॥ତିନି॥
ଠିକ୍ ଏହି ସମୟରେ କାପ୍ଟେନ୍ ଗ୍ରେଗରୀ ଚେର୍ନଭ୍ର ଜ୍ଞାନ ଫେରିଆସିଲା। ତାହାର ମନେହେଲା ସେ କୌଣସି ଅତି ନିଭୃତ ଦେଶରୁ ଫେରିଆସିଛି ଏବଂ ସେଠାରେ ଯେ କଣ ଗୋଟିଏ ହେଉଥିଲା କିଛି ମନେ ପଡୁ ନାହିଁ। ଖାଲି ହେଜ ଥିଲା, ଗୋଟିଏ ଆଖି ଝଲସିଆ ଆଲୋକ ଏବଂ ଭୟଙ୍କର ବଜ୍ର ଗର୍ଜନରେ ଯେପରି ସମସ୍ତ ଜଗତ ବିଲୀନ ହୋଇଯାଇଛି।
ବର୍ତ୍ତମାନ ସବୁ ଶାନ୍ତ… ଏକ ଅଦ୍ଭୁତ ନିସ୍ତବ୍ଧତା। ତା’ର ମନେ ହେଉଛି ଯେପରି ପଡ଼ି ରହିଛି ଏହି ବିରାଟ ନିସ୍ତବ୍ଧତା ତାର ଚେତନା ଫେରାଇ ଆଣିଛି। କିନ୍ତୁ ଆଖପାଖରେ ଯେ କଅଣ ଘଟି ଯାଉଛି ସେ କିଛି ବୁଝିପାରୁନାହିଁ। ତା ଆଖି ଆଗରେ ଯେପରି ପଡ଼ିରହିଛି, ଲମ୍ବା-ଧୂସର-ମଝିଟା ଫମ୍ପା। କିନ୍ତୁ କଣ ସେଇଟା ମୋଟେ ବୁଝାପଡ଼ୁନାହିଁ। ପଡ଼ିଆ? ଗୋଟିଏ ଅନାବାଦୀ ଜମି? ନା ଚାଷଜମି? ନା ପଡ଼ିଆତ ନୁହେଁ। ସେଇଟା ଯେପରି କାନ୍ଥ ପରି ହୋଇ ଛିଡ଼ା ହୋଇଛି। ଉଡ଼ାଜାହଜରୁ ଓହ୍ଲାଇଲା ବେଳେ ଶେଷ ଚକର ଦେଲାବେଳେ ଯେପରି ଆରୋହୀଟି ଦେଖାଯାଏ, ସେହିଭଳି। ସେଇଟା ପୁଣି ତା ଆଖି ନିକଟରେ । କିନ୍ତୁ ଭଲକରି ଅନେଇଲେ ବୁଝାଯାଉଛି ଯେପରି ଚକ୍ଷୁର ଦୃଷ୍ଟି ବାଙ୍କି ଯାଇଛି। ସାଧାରଣ ସମୟ ପରି ମୁଣ୍ଡ ଟେକିବାକୁ ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ।ଏସବୁ କଅଣ? ତେବେ କଅଣ ଗୋଟିଏ ପାହାଡ଼ ତା ଦେହ ଉପରେ ଭାଙ୍ଗି ପଡ଼ିଛି? ନା, ସେ କେବଳ ତଳେ ଶୋଇଛି? ତା ବା କିପରି ହେବ? ଭଲରେ ତ ନିଃଶ୍ବାସ ନେଇ ପାରୁଛି। ବର୍ଷା ହେଉଛି କି? ମୁଁ ତିନ୍ତି ଗଲା ପରି ଲାଗୁଛି, ଚମଡ଼ା କିପରି ଟାଣ ହୋଇଯାଇଛି… ଭୟଙ୍କର କଷ୍ଟରେ କିଟ୍ କିଟ୍ ଡ଼ାକୁଛି। ମନରେ କିପରି ଗୋଟେ ବିହ୍ବଳ ଭାବ, ସବୁ ଯେପରି ଘୂରି ଯାଉଛି। ସେ ଯେପରି କିଛି ବୁଝିପାରୁନାହିଁ।
