“ଓହୋ ଏଇଆ,… ଆଚ୍ଛା” ଲୋକଟି କିଛି ସମୟ ଚୁପ୍ ହାଇଗଲା।
ମରିୟା ମଧ୍ୟ ତା ମୁହଁ ଆଡ଼େ ନିରବରେ ଚାହିଁ ରହି ଅପେକ୍ଷା କଲା।
“ ଗୋଟଏ କଥା ତ ମୋତେ ସତ କରି କହିବ … ଖାଣ୍ଟି ସତ, ଆଉ କିଛି ନୁହେଁ।” ହଠାତ୍ ସେ ମରିୟାକୁ ପଚାରିଲା।
“ନିଶ୍ଚୟ ଚେଷ୍ଟା କରିବି।”
“ ନା ନା, ନର୍ସ, ତୁମେ କେବେହେଲେ ସତ କଥାଟା କହିପାରିବ ନାହିଁ। ତାହା କଦାପି ପାରିବ ନାହିଁ…କିନ୍ତୁ ଥରେ ଭାବି ଦେଖ ନର୍ସ, ଯଦି ତୁମେ ମୋର ଅବସ୍ଥାରେ ପଡ଼ିଥାନ୍ତ… ଧର ତୁମେ ହାସପାତାଳରେ ଅନ୍ଧହୋଇ ପଡିଚ…”
“ ତୁମେ ତ ଅନ୍ଧ ହୋଇ ନାହଁ।” ମରିୟା ଟିକେ ଜୋରରେ ପ୍ରତିବାଦ କଲା।
“ ବେଶ୍, ଅନ୍ଧ ନୁହେଁ, କଣା ତ- ସେ ଏକା କଥା। ଗୋଟିଏ ଆଖି, ଗୋଟିଏ ହାତ ଆଉ ଗୋଟିଏ ଗୋଡ଼ ହରାଇଛିତ।ଏହାପରେ କଣ ତୁମେ ବଞ୍ଚି ରହିବାକୁ କୁହ, ନର୍ସ?” ରାଗରେ ଏବଂ ଦୁଃଖରେ ଲୋକଟି ତୀବ୍ର ଉଚ୍ଚସ୍ବରରେ ହସି ଉଠିଲା। ତାହର କଳା ଆଖିଟିରୁ ନିଆଁ ବାହାରୁଛି ସତେ ଯେପରି…।
ତଥାପି ମୁଁ ଜାଣିବାକୁ ଚାହେଁ-ସତ କୁହ, ଯାହାକୁ ନିରାଟ ସତ କହନ୍ତି-ଅବଶ୍ୟ ଯେବେ ଜାଣିଥାଅ।”
“ ସତ କଥା ମୁଁ କହିବି।” ଶାନ୍ତ କଣ୍ଠରେ ମରିୟା ଜବାବ ଦେଲା। “ ଠିକ୍ ହୋଇ ଟିକିଏ ଶୋଇଲ ଆଗେ। ତକିଆକୁ ସିଧା କରିଦିଏଁ। ହଁ, ହୋଇଛି ଏଥର, ଆଚ୍ଛା ତେବେ ଶୁଅ…”
ମରିୟା ରୋଗୀର ଜରୁଆ ତାତିଲା ହାତଟି ନିଜର ହାତମୁଠା ଭିତରକୁ ଉଠାଇ ନେଲା।ଲୋକଟି ଆଗ୍ରହ ସହିତ ମରିୟାର ମୁହଁକୁ ନୀରବରେ ଚାହିଁରହିଁ ଅପେକ୍ଷା କଲା।
“ଦେଖ, ମୁଁ ସେ କଥା ଠିକ୍ କରିପାରିଲି ନାହିଁ। ଏ ରକମ ଅବସ୍ଥାରେ ପଡ଼ି ମୁଁ କଅଣ କରନ୍ତି-ହୁଏତ ମୁଁ ମୃତ୍ୟୁକାମନା କରନ୍ତି।”
“ ଠିକ୍ କଥା ତାହାହେଲେ ଦେଖ…”
“ ଟିକିଏ ଅପେକ୍ଷା କର।” ମୁହୂର୍ତ୍ତକ ଭିତରେ ମରିୟାର ଦୀର୍ଘ ଶ୍ରମଜନିତ କ୍ଲାନ୍ତି ଅନ୍ତର୍ହିତ ହୋଇଗଲା। ସେ ଯେପରି ପ୍ରଥମେ ଆସି କାମ ଆରମ୍ଭ କରିଛି ଏହିପରି ଗୋଟିଏ ସତେଜ ଭାବ ଓ ସଜୀବତା ଫେରିଆସିଲା ତାର ଦେହ ଓ ମନକୁ । ଗ୍ରିଶାର କଥା ମନେ ପଡ଼ୁଛି। ତାହାର ଅନ୍ତର ଆବେଗରେ ଉଚ୍ଛୁଳି ଉଠୁଛି।
“ ଦେଖ, ମୋର ମଧ୍ୟ ସ୍ବାମୀ ଅଛନ୍ତି-ବର୍ତ୍ତମାନ ସେ ଯୁଦ୍ଧକ୍ଷେତ୍ରରେ। ହୁଏତ ବର୍ତ୍ତମାନ ସେ ତୁମପରି ଆହତ ହୋଇପଡିଛନ୍ତି, ସତ କହୁଛି ତାଙ୍କର ଯଦି ଏହାହିଁ ହୁଏ- ସେ ଯଦି ଅକ୍ଷତ ଦେହରେ ଫେରି ନ ଆସନ୍ତି, ଯଦିବା ତାଙ୍କର ହାତ ଗୋଡ଼ ନଥାଏ- ତଥାପି ମୋ ଆତ୍ମା ଡ଼ାକୁଛି ସେ ବଞ୍ଚି ଫେରିଆସନ୍ତୁ। ମୋର ହାତ ହେବ ତାଙ୍କର ହାତ; ମୋର ଚକ୍ଷୁ ଦେଇ ସେ ଦେଖିବେ ଆଲୋକ –କେବଳ ସେ ବଞ୍ଚି ଫେରିଆସନ୍ତୁ-ମୋର ସକଳ କାର୍ଯ୍ୟରେ ଚିରଦିନ ମୋ ପାଖରେ ରୁହନ୍ତୁ-ଏଇ ମାତ୍ର ମୋର ଦରକାର।”