ଗୀତ ବନ୍ଦ ହୋଇ ଆସିଲା। ହଠାତ୍ ମରିୟାର ଅନ୍ତର ଅତି ବ୍ୟସ୍ତ ବେଦନାରେ ଭରି ଉଠିଲା। ମରିୟା ଉଠି ବସିଲା, ନା, ନା, ଏଇ ତ ଗ୍ରିଶା ତାହା ପାଖରେ ବସିଥିଲା, ପବନରେ ଏ ପର୍ଯ୍ୟନ୍ତ ପ୍ରତିନିଧି ହୋଇଛି ତାହାର ହସ, ତାହାରେ କଥାର ପରଶ। ଏ ପର୍ଯ୍ୟନ୍ତ ତାହାର ସମସ୍ତ ଶରୀର ସେ ଅନୁଭବ କରୁଛି, ତାହାର ଖରାରେ ତମ୍ବା ପରି ଦେଖାଯାଉଥିବା କ୍ଷତ ଚିହ୍ନପୂର୍ଣ୍ଣ ହସ୍ତର ସ୍ପର୍ଶ । ପୁଣି ବେହେଲାର ସ୍ବର ଗ୍ରିଶା କଣ୍ଠରେ ବାଜି ଉଠିଛି ନାଇଟିଙ୍ଗେଲ୍ର ଗୀତ-ରୂପେଲି ତରଙ୍ଗରେ ସ୍ବରର ଝରଣା ଭାସିଆସେ।
“ଗ୍ରିଶା, ଗ୍ରିଶା”- କଣ୍ଠ ମଧ୍ୟରେ ମରିୟା ଡ଼ାକିଉଠେ। ଉଡ଼ନ୍ତା ପକ୍ଷୀର ଧୈର୍ଯ୍ୟହୀନ ଆକୁଳତାରେ ତାହାର ଅନ୍ତର ଆନ୍ଦୋଳିତ ହୋଇଉଠିଛି। ଗ୍ରିଶା ତାହାର ପାଖରେ ଥିଲା ;ଏହି ଅତ୍ୟନ୍ତ ଆନନ୍ଦ ଓ ଅସରନ୍ତି ସୁଖରେ ତାହର ହୃଦୟରେ ଅନନ୍ଦ ଭରି ଉଠୁଛି। ହୁଏତ ଏହି ମୂର୍ହତ୍ତରେ ସେ ବହୁ ଦୂରରେ ଅଛି ଅତି ଦୂରରେ-କୌଣସି ବାଟରେ ଛାତିପତେଇ ଚାଲିଛି ନ ହେଲେ ବା ଟ୍ରେଞ୍ଚରେ ଅଛି, କିମ୍ବା କୌଣସି ଆକ୍ରମଣରେ ଆଗେଇ ଚାଲିଛି… ତଥାପି ସେ ଥିଲା, ବସିଥିଲା ତାହାରି ପାଖରେ । ଗ୍ରିଶା-ତାହର ଅତି ଆପଣାର ଗ୍ରିଶା।
“ରାତି ଅନେକ ହେଲାଣି, ବର୍ତ୍ତମାନ ମୁଁ ଚାଲିଲି”-ଭରୋନତ୍ସଭ୍ କହି ଉଠିଲା। ତାହାର ଅପରିଚିତ ସ୍ବର ଶୁଣାଗଲା।ମରିୟା ଆଖି ଖୋଲି ଚାହିଁଲା- ଯେପରି ସେ ବର୍ତ୍ତମାନ ଫେରି ଅସିଛି ବହୁଦୂର ଏକ ଦେଶର, ଯେଉଁଠାରେ ସେ ଏବଂ ଗ୍ରିଶା ଏ ପର୍ଯ୍ୟନ୍ତ ବୁଲୁଥିଲେ ହାତ ଧରାଧରି ହୋଇ।
“ ଅନେକ ରାତି ହେଲାଣି ?” ମରିୟା ବିହ୍ବଳ ହୋଇ ତାର କଥାରେ ପୁନରାବୃତ୍ତି କଲା, ଭରୋନତ୍ସଭ ଉଠି ଠିଆ ହେଲା। ଆଖିର ଭ୍ରଲତା କୁଞ୍ଚିତ ହୋଇଯାଇଛି। ଓଠ ଦୁଇଟିରେ ଗୋଟିଏ ଅସହ୍ୟ ବେଦନାର ଛାପା ପଡ଼ିଲା ପରି ଜଣାଯାଇଛି। ମରିୟା ତାକୁ ବାଧ୍ୟ କରି ଅଟକାଇବାରେ କୌଣସି ଚେଷ୍ଟା କରୁନାହିଁ। ସେ ଚାହେଁ ବର୍ତ୍ତମାନ ସେ ଟିକେ ଏକୁଟିଆ ରହିବ-ଅତି ନିର୍ଜନରେ, ଗ୍ରିଶାର ଅତି ନିକଟରେ ।
