ଦୂରରେ ଝରକା ବାହାରେ ଦିଗନ୍ତବ୍ୟାପୀ ଗୋଧୂଳିର ରକ୍ତିମ ଛାୟା ଓହ୍ଲାଇ ଆସିଲା। ପଥେ ପଥେ ଦୀପ ଜଳି ଉଠିଛି, ଦୂରରୁ ଭାସିଆସୁଛି ପୋଲଟିର ଅସ୍ପଷ୍ଟ କଳାଛାଇ। ଆହୁରି ଦୂରରେ ଦେଖାଯାଏ କ୍ରେମ୍ଲିନ୍ର ଉଚ୍ଚ ପ୍ରାଚୀର ଆଉ ତାହାର ଆକାଶଚୁମ୍ବି ବିଶାଳ ଚୂଡ଼ା।
ଶତଚେଷ୍ଟାରେ ସୁଦ୍ଧା ହାସପାତାଳରେ ପ୍ରଥମ ଦିନ ଦେଖାବେଳେ ମରିୟା ଯାହା ପାଇ ନଥିଲା, ଆଜି ତା ସେ ପାଇଛି। ସେ ଦିନ ସେ କହିପାରିଥିଲା “ପ୍ରିୟତମ, ସବୁ ଭୟ ତୁମ ମନରୁ ମୁଁ ଦୂର କରିଦେବି, ତୁମର ମ୍ଳାନ ଅଧରରେ ପୁଣି ହସ ଫୁଟାଇଦେବି ; ତୁମ ହୃଦୟରେ ନୂତନ କରି ବଞ୍ଚିବାର ଆନନ୍ଦ ଖେଳାଇ ଦେବି- କଳାପରଦା ତଳେ ଆଜି ଯେଉଁ ଆନନ୍ଦ ଢାଙ୍କି ହୋଇ ରହିଛି ସେହି ଆନନ୍ଦ। ମୁଁ ନିଜ ହାତରେ ତୁମ ବାଟରୁ ପ୍ରତ୍ୟେକ କଣ୍ଟା କାଢିଦେବି, ସବୁ ବାଧା ଚୂର୍ଣ୍ଣ କରିଦେବି, ଠିକ୍ ସମୟରେ ଠିକ୍ ଜିନିଷଟି ତୁମ ହାତକୁ ବଢାଇଦେବି ଯେପରି ତୁମେ ତୁମର ଗୋଟିଏ ହାତର ଅଭାବ ଅନୁଭବ କରିପାରିବ ନାହିଁ। ପ୍ରେମଭରା ଦୃଷ୍ଟିରେ ତୁମ ଆଡ଼େ ଚାହିଁବି ଯେପରି କେହି ଭାବି ନପାରେ ଯେ ତୁମ ମୁହଁରେ କ୍ଷତଚିହ୍ନ ଅଛି-ତୁମ ମୁହଁ ଆଘାତରେ ବିକୃତ ହୋଇଛି।
“ରେଡ଼ିଓଟା ଖୋଲିଦିଅ, ମରିୟା, ଶୀଘ୍ର।” ହଠାତ୍ ବ୍ୟସ୍ତ ହୋଇ ଗ୍ରେଗରୀ କହିଉଠିଲା । ମରିୟା ଉଠିପଡ଼ି ପ୍ଲଗ୍ଟା ଲଗାଇ ଦେଲା। ହଁ, ଠିକ୍ ସମୟରେ ତ ଗ୍ରେଗରୀ କହିଛି, ସମୟ ହୋଇଛି; ଯନ୍ତ୍ର ଭିତରୁ ଗୋଟାଏ ଘର୍ ଘର୍ ଶବ୍ଦ ଶୁଣାଗଲା। କଳା ଚକ୍ତି ଉପରେ କଅଣ ଯେପରି ଘୂରୁଛି, ଯେପରି ପାଣି ଟକମକ ହୋଇ ଫୁଟୁଛି, ପରକ୍ଷଣରେ ଆମର ତୀକ୍ଷ୍ଣ ମିଠା ସ୍ବର ବାଜି ଉଠିଲା ।
“ବିଶାଳ ଆମର ମାତୃଭୂମି…” ପରିଷ୍କାର ମୃଦୁ ରୂପେଲି ସ୍ବରର ଝରଣା ବହିଆସୁଛି।
ଦୁଆରର ଡାକ ଘଣ୍ଟି ବାଜି ଉଠିଲା, ସନ୍ତ୍ରସ୍ତ ହୋଇ ମରିୟା ଦଉଡ଼ିଗଲା ଦୁଆର ଖୋଲି ଦେବାକୁ, ଆଗରେ ଭରୋନତ୍ସଭ୍ ଛିଡ଼ା ହୋଇଛି। ମରିୟା ପାଦେ ପଛେଇ ଆସିଲା, କିଏ ଯେପରି ଜୋର୍ରେ ତାହାର ଛାତିରେ ଆଘାତ କରୁଛି।
“ନମସ୍ତେ ମରିୟା…”
ମରିୟା ତାକୁ ଭିତରକୁ ଡାକିଲା ନାହିଁ, ଦୁଆର ଆଗରେ ଛିଡ଼ା ହୋଇ ଦୁଇଟି ଚକ୍ଷୁର ଭୟବିହ୍ବଳ ଦୃଷ୍ଟିରେ ତାହାର ମୁହଁ ଆଡ଼େ ଚାହିଁ ରହିଥାଏ।
