॥ଚାରି॥
“ ମରିୟା, ତୁମକୁ ଡ଼ିରେକ୍ଟର ଡ଼ାକୁଛନ୍ତି।”
“କାହିଁକି ଡ଼ାକୁଛନ୍ତି?”
“ ତା ଜାଣେ ନାହିଁ, ଖାଲି କହିଛନ୍ତି ତାଙ୍କ ସହିତ ଦେଖା କରିବାକୁ।”
ଗୁଣୁ ଗୁଣୁ ସ୍ବରରେ ଗୀତ ଗାଉ ଗାଉ ଗାଧୁଆ ଘର ଆଗରେ ଥିବା ଆଇନା ଆଗରେଠିଆ ହୋଇ ଅଡ଼ୁଆ ବାଳଗୁଡ଼ିକୁ ମରିୟା ଠିକ୍ କରିନେଲା। ଡ଼ିରେକ୍ଟରଙ୍କର ଅଫିସ୍ ଘରେ ତାଙ୍କ ଲେଖିବା ଟେବୁଲ ଉପରେ ବତୀଟି କେବଳ ଜଳୁଛି। ମରିୟା ଘର ଭିତରେ ପଶିଗଲା କ୍ଷଣି ସିଏ ମୁହଁ ଟେକି ତାହାର ମୁହଁକୁ ଚାହିଁ ରହିଲେ। ତା’ପରେ ତାଙ୍କର କାଗଜପତ୍ର ସଜାଡ଼ିବାରେ ଲାଗିଲେ।
“ ମୋତେ ଡ଼ାକିଥିଲେ ଆପଣ?”
“ ହଁ , ହଁ, ଏକ ମିନିଟି ଅପେକ୍ଷା କର। ” କିପରି ଟିକିଏ ଇତସ୍ତତଃ ହୋଇ ସଂଶୟଜନିତ କଣ୍ଠରେ ସେ କହିଲେ।
“ କଥା କଅଣ, ମିଖେଇଲ୍ ନିକିଟିର୍?”
“କିଛି ନୁହେଁ , କିଛି ନୁହେଁ ” – ପୁଣି ଆଖି ଟେକି ଡ଼ିରେକ୍ଟର ମିଖେଇଲ୍ ତା ମୁହଁ ଆଡ଼େ ଚାହିଁଲେ। ତାପରେ ହଠାତ୍ ଟେବୁଲ ଉପରେ ସେ ପାଖରୁ ଦଉଡ଼ିଆସି ମରିୟାର ହାତ ଧରି ପକାଇଲେ। ମରିୟା ଚମକି ପୟଡ଼ିଲା। ଏ ପର୍ଯ୍ୟନ୍ତ କିଛି ଭାବି ନାହିଁ। କିନ୍ତୁ ଏଥର ତାର ମେରୁଦଣ୍ଡ ଭିତର ଦେଇ ଗୋଟିଏ ଶିତଳ ସ୍ରୋତ ବହି ଗଲାପରି ସେ ବୋଧ କଲା। ମୁହଁଟି ଶୀତଳ ହୋଇ ଶୁଖିଲା ପଡ଼ି ଆସିଲା।
‘ ମରିୟା ପାଭଲୋଭ୍ନା, ଖୁବ୍ ବୁଦ୍ଧିମତୀ ତୁମେ-ସବୁବେଳେ ତୁମ ମୁହଁରେ ହସ।”
ମରିୟା ତାଙ୍କ କଥାର ତାତ୍ପର୍ଯ୍ୟ ବୁଝି ନ ପାରି ତାଙ୍କ ମୁହଁ ଆଡ଼େ ଚାହିଁ ରହିଥାଏ। ତା କାନ ଦୁଇଟି ଝାଁ ଝାଁ ହୋଇଯାଉଥାଏ। କଅଣ ହେଉଛି? କଥା କଅଣ?
