ପ୍ରେମର ନିକଷ




ମରିୟା ଆଖି ବୁଜି ଚୁପ୍‌ କରି ପଡି ରହିଲା। ଦେଖିଲେ ମନେ ହେବ ଯେପରି ସେ ଭରୋନତ୍ସଭ୍‌ର କଥା ମନୋଯୋଗ ସହକାରେ ଶୁଣୁଛନ୍ତି। କିନ୍ତୁ ପଦେ ବୋଲି ତାର କାନରେ ପଡ଼ୁ ନାହିଁ। ଅର୍ଦ୍ଧସୁପ୍ତ ଅର୍ଦ୍ଧଜାଗ୍ରତ ଅବସ୍ଥାରେ ଥିବାରୁ ଭରୋନତ୍ସଭ୍‌ର କଥା ଗୁଡ଼ିକ ବହୁତ ଦୂରରୁ ଭାସି ଆସି କାନରେ ବାଜିଲା ପରି ଜଣାଯାଏ- କିନ୍ତୁ ସେ ଯେ କଣ କହୁଛନ୍ତି କିଛି ବୁଝିପାରୁ ନାହିଁ। ମରିୟା ଦୂରକୁ, ବହୁତ ଦୂରକୁ ଚାଲିଯାଇଛି, ଗ୍ରିଶା ପାଖକୁ । ତାହା ପାଖରେ ବସି କଥାବାର୍ତ୍ତା କରୁଛି ଭାଶ୍ୟା ବିଷୟ ନେଇ-ତାହାର ପ୍ରେମିକାର ଚିଠି- ତାର ହତାଶର ସମସ୍ତ ପୃତ୍ତାନ୍ତ। ଗ୍ରିଶା କିପରି ତାହର ପ୍ରାଣରେ ପ୍ରେରଣା ଦେଇଛି, ଅଦୃଶ୍ୟରୁ ଗ୍ରିଶା ତାକୁ କିପରି ସବୁ କଥା କହି ଦେଇଛି। ଭାଶ୍ୟାକୁ ସେ ଶୁଣାଇଛି କେତେ ସାନ୍ତ୍ବନା ବାଣୀ। ଗ୍ରିଶାର ହସ କିପରି ତାହାର ଓଠରେ ଫୁଟି ଉଠିଥିଲା, ତାହା ମରିୟାର କଥାଠାରୁ ଢ଼େର ବେଶୀ କାର୍ଯ୍ୟକାରୀ ହୋଇଥିଲା, ଗ୍ରିଶା…

“ ଏଇୟା?” ଏତେବେଳେ ଏହି ଗୋଟିଏ କଥା ମରିୟା ଶୁଣିବାକୁ ପାଇଲା। ମରିୟା ବିନୀତ ଭାବରେ କହି ପକାଇଲା ‘ ନିଶ୍ଚୟ, ନିଶ୍ଚୟ।”

ଭରୋନତ୍ସଭ୍‌ ମହା ଉତ୍ସାହରେ ତାହାର ଗଳ୍ପ କହି ଚାଲିଥାଏ। ନଦୀର ସ୍ରୋତ ପରି ତାର କଣ୍ଠ ଚଞ୍ଚଳ ହୋଇଉଠିଛି। ଗ୍ରିଶାର ସ୍ବର ସମୂର୍ଣ୍ଣ ଅନ୍ୟ ପ୍ରକାରର। ହଠାତ୍‌ ମରିୟାର ମନେ ହେଲା ଯେପରି ଗ୍ରିଶାର କଣ୍ଠ ଘରର ଚାରିଆଡ଼େ ଭର୍ତ୍ତି ହୋଇ ରହିଛି –ସେହିପରି ସ୍ପଷ୍ଟ ତାର ହସଖୁସି ମିଶା କଥାର ଭଙ୍ଗି- ନିତାନ୍ତ ହାଲୁକା କଥା- କହିବାକୁ ଗଲାମାତ୍ରେ ଗୋଟିଏ ପ୍ରକାର ସ୍ବର ବାଜି ଉଠେ ତାହାର କଣ୍ଠରେ ।

