ପ୍ରେମର ନିକଷ




॥ ଏକ॥

ନର୍ସ୍‌ ମରିୟା ତାର ଧୋବ ପୋଷାକ ଦେହରୁ ଖୋଲି ବୁଲିପଡି ଠିଆହୋଇ ପାଣିକଳଟି ଖୋଲିଦେଲେ। କଳମୁହଁରୁ ଝରିପଡିଲା ରୂପେଲି ସ୍ବଚ୍ଛ ଜଳଧାରା। ଏତେବେଳେକେ ଏକାଦିକ୍ରମେ ଚବିଶିଘଣ୍ଟିଆ କାମରୁ ତାକୁ ଛୁଟି ମିଳିଚି। ଝରକା ବାହାରେ ଅନ୍ଧକାରର ନିବିଡ଼ତା ଏବେ ବି ଭାଙ୍ଗି ନାହିଁ। ଦୂରରେ ଗଛଗୁଡ଼ିକର କଳା ଛାଇ ଧୂସର ଆକାଶ ଦେହରେ ଛାପା ହୋଇଛି ସତେ ଯିମିତି। ହର୍ଷୋତ୍‌ଫୁଲ୍ଲ ସୁନ୍ଦର ଆଖି ଦୁଇଟି ଖୋଲା ମରିୟା ପ୍ରକୃତିର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ନୂତନ ପ୍ରଭାତକୁ ଅଭିନନ୍ଦନ ଜଣାଇଥିଲା ଏହିପରି ସମୟରେ । ଭାବିଲା, ଯଦି ବର୍ଷା ନ ହେଉଥାନ୍ତା, ଚାଲି ଚାଲି ଘରକୁ ଫେରିଆସନ୍ତା ସେ କେଡ଼େ ଆନନ୍ଦରେ। ଆଚ୍ଛା, ସେ ଯଦି ଚାଲିକରିଯାଏ ତେବେ କିପରି ହେବ? ଏହି ଯେଉଁ ଝଡ଼ ପବନ… ବର୍ଷାର ବଡ଼ ବଡ଼ ଟୋପା ପାଣି ତାହାର ମୁହଁ ଉପରେ ବିଞ୍ଚି ହୋଇ ପଡ଼ିବ । ଚାଲୁ ଚାଲୁ ଗୋଡ଼ ତଳୁ ପାଣି ପିଚ୍‌କି ଉଠିବ। ପିଲାଦିନେ ଏହିପରି ବର୍ଷାଦିନରେ କି ଖୁସି ସେ ନ ହୁଏ। ଆକାଶ ଯେତେବେଳେ ମେଘରେ ଢ଼ାଙ୍କିହୋଇ କଳା ହୋଇ ଆସେ, ଆଉ ତାହା ପରେ ପରେ ଝଡ଼ ପ୍ରବଳ ବେଗରେ ବହେ ପୁଣି ପୁଣି ଝମ୍‌ଝମ୍‌ କରି ଯେବେ ଖୁବ୍‌ ଜୋରରେ ବର୍ଷା ହୁଏ, ମରିୟାର ମନ ଚଞ୍ଚଳ ହୋଇ ଉଠେ, ସେ ଘରୁ ଛୁଟି ଆସେ ପଦାକୁ । ଅନିର୍ବଚନୀୟ ଆନନ୍ଦରେ ତାହାର ପ୍ରାଣ ପୁର୍ଣ୍ଣ ହୋଇଯାଏ। ଯେତେବେଳେ ପ୍ରବଳ ଝଡ଼ ତାହାର ଫ୍ରକ୍‌ଖଣ୍ତି ନେଇ ଟଣାଟଣି କରେ ଏବଂ ବୃଷ୍ଟିର ଧାରା ତାହାର ମୁଖମଣ୍ଡଳ ଧୋଇ ଦେଇ ଓ ତାହାର ଅଡ଼ୁଆ ବାଳଗୁଡ଼ିକୁ ଭିଜାଇ କାନ୍ଧ ଉପରକୁ ବୋହିଯାଏ। ଜାମା ଯୋତା ଏବଂ ମୁଣ୍ଡ ବନ୍ଧା ଫିତାଟି ଭିଜାଇଥିବାରୁ ମାଆଙ୍କଠାରୁ ବହୁତ ଗାଳି ଶୁଣିବାକୁ ହୁଏ ତାକୁ, କିନ୍ତୁ ପୁଣି ଯେତେବେଳେ ଝଡ଼ ପବନ ବହିଆସେ, ମେଘ ପ୍ରବଳ ଧାରାରେ ବର୍ଷେ,ମରିୟାର ହୃଦୟ ଆନନ୍ଦରେ ନାଚିଉଠେ। ବାହାରକୁ ବାହାରି ବୃଷ୍ଟିଧାରାର ଶୀତଳ ସ୍ପର୍ଶରେ ମାତାଲ ହୋଇଉଠେ ସେ… ବାରଣ୍ଡାସାରା ବହୁତ ଦଉଡ଼ା ଦଉଡ଼ି କରେ। 

