ମରିୟା ହସି ଉଠିଲା, ଗ୍ରିଶାର ଗାଲକୁ ତାହାର ଗାଲ ସ୍ପର୍ଶ କଲା। ଆଜି ମରିୟା ପ୍ରଥମ ଉପଲବ୍ଧି କଲା ଯେ ଗ୍ରିଶା ବଞ୍ଚି ରହିଛି- ଆଉ ସେହି ଗୋଟାଏ କଥା ଭିତରେ ଜଗତର ସୁଖ, ଶାନ୍ତି ସବୁ ଭରି ରହିଛି…।
ପୁନର୍ବାର ସେମାନେ ପରସ୍ପରର ସ୍ବାସ୍ଥ୍ୟ କାମନାକରି ସୁରାପାନ କଲେ। ଗ୍ଲାସ୍ରେ ଗ୍ଲାସ୍ ବାଜି ଟନ୍ ଟନ୍ ଶବ୍ଦ ଉଠିଲା । ମଦର ଉଗ୍ର ମିଠା ସ୍ବାଦସହିତ କୌଣସି ଏକ ସୁଦୂର ପାହାଡ଼ିଆ କ୍ଷେତ୍ରରେ ଅଙ୍ଗୁରର ମାଦକ ଗନ୍ଧ ଭାସି ଆସିଲା ; ମନମତାଣିଆ ଏହି ଗନ୍ଧ ସାହସ ବହି ଆଣିଲା, ଆଣିଲା ଶକ୍ତି।
“ଗୀତଟିଏ ଗାଇବ ଗ୍ରିଶା।”
ଅବଶ ହୋଇ ମରିୟା ଆଖି ବୁଜିଦେଲା; ଗ୍ରିଶାର ଗୀତ… ତାହାର ସେହି ପ୍ରିୟ ଗାନଟି। ସେମାନଙ୍କ ବିଶାଳ ମାତୃଭୂମିର ବିସ୍ତୀର୍ଣ୍ଣ ପ୍ରାନ୍ତର ପାରି ହୋଇ ଦିନେ ଯେଉଁ ତରୁଣ ଆସିଥିଲା… ସେ ଏହି ଗ୍ରିଶା; ସେ ଦିନ ପବନ ତାହାର ସୁନ୍ଦର ରେଶମୀ କେଶଗୁଡ଼ାକ ସହିତ କ୍ରୀଡ଼ା କରୁଥିଲା, ବହୁତ ଦୂରକୁ ତାର ସ୍ବର ଉଡ଼ାଇ ନେଇଯାଉଥିଲା। ଉନ୍ମୁକ୍ତ ପ୍ରାନ୍ତର ମଧ୍ୟରେ ସେ ଚାଲି ଆସୁଥିଲା ତାହାର ଦୁଇ ବାହାକୁ ଉଭୟ ଦିଗକୁ ପ୍ରସାରିତ କରି। ଏକ ଗୌରବମୟ ମହତ୍ ଉଦ୍ଦେଶ୍ୟରେ ସେଦିନ ସେ ତରୁଣ ଗ୍ରିଶା ଧାଉଁଥିଲା, ଆଉ ପବନ ସେଦିନ ତାହାର ମୁହଁଟି ଛୁଇଁ ଛୁଇଁ ବହିଯାଉଥିଲା।
ଗ୍ରିଶାର କଣ୍ଠ, ଗ୍ରିଶାର ସୁର। ଏପରି ପ୍ରାଣମତାଣିଆ ସ୍ବରରେ କେହି ଆଉ କୌଣସି ଦିନ ସେ ଗୀତଟି ଗାଇନାହିଁ। ଆଉ ସେହିଦିନ ଏହି ବେରି-ଓ-ଝୋଭ୍କା ଏବଂ ପରେ ତାହାର ସେହି ଏକାନ୍ତ ନିଃଶବ୍ଦ ଦିନରେ କେଉଁଠାରୁ ଗ୍ରିଶାର କଣ୍ଠ ତାହାର କାନରେ ସେହି ସୁମଧୁର ସ୍ବର ଢାଳି ଦେଇଥିଲା, ମନେ ହେଉଥିଲା ପାଖରେ କେଉଁଠି ଗ୍ରିଶା ସେହି ଗୀତଟି ଗାଉଛି, ହୁଏତ ତାହାର ଅନ୍ତରରେ ।
ଏକ ଅନିର୍ବଚନୀୟ ଆନନ୍ଦରେ ତାହାର ଅନ୍ତର ପରିପୂର୍ଣ୍ଣ ହୋଇଯାଇଛି। ଗଭୀର ପ୍ରେମର ସେହି ନିରବତାରେ ତାହାର ହୃଦୟ ଭରି ଉଠୁଛି। ଏଇ ସେଇ ଗ୍ରିଶା, ବେରି-ଓ-ଝୋଭ୍କାରେ ଯାହା ସାଙ୍ଗରେ ସେ ହାତ ଧରାଧରି ହୋଇ ମାଦକ ଗନ୍ଧଭରା ଆତବଣର ଗଳିକୁଞ୍ଜରେ ବୁଲିଥିଲା।ଆଜି ସେ ସୁଦୂର ଯୁଦ୍ଧକ୍ଷେତ୍ରରୁ ଫେରିଆସିଛି ; ସକଳ କାର୍ଯ୍ୟରେ ମରିୟା ତାକୁ ସାହାଯ୍ୟ କରିବ ତାହାର ପଙ୍ଗୁତା ସହିତ ସଂଗ୍ରାମ କରିବ, ଯେଉଁ କାମସବୁ ସେ ଗୋଟାଏ ହାତରେ କରିବ ବୋଲି ଭାବିଛି ସେ ତାକୁ ସେହି ସବୁ କାମରେ ସାହାଯ୍ୟ କରିବ ।
