେ ତାହାର ବ୍ୟାଣ୍ଡେଜବନ୍ଧା ମୁଣ୍ଡ ଉପରେ ଆସ୍ତେ ଆସ୍ତେ ଚାପ ଦେଲା ଏବଂ ସହାସ୍ୟ-ବଦନରେ ନିସ୍ତବ୍ଧ ଭାବରେ ତାହାର ମୁହଁ ଆଡ଼କୁ ଚାହିଁ ରହିଲା।
ଧୋବଲା ବ୍ୟାଣ୍ଡେଜର ଫାଙ୍କରେ ଆହତ ଲୋକଟି କିଭଳି ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ମରିୟା ଆଡକୁ ଅନାଇଲା।
“ କାଲି ତୁମେ ତୁମର ବ୍ୟାଣ୍ଡେଜ୍ ଛିଡ଼ାଇ ପକାଇଥିଲ। ତାର ମାନେ ହେଉଛି ତୁମେ ଚାହଁ ଘା ବଢ଼ୁ। ଘା ବଢ଼ିଲେ ବେଗେ ମରିଯିବ। ଆମେ ଚାହୁଁ ତୁମକୁ ଭଲ କରିବା ପାଇଁ। ଏତେଗୁଡ଼ାଏ ଚେଷ୍ଟା କରୁଛୁଁ, ସେଥିରେ ତୁମର କିଛି ଯାଏ ଆସେ ନା, ନୁହଁ? ଭାରି ଏକଜିଦିଆ ଖାମ୍ଖିଆଲି ପିଲା ତୁମେ ;-ଆଉ ଠିକ୍ ସେଥିପାଇଁ ଆମେସବୁ ତୁମକୁ ଆଖି ଆଗରେ ରଖିଛୁଁ, ବୁଝିଲ?