“ ତାହାପରେ, ତାହାପରେ?”
“ତାହାପରେ ମୁଁ ତାଙ୍କର ଦେହତଳ ଶେଯଟା ଠିକ୍ ଭାବରେ ସଜାଡ଼ି ଦେଇ ଆଇସ୍ ବ୍ୟାଗ୍ଟା ବଦଳାଇ ଦେଲି।”
“ମୁଣ୍ଡ ଆଇସ୍ ବ୍ୟାଗ୍ ଦେଲ… କିନ୍ତୁ ତାଙ୍କର ପେଟରେ ତ ଆଘାତ ଲାଗିଥିଲା, ନୁହେଁ?”
“କିନ୍ତୁ ଆଇସ୍, ବ୍ୟାଗ୍ ଦିଆ ହେଉଥିଲା ଜ୍ବର ପାଇଁ।”
“ତା ବୁଝିଛି… ଆଚ୍ଛା, ସେ କିଛି କହୁଥିଲେ କି? କୌଣସି କଥା କହୁଥିଲେ କି?” ମରିୟା ମନେ ପକାଇବାକୁ ଚେଷ୍ଟା କଲା…ମହିଳାଟି ଉଠି ଛିଡ଼ା ହେଲା।
“ଦୟାକରି ଟିକିଏ ମନେ ପକାଇବାକୁ ଚେଷ୍ଟା କର, ସେଇଟା ବିଶେଷ ଦରକାରୀ… ବିଶେଷ ଦରକାରୀ…।”
“ହଁ, ସେ ପଚାରୁଥିଲେ …।”
ଆକୁଳ ଆଗ୍ରହରେ ମହିଳାଟି ତାହାଆଡ଼େ ଚାହିଁ ରହିଥାଏ। “କଅଣ ସେ ପଚାରୁଥିଲେ?”
କ୍ଷୀଣ କଣ୍ଠରେ ଅସ୍ପଷ୍ଟ ଶବ୍ଦ; ମହିଳାଟି ଚୌକି ପଛପଟକୁ ତା’ହାତରେ ଏତେ ଜୋର୍ରେ ଚାପି ଧରିଲା ଯେ ତାହାର ଆଙ୍ଗୁଳିର ଗଣ୍ଠିଗୁଡ଼ିକ ମଧ୍ୟ ଶେତା ହୋଇଉଠିଲା ।
“ଯୁଦ୍ଧର ଖବର ପଚାରୁଥିଲେ, କାହିଁକି ନା, ସେତେବେଳେ କେବଳ ମାତ୍ର…।”
“ଯୁଦ୍ଧର ଶେଷ ଖବର ଜାଣିବାକୁ ଚାହିଁଥିଲେ ସେ, କାରଣ ସେତେବେଳେ ରେଡ଼ିଓରେ…”
ମହିଳାଟି ଟିକିଏସାମନାକୁ ଆଗେଇ ଆସଲା, ଯେପରିକି ସେ ବର୍ତ୍ତମାନ ମରିୟା ଉପରେ ଝାମ୍ପି ପଡ଼ିବ।
“ତାହା ଛଡ଼ା ଆଉ କିଛି ? ଆଉ କିଛି ଜାଣିବାକୁ ଚାହିଁଥିଲେ?”
“ନା,ଆଉ କିଛି ନୁହେଁ, ମୁଁ ତାଙ୍କୁ ଯୁଦ୍ଧର ଖବର ଣୁଣାଇଲି-ତାହାପରେ ତାଙ୍କର ମୃତ୍ୟୁ ହେଲା।”
“କିନ୍ତୁ ଚିଠିଟା?”
“କି ଚିଠି?”
“ଖଣ୍ଡେ ଚିଠି ରଖିଯାଇଛନ୍ତି ନିଶ୍ଚୟ, ନିଶ୍ଚୟ ଗୋଟାଏ ଚିଠି ଅଛି… ମୋର ନାଁରେ…। ସେତେବେଳେ ଅଉ କୌଣସି କଥା କହି ନାହାନ୍ତି?”