କି ଭୀଷଣ ଦୁଃସ୍ବପ୍ନ ଭିତରେ ତାହାର ଗୋଟାଏ ମାସ କଟି ଯାଇଛି। ପ୍ରକୃତରେ ତାହା କି ଏକ ଦୁଃସ୍ବପ୍ନ-ଗୋଟାଏ ନିଦାରୁଣ ଦୁଃସ୍ବପ୍ନ।
“ମରିୟା।”
“ପ୍ରିୟତମ।”
“ମୋତେ କ୍ଷମାକର…”।
ଦାରୁଣ ଭୟରେ କମ୍ପି ଉଠିଲା ମରିୟାର ଅନ୍ତର ।
“କାହିଁକି?”
“ସେଠାରେ ସେ ସମୟରେ… ଦେଖ ମୁଁ ଭାବିଥିଲି ଯେ…” ମରିୟା ସବୁ ବୁଝିପାରୁଛି।
“ସବୁ ତ ଠିକ୍ ହୋଇଯାଇଛି… ସବୁ ଠିକ୍ ହୋଇଯାଇଛି…କିଛି କହିବାର ଆଉ ଦରକାର ନାହିଁ-ଥାଉ, ଯେପରି ଅଛି ଠିକ୍ ସେହିପରି ଥାଉ।”
“ ଆଃ କି ସୁନ୍ଦର…।”
ହଁ, ହଁ, ଗ୍ରିଶା ସନ୍ଦେହ କରିଥିଲା ତାକୁ ମନେ ମନେ-ଚାହିଁଥିଲା। ଦୁରକୁ ଚାଲିଯିବାକୁ ତାକୁ ଏକୁଟିଆ ପକାଇ ଦେଇ। ମରିୟାର ଜୀବନ କ୍ଷେତ୍ରରୁ ନିଜକୁ ପୋଛି ପକାଇବାକୁ ସେ ଚାହିଁଥିଲା। ତାହାହେଲେ କଣ ଗ୍ରିଶାର ମନର ଏହି ସନ୍ଦେହ ତାହାର ମନରେ ଏଭାବ ଜଗାଇଥିଲା? ଏହି ସନ୍ଦେହ କଅଣ ତାହାର ମନରେ ଅନ୍ୟାୟ ବୀଜବପନ କରିଥିଲା,ଯାହାଫଳରେ ତାହାର ଅନ୍ତର ଭୟରେ ଛାଇ ହୋଇଯାଇଥିଲା, ତାହାର ଗଳା ରୁଦ୍ଧ ହୋଇ ଆସିଥିଲା ଓ ତାର ଜୀବନବିଷମୟ ହୋଇଥିଲା? ସବୁର ପରିଣତି ଆଜି ସୁନ୍ଦର ହୋଇଛି, ମରିୟା ଆଉ ଗ୍ରିଶା-ଗ୍ରିଶା ଏବଂ ତାହାର ଅସୀମ ସୁଖ…
“ଆଉ ଥରେ ଗାଅ, ଗ୍ରିଶା।”
ଯୁଦ୍ଧର ନିର୍ମମ ହସ୍ତରେ ତାହାର ଦେହ ପୋଡ଼ିଯାଇଛି, କିନ୍ତୁ କୌଣସିଥିରେ ତ କିଛି ପରିବର୍ତ୍ତନ ହୋଇନାହିଁ। ଏହି ତ ସେହି-ସେହି ଗ୍ରିଶା । ଫେରିପାଇଛି ମରିୟା ତାହାର କଣ୍ଠ,ତାହାର ମନମତାଣିଆ ହସ, ପ୍ରେମଭରା ନୟନର ପରିପୂର୍ଣ୍ଣ ସ୍ନିଗ୍ଧ ଚାହାଣି। ସମସ୍ତ ଅତୀତ ସେମାନଙ୍କ ଜୀବନ ପୂର୍ଣ୍ଣ କରି ଫେରିଆସିଛି, ପୁଣି ଏକ ସୂତ୍ରରେ ଗୁନ୍ଥା ହୋଇଛି ଦୁଇଟି ଜୀବନ, ସମସ୍ତ କାନ୍ଦ, ସମସ୍ତ ହସ, କାନ୍ଦ, ଆନନ୍ଦ ଆଉ ବେଦନାରେ। ଶତ୍ରୁର ବେୟୋନେଟ୍ ତ ଧ୍ବଂସକରିପାରିନାହିଁ ; ଶତ୍ରୁର ଆଘାତ କରିଦେଇପାରିନାହିଁ; ଗ୍ରିଶା ସେମାନଙ୍କର ରହିଛି, ଆଉ ସେହି ଗ୍ରିଶା ମଧ୍ୟ ବର୍ତ୍ତମାନ ଜୀବନରେ ଶେଷ ପର୍ଯ୍ୟନ୍ତ ଠିକ୍ ଏହିପରି ରହିବ।
କିନ୍ତୁ ବର୍ତ୍ତମାନ ସେମାନଙ୍କର ଜୀବନର ‘ଶେଷ’ କଥାଟା ନିହାତି ଫାଙ୍କା- ଅର୍ଥହୀନ। ଏଇ ଅଳ୍ପ ସମୟ ହେଲା ଆରମ୍ଭ ହୋଇଛି ନୂତନ ଜୀବନ, ଆଲୋକଜ୍ଜ୍ବଳ ନୂତନ ପ୍ରଭାତ, ନୂତନ ଭାଷା-ଯୌବନର ନୂତନ ଆନନ୍ଦ…
“ଗ୍ରିଶା, ଗ୍ରିଶା, ଗ୍ରିଶା।”
“ମରିୟା?”