ବହୁତ ଦୂରରୁ ଗୋଟେ ଜଣା ଶୁଣା ଶବ୍ଦ ଭାସି ଆସୁଛି –କାପ୍ଟେନ୍ ଚେର୍ନଭ୍ ବୁଝି ପାରିଲା ସେଇଟା କମାଣର ଗର୍ଜନ, ବୁଝିବାସଙ୍ଗେ ସଙ୍ଗେ ତାହାର ବିହ୍ବଳ ଭାବ ଚାଲିଗଲା। ଏଇ ଧୂସର ପାହଡ଼ ଆଉ ଉପତ୍ୟକା। ନା, ସେଇଟା ପଡିଆ ନୁହେଁ।ଚାଷ ଜମି ମଧ୍ୟ ନୁହେଁ, ଗୋଟେ ସୈନିକର ପୋଷାକ ତାହାର ଦେହ ଉପରେ ଚାପି ହୋଇ ରହିଛି। ସେ ବର୍ତ୍ତମାନ ଭଲଭାବେ ଦେଖିପାରୁଛି। ସେ ଜିନିଷଟା ଯେ ବହୂତ ଦୂରରେ ଏବଂ ଭିନ୍ନ ଆକାରରେ ଦେଖା ଯାଇଥିଲା ତା ଆଉ ସେହିପରି ମାମୁଲି ହେଉ ନାହିଁ। ତାହାର ଦେହ ଉପରେ ଯାହା ଚାପି ରହିଛି ସେଇଟା ପାହଡ଼ ନୁହେଁ ଗୋଟେ ମୁର୍ଦ୍ଦାର। ବର୍ତ୍ତମାନ ସେ ସବୁ ଚିହ୍ନି ପାରୁଛି - ଏ କମରବନ୍ଧା, ଓହଳି ପଡ଼ିଥିବା ହାତ, ବୁଟ୍ଜୋତାର ତଳ, ଭାଙ୍ଗି ଯାଇଥିବା ରାଇଫଲ୍ ନଳି…। କଅଣ ଯେପରି ତାହାର ଦୃଷ୍ଟିଶକ୍ତି ରହିତ କରିଛି କେବଳ ସେ ଗୋଟିଏ, ଆଖିରେ ସେ ଦେଖିପାରୁଛି। ଚେର୍ନଭ ପୁରାଦମ୍ରେ ନିଶ୍ବାସ ନେବାକୁ ଚାହେଁ, ପାରୁନାହିଁ।ଗୋଟେ ଅସହ୍ୟ ଗୁରୁଭାବ କଣ ତାର ଛାତି ଉପରେ ଚାପି ହୋଇରହିଛି, ଆଉ ସେଥିରେ ସେ ବେଦମ୍ ହୋଇଯାଉଛି। ଦମ୍ ବନ୍ଦ ହୋଇ ଆସୁଛି। ଏଇଟା କଣ? କେଉଁଠାରେ ବା ଏହି ଅସହ୍ୟ ବେଦନା ଜାତ ହେଉଛି? ଚେର୍ନଭ ବୁଝିପାରୁ ନାହିଁ ଡିକ୍ ବ୍ୟଥାର ସ୍ଥାନଟି କେଉଁଠି।ତାହାର ଗଦା ସହିତ ଏକ ହୋଇଯାଇଛି। ଚିନ୍ତାଶକ୍ତି ବର୍ତ୍ତମାନ ସୁଦ୍ଧା ଦୁର୍ବଳ, ଗୋଳିଆ ମିଶା, ସେ ପ୍ରାଣପଣେ ଚେଷ୍ଟା କରୁଛି ସେହି ବିଚ୍ଛିନ୍ନ ଚିନ୍ତାଧାରାକୁ ଏକ ସୂତ୍ରରେ ଗୁନ୍ଥିବା ପାଇଁ।
ଯୁଦ୍ଧ ବନ୍ଦ ହୋଇଯାଇଛି ସତ। ଅନ୍ୟ ପାଖରେ ଜର୍ମାନ ସୈନ୍ୟର ଚିହ୍ନବର୍ଣ୍ଣ ନାହିଁ। ବହୁ ଦୂରରୁ କମାଣ ଗର୍ଜନ ଭାସିଆସୁଛି। କ୍ୟାପ୍ଟେନ୍ ଚେର୍ନଭ୍ ବୁଝିପାରିଲେ ଯେ ତାଙ୍କ ସୈନ୍ୟବାହୀନି ଆଗେଇ ଯାଇଛି; ତାର ଅର୍ଥ, ଜର୍ମାନ୍ ସୈନ୍ୟ ତ ବିତାଡ଼ିତ। ସେ ମନେ ପକାଇବାକୁ ଚେଷ୍ଟା କରୁଛି, ତାହାର କଣ ହୋଇଥିଲା –କିନ୍ତୁ ଆକ୍ରମଣ କରି ଝାମ୍ପି ପଡ଼ିବା ଛଡ଼ା ଆଇ କିଛି ମନେ ପଡୁ ନାହିଁ୧ ସବୁ ତାହାର ଆଖି