‘ ମରିୟା ପାଭ୍ଲୋଭ୍ନା, କଅଣ ଆଉ କରାଯିବ! ଏଇଟା ହେଲା ଯୁଦ୍ଧ।
“କଅଣ ହୋଇଛି କୁହନ୍ତୁତ?” ଭୟ ବିହ୍ବଳିତ ଧୀର ସ୍ବରରେ ମରିୟା ପଚାରିଲା। ତାଙ୍କ ଗଳାର ସ୍ବର ବଦଳି ଯାଇଛି, ଏ ସ୍ବର ଯେପରି ଆଉ କାହାର। ମରିୟା ମନରେ ଗୋଟିଏ ବଡ଼ ଭୟ ଜାତ ହେଲା। ଗୋଟିଏ କଳ୍ପନା ଜଡ଼ିତ ଭୟରେ ତାହାର କଣ୍ଠ ରୁଦ୍ଧ ହୋଇଆସିଲା। ଟେବୁଲ ଆଡ଼କୁ ବୁଲି ପଡ଼ି ଡ଼ିରେକ୍ଟର ଖଣ୍ଡେ କାଗଜ ଉଠାଇ ନେଲେ। ମରିୟା ମୁଣ୍ଡ ଉପରେ ଯେପରି ବଜ୍ର ଛିଡ଼ିପଡ଼ିଲା। ତାହାର ମନେ ହେଲା ଯେପରି ଗୋଟିଏ ଆଖି ଝଲସିଆ ଆଲୋକରେ ଘରଟି ଭର୍ତ୍ତି ହୋଇଯାଇଛି। ମରିୟାର ମୁଣ୍ଡ ଘୂରାଇ ଦେଲା। ସମସ୍ତ ଶରୀର ଝୁଲିଲା ପରି ବୋଧହେଲା, ସେ ଟେବୁଲଟିକୁ ଚାପି ଧରିଲା… ପଡ଼ି ଯାଉଁ ଯାଉଁ ନିଜକୁ ସମ୍ଭାଳି ନେଲା।
“ଗ୍ରିଶା” – ବିଜୁଳି ପରି ଗ୍ରିଶାର କଥା ତାହାର ମନ ଭିତରେ ଖେଳିଗଲା। ଯେତେବେଳେ ସେ ଡ଼ିରେକ୍ଟରଙ୍କ ଭୟବିହ୍ବଳିତ ଚକିତ ଦୃଷ୍ଟି ଦେଖିପାରିଲା ଭାବିଲା, ଅଫିସ୍ ରୁମ୍ ଭିତରେ ପଶିଲାମାତ୍ରେ ତାର ଏକଥା ମନେ ପଡ଼ିବା ଉଚିତ୍ ଥିଲା।
“ଏଇଟା ତୁମର- ଏଇ ଚିଠିଟି।”
ମରିୟାର ହାତ ଦୁଇଟିରେ ଯେପରି ଆଉ ହଲଚଲ ହେବାର ଶକ୍ତି ନାହି
କୌଣସିମତେ ହାତ ବଢ଼ାଇ ଚିଠି ଖଣ୍ଡେ ନେଲା; ଚିଠି ନୁହେଁ, ସାଧାରଣ ଗୋଟିଏ ନୋଟିସ୍। ଯୁଦ୍ଧ ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ଏହିପରି କେତେ ନୋଟିସ୍ ଅସିବାର ସେ ଦେଖିଛି। କିନ୍ତୁ ସେଗୁଡ଼କରେ ତାର ନାମ ଆଉ ଠିକଣା ଲେଖା ନଥାଏ। ମରିୟା କାଗଜଟିର ଭାଙ୍ଗ ଖୋଲିଲା। ବାସ୍ତବରେ ସେଇଟା ଦେଖିବାର କୌଣସି ପ୍ରୟୋଜନ ନଥିଲା। ସେ ଜାଣେ, ବହୁତ ଆଗରୁ ଜାଣେ ସେସବୁ ଚିଠି ଭିତରେ କଅଣ ଲେଖିଥାଏ। ଯନ୍ତ୍ରଚାଳିତ ପରି ତାହାର ଦୃଷ୍ଟି ଲେଖା ଉପରେ ପଡ଼ିଲା। ହଁ, ଠିକ୍ସେୟା ତ । ସେଇ ମାମୁଲି ଧରଣର ବଂଧା ଗତ- ‘କ୍ୟାପ୍ଟେନ୍ ଗ୍ରେଗରୀ ଚେର୍ନଭ୍ ଦେଶର ସ୍ବାଧୀନତା ପାଇଁ ଯୁଦ୍ଧକ୍ଷେତ୍ରରେ ବୀର ଭଳି ଶହୀଦର ମୃତ୍ୟୁବରଣ କରିଛନ୍ତି!’
