॥ପାଞ୍ଚ॥
ଭରୋନତ୍ସଭ୍ ତାହାର ହାତଧରି ଗାଡ଼ିରୁ ତାକୁ ଓହ୍ଲାଇ ଦେଲା ମରିୟା ଅବାକ୍ ହୋଇ ଚାରି ଆଡ଼କୁ ଚାହିଁଲା,ଏ କେଉଁଠାକୁ ଆସିଛି? ସେ ସିଡ଼ିଟା ଯେପରି ତାକୁ ନୂଆପରି ବୋଧହେଲା। ଭରୋନତ୍ସଭ୍ର ଜବାବ ମରିୟା କାନରେ ବାଜିଲା।
ଚାବି ବୁଲାଇ ଭରୋନତ୍ସଭ୍ ତାଲାଟି ଖୋଲି ଦେଲା। ହଁ, ଏଇ ତ ଦୁଆର-ଏଇ ଘର । କଅଣ କରିବ ବୁଝି ନପାରି ଥକ୍କା ହୋଇ ଛିଡ଼ା ହୋଇଗଲା।
“ଶୋଇ ପଡ଼ ମରିୟା, ଟିକିଏ ବିଶ୍ରାମ ନେବା ତୁମର ଦରକାର ବର୍ତ୍ତମାନ, ଚା’ ତିଆରି କରି ଦେଉଛି, ତା ପରେ କିଛି ଖାଇ ନେବ।”
ଖାଇବାକଥା ଶୁଣି ତାହାର ଗୋଡ଼ ଘୋଳେଇ ହେଲ। ମୁଣ୍ଡ ଉପରେ କିଏ ଯେମିତି କଣ୍ଟା ବାଡ଼ଉଛି…ଅସହ୍ୟ ବେଦନାରେ ମୁହଁରୁ ବାହାରି ପଡ଼ୁଛି,ନିଶ୍ଚୟ, ନିଶ୍ଚୟ।ସେ ବର୍ତ୍ତମାନ କଅଣ କରିବ?ହଁ,ହଁ, ଗୋଟିଏ କିଛି କରିବାକୁ ହେବ ତାକୁ, ଯାହା ସେ ଏଡ଼ାଇ ଦେଇ ପାରିବନାହିଁ।
ମରିୟା ବିଛଣା ଉପରେ ବସି ପଡ଼ିଲା। ତା’ପରେ ଶୂନ୍ୟ ଦୃଷ୍ଟିରେ ଝରକା ବାହାରକୁ ଚାହିଁ ରହିଲା। ପତ୍ରଝଡ଼ା ଦେଇଥିବା
ଥୁଣ୍ଟା ଗଛଗୁଡ଼ାକ ପବନରେ ହଲୁଛି-ଥରେ ଏଆଡ଼କୁ ଥରେ ସେ ଆଡ଼କୁ।
“କୋଟ୍ଟା ଏ ପର୍ଯ୍ୟନ୍ତ ଖୋଲିନା? ଖୋଲି ପକାଅ। ବେଶ୍ ଗରମ ଅଛି ଘରଟି।”… ମରିୟା ଯେପରି ତାହାର କଥାର କୌଣସି ମାନେ ବୁଝିପାରୁପାହିଁ…ଭରୋନତ୍ସଭ୍ ଆଗେଇ ଆସି ତାହାର ଦେହରୁ କୋଟ୍ଟା ଖୋଲି ଦେଲା।
“ଗୋଡ଼ ଦୁଇଟା ଏକଦମ୍ ତିନ୍ତି ଯାଇଛି, ଏହି ବର୍ଷାଦିନରେ ଓଭରସୁ ବିନା କିଭଳି ତୁମେ ରାସ୍ତାକୁ ବାହାରିଲ?ଦୁଇ ପାହୁଣ୍ଡ ଯାଇ ଗାଡ଼ିରେ ଉଠିଛି, ସେଥିରେ ସବୁ ତିନ୍ତି ଯାଇଛି।”
ଭରୋନତ୍ସଭ୍ର କୌଣସି କଥା ତାହାର କାନରେ ପଡ଼ୁନାହିଁ। ଅପଲକ ନୟନରେ ମରିୟା ବାହରକୁ ଚାହିଁ ରହିଥାଏ। ଆଣ୍ଠୁମାଡ଼ି ବସି ଭରୋନତ୍ସଭ୍ ତାହାର ଗୋଡ଼ରୁ ଜୋତା ଓ ଓଦା ମୋଜା ଦୁଇଟି ଖୋଲିଦେଲା। ମୁହୂର୍ତ୍ତ୍କ ପାଇଁ ଭରୋନତ୍ସଭ୍ ଅସଂଯତ ହୋଇ ପଡ଼ିଲା, ମରିୟାର ନଗ୍ନ ଓ ସୁନ୍ଦର ଆଣ୍ଠୁଦୁଇଟି ଭିତରେ ସେ ମୁହଁ ଚାପି ରଖିଲା। ମନ୍ତ୍ରଚାଳିତ ହେଲା ପରି ମରିୟା ତାହାର ମୁଣ୍ଡ ଉପରେ ହାତ ରଖିଛି, ଭରୋନତ୍ସଭ୍ ଠିଆ ହୋଇ ପଡ଼ି ନିବିଡ଼ ଆଲିଙ୍ଗନରେ ତାହାକୁ ଚାପି ଧରିଲା।
“ମରିୟା, ମରିୟା” କିନ୍ତୁ ପର ମୁହୂର୍ତ୍ତରେ ଭରୋନତ୍ସଭ୍ ବୁଝିପାରିଲା ଯେ ମରିୟା