ପ୍ରେମର ନିକଷ




॥ ଷୋହଳ॥

   ବର୍ଷାଯୋଗୁ  ପାର୍କଟି କାଦୁଆ ହୋଇଯାଇଛି। ଥୁଣ୍ଟା ଗଛଗଡ଼ିକର ଡାଳର ଫାଙ୍କରେ ବର୍ଷା ବଡ଼ ବଡ଼ ଟୋପା ଝରିପଡ଼ୁଛି। ଗୋଟାଏ ଜାଗାରେ ମଇଳା ପଶି ଜମି ଯାଉଛି, ସେହି ଆଡ଼କୁ ଅନାଇ ମରିୟା ଆଗେଇଗଲା, ତାହାପରେ ନଦୀ କୂଳରେ ଆସି ଛିଡ଼ାହେଲା। ଏ ପର୍ଯ୍ୟନ୍ତ ବରଫ ତରଳିବାକୁ ଆରମ୍ଭ କରିନାହିଁ, କିନ୍ତୁ କାଦୁଅ ଏବଂ ବରଫର ପାର୍ଥକ୍ୟ ବୁଝିବା ମୁସ୍କିଲ-ସବୁ ଏକାକାର ହୋଇଯାଇଛି। ପାର୍କ୍‌‌ରେ ଯେଉଁଠାରେ ଦିନେ ବାଟୋଇଙ୍କର ପାଦ ସଞ୍ଚାଳନ ଦ୍ବାରା ତିଆରି ହୋଇଯାଇଥିବା ସରୁ ସରୁ ରାସ୍ତା ଅଙ୍କାବଙ୍କା ହୋଇ ବିଭିନ୍ନ ଦିଗକୁ ପଡ଼ି ଯାଇଥିଲା, ଝଡ଼ାପତର ଏବଂ କଳା ବରଫରେ ସେ ସବୁ ଢାଙ୍କି ହୋଇଯାଇଛି ।

  ମରିୟାର ଦୃଷ୍ଟି ଆକର୍ଷଣ କରିବା ପାଇଁ ଭରୋନତ୍ସଭ୍‌ ଟିକିଏ କାଶିଦେଲା; ମରିୟା ଫେରି ଚାହିଁଲା । ସଂଶୟ ମିଶ୍ରିତ ଚକ୍ଷୁରେ ଭରୋନତ୍ସଭ୍‌ ତାହାଆଡ଼େ ଚାହିଁଲା, ତାହାପରେ ଦମେ ନିଃଶ୍ବାସ ଟାଣିନେଲା। ମରିୟା ଲକ୍ଷ୍ୟ କଲା ତାହାର ଗଳାଟା ଥରୁଛି ଆଉ ସଙ୍ଗେ ସଙ୍ଗେ ନିଶ ସହିତ ଉପରର ଓଠଟି ଅସହାୟ ନିର୍ବୋଧ ଭଙ୍ଗିରେ କମ୍ପି ଉଠୁଛି। କଥାଟା ପକାଇଥିବା ମୋଟେ ସହଜ ନୁହେଁ, ଯଦିଓ ଭରୋନତ୍ସଭ୍‌ ତାକୁ କେବଳ ସେହି କଥା କହିବାପାଇଁ ଡକାଇ ପଠାଇଥିଲା ଏଠାରେ ଦେଖା କରିବା ପାଇଁ । ମରିୟା ତାକୁ ସାହାଯ୍ୟ କରି ପାରିଥାନ୍ତା କିନ୍ତୁ କାହିଁ ସେ ତ ତାହା ଚାହୁଁନାହିଁ।

  ମରିୟା କୋଟ୍‌ର କଲରଟା ଗଳାଇ ଚାରିପାଖକୁ ଭଲ କରି ଟେକିଦେଇ ଆଣ୍ଟିଦେଲା । ବରଫାବୃତ ନଦୀଗର୍ଭରୁ ଗୋଟାଏ ଅତି ଶୀତଳ ପବନ ଚାରିଆଡ଼େ ଖେଳିଗଲା। ମରିୟା ତା ଆଗରେ ଏହି ଜମାଟ ବାନ୍ଧିଥିବା କଳା ବରଫ ଆଡ଼େ ଅନାଇ ନୀରବରେ ଛିଡ଼ା ହୋଇଥାଏ।