“କୌଣସି ଚିଠି ତ ନଥିଲା,କାରଣ ସେତେବେଳେ ଲେଖିପାରୁନଥିଲେ।”
“ତା ଠିକ୍, ତାହାହେଲେ କୌଣସି ଚିଠି ନାହିଁ? ଆଉ କେବଳ ସେ ଯୁଦ୍ଧର ଖବର ଜାଣିବାକୁ ଜାହିଁଥିଲେ?”
“ହଁ ।”
ମହିଳାଟିର ମୁଣ୍ଡଟି ଚୌକିର ପଛପଟକୁ ଓହଳି ପଡ଼ିଲା ।
“ଯୁଦ୍ଧର ଖବର…ଯୁଦ୍ଧର ଖବର।”
ଡିରେକ୍ଟର ଦଉଡ଼ିଆସି ତାହା ପାଖରେ ଛିଡ଼ାହେଲେ, ଗୋଟାଏ ଅଦ୍ଭୁତ ଅପ୍ରତ୍ୟାଶିତ ଶକ୍ତିରେ ମହିଳାଟି ଧକ୍କା ଦେଇ ତାଙ୍କୁ ଦୂରକୁ ଠେଲିଦେଲା, ତାହାପରେ ତାହାର କ୍ଷୀଣ ଦେହଟି ଚଟାଣ ଉପରେ ଲୋଟିଗଲା। ମରିୟା ଦଉଡ଼ି ଆସି ତାହାର ମୁଣ୍ଡଟି ଧରି ପକାଇଲା, ବିସ୍ଫାରିତ ଚକ୍ଷୁ ଦୁଇଟିର ଡୋଳା ମୁହୁର୍ମୁହୂ ଘୂରିଯାଉଛି, କମ୍ପିତ ଦେହଟି ବାରମ୍ବାର ଭିଡ଼ିମୋଡ଼ି ହୋଇଯାଉଛି। କାଗଜ ପରି ଧୋବ ହୋଇଯାଇଛି ଓଠ ଦୁଇଟି, ସେହି ଓଠ ଦୁଇଟିର ଫାଙ୍କବାଟେ କ୍ରନ୍ଦନର ଶବ୍ଦ ସଙ୍ଗେ “ଯୁଦ୍ଧର ଖବର, ଯୁଦ୍ଧର ଖବର” ଏହି ଶବ୍ଦଗୁଡ଼ିକ ବାହାରି ଆସୁଛି। ତାହାପରେ ଆହୁରି ଜୋର୍ରେ ଚିତ୍କାର କରି ଉଠିଲା,“ମରିଯାଇଛନ୍ତି, ମରି ଯାଇଛନ୍ତି, ସେ ମରି ଯାଇଛନ୍ତି-।”
ଆଉ ଗୋଟିଏ ଡାକ୍ତର ଦୌଡ଼ି ଆସିଲା, ମରିୟା ଚାଲିଗଲା, ସେ ବାରଣ୍ଡା ପାରହୋଇ ଦଉଡ଼ି ଚାଲିଗଲା,ଯେପରିକି ଏହି ଅମାନୁଷିକ କ୍ରନ୍ଦନ ଶବ୍ଦ ତାକୁ ଗୋଟାଏ ଅନିବାର୍ଯ୍ୟ ଶକ୍ତିରେ ଠେଲି ନେଇ ଯାଉଛି- “ମରି ଯାଇଛନ୍ତି, ମରି ଯାଇଛନ୍ତି, ସେ ମରିଯାଇଛନ୍ତି”
ହଠାତ୍ ଗୋଟାଏ ଆଖି ଝଲସିଆ ବିଜୁଳିର ତୀବ୍ର ଆଲୋକ ପରି ଏବଂ ଭାଙ୍ଗି ପଡ଼ୁଥିବା କାନ୍ଥର ବଜ୍ର ଗର୍ଜନ ପରି ତାହାର ସମସ୍ତ ଶକ୍ତି, ସମସ୍ତ ଅନୁଭୂତି ଆଲୋଡ଼ିତ କରି ଗୋଟିଏ କଥା ଜାଗି ଉଠୁଛି, ସେ ଅଶ୍ରୁତପୂର୍ବ ସତ୍ୟବାଣୀ-“ଗ୍ରେଗରୀ ବଞ୍ଚିରହିଛି।”
