ପ୍ରେମର ନିକଷ




ନା, ନା କେବଳ ମାତ୍ର ଜଣେ ଆହତ ଲୋକ ପାଖରେ ସେ ଏ କଥା କହୁନାହିଁ। ଏ କଥା ଭାଗ୍ୟ ପାଖରେ ତା’ର ଏକାନ୍ତ ଅନୁରୋଧ ଏବଂ ନିଷ୍ଠୁର ଦୁନିଆ ଆଗରେ ତାହାର ଗ୍ରିଶାକୁ ଫେରିପାଇବାର କାତର ମିନତି। ତାହାର ଅନ୍ତରଆତ୍ମା ଆକୁଳ ହୋଇଉଠେ। ଥରେ ମାତ୍ର, କେବଳ ଥରେ ମାତ୍ର ସେ ଶୁଣିବାକୁ ଚାହେଁ ଗ୍ରିଶାର କଣ୍ଠସ୍ବର-ଗ୍ରିଶାର ହସ। ତାହର ଉଷ୍ମତା ପାଇବାକୁ ଚାହେଁ, ଏକାନ୍ତ ଘନ ସାନ୍ନିଧ୍ୟ ଏବଂ ନିବିଡ଼ ସାହଚର୍ଯ୍ୟ। ଆହୁରି ଥରେ ତାହାର ଅନ୍ତର ପୁର୍ଣ୍ଣ କରି ଆନନ୍ଦରେ ପ୍ଲାବନ ଭରିଉଠୁ। ଆଉ ଥରେ ମାତ୍ର ସେହି ପରମ ବିଶ୍ବସ୍ତତା ଲାଭ କରି ତାର ଦେହମନ ଜାଗିଉଠୁ।ବସନ୍ତର ଘନନୀଳ ଆକାଶର ନରମ ପ୍ରଶାନ୍ତି। ତାହାର ଏକାନ୍ତ ଆପଣାର ଜନକୁ ଅତି ନିକଟରେ ପାଇବାର ନିରବଚ୍ଛିନ୍ନ  ଆନନ୍ଦ। ସୁଦୂର ଯୁଦ୍ଧକ୍ଷେତ୍ରରେ ବିପଦସଙ୍କୁଳ ବନ୍ଧୁର ପଥ ପାର ହୋଇ ଫେରିଆସିଛି ତାର ପ୍ରି଼ୟତମ-ଦୀର୍ଘ ବିରହର ଅବସାନ ପରେ ତାହାର ଆକାଶରେ ଆଜି ମିଳନ ପୁର୍ଣ୍ଣିମା।ସେଥିଲାଗି ଯାଏ କେତେ ଆସେ କେତେ…। ନା ନା ନା, ନିଶ୍ଚୟ ମରିୟା ତାକୁ ବୁଝାଇପାରିବ, ତାକୁ ସବୁପ୍ରକାର ସାହାଯ୍ୟ କରିବ- ଠିକ୍‌ ଯେପରି ଗ୍ରୀଶା ତାହାକୁ ସକଳ ପ୍ରକାର ବିପଦରୁ ଛାତି ପାତି ରକ୍ଷା କରିଛି।

            “ ଏ କଣ ସତ କହୁଛ ନର୍ସ୍‌?” ଆହତ ଲୋକଟି ଏହି ପ୍ରଶ୍ନ କରି ମରିୟାର ଉଜ୍ଜଳ ମୁଖମଣ୍ଡଳକୁ ତାହାର ମ୍ଲାନ ଚକ୍ଷୁର ଅପଲକ କାତର ଦୃଷ୍ଟିରେ ଚାହିଁ ରହିଲା।

“ ହଁ, ନିରାଟ ସତ।” ଶାନ୍ତ ଏବଂ ଗମ୍ଭୀର କଣ୍ଠରେ ମରିୟା ଜବାବ ଦେଲା, ସତେ ଯେମିତି ସେ ଶପଥ ବାଣୀ ଉଚ୍ଚାରଣ କରୁଛି।

ଆହତ ଲୋକଟି କିଛିକ୍ଷଣ ଉପରକୁ ଚାହିଁ ରହିଲା।

“ ଦେଖ ନର୍ସ୍‌, ଗୋଟିଏ ବାଳିକାକୁ ମୁଁ ଭଲପାଏଁ।”

ହଁ, ଠିକ୍‌ ହୋଇଛି ତାହାହେଲେ। ଏତେବେଳେ ମରିୟା ବୁଝିପାରିଲା ଯେ  ସେ ଠିକ୍‌ ଜାଗାଟିରେ ଆଘାତ କରିଛି। ସେହି ଜବାବ ଦେଇଛି ସେ। ସେହି କଥା ଏତେବେଳଯାଏଁ ଲୋକଟିର ଅନ୍ତର କୋରି ପକାଉଥିଲା। ଆହତ ଲୋକଟି ହାତ ଉଠାଇ ଅସହାୟ ଭାବରେ ତା ମୁହଁ ପାଖରେ ହଲାଉଥାଏ।

“ କଣ ଖୋଜୁଛ?”

‘ତକିଆ ତଳେ…… ଏଇଠି ଏଇ ତକିଆ ତଳେ।” ତକିଆ ତଳେ ହାତ ଦେଲା ମାତ୍ର ତାର ହାତ ତଳେ ଖଣ୍ଡେ ଟୁକୁରା କାଗଜ ମଡ ମଡ କରି ଉଠିଲା… ଖାତାରୁ କାଗଜ ଛିଡ଼ାଇ ଅଠା ଦେଇ ତିଆରି ହୋଇତିବା ଗୋଟେ ଖାମ୍‌… ଉପରେ ଲେଖା ହୋଇଥିବା ଠିକଣା ଅସ୍ପଷ୍ଟ ହୋଇଆସିଛି।

“ଚିଠିଖଣ୍ଡ ବାହାର କର ତ ନର୍ସ।”

ଖାମ ଭିତରୁ ମରିୟା ଭାଙ୍ଗି ପଡ଼ିଥିବା ଖଣ୍ଡେ ମଇଳା କାଗଜ ବାହର କଲା।

“ ସେଖଣ୍ଡ ପଢ଼ି ଶୁଣାଇବ ଦୟାକରି ?” ଭାଙ୍ଗ ଖୋଲି ଆଣ୍ଠୁ ଉପରେ ଚିଠି ଖଣ୍ଡ ସିଧାକରି ନେଇ ମରିୟା ପଢ଼ିବାକୁ ଆରମ୍ଭ କଲା।

 

 




+ -

© Jataayu Charitable Trust
Site designed,developed & maintained by Tekons