ପ୍ରେମର ନିକଷ




ଉପନ୍ୟାସ? କବିର କହିବା ଚାତୁରୀ, ମିଥ୍ୟାର ଜୀବନ୍ତ ପ୍ରତୀକ, କଳ୍ପନାର ଗ୍ରନ୍ଥ ଉପନ୍ୟାସ…… ତାକୁ ପୁଣି ପ୍ରମାଣ ତଳେ ଗଣାଯିବ ! ମୋର ପ୍ରସ୍ତାବ ସଚୋଟ ସତ୍ୟ ପରି ଉପହାସଯୋଗ୍ୟ। ମାନବ ଜୀବନର ଗଭୀରତମ ଅନୁଭୁତି…… ତାର ଆଶା ଓ ଆକାଂକ୍ଷା, ତାର ଭୟ ଓ ଆଶଙ୍କା, ତାର ଚେତନ ଓ ଅଚେତନ ମନ ସାହିତ୍ୟିକର ସୁସ୍ଥ କଳ୍ପନାରେ ଯେପରି ନିଖୁଣ ଭାବେ ଫୁଟିପାରେ, ଐତିହାସିକ ତାରିଖ ଓ ଘଟଣାର ତଫସିଲରେ ଦେଖିବାକୁ ମିଳେ ନାହିଁ।ପ୍ରକୃତ ବିବରଣୀର ଫଟୋଗ୍ରାଫ୍‌ରେ ମାନବ ଅନ୍ତରର ସୂକ୍ଷ୍ମ  ଛାୟାତରଙ୍ଗ ଧରାଦିଏ ନାହିଁ। ସୁସ୍ଥ ଉପନ୍ୟାସ ଜରିଆରେ ହିଁ ସାମାଜିକ ଜୀବନର ସକଳ ପରିଚୟ ମିଳେ, ନିର୍ଭୂଲ, ବାସ୍ତବ ଓ ଅନ୍ତରଙ୍ଗ ପରିଚୟ। ‘ଯେତେ ହେଲେ ଏହା ସୋଭିଏଟ୍‌ର ପ୍ରଚାର ମାତ୍ର!!’ ପୁଞ୍ଜିବାଦୀ ପ୍ରଚାରରେ ଏହା ଏକ ମାମୁଲି ଗତ। ସ୍ବୀକାର କରାଯାଉ ଏହା ପ୍ରଚାର। ଏହି ଉପନ୍ୟାସରେ ସନ୍ନିବିଷ୍ଟ ଆଦର୍ଶର ପ୍ରଚାର ଯେବେ ସୋଭିଏଟ୍‌ କରେ, ତେବେ ସେ ପ୍ରଚାର ହୃଦୟକୁ ଅଧିକ ଉନ୍ନତ କରିବା ଲାଗି, ଜୀବନକୁ ବଳିଷ୍ଠ କରିବାଲାଗି… ଅତି କାମ୍ୟ; ତାହା ମିଥ୍ୟାର ଆବରଣ ନୁହେଁ, ମଙ୍ଗଳମୟର ସନ୍ଧାନ। ସଇତାନ ହିଁ କେବଳ ତାକୁ ଘୃଣା କରେ, ଉପହାସ କରେ।