ନଦୀକୂଳରେ ଛିଡ଼ାହୋଇ ଭରୋନତ୍ସଭ୍ ତାକୁ ଯାହା କହୁଥିଲା, ଏ ସେ କଥା ନୁହେଁ; ମରିୟା ଆଖି ଆଗର କଳାପରଦା ଛିଡ଼ି ଖଣ୍ଡ ଖଣ୍ଡ ହୋଇଯାଇଛି। ଆଖିଝଲସିଆ ଗୋଟାଏ ତୀବ୍ର ଆଲୋକ ଆସି ତାହାର ଅଖିରେ ପଡ଼ିଛି। ସହସ୍ର କଣ୍ଠର ବଜ୍ରନିର୍ଦ୍ଦୋଷ ତାହାର କାନରେ ସେହି କଥା କହିଦେଇଛି, “ଗ୍ରେଗରୀ ବଞ୍ଚି ରହିଛି।”
“ଯଦି ସମୟ ବହିଯାଉଥାଏ,,,” ଆତଙ୍କରେ ମରିୟାର ଅନ୍ତର ଥରିଉଠିଲା। ଏହି ମୁହୂର୍ତ୍ତରେ ସେ ଯଦି ମରି ଯାଇଥାଏ,ତାହାର ଘରେ ପହଞ୍ଚିବା ଆଗରୁ ଯଦି ସେ ମରିଯାଏ? ତାହାହେଲେ ଆଉ କିଛି କହି ହେବନାହିଁ… ମରିୟା ମନରେ ଯାହା କିଛି ଜମି ରହିଛି ସେସବୁ ଅକୁହା ରହିଯିବ… କେବଳ ଯାହା ଆଜି ପର୍ଯ୍ୟନ୍ତ ଘଟିଆସିଛି, ସେହି କଥା ଜାଣିଯିବେ ସେ, ଏପରିକି ସେ ଜାଣିପାରିବେ ନାହିଁ ଯେ ମରିୟା ବି…।
“ଶୀଘ୍ର-ଶୀଘ୍ର।” ଆପଣା ମନକୁ ମନ ମରିୟା କହିଯାଉଛି। ସେ ଆଉସବୁ କଥା ଭୁଲିଗଲା, କୋଟ୍ଟା ପର୍ଯ୍ୟନ୍ତ ପିନ୍ଧିବାକୁ ତାକୁ ତର ମିଳିନାହିଁ। ଦଉଡ଼ି ଦଉଡ଼ି ଓହ୍ଲାଇଆସି ରାସ୍ତାକୁ ବାହାରି ପଡ଼ିଲା ସେ । ଫାଟକ ପାଖରେ ଦରୱାନ କଅଣ ପଚାରିଲା, କିନ୍ତୁ ସେକଥାର ଉତ୍ତର ଦେବାକୁ ତାହାର ସମୟ ନାହିଁ; ଜନକୋଳାହଳରେ ମୁଖରିତ ରାଜପଥ ଯେପରି ଚିତ୍କାର କରିଉଠୁଛି, “ଜଲ୍ଦି ଚାଲ୍।” ଗଭୀର ଗର୍ଜନରେ ଚଳମାନ ଟ୍ରାମ୍ ମଧ୍ୟ କହି ଉଠୁଛି, ‘ଜଲ୍ଦି ଚାଲ୍।’ ତାହା ଅନ୍ତରର ବାରମ୍ବାର ହୃତସ୍ପନ୍ଦନ ମଧ୍ୟ କହି ଉଠୁଛି, “ଜଲ୍ଦି ଚାଲ।” ଯଦି ସମୟ ବହି ନଯାଇଥାଏ , ଯଦି ବେଶି ଡେରିହୋଇ ନ ଯାଇଥାଏ ଏ ପର୍ଯ୍ୟନ୍ତ।
ମରିୟା ଝଡ଼ର ବେଗରେ ଆଗେଇ ଚାଲିଲା, ଆଉ ତାହାରି ଉପର ଘରର ଶୀର୍ଣ୍ଣ ନାରୀଟିର ଅମାନୁଷିକ ତୀବ୍ର କଣ୍ଠର ବିକଟ ଚିତ୍କାର ବୁଡ଼ିଗଲା, “ମରିଯାଇଛନ୍ତି, ମରି ଯାଇଛନ୍ତି, ମରି ଯାଇଛନ୍ତି।”