ଆଗରେ ଉଭେଇ ଗଲା- ସବୁ ଆଲୋକର ବନ୍ୟାରେ ପ୍ଲାବିତ ହୋଇଗଲା। ସେ କିପରି ଜାଣିପାରିବ ନାହିଁ, କାହିଁକି ତାର ଦେହସାରା ଅସହ୍ୟ ବ୍ୟଥା। ସେ ଆହତ କି ନା? ହାତ ହଲାଇବା ସମ୍ଭବପର ନୁହେଁ-ହାତ ଉପରେ ମାଡ଼ିବସିଛି ଗୋଟିଏ ବଡ଼ ବୋଝ, ସେ ଯଦି ଗୋଟିଏ ଆଙ୍ଗୁଳି ବୁଲାଇପାରନ୍ତା ତାହାହେଲେ ତାହାର ଦେହ ଏହି ମୁର୍ଦ୍ଦାରର ସ୍ତୁପ ଭିତରେ କିପରି କୋଉଠି ଅଛି ଅନୁଭବ କରିପାରନ୍ତା।
ନା, ତା ମଧ୍ୟ ଅସମ୍ଭବ। କେଉଁଆଡ଼େ ତାର ହାତ ଦୁଇଟା ଅଛି, କେଉଁଟି ଡ଼ାହାଣ ହାତ ବା କେଉଁଟା ବାଁ ହାତ ଏପର୍ଯ୍ୟନ୍ତ ହଲଚଲ ନ ହୋଇ ପଡ଼ିରହିଥିବାରୁ ଏସବୁ ବୁଝିବା ଅସାଧ୍ୟ ହୋଇପଡିଛି, ତାର ଗୋଡ଼ ଦୁଇଟି ମଧ୍ୟ କେଉଁଠାରେ ? ପାଦର ବ୍ୟଥା ଅସହ୍ୟ, ବଡ଼ ଭୟଙ୍କର କିନ୍ତୂ ପାଦ ଦୁଇଟି କେଉଁଠି ଅଛି ସେ ତାହା ବୁଝିପାରୁନାହିଁ। ତାହାର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଭିତରୁ କେବଳ ମୁଣ୍ଡଟି ଯେପରି କେବଳ ବଞ୍ଚି ରହିଛି, କାମ କରୁଛି,ଭାବୁଛି। ବାକି ସମସ୍ତ ଶରୀର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଆଉ ତାର ନିଜର ନୁହେଁ; ଆଖପାଖରେ ବିଚ୍ଛନ୍ନ ହୋଇ ରହିଛି। ତହାର ଅଙ୍ଗ ଯେପରି ତାହାରି ଉପରେ ଗଦା ହୋଇ ରହିଛି। ତା ଛଡ଼ା ଆଉ କିଛି ନୁହେଁ । ଚେର୍ନଭ ଆଖି ଖୋଲି ଚାହିଁଲା। । ଗଦାଏ କାଠ –ଗଦାଏ ଛିଣ୍ଡା କମ୍ବଳ ପଡ଼ିରହିଛି। ସେମାନେ କିଏ ? ଆମ ଲୋକ ନା ଜର୍ମାନ୍? ତାର ଆଖି ଆଗରେ ଅନ୍ଧକାର ଘନୀଭୂତ ହୋଇ ଆସିଲା- ତଥାପି ସେ ବର୍ତ୍ତମାନ ଦେଖିପାରୁଛି, ହଁ, ଆମର ଲୋକ ସେମାନେ। ଚେର୍ନଭ୍ ଭାବିଲା ସମସ୍ତ ଯୁଦ୍ଧକ୍ଷେତ୍ରରୁ ମୃତ ଦେହ ଗୁଡ଼ିକୁ ଗୋଟାଇ ଏକାଠି ଗଦା କରାହୋଇଛି । କିନ୍ତୁ ସେ କିପରି ଏମାନଙ୍କ ଭିତରୁ ଆସିଲା? ନିଶ୍ଚୟ ଏଠାରେ କେହି ଥିଲା ଯେ ଶବ ଗୁଡ଼ିକୁ ବୋହିଆଣି ଏକାଠି କରି ରଖିଛି କିନ୍ତୁ କେତେବେଳେ?ତାର ମନେ ପଡ଼ୁଛି କେବଳ ଗୋଟାଏ ମୁହୂର୍ତ୍ତର ବ୍ୟବଧାନ ସେହି ତ୍ରୀବ ଆଲୋକ ଯେତେବେଳେ ତାହାର ଆଖି ଝଲସାଇ ଦେଲା; ତାପରେ ସେ ଯେତେବେଳେ ଆଖି ଖୋଲି ସୈନିକର ପୋଷାକଟିଏ ଦେଖେ ପ୍ରଥମେ ବୁଝିପାରିଲା ନାହିଁ ସେଥଟା କଅଣ।
