“ଭାଶ୍ୟା ପ୍ରିୟତମ!
ମୋର ଅନ୍ତରର ନିବେଦନ ଗ୍ରହଣ କରିବ। ମା, ପାସ୍ୟାଅପା ଆଉ ଖୁଡ଼ୀର ସ୍ନେହାଶିଷ ନେବ। ଏତେ ଦିନ ପରେ ତୁମେ କେଉଁଠାରେ ଅଛ କାଣିପାରି କେଡ଼େ ଖୁସି ଲାଗିଛି ମୋତେ। ଆଚ୍ଛା, କୁହ ତ କାହିଁକି ଲେଖିନ ଆଘାତ କେଉଁଠି ଲାଗିଛି। ଯଦି ନ ଲେଖ, ନିଶ୍ଚୟ ମୁଁ ଚାଲିଯିବି ତୁମ ପାଖକୁ । ତେଣୁ ଶୀଘ୍ର ତୁମର କେଉଁଠାରେ ଆଘାତ ଲାଗିଛି ଜଣାଅ। ଯଦି ତୁମର ଆଘାତ ଖୁବ୍ ଗୁରୁତର ହୋଇଥାଏ, ଏପରିକି ଯଦି ଚିର ଦିନ ପାଇଁ ତୁମକୁ ପଙ୍ଗୁ ହୋଇ ରହିବାକୁ ପଡେ , ତଥାପି ଚିରଦିନ ପାଇଁ ମୁଁ ତୁମର, ଏହା ନିଶ୍ଚୟ ଜାଣିବ। ଏକଥା କାହିଁକି ଲେଖୁଛି, ଜାଣ?ନ ହେଲେ ତୁମ ମନରେ ନାନା ଅର୍ନ୍ତହୀନ ଦୁଶ୍ଚିନ୍ତା ଜାଗ୍ରତ ହେବ। ତେଣୁ ପାଗଳାମି ନ କରି ଚିଠି ଦେବ। ଏଠାରେ ଘରର ଖବର ସବୁ ଭଲ। ତୁମର ମା ଏବଂ ବାପା ଭଲ ଅଛନ୍ତି। ଆମେ ସମସ୍ତେ ତୁମର ଫେରି ଆସିବାର ଦିନକୁ ଚାହିଁ ରହିଛୁଁ। ପତ୍ର ଲେଖି ଜଣାଅ, ତୁମେ ସେଠାରୁ ଯୁଦ୍ଧକ୍ଷେତ୍ରକୁ ଯାଉଛ ନା ଘରକୁ ଫେରି ଆସୁଛ। ଯଦି ଦରକାର ପଡେ ମୁଁ ନିଜେ ଯାଇ ତୁମକୁ ନେଇ ଆସିବି। କାରଣ ତୁମର ବାପା ମା ମାଙ୍କ ପକ୍ଷରେ ଏତେ ଦୂର ଯିବା ସମ୍ଭବପର ହେବନାହିଁ। ମୋର ଆନ୍ତରିକ ସ୍ନେହ ଗ୍ରହଣ କରିବ। ତୁମ ପତ୍ରକୁ ଅପେକ୍ଷା କରି ରହିଲି। ଆଜି ଏହି ଠାରେ ବିଦାୟ ନେଉଛି।
ତୁମର ଓଲେୟା ଓଲେୟା”
ପଢ଼ା ସରିବାରୁ ମରିୟା ଜୀର୍ଣ୍ଣ ମଳିନ ପତ୍ରଟିକୁ ଭାଙ୍ଗି ରଖିଦେଲା। ଆହତ ଲୋକଟି ଏକ ଦୃଷ୍ଟିରେ ଘରର କଡିକାଠ ଆଡ଼କୁ ଅନାଇ ରହିଲା। ତାହାର ଆଖିକୋଣରେ ଜମି ଆସିଛି ଟୋପାଏ ଲୁହ।
“ବୁଝିଲ ତ ” ନୀରବତା ଭଙ୍ଗ କରି ସେ କହିଲା।
“ ମୁଁ ତୁମକୁ କହିନାହିଁ।”
“ତୁମେ ଏ କଥା ସତ ବୋଲିଭାବ ନର୍ସ?”
“ ଦେଖ, ତୁମ ସନ୍ଦେହର ଗୋଟିଏ ସୀମା ରହିବା ଉଚିତ୍।” ଓଲେୟା ନ ନିଜ ହାତରେ ସେଇ ଏକ କଥା ଲେଖିଛି।
“ ତା ଅବଶ୍ୟ ଠିକ୍- କିନ୍ତୁ ଯେତେବେଳେ ମୁଁ ଭାବେଁ…। ସବୁ ସତ… ହେଲେ…।”
“ ନା, ନା ସବୁ ପରିଷ୍କାର… ଆଚ୍ଛା, ଚିଠି ତୁମେ ପଢ଼ିଛ ନା ନାହିଁ?”
“ପଢ଼ିନାହିଁ ମାନେ ନିଶ୍ଚୟ ପଢ଼ିଚି।କାଲି ପଢ଼ିଥିଲି ଆଜି ମଧ୍ୟ ପଢ଼ିଚି ତେବେ ଯେବେହେଲେ…।”
“ କି ନିର୍ବୋଧ ତୁମେ, ନ ହେଲେ ତା ଜୀବନର କି ମୂଲ୍ୟ ରହିଲା…ତୁମର ପ୍ରେମିକାର? ତୁମେ ଦୁଇ ଜଣ ମିଳି ଜୀବନ ନିର୍ବାହ କରିବ।”
“କି କାମ ଆଉ କରିବି ମୁଁ?”- ତିକ୍ତ କଣ୍ଠରେ ଲୋକଟି ହସି ଉଠିଲା।
“କାହିଁକି? ନକଲି ହାତଗୋଡ଼ ଲଗାଇ ନେବ। ସବୁ କାର୍ଯ୍ୟରେ ତୁମର ସ୍ତ୍ରୀ ତୁମର ସାହାଯ୍ୟ କରିବେ। ଛାଇପରି ତୁମ ପଛେ ପଛେ ଥିବ ସେ , ତା ପରେ ତୁମର ପିଲାଛୁଆ ହେବ। ଶିଶୁ କଳକଣ୍ଠରେ ତୁମର ଘର ମୁଖରିତ ହୋଇଉଠିବ। ବଡ଼ ହୋଇ ସେମାନେ ତୁମକୁ ସାହାଯ୍ୟ କରିବେ।”