“କିଛି ନୁହେଁ, କେବଳ ଗୋଟାଏ ଜିନିଷ ଥିଲା-ଯାହା ମୁଁ ଜାଣିନଥିଲି।”
“କଅଣ ସେଇଟା ?।”
“ଜାଣି ନଥିଲି ଯେ,ମୁଁ ଏହି…।”
“ରାଣ ଅଛି ମରିୟା, ଖୋଲି କୁହ ସେଟା କଅଣ?”
ଭରୋନତ୍ସଭ୍ ମୁଣ୍ଡ ଉପରକୁ କରି ମରିୟା ଦୁଆର ଆଡ଼େ ଚାହିଁଲା । ତାହାର ଛାତି ଫାଟିଗଲାଭଳି ଗୋଟାଏ ଦୀର୍ଘନିଃଶ୍ବାସ ଟାଣିନେଲା ସେ ।
“କାରଣ …ମୁଁ ଗ୍ରେଗରୀକୁ ଭଲ ପାଏ।”
“କଅଣ କହୁଛ ତୁମେ ମରି଼ୟା ?”
ସେହି ମୁହୂର୍ତ୍ତରେ ମରିୟା ମନେ ପଡ଼ିଗଲା ଅତଳ ସାଗରର ବିଶାଳ ପ୍ରଶାନ୍ତି ।ଗୋଟାଏ ଅତି ଆନନ୍ଦର ଉଜ୍ଜ୍ବଳ ଅଗ୍ନିଶିଖା ତାହାର ଅନ୍ତର ଉଦ୍ଭାସିତ କରି ଜଳିଉଠିଛି… ତାହାର ଜୀବନ ପରମ ଦୁଃଖଦିନରେ ଯେଉଁ ଆଲୋକଶିଖା ତାହାର ହୃଦୟରେ ବଳ ଆଣି ଦେଇଥିଲା, ଆଣି ଦେଇଥିଲା ବିମଳ ଆନନ୍ଦ, ତାହାର ମୁହଁରେ ଭାଷା ଆଣି ଦେଉଥିଲେ, ଅନ୍ତରରେ ସତ୍ୟର ଉପଲବ୍ଧି କରାଉଥିଲା, ଶତ ଆହତ ରୋଗୀର ନିଦାରୁଣ ହତାଶାମୟ କଥା କହିଯାଉଥିଲା, ନୈରାଶ୍ୟ ଦୂରକରି ତାହାର ଅନ୍ତରରେ ନୂତନ ଜୀବନର ସନ୍ଧାନ ଆଣି ଦେଉଥିଲା ବଞ୍ଚିଉଠିବାର ପ୍ରେରଣା। ଏବେ ମରିୟାର ଅନ୍ତରରେ ସେହି ମୁହୂର୍ତ୍ତ ଫେରିଆସିଛି-ସେହି ଶକ୍ତି-ସେହି ଦୁର୍ଜୟ ଇଚ୍ଛାଶକ୍ତି, ସେହି ଉଦ୍ୟମ।
“ତାହାହେଲେ ତାହା ସହିତ ରହିବାକୁ ଚାହଁ ତୁମେ ?” ନିର୍ଜୀବ ଉଗ୍ର-କଣ୍ଠରେ ଭରୋନତ୍ସଭ୍ ପ୍ରଶ୍ନ କଲା।
“ହଁ, ତାଙ୍କ ସହିତ ଆଜୀବନ ରହିବାକୁ ଚାହେଁ ମୁଁ ।” ମରିୟା ଯେପରି ଗୋଟାଏ କଠୋର ଶପଥବାଣୀ ଉଚ୍ଚାରଣ କରୁଛି।
“ ଏ କଣ ତୁମେ ଆତ୍ମବଳି ଦେଉଛ ମରିୟା।”
ତାକୁ ବାଧାଦେଇ ତୃପ୍ତକଣ୍ଠରେ ମରିୟା କହିଲା,“ଭୁଲ୍ ବୁଝବ ତୁମେ ଭିକ୍ଟର, ଏହା ମୋଟେ ଆତ୍ମବଳି ନୁହେଁ।”
“ ତାହାହେଲେ ଏଇଟା କଅଣ? କଅଣ ବୋଲି ମନେ ହେଉଛି ତୁମର?।”
“ ପ୍ରେମ।” କୋମଳ ଅଥଚ ସୁସ୍ପଷ୍ଟ କଣ୍ଠରେ ମରିୟା କହିଲା ।
ଚମକି ଉଠିଲା ଭରୋନତ୍ସଭ୍ । ମରିୟାର କଣ୍ଠରେ ଯେପରି ସଙ୍ଗୀତର ସୁମଧୁର ଝଙ୍କାର ବାଜିଉଠିଲା।