ହଁ, ସେଇଟା ନିହାତି ଗୋଟାଏ ଦୁଃସ୍ବପ୍ନ ଥିଲା, ଭୟଙ୍କର ଦୁଃସ୍ବପ୍ନ। ମରିୟା ଚେଷ୍ଟା କଲା ସେହି ପୂର୍ବ ଭାବଟି ଫେରାଇ ଆଣିବାକୁ-ପ୍ରଥମେ ତାକୁ ଦେଖିବା ସଙ୍ଗେ ସଙ୍ଗେ ତାହାର ମନରେ ଯେଉଁ ଭାବ ଜାଗି ଉଠିଥିଲା; କିନ୍ତୁ ତାହାର ଅନ୍ତର ପରିପୂର୍ଣ୍ଣ କରି କେବଳ ମାତ୍ର ଭାସି ଆସିଲା ସେହି ଏକାନ୍ତ ପରିଚିତ ମୁହଁଟି, ଯେଉଁ ମୁଖରେ ସେ ଶତ ଶତ ବାର ଚୁମ୍ବନ କରିଛି। ଆଘାତର ଶତ ଦାଗ ଓ ଦାଗ ଚିହ୍ନସବୁ ବାହ୍ୟିକ, ସବୁ ଅବାନ୍ତର। ସେହି ଗ୍ରିଶା ରହିଛି, ସେ ଆଜି ମଧ୍ୟ-କୌଣସିଥିରେ କିଛି ପରିବର୍ତ୍ତନ ଘଟାଇ ପାରିନାହିଁ ତାହାର ହସ, ତାହାର କଣ୍ଠ,ତାର ଅନ୍ତରରୁ ସବୁ ଅମଳିନ, ଅପରିବର୍ତ୍ତନୀୟ…
“ତୁମକୁ ଛାଡ଼ି ଦିନଗୁଡ଼ିକ କି କଷ୍ଟରେ ନ କଟିଛି, ମରିୟା-ଭୟଙ୍କର କଷ୍ଟ।” ପରମ ଆନନ୍ଦରେ ଗ୍ରିଶା କହି ଉଠିଲା।
ମରିୟା ସବୁ- ଗ୍ରିଶା ସେ ବିଦାୟର ଦିନଟି କଥା କହୁନାହିଁ-କହୁନାହିଁ ସେ ଦିନର କଥା, ଯେଉଁଦିନ ସେମାନେ ପରସ୍ପରଠାରୁ ଦୂରରେ ଥିଲେ, ସେ ଏହି କେତେଦିନର କଥା କହୁଛି-ହାସପାତାଳରେ ପ୍ରଥମ ଦେଖା ହେବା ଦିନଟି ଠାରୁ, ଏହି ଘରେ ଏହି ଦିନଗୁଡ଼ିକର କଥା।
“ଶାନ୍ତ ହୁଅ, ମୋ ସୁନାଟି ପରା , ଶାନ୍ତ ହୁଅ। ଏଇ ତ ତୁମ ପାଖରେ ମୁଁ ଅଛି।” ମରିୟା ଚୁପ୍ଚୁପ୍ କରି ତାହାର କାନରେ କହିଲା, ଯେପରି ସେ କୌଣସି ଗୋପନ କଥା କହୁଛି।
“ ଆଉ ତୁମେ ଚିରଦିନ ମୋ ପାଖରେ ଠିକ୍ ଏହିପରି ରହିଥିବ , ନା?”
“ଚିରଦିନ-ପ୍ରିୟତମ ମୋର, ଚିରଦିନ ମୁଁ ତୁମ ପାଖରେ ଥିବି।”