            ଏହି ଉପନ୍ୟାସରେ ସୋଭିଏଟ୍‌ର ଗୋଟେ କ୍ଷୁଦ୍ର ପରିବାରର ଚିତ୍ର ଦିଆଯାଇଛି-ଶାନ୍ତି ସମୟର ନୁହେଁ, ଗଲା ଯୁଦ୍ଧକାଳର କଥା,କ୍ରୂର ଅନୁଭୂତି ପୂର୍ଣ୍ଣ, କଠିନ ଓ ବିକାରଗ୍ରସ୍ତ ଜୀବନର ଚିତ୍ର। ସ୍ବାମୀ ଗ୍ରୀଶା ଇଞ୍ଜିନିୟର ଥିଲା, ମରିୟା ତାର ସ୍ତ୍ରୀ, ମାତ୍ର ଅଳ୍ପ କେତେଟି ବର୍ଷ ଲାଗି ଉଭୟଙ୍କର ଦାମ୍ପତ୍ୟ ଜୀବନ ପରସ୍ପର ପ୍ରତି ସ୍ନେହ ଓ ସହାନୁଭୂତିରେ ରସାୟିତ ହୋଇଥିଲା। ତା ପରେ ଯୁଦ୍ଧ…ଜର୍ମାନ  ଆକ୍ରମଣକାରୀ ହାତରୁ ସୋଭିଏଟ୍‌କୁ ମୁକ୍ତ କରିବା ଲାଗି ଗ୍ରିଶା ସମ୍ମୁଖ ସମରକୁ ଗଲା ମରିୟା ହାସପାତାଳରେ ନର୍ସହେଲା। ଦୁର୍ଭାଗ୍ୟ, (ସେ ଦୁର୍ଭାଗ୍ୟ ସୋଭିଏଟ୍‌ର ବହୁ ନରନାରୀଙ୍କର ଜୀବନରେ ଘଟିଥିଲା)ଯୁଦ୍ଧରେ ଗ୍ରିଶା ବିଲୁକୁଲ୍‌ ପଙ୍ଗୁ ହେଇଗଲା। ଏହି ବିକଳାଙ୍ଗ ସ୍ବାମୀ ଓ ପୂର୍ଣ୍ଣ ଯୌବନର ମରିୟା ଏମାନେ କଣ ପୁଣି ପରସ୍ପରକୁ ଭଲ ପାଇବେ? ଏମାନଙ୍କ ମଧ୍ୟରେ କିଭଳି ଦାମ୍ପତ୍ୟ-ଜୀବନ ସୁଖମୟ ହେବ ? ମରିୟା ଏଇ କଦାକାର ପୁରୁଷର ଆଜୀବନ ସେବାଶୁଶ୍ରୁଷା କରି ଆପଣାର ଯୌବନକୁ ନଷ୍ଟ କରିବ, ନା ନୂତନ ସଂସାର ଗଢ଼ିବ? ଏହାହିଁ ହୋଇଛି ଉପନ୍ୟାସଗତ  ସଂଘର୍ଷ। ଲେଖିକା ବାହ୍ୟିକ ବର୍ଣ୍ଣନାରେ ବାକ୍ୟବ୍ୟୟ କରି ନାହାନ୍ତି; ଉପନ୍ୟାସର କଥାବସ୍ତୁ ଏହାଠାରୁ ସରଳ ହୋଇନପାରେ । କିନ୍ତୁ ମନୁଷ୍ୟର ଅବଚେତନ ମନକୁ ପ୍ରକାଶ କରିବାରେ , ଅନୁଭୂତିଗୁଡ଼ିକୁ ସ୍ପଷ୍ଟ ଓ ବାସ୍ତବ କରି ଫୁଟାଇବାରେ , ଭାବନାର ସୂକ୍ଷ୍ମାସୂକ୍ଷ୍ମ ତରଙ୍ଗକୁ ଉପଲବ୍ଧି କରି ପାଠକମାନଙ୍କର ବୋଧଗମ୍ୟ କରାଇବାରେ ଉପନ୍ୟାସର ଚମତ୍କାରିତା ସନ୍ନିବିଷ୍ଟ। ଯେଉଁ ଘଟଣା ଉପରକୁ ଅତି ତୁଚ୍ଛ ନଗଣ୍ୟ ବୋଧହୁଏ, ସେହି ଘଟଣାର ଅନ୍ତର୍ନିହିତ ଗଭୀର ଅନୂଭୂତିକୁ ଅଭିବ୍ୟକ୍ତ କରିବା ଦ୍ବାରା, ତାହା ଶ୍ରେଷ୍ଠ ନାଟକର ଉତ୍ତୁଙ୍ଗ ସଂଘର୍ଷଠାରୁ ଅହୁରି ଉନ୍ନତ ହୋଇ ଛିଡ଼ା ହୋଇଛି,ଆହୁରି ମହୀୟାନ୍‌ ହୋଇଛି। ଏହାହିଁ ଏ ଉପନ୍ୟାସର ସାହିତ୍ୟିକ ମର୍ଯ୍ୟାଦା।

 

 

ରଘୁନାଥ ଦାସ

 

 




+ -

© Jataayu Charitable Trust
Site designed,developed & maintained by Tekons