  “ଆଉ ତ ମୁଁ ଏ ସବୁ ସହି ପାରୁନାହିଁ,… ମରିୟା ତୁମେ ଜାଣ, ମୁଁ ତୁମକୁ ଭଲ ପାଏ, ଗ୍ରେଗରୀ ସହିତ ବିବାହର ବହୁ ଆଗରୁ ମୁଁ ତୁମକୁ ଭଲ ପାଇଆସିଛି…।”

  “ସେହି ନର୍ସିଂ ପଢିବା ସମୟରୁ?” ମରିୟା ପ୍ରଶ୍ନ କଲା, କିନ୍ତୁ କଣ୍ଠର ସ୍ବର ନିର୍ଲିପ୍ତ ଉଦାସୀନ, ଯେପରି ଏସବୁ ସହିତ ତାହାର କୌଣସି ସମ୍ପର୍କ ନାହିଁ।

   “ହଁ, ସେହି ସମୟରୁ…କିନ୍ତୁ ସେତେବେଳେ ତୁମେ ବୁଝିପାରିନ…କିମ୍ବା ହୁଏତ ସେକଥା ବୁଝିବାକୁ ଚାହଁନି…।”

   “ମୁଁ ତ କିଛି ଜାଣିପାରି ନଥାନ୍ତି…ଆଉ ଯଦି ବୁଝି ପାରିଥାନ୍ତି…।”

    “ହଁ, ହଁ, ଜାଣେ, ତୁମେ କହିବ, ସେଥିରେ ତୁମର କିଛି ଯାଏ ଆସେ ନାହିଁ, ଏହା ତ?” ମରିୟାର କହିବା ମଝିରେ ବାଧାଦେଇ ଧୈର୍ଯ୍ୟହୀନ ବିରକ୍ତିପୂର୍ଣ୍ଣ କଣ୍ଠରେ କହିଉଠିଲା। ଭରୋନତ୍ସଭ୍‌ ପକ୍ଷରେ ଏହି ଧୈର୍ଯ୍ୟହୀନତା ଯେପରି ଟିକିଏ ଅସ୍ବାଭାବିକ ବୋଲି ମନେହେଲା।

  “ନୂଆ କରି କହିବାର କୌଣସି ଦରକାର ନାହିଁ…ଖୁବ୍‌ ଭଲ କରି ଜାଣେ ମୁଁ ସେ କଥା… କିନ୍ତୁ ଭାବି ଦେଖ…ସେହି ସମୟଠାରୁ ଚାଲି ଆସିଛ…। ତାହାପରେ ତୁମେ ଗ୍ରିଶାକୁ ବିବାହ କଲ ବେଶ୍‌ ଭଲ ହେଲା, ମୁଁ ମଧ୍ୟ ଭାଗ୍ୟକୁ ଆଦରି ସହିଗଲି। ତୁମେ ଜାଣ ମୁଁ କଦାପି ତୁମଠାରରୁ ଭଲ ପାଇବାର ପ୍ରତିଦାନ ପାଇଁ କୌଣସି ଚେଷ୍ଟା କରିନାହିଁ-କୌଣସି ଦିନ ମୁଁ ଗ୍ରେଗରୀର ପ୍ରତିଦ୍ବନ୍ଦୀ ହୋଇ ଛିଡ଼ା ହେବାକୁ ଚାହିଁନାହିଁ…ବନ୍ଧୁ ପରି ବ୍ୟବହାର ବରାବର କରିଆସିଛି… ନୁହେଁ ମରିୟା?”

    “ହଁ।” ମରିୟା ତାହାର କଥା ସ୍ବୀକାର କଲା, ତାହାପରେ ଦୂର ନଦୀର ଆରପାଖରେ ଧୂସର ଘରଗୁଡ଼ିକ ଆଡ଼େ ଅପଲକ ନୟନରେ ଅନାଇ ରହିଲା… ଝରକା ପରେ ଝରକା, ଯେପରି ତାର ଶେଷ ନାହିଁ, ଏବଂ ଏହି ପ୍ରତ୍ୟେକ ଝରକାର ଅନ୍ତରାଳରେ ଗୋଟିଏ ଗୋଟିଏ ମନୁଷ୍ୟର ଜୀବନ,ପ୍ରତ୍ୟେକ ଝରକା ଗୋଟିଏ ଗୋଟିଏ ମନୁଷ୍ୟକୁ ଲୁଚାଇ ରଖିଛି, ଯେଉଁମାନେ ଏହି କୂହେଳିକାମୟ ଦିନରେ ଅସ୍ପଷ୍ଟ କାଚ ଭିତର ଦେଇ ଏହି ଜମାଟବନ୍ଧା ଧୂସର ନଦୀଆଡ଼କୁ ଅନାଇ ରହିଛନ୍ତି।