ଅଜାଣତରେ କାଗଜ ଖଣ୍ଡେ ମରିୟାର ହାତମୁଠା ଭିତରେ ମୋଡ଼ି ହେଇଗଲା। ଡ଼ିରେକ୍ଟର ପୁଣି ତାହାର ହାତଟିକୁ ତାଙ୍କ ହାତରୁ ଉଠାଇ ନେଲେ।
“ ମରିୟା ପାଭ୍ଲୋଭ୍ନା, ତୁମକୁ ସାହସର ସହିତ ଧୌର୍ଯ୍ୟ ଧରିବାକୁ ପଡ଼ିବ।”
ଅଜଣତରେ ମରିୟା ଓଠରେ ଟିକେ ହସ ଫୁଟି ଉଠିଲା।
“ ହଁ, ହଁ, ମୁଁ ତା ଜଣେ-ତେବେ ବର୍ତ୍ତମାନ ମୁଁ ଯାଇପାରେ ? ” ଡ଼ିରେକ୍ଟର ମୁଣ୍ଡ ହଲାଇ ସମ୍ମତି ଜଣାଇଲେ। ଆଉ କିଛି ନ କହି ମରିୟା ବାହାରି ଆସିଲା।
ଏହି ବାରଣ୍ଡା, ମଝିଟା ଘନ ଲାଲ୍। ଖଣ୍ଡେ ସିଗାରେଟ୍ର ପୋଡ଼ା ଅଗ ଦୁଆର ଆଗରେ ପଡ଼ିରହିଛି। ବ୍ୟବସ୍ଥା ତ ଚମତ୍କାର। ବାରଣ୍ଡାରେ ସିଗାରେଟ୍ ଖାଇବା ସମ୍ପୂର୍ଣ୍ଣ ମନା… ଆଉ ସିଗାରେଟ୍ ପୋଡ଼ା କଚରା ଇଆଡ଼େ ସିଆଡ଼େ ପଡ଼ି ରହିଛି। ମରିୟା ନଇଁପଡ଼ି ସିଗାରେଟ୍ର ପୋଡ଼ା ଟୁକୁରା ଖଣ୍ଡ ଉଠାଇ ନେଲା କଣରେ ଥିବା ପିକଦାନିରେ ପକାଇ ଦେଲା। ମଝିରେ ରଙ୍ଗ କି ଭୟଙ୍କର ଲାଲ !! କି ଆଶ୍ଚର୍ଯ୍ୟ ସେ ତ ଏତେଦିନ ହେଲା ଏଇଟା ମୋଟେ ଲକ୍ଷ୍ୟ କରି ନାହିଁ। ହାସପାତାଳରେ ଏଡ଼େ ଚକ୍ ଚକ୍ ରଙ୍ଗ ରହିବା ଉଚିତ୍ ନୁହେଁ। ବଡ଼ ଚକ୍ଷୁଶୂଳ। ବାରଣ୍ଡାଟା ମଧ୍ୟ କେତେ ବଡ଼ ଲମ୍ବା, ମରିୟା ପାଦ ପାଦ କରି ମାପିଲା- ଦଶ… ବାର। ଆଚ୍ଛା, ଏଇ ସିଡ଼ି କେତେ ପାଦ? ଆଶ୍ଚର୍ଯ୍ୟ କଥା, ସେ ବି ବାରପାଦ! ମାପି ଦେଖିବା ଆଗରୁ ଏହା ତାକୁ ଜଣା ନଥିଲା।… ସେ ମାଇପିଟା ଟିକିଏ ଓ, ହଁ, ରେଇଜା। କି ଅଦ୍ଭୁତ ନାମ… ରେ-ଇ-ଜା !