ଭରୋନତ୍ସଭ ତରବରରେ ତାହାର କୋଟ୍ଟି ପିନ୍ଧି ପକାଇଲା। ତାହାପରେ କୌରସି ରକମ ବିଦାୟ ବେଳର ସମ୍ଭାଷଣ ଜଣାଇବା ପାଇଁ ମରିୟାର ହାତଟି ଛୁଇଁ ଦେଇ ରାତ୍ରି ଶେଷ ଭାଗରେ ବର୍ଷାଶିକ୍ତ ଅତି ଶୀତଳ ରାସ୍ତାକୁ ବାହାରି ପଡିଲା। ହାତମୁଠା ଦୁଇଟି ପକେଟରେ ଭର୍ତ୍ତି କରି ବର୍ଷାଧାର ଆଡ଼ୁ ମୁହଁ ଫେରାଇ ନିଜକୁ ଧିକ୍କାର କରି କରି ସେ ଚାଲିଗଲା।
ଏଇଲାଗେ ଗୋଟିଏ ବୋଝାଇ ଟ୍ରାମ୍ ଚାଲିଗଲା। ଭଲ ହୋଇଛି ଭାବି ଭରୋନତ୍ସଭ୍ ସେଇ ବର୍ଷା-ସିକ୍ତ ରାସ୍ତାରେ ଆଗେଇ ଚାଲିଲା। ଚାଲୁ ଚାଲୁ ନିଜ ଉପରେ ଭୟଙ୍କର ରାଗ ହେଲା, ଆଉ ସେ ରାଗ ଯାଇ ପଡିଲା ମରିୟା ଉପରେ । ତାହାର ସୁନ୍ଦର କେଶଗୁଚ୍ଛ, ତାହାର ଅନ୍ତରର ଗଭୀରତମ ପ୍ରଦେଶରେ ଫୁଟି ଉଠିଥିବ ମଧୁର ହସ, ତାର ବୀଣାଜିଣା ଲଳିତ କଣ୍ଠ-ଆଉ ତାହାର ଏହି ଆନନ୍ଦପୂର୍ଣ୍ଣ ଗୃହ…ଘର ଭିତରେ ଟେବୁଲ୍ ଉପରେ ଏବଂ କାନ୍ଥରେ ଟଙ୍ଗା ତାହାର ସ୍ବାମୀ ଫଟୋ- ସବୁ ଜିନିଷ ଉପରେ ତହାର ରାଗ ଜମି ଉଠୁଛି। ଏହି ଗ୍ରିଶା ଯେ ଆଜକି ବର୍ଷେ ହେବ ଘରଛାଡ଼, ଏହି ଦୀର୍ଘ ସମୟ ଭିତରେ ଦିନେ ହେଲେ ଏଠାକୁ ଆସି ନାହିଁ, ସେ ଆଜି ପର୍ଯ୍ୟନ୍ତ ମରିୟାର ପାଖେ ପାଖେ ଅଛି- ତାହାର ସମସ୍ତ ଦେହ ମନ ଆଚ୍ଛାଦିତ କରି। ହାସପାତାଳର ୱାର୍ଡ଼ରେ, ଟ୍ରାମ୍ରେ, ଏହି ଟେବୁଲ୍ ପାଖରେ, ଆଲୋକ ତଳେ ଅଦୃଶ୍ୟ ହୋଇ ସବୁଆଡ଼େ ସବୁ ସମୟରେ ସେ ମରିୟାର ସାଥୀ ହୋଇଛି- ମୁହୂର୍ତ୍ତକ ପାଇଁ ତାହାର ପାଖ ଛଡ଼ା ହେଉନାହିଁ। ଭରୋନତ୍ସଭ ଏତେ ବୋକା ନୁହେଁ ଯେ ସେ କିଛି ବୁଝିପାରିବ ନାହିଁ! ଖେଳନା ନେଇ ପିଲାଏ ଯେପରି ଖେଳନ୍ତି ମରିୟାର ଏ ବିଷୟରେ ବ୍ୟବହାର ଠିକ୍ ସେହିପରି- ଏଇ ଦୃଷ୍ଟିରେ ସେ ତାକୁ ସବୁବେଳେ ଦେଖି ଆସୁଛି। ସେ ମଧ୍ୟ ଜାଣେ, ହାଡ଼େ ହେଡ଼େ ଅନୁଭବ କରେ ଏହି ଲୋକର ଉପସ୍ଥିତି, ମୂହୂର୍ତ୍ତକ ପାଇଁ ସେ ମରିୟାର ପାଖଛଡ଼ା ହୁଏ ନାହିଁ।
“ କି ନିର୍ବୋଧ ମୁଁ!” ଉଚ୍ଚ ସ୍ବରରେ ଭରୋନତ୍ସଭ୍ କହି ଉଠିଲା। ନିର୍ଜନ ପଥ…କେହି ତାର କଥା ଶୁଣିପାରୁନାହିଁ। ମୁଣ୍ଡର ଟୋପିଟି ଆଖିପତା ପର୍ଯ୍ୟନ୍ତ ଟାଣିଆଣି ବରଫ ପରି ଥଣ୍ଡା ବର୍ଷା ଭିତରେ ମୁଣ୍ଡକୁ ନୋଇଁ ବାଟ କାଟି ଶୀଘ୍ର ଚାଲିଯାଉଥିଲା ସେ।