  “ତାହାପରେ”… ଭରୋନତ୍ସଭର ଗଳାର ସ୍ବର କମ୍ପି ଉଠିଲା… “ଭାବୁଥିଲା ଦିନେ ତ ମୋତେ ଦରକାର କରିପାର। ତୁମେ କୌଣସି ଦିନ ମୋ ଉପରେ ବିରକ୍ତ ବା ଅସନ୍ତୁଷ୍ଟ ହୋଇନାହଁ, ସେଥିଯୋଗେ ମୁଁ ଭାବିଥିଲି…, ଅନେକ ବିଷୟରେ ଆମ ଦୁଇ ଜଣଙ୍କ ଭିତରେ ମେଳ ରହିଛି… ଏକା ସାଙ୍ଗରେ ଯେତେବେଳେ କାମ କରିବାକୁ ହେଉଛି,ତେଣୁ ଭାବିଥିଲି ହୁଏତ ଦିନେ ମୋର ସେହିଦିନ ଆସିବ… ପରିବର୍ତ୍ତନ।”

  ମୁଣ୍ଡ ହଲାଇ ମରିୟା ତାଙ୍କର କଥାର ଜବାବ ଦେଲା। କିନ୍ତୁ ଏପର୍ଯ୍ୟନ୍ତ ଗୋଟାଏ ଶବ୍ଦ ବି ତାହାର କର୍ଣ୍ଣଭେଦ କରିନାହିଁ,ଗୋଟାଏ କଥା ବି ସେ ଶୁଣିନାହିଁ ଯେପରି ଗୋଟାଏ ସ୍ବପ୍ନ-ଗୋଟାଏ କଅଁଳ କୁହୁଡ଼ି ତାହାର ଚାରିପାଖରେ ଘେରିଯାଇଛି, ସବୁ କଥା, ସବୁ ଘଟଣା ଯେପରି ଅବାନ୍ତର। ଏତେ କାଳ ମରିୟା ଯେପରି ଖାଲି ଗୋଟାଏ ସ୍ପ୍ନ ଦେଖି ଆସୁଛି ନିଃଶ୍ବାସରୋଧୀ ଭୟଙ୍କର ଏକ ଧୂମମୟ ଦୁଃସ୍ବପ୍ନ।

   “-ଆଉ ଆଜି ମୋତେ ଏସବୁ ଦେଖିବାକୁ ହେଉଛି । ଏସବୁ ଆଖିରେ ଦେଖି ଅସହ୍ୟ ହୋଇପଡ଼ିଲାଣି, ତୁମେ ନିଜକୁ କ୍ଷତବିକ୍ଷତ କରି ପକାଉଛ, ମୋର ଆଖି ଆଗରେ ତୁମେ ଭାଙ୍ଗିପଡ଼ି ଖଣ୍ଡ ଖଣ୍ଡ ହୋଇଯାଉଛ, ସେ ମରିୟା ଯେପରି ଆଉ ନାହିଁ- ଏବେ ସମ୍ପୂର୍ଣ୍ଣ ଅନ୍ୟ ଜଣେ ହୋଇଯାଇଛି ।” ମରିୟା ମଧ୍ୟ ଏ କଥା ଜାଣେ । ସେ ନିଜେ ମଧ୍ୟ ଉପଲବ୍ଧି କରିଛି ଯେ ଆଗକାର ସେ ମରିୟା ଆଉ ତାହା ଭିତରେ ବଞ୍ଚି ରହିନାହିଁ ସେ ବର୍ତ୍ତମାନ ସ୍ବତନ୍ତ୍ର ଏକ ପ୍ରାଣୀ ।

  “ଅବଶ୍ୟ ସ୍ବୀକାର କରୁଛି ଯେ, ତୁମ ଭିତରେ ଆଗକାର ସେହି ଜ୍ବଳନ୍ତ ପ୍ରେମ ଥିଲେ ତୁମେ ଆତ୍ମବଳୀ ଦେଇ ପାରିଥାନ୍ତ।ଯଦିଓ ଏସବୁ କ୍ଷେତ୍ରରେ ଆତ୍ମବଳୀ ଦେଲେ ଉଭୟ ପକ୍ଷର ମଙ୍ଗଳ ହୁଏ, କିନ୍ତୁ ମୁଁ ଏବେ ପରିଷ୍କାର ଭାବେ ଦେଖିପାରୁଛି, ତୁମେ ତାକୁ ଆଉ ଭଲ ପାଉନାହଁ- ଆଉ ଏ ଜୀବନରେ ତାକୁ ଭଲ ପାଇପାରିବ ନାହିଁ ବି…।”