ପିଣ୍ଡାରେ ଚଟିର ଶବ୍ଦ ଶୁଣା ଗଲା । ଟ୍ରେ‘ରେ ଗୋଟିଏ ଚା’ ପାତ୍ର ଏବଂ ଦୁଇଟି କପ୍‌ ନେଇ ତାତ୍ୟାନା ପେଟ୍ରେଭନା ଘର ଭିତରକୁ ପଶି ଆସିଲେ।

“ ତୁମର ଚା’ କାହିଁ ମା’? ଆମ ସାଙ୍ଗରେ ଟିକିଏ ଖାଇବ ନାହିଁ?”

“ ମୁଁ ଆଗରୁ ଖାଇ ନେଇଛି, ଝିଅ।” ହଠାତ୍‌ ବିରକ୍ତ ହେଲା ଭଳି କାନ୍ଧ ହଲାଇଦେଇ ତାତ୍ୟାନା ପେଟ୍ରେଭନା କହି ପକାଇଲା।

ନା ଭରୋନତ୍ସଭ୍‌ ଏଠାକୁ ଆସିବାଟା ସେ ଆଦୌ ପସନ୍ଦ କରନ୍ତି ନାହିଁ। ଡ଼ାକ୍ତରଟି ଥରକୁଥର ଯିବା ଆସିବା ବହୁତ ବେଶି କରୁଛନ୍ତି। ଯଦିଓ ମରିୟା ତାଙ୍କୁ ସେହିପରି ସହାନୁଭୂତି ଦେଖାଏ ନାହଁ ତଥାପି ରାତି ଅଧରେ ଅନ୍ୟର ଘରକୁ ଆସିବ! –ନା, ସେମାନଙ୍କ ସାଙ୍କରେ ବସି ଚା, ଖାଇବାକୁ ଅର୍ଥ… ଯାହାକୁ ସେ ଅପସନ୍ଦ କରନ୍ତି, ଅନ୍ୟାୟ ବୋଲି ମନେ କରନ୍ତି, ତାକୁ ପ୍ରଶ୍ରୟ ଦେବା…। ତାହାକୁ ଅତ୍ୟନ୍ତ ଗର୍ହିତ ମନେ ହୁଏ ଏଇସବୁ।

-ଘୋରିହୋଇ ଯାଇଥିବା ଚଟି ଦିପଟରେ ବିରକ୍ତ ଭାବ ପ୍ରକାଶ କରି ଫଟ୍‌ ଫଟ୍‌ ଶବ୍ଦରେ ନିଜ ଘରକୁ ପଶିଯାଇ ଦୁମ୍ କରି ଦରଜାଟା ତାତ୍ୟାନା ପେଟ୍ରୋଭନା ବନ୍ଦ କରିଦେଲେ।

“ ଚିନି ନାହିଁ କିନ୍ତୁ ” ମରିୟା କହି ପକାଇଲା, ଯେପରି ନୂଆ କରି ଏ କଥାଟା କହିବାର ପ୍ରୟୋଜନ ଅଛି!! ସେମାନଙ୍କର ବର୍ଷାଦିନ ପାଇଁ ଖାଦ୍ୟ ତାତ୍ୟାନା ଯତ୍ନର ସହିତ ସାଇତି ରଖିଛିନ୍ତି।

“ ତୁମର କେଶଗୁଚ୍ଛ କି ସୁନ୍ଦର ମରିୟା!” ହଠାତ୍‌ ଭରୋନତ୍ସଭ କହିପକାଇଲା।

ମରିୟା ହସିଲା। ଏତେ ଦିନ ଡ଼ାକ୍ତର ସାହବ ବୁଝିପାରି ସେଇଟା ଅବିଷ୍କାର କରିଛନ୍ତି! କି ତୀକ୍ଷ୍ଣ ଦୃଷ୍ଟି!




+ -

© Jataayu Charitable Trust
Site designed,developed & maintained by Tekons