ମରିୟା ଆସ୍ତେ ଉଠି ଠିଆ ହେଲା। ତା ପରେ କପ୍ ଏବଂ ପିଆଲାଗୁଡ଼ିକ ତଳେ ରଖି ଟେବୁଲ୍ ସଫା କଲା। ବାରଣ୍ଡାରେ ଚଟିର ଶବ୍ଦ ଶୁଣାଗଲା। ତା ସହିତ ଦୁଆରଟି ଖୋଲିଗଲା ବି।
-“ ତାହାହେଲେ ସେ ଗଲା।”
-“ହଁ, ଚାଲିଯାଇଛନ୍ତି, ରାତି ମଧ୍ୟ ଅନେକ ଅଛି କି ନା?”
-“ ସେଇଆ ତ ଭାବୁଛି। ଲୋକଟା ବସିଛି ତ ବସିଛି। ଉଠିବାର ନାମ ମଧ୍ୟ ଧରୁନାହିଁ…।”
-“ ସେଥିରେ ତୁମର କଣ କ୍ଷତି ହେଲା ଶୁଣେଁ?”
-“ ତାହାର କଣ ଘରଦ୍ବାର ନାହିଁ। ତେବେ?”
-“ ଦେଖ ମା, ତାଙ୍କର ଏଠି ନିଜର ଲୋକ କେହି ନାହିଁ ନା, ସେଇଥିପାଇଁ…”
-“ ତାହାର ନିଜର ଲୋକ ନ ଥିଲେ କଣ ହେଲା? ସେ ଏଠିକି ଥରକୁ ଥର ଆସୁଚି କାହିଁକି ଶୁଣେଁ ?”
ମରିୟା ହସି ଉଠିଲା।” ନା, କୌଣସି ଉଦ୍ଦେଶ୍ୟ ନେଇ ସେ ଏଠିକି ଆସନ୍ତି ନାହିଁ।”
“ଜାଣେ ମୁଁ, ଜାଣେ ବହୁତ ଜଣା ଅଛି, ବୟସ ଥିଲା ବେଳେ ମୁଁ ମଧ୍ୟ ଜଣେ ଅଧେକୁ ଦେଖିଛି।” ବୁଢ଼ୀ ପାଟିକରି ଉଠିଲା, “ସେଗୁଡ଼ାକ ଆଉ ଘାଣ୍ଟି କି ଲାଭ ? ରଖ… ସେଗୁଡ଼ାକ, ମୁଁ ସଫା କରିଦେଉଛି। ଏଥର ଶୋଇପଡ଼ ଯାଇ। ହାସପତାଳରେ ହାଡ଼ଭଙ୍ଗା ପରିଶ୍ରମ କରି ପାଇଟି ତୁଟିଲା ନାହିଁ ଯେ ଫେର୍ ରାତି ଅଧରେ ଘରକୁ ଜଣେ ଅତିଥି ଡ଼ାକି ଆଣିଲୁ।”
“ଅତିଥି କଥା କଅଣ କହୁଛ ମା, ଭଦ୍ରଲୋକ ଆସିଲେ, ଟିକେ ବସି ଚାଲିଗଲେ, ଏଇତ! କପେ ଚା’ ଦେଲ ବୋଲି ତୁମେ ରାଗିଗଲ?”
ବାଜେ କଥା କହ ନା… ଚା…”
ମରିୟା ବିଛଣା ପାରିଦେଲା। ଭାରି ନିଦ ଅସୁଛି ତାକୁ। ମୁହୂର୍ତ୍ତେ ଅପେକ୍ଷା ନ କରି ଜାମାଲୁଗା ନ ବଦଳି ବିଛଣାରେ ଢ଼ଳିପଡିଲା ସେ।
‘ଅଦ୍ଭୁତ କଥା, ଲୋକଟା ବସିଛ ତ ବସିଛ। ଏ ଆଡ଼େ ଯେ ନିଦରେ ତୋର ଆଖି ଢ଼ାଙ୍କି ହୋଇପଡ଼ୁଛି।” ବରବର ହୋଇ ତାତ୍ୟାନା ପେଟ୍ରୋଭନା ପ୍ଲଗ୍ଟା ଖୋଲିଦେଲା। ଅଧବାଟରେ ବେହେଲାର ସ୍ବର ବନ୍ଦ ହୋଇଗଲା।
“ବର୍ତ୍ତମାନ ଶୋଇପଡ଼, ଭୋର ହେବାକୁ ଆହୁରି କେତେ ରାତି ଅଛି।”
ମରିୟାର ଆଉ ଟିକିଏ ହେଲେ ଶକ୍ତି ନାହିଁ ଯେ ସେ ଉତ୍ତର ଦେହ ତାହାର ସମସ୍ତ ଶରୀର ଅଳ୍ପ ଉଷୁମ ହୋଇଆସିଛି-ସବୁ ଅନ୍ଧକାରରେ ଡ଼ୁବିଯାଇଛି। ତାହାର ଚେତନା ବୁଡ଼ିଗଲା । ଚତୁର୍ଦ୍ଦିଗକୁ ଆବୋରି ଗୋଟିଏ ସଙ୍ଗୀତ ମୂର୍ଚ୍ଛନା ଜମି ଉଠିଲା, ଗୋଟିଏ ଅଦ୍ଭୁତ ଆଲୋକର ସମାହାର।