  ମରିୟା ଚପ୍‌ ହୋଇ ରହିଥାଏ।

  “ନା,ନା, ମୋଟେ ତୁମେ ଅସ୍ବୀକାର କରିପାରିବ ନାହିଁ ଯେ ତୁମେ ଆଜି ଆଉ ତାକୁ ତିଳେମାତ୍ର ଭଲ ପାଅନାହିଁ।”

  କାହିଁକି ସେ ଏ କଥା କହୁଛି? ମରିୟା ତ ମୋଟେ ଅସ୍ବୀକାର କରିନାହିଁ। ତାହାର ମନେହେଲା ଯେପରି ବହୁତ ଦୂରକୁ ଭରୋନତ୍ସଭ୍‌ କଣ୍ଠସ୍ବର ଭାସିଆସୁଛି ଏହି ଦିଗନ୍ତବ୍ୟାପୀ ଘନ କୁହେଳିକାର ଆର ପାଖରୁ, ମରିୟାକୁ ଲକ୍ଷ୍ୟ କରିନୁହେଁ ତାହାର ପାଖ ଦେଇ ତାହାରକଥା ସ୍ରୋତ ଭାସିଯାଉଛି, ଏହି ଜମାଟବନ୍ଧା ବରଫର ଖସଡ଼ା ତଳଭାଗକୁ ଛୁଇଁ ଛୁଇଁ କଳ କଳ ଶବ୍ଦରେ ଯେପରି ଜଳସ୍ରୋତ ବହିଯାଉଛି, ସେହିପରି।

   “ଆଉ ଆଜି ତୁମେ ତାକୁ ଖାଲି ଯେ ଭଲ ପାଅନାହିଁ ତାହା ନୁହେଁ- ରାଗ କରିବ ନାହିଁ ମରିୟା- ତାକୁ ଦେଖି ତୁମ ମନରେ ଗୋଟାଏ ଦାରୁଣ ବିତୃଷ୍ଣା ଜାଗି ଉଠିଛି,ଭୟ…ସ୍ପଷ୍ଟ ଦେଖିପାରୁଛି ମୁଁ-ପରିଷ୍କାର ସେକଥା ବୁଝିପାରୁଛି। ତେଣୁ ବର୍ତ୍ତମାନ ସେ ସବୁର କୌଣସି ମାନେ ନାହିଁ। ଆଉ ଗ୍ରେଗରୀ ଯେ ଏକଥା ବୁଝିପାରୁନାହିଁ ତାହା ବି ନୁହେଁ; ନିଶ୍ଚୟ ଏତେଦିନେ ସେ ମଧ୍ୟ ସବୁ ବୁଝିପାରୁଛି। କଅଣ ଦେଉଛ ତୁମେ ତାକୁ? ସେବା? ଯେ କୌଣସି ନର୍ସ୍‌ଠାରୁ ସେ ତାହା ପାଇପାରେ- ତାହାପାଇଁ ସ୍ତ୍ରୀର ପ୍ରୟୋଜନ ନାହିଁ। ବରଂ ନର୍ସ୍‌ଠାରୁ ସେ ଘୃଣା ପାଇବ ନାହିଁ।”

  ହଁ, ଏହି କଥା ସତ, ମରିୟା ପ୍ରଥମ ଥର ପାଇଁ ଅନୁଭବ କଲା ଯେ ଭରୋନତ୍ସଭ୍‌ ଠିକ୍‌ କଥା କହିଛି, ଭରୋନତ୍ସଭର କଥା ଠିକ୍‌- ନିଶ୍ଚୟ ଗ୍ରେଗରୀ ଅନୁଭବ କରିଛି- ସବୁ କଥା ବୁଝିପାରିଛି । କି ଆଶ୍ଚର୍ଯ୍ୟ, ଥରକ ପାଇଁ ତ ମରିୟାର ମନେ  ହୋଇନାହିଁ ଯେ ସେ ଗ୍ରେଗରୀଠାରୁ କିଛି ଲୁଚାଇ ରଖୁଛି ବୋଲି।…




+ -

© Jataayu Charitable Trust
Site designed,developed & maintained by Tekons