“ଟ୍ରେନ୍ କାଲି ସକାଳ ଦଶଟାରେ ଛାଡ଼ିବ, ତୁମର ଜିନିଷପତ୍ର ସବୁ ସଜାଡ଼ି କରି ରଖ, ଷ୍ଟେସନ୍ ଯିବା ବାଟରେ ନ’ଟା ବେଳକୁ ମୁଁ ଆସିବି।”
ମରିୟାର ମୁହଁ ବିବର୍ଣ୍ଣ ହୋଇଆସିଲା, ସାଥେ ସାଥେ ଜବାବ ଦେବାକୁ ଚେଷ୍ଟା କଲା ସେ, କିନ୍ତୁ ତାହାର ସ୍ବର ଯେପରି ଗଳା ଭିତରେ ମରିଯାଇଛି।
“ଟିକେଟ୍ କାଟିବା ଓ ମୋର ବଦଳି ହେବାର ସମସ୍ତ ବ୍ୟବସ୍ଥା ହୋଇଯାଇଛି।”
ଗୋଟାଏ ଶାନ୍ତ କଠିନ ମରିୟାର ମୁହଁରେ ଫୁଟିଉଠିଲା ଧୀର କଣ୍ଠରେ ପ୍ରତ୍ୟେକଟି କଥା ପରିଷ୍କାର ଭାବରେ ଉଚ୍ଚାରିତ କରି ସେ କହିଲା,“ ଭିକ୍ଟର, ମୁଁ ଭିକ୍ଟର, ମୁଁ କେଉଁ ଆଡ଼େ ଯିବି ନାହିଁ।”
ଭରୋନତ୍ସଭ୍ ତାହାର କଥାର ଅର୍ଥ ବୁଝିପାରିଲା ନାହିଁ।
“ବେଶ୍ ନ ହେଲା, ଶୁକ୍ରବାର ଦିନ ଚାଲ୍।”
“ନା, ମୁଁ କେଉଁଠକୁ ଯାଉନାହିଁ-” ପୁଣି ମରିୟା କହିଲା, “ରାଗ କର ନାହିଁ,ମୁଁ…।”
“କଅଣ ହେଲା, ମରିୟା? ଏହି କାଲି ତ ସବୁ ଠିକ୍ ହୋଇଥିଲା ନା, ମରିୟା?” ମରିୟା ମୁଣ୍ଡ ନୁଆଁଇଲା।
“ନା, ନା, ଭିକ୍ଟର ଭୁଲ୍ କରିଛେଁ ଆମେ…।”
ଭରୋନତ୍ସଭ୍ ମରିୟାର ହାତ ଧରି ପକାଇଲା।
“କଅଣ କରୁଛ ତୁମେ? କିଏ ଭୁଲ୍ କରିଛି? ମୁଁ? ନା, ମୁଁ ତୁମକୁ ଭଲପାଏ… ସେ କଥା ତୁମେ ଜାଣ; ବହୁ ଦିନ ଧରି ତୁମକୁ ଭଲ ପାଇ ଆସିଛି ମୁଁ ମନେ ମନେ …ଆଉ ତୁମେ… ଆଉ ତୁମେତ ସ୍ପଷ୍ଟ କଥା କହିଛ ମୋତେ।”
“ଭୁଲ୍ କରିଛି ମୁଁ। ” ମରିୟା ପୁଣି କହିଲା।
“ତୁମେ ବା କେଉଁଠାରେ ଭୁଲ୍ କଲ? ତୁମେ ତ କହିଛ ଯେ ମୋତେ ତୁମେ ଭଲ ପାଅ ନାହିଁ। ତାହାହେଲେ ଏହା ଭିତରେ ଭୁଲ୍ ହେଲା କେଉଁଠି?”
ରେଡ଼ିଓରେ ସମ୍ବାଦ କହିବାର ଉଚ୍ଚକଣ୍ଠ ଭାସିଆସିଲା। ମରିୟା କାନଡରି ଶୁଣିବାକୁ ଚାହୁଛି କେଉଁ ପୁନର୍ଦଖଲ ହୋଇଛି।
“ଉତ୍ତର ଦେଉନା କାହିଁକି ମରିୟା?”
ମରିୟାର ହୋଷ୍ ଫେରିଆସିଛି।
“ହଁ, ଠିକ୍ କହିଥିଲି ଯେ ମୁଁ ତୁମକୁ ଭଲ ପାଏନା। ତଥାପି ରାଜି ହୋଇଥିଲି ତୁମ ସାଙ୍ଗରେ ଚାଲିଯିବାକୁ ।”
“ତେବେ ଦେଖ…।”
“ତେବେ ସେଇଟା ହିଁ ମୋର ଭୁଲ୍ ।”
“ଶୁଣ ମରିୟା, ପାଗଳ କରିଦିଅ ନା ମୋତେ । କଅଣ ହେଉଛି ଖୋଲି କୁହ ତ ?”