ପୋଷାକ ଗୁଡ଼ିକ କିପରି କଳା ହୋଇ ଯାଇଛି। ଏକବାରେ ସବୁ ନୂଆ ହୋଇଯାଇଛି। ଗ୍ରେଗରୀ ତାହର ମୁହଁ ଭିତରେ ଗୋଟି, ଅସ୍ବାଭାବିକ ଅନନ୍ଦ ଅନୁଭବ କଲା-ଦେହ ଶୀତେଇ ଉଠିଲା ମାତ୍ରେ ତାହାର ଚେତନାକୁ ଢ଼ାଙ୍କି ଗୋଧୂଳି ଅନ୍ଧାକାର ମାଡ଼ି ଅସିଲା- କୁହେଳିକା।
ପୁଣି ତାହାର ଚେତନା ଫେରି ଅସିଲା। ତୀବ୍ର ବେଦନା ତାକୁ ଅଚେତନ ଧୂସର ଅନ୍ଧକାର ଦେଶରୁ ଫେରାଇ ଆଣିଛି। ଶୀତ ହେଉଛି, ଭୟଙ୍କର ଶୀତ। ସମସ୍ତ ଶକ୍ତି ପ୍ରୟୋଗ କରି ସେ ମୁଣ୍ଡଟି ଘୂରାଇନେଇ ଦେଖେ ଯେ ସେ ଓଦା ମାଟି ଉପରେ ପଡ଼ି ରହିଛି ଓ ଉପରେ ଜମି ଥିବା ବରଫ ରକ୍ତରେ ଭେଦି କଳା ହୋଇଯାଇଛି। ଅନେକ ଦୂରରେମାଟି, ତା’ପରେ ବରଫ ଦେଖାଯାଉଛି… ଆହୁରି ଦୂରରେ ପାହଡ଼ର ଢ଼ାଲୁ , ପାହାଡ଼ ଆଉ ଗଛପତ୍ର।
ଚେର୍ନଭ୍ ମନେ ପକେଇବାକୁ ଚେଷ୍ଟାକଲା-ହଁ, ପାହଡ଼ଟି ତାର ଜଣାଶୁଣା। ଏହି ପାହଡ଼ ପାର ହୋଇ ସେମାନେ ଓଡ୍ଲାଇ ଆସିଥିଲେ। କିନ୍ତୁ କୁଆଡ଼େ ସବୁ ଦୃଶ୍ୟ ଅନୃଶ୍ୟ ହେଲା, ଗଲେ ସବୁ କୁଆଡ଼େ? ଗ୍ରେଗରୀ ପ୍ରାଣପଣେ ଚିତ୍କାର କରି ଡ଼ାକିଲା-କିନ୍ତୁ ଗୋଟିଏ ମାତ୍ର କ୍ଷୀଣ ଅସ୍ପଷ୍ଟ ସ୍ବର ତାର ଗଳା ଭିତରୁ ବାହାରି ଆସିଲା-ମାଟିଟା କି ଭୟଙ୍କର ଥଣ୍ଡା, ବରଫ ପରି। ଆଉ ପବନଟା ବି ଭାରି ଥଣ୍ଡା; ଦେହରେ ଗଳି ଗଲାପରି ଲାଗୁଛି। ହଠାତ୍ ଗୋଟିଏ ଘର୍ଘର୍ ଶବ୍ଦ ଚେର୍ନଭର କାନରେ ବାଜିଲେ। ଦୂରରେ ବାଦାମି ରଙ୍ଗର କଅଣ ଗୋଟିଏ ତାହାର ଆଖିରେ ପଡ଼ିଲେ। ହିଁ, ଗୋଟିଏ ଘୋଡ଼ାର ମୁଣ୍ଡ।ଖାଲ ଜାଗାରୁ ଉଠି ଆସୁଛି। ପରେ କି ଭାରି ଜିନିଷ ବନ୍ଧା ହୋଇଥିବାରୁ ଅତି କଷ୍ଟରେ ଟାଣି ନେଇଆସୁଛି। ଆଉ ପଛରେ ଗୋଟିଏ ମନୁଷ୍ୟ । ହଁ, ଲୋକଟି ଆମ ପକ୍ଷର।