ବିସ୍ଫାରିତ ଚକ୍ଷୁରେ ଭରୋନତ୍ସଭ୍ ମରିୟାକୁ ଆନେଇ ଚାହିଁଲା, ଯେପରି ସେ ଏହି ପ୍ରଥମ ଥର ମରିୟାକୁ ଦେଖୁଛି। ଭରୋନତ୍ସଭ୍ର ମୁହାଁମୁହିଁ ହୋଇ ମରିୟା ଛିଡ଼ା ହୋଇଛି। ତାହାର ଉଜ୍ଜ୍ବଳ କେଶରାଶି ଉପରେ ଧୀରେ ଯେପରି ଓହ୍ଲାଇ ଆସୁଛି ସୁନେଲି ରଙ୍ଗ, ମେଘର ଛାୟାପରି ଏକ ଅପୂର୍ବ ଜ୍ୟୋତିର୍ମଣ୍ଡଳ। ଶାନ୍ତ ମୁଖ, ପ୍ରଶାନ୍ତ କୋମଳ ଦୃଷ୍ଟିରେ ଭରୋନତ୍ସଭର ଆଖିଆଡ଼େ ଅନାଇ ରହିଛି ସେ । ଅବାକ୍ ଓ ବିସ୍ମିତ ହୋଇ ଭରୋନତ୍ସଭ୍ ତାହା ଆଡ଼େ ଚାହିଁ ରହିଥାଏ, ତାହାର ମନେ ପଡ଼ୁଛି ଏହି ସେହି ଆଗର ମରିୟା ତାହା ଆଗରେ ଛିଡ଼ା ହାଇଛି, ଯାହାକୁ ସେ ଦେଖିଛି ଗ୍ରେଗରୀର ମୃତ ସମ୍ବାଦ ପାଇବା ପୂର୍ବରୁ-ଦେଖିଛି ସେମାନଙ୍କର ଆନନ୍ଦ-ମୁଖରିତ ଦିନରେ, ଗ୍ରେଗରୀ ଆଉ ମରିୟାର ମିଳନ ମଧୁର ଦିନରେ
ମରିୟାର ଓଠରୁ ସେ ମଳିନ ଛାୟା ପୋଛି ହୋଇଯାଇଛି,ଶିଶୁ ପରି ସଜୀବ ସରଳତା ଫେରିଆସିଛି, ଅନ୍ତର ଉଦ୍ଭାସିତ କରି କୌଣସି ଏକ ଆଲୋକର ସ୍ପର୍ଶପାଇ।
ହଁ, ଏଇ ତ ସେହି ଆଗକାର ମରିୟା- ଭରୋନତ୍ସଭ୍ର ଆଉ କିଛି କହିବାର ନାହିଁ।
“ଆଚ୍ଛା, ତେବେ…ସୁଖୀ ହୁଅ, ମରିୟା।” ଭରୋନତ୍ସଭ୍ ଚାରିଆଡ଼କୁ ଚାହିଁଲା, ଯେପରି ସେ କଅଣ ଗୋଟାଏ ଖୋଜୁଛି। ଅବଶ୍ୟ ତାହାର ବ୍ୟାଗ୍ଟା ହାତରେ ଅଛି ଏବଂ ଟୋପିଟା ମଧ୍ୟ ସେ ମୁଣ୍ଡରୁ କାଢିନାହିଁ।
“ମୁଁ ଖୁବ୍ ଖୁସି ଅଛି-ତୁମେ ରାଗ କରନା, ଭିକ୍ଟର।…”
“ନା।” ତୀବ୍ର କଠିନ କଣ୍ଠରେ ବାଧାଦେଇ ଭରୋନତ୍ସଭ୍ କହିଉଠିଲା।“ମୋ ପାଇଁ ଟିକିଏ ବି ଭାବିବା ଦରକାର ନାହିଁ ତୁମର।”
ଘରଭିତରୁ ଗ୍ରେଗରୀର ଉଚ୍ଚକଣ୍ଠର ଆହ୍ବାନରେ ମରିୟା ଚମକି ଉଠିଲା, “ଶୀଘ୍ର ଆସ ମରିୟା ।”
ମରିୟା ଦଉଡ଼ି ଚାଲିଗଲା, ଭରୋନତ୍ସଭ୍ ବାହାରିଯିବା ଆଗରୁ।
“କୁଆଡ଼େ ଯାଇଥିଲ ଏତେବେଳେଯାଏଁ କୁହତ? ଏହି ଶୁଣ କମାଣର ପ୍ରଥମ କୀର୍ତ୍ତନ।”
ଗ୍ରେଗରୀ ଗଳାଟି ଚାପିଧରି ତାହାର ଚୌକିର ହାତ ଉପରେ ମରିୟା ବସିପଡ଼ିଲା।
* * * *