             ମରିୟା ହସିଉଠେ। ହା… ସେ ତ ବର୍ତ୍ତମାନ ସେହିପରି ଅଛି। ତାହାର ମା କହନ୍ତି ‘ବଣୁଆ ଝିଅ’।

            କିନ୍ତୁ ବର୍ତ୍ତମାନ ତାହାର ଜୋତା ହଳକ ତିନ୍ତିଲେ ଏକବାରେ ନଷ୍ଟ ହୋଇଯିବ। ତାହାର କେବଳ ଏହି ହଳକ ଜୋତାହିଁ ସମ୍ବଳ; ସେ ପୁଣି ଜୀର୍ଣ୍ଣ। ନା, ଟ୍ରାମ୍‌ରେ ତାହାକୁ ଘରକୁ ଯିବାକୁ ହେବ ଓ ଘରେ ପହଞ୍ଚି ଅନେକ ସମୟ ଶୋଇପଡିବ ସେ। ଥରେ ଶୋଇଲେ ଏହି ଚବିଶ ଘଣ୍ଟାକାଳ ସେ କଟାଇ ଦବ।

ଦରଜା ଖୋଲିଯାଏ।

“ଶୀଘ୍ର ଆସ, ଲୋକଟି ଫେର୍‌ ଚିତ୍କାର ଆରମ୍ଭ କରିଛି।

ହାତ ପୋଛି ପକାଇ ପୁଣି ମରିୟା ନର୍ସର ପୋଷାକଟି ପିନ୍ଧିନେଲା। ଶୀଘ୍ର ପିନ୍ଧୁ ପିନ୍ଧୁ ଯୋଡ଼ା ତାଳି ପଡ଼ିଥିବା କମରବନ୍ଧଟି ଛିଡ଼ିଗଲା।

“ସତେ ମୁଁ ଭାରି ଦୁଃଖିତ ମରିୟା-ଖୁବ୍‌କ୍ଳାନ୍ତ ହୋଇପଡ଼ିଛ ତୁମେ। ହେଲେ”

“ବାଜେ କଥା କୁହନା, ରାୟା; ଚାଲ ତ-।”

ଲମ୍ବା ପିଣ୍ଡା; ମଝିଟା ଘନ ଲାଲବର୍ଣ୍ଣ। ୱାର୍ଡ଼ର ଦରଜା ଖୋଲା; ଭାସିଆସୁଛି ଔଷଧର ତୀବ୍ର ଗନ୍ଧ। କାହାକୁ ଷ୍ଟ୍ରେଚରରେ ଘରକୁ ନିଆ ହେଉଛି, କିଏ ବା ଅପରେସନ୍‌ ରୁମ୍‌ ଆଡ଼େ ତରବରରେ ଛୁଟିଛି।

 “ୟାକୁ ଆଉ ମୁଁ ପାରିବି ନାହିଁ। ହାତ ଭାଙ୍ଗିକରି ହତାଶାର ଚିହ୍ନ ଦେଖାଇ ରାୟା କହି ଉଠିଲା, କିନ୍ତୁ ରାୟାର କଥା ମରିୟା ଶୁଣି ପାରିନାହିଁ। ଗୋଟିଏ ଛୋଟ କୋଠରୀର ଦରଜା ଖୋଲି ଭିତରକୁ ପଶିଯାଇ ହଠାତ୍‌ ପଛକୁ ଫେରି ଦରଜା ବନ୍ଦ କରିଦେଲା ସେ।

ଶିକ୍ଷାର୍ଥିନୀ ଦୁଇଜଣ ନର୍ସ ଗୋଟିଏର ରୋଗୀର ବିଛଣା ଉପରେ ନଇଁପଡ଼ି, ତାହାକୁ ଚାପିଧରି କଣ ବୁଝାଇବାରେ ଲାଗିଛନ୍ତି।ଆହତ ଲୋକଟି ସେମାନଙ୍କ ହାତରୁ ନିଜକୁ ଛଡ଼ାଇ ନେବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି। ଲୋକଟି ସମସ୍ତ ଅଙ୍ଗରେ ବ୍ୟାଣ୍ଡେଜ ବନ୍ଧା, ସତେ ଯେପରି ଗୋଟିଏ ସଜାସଜି ହୋଇଥିବା କଣ୍ଢେଇ।

 

 




+ -

© Jataayu Charitable Trust
Site designed,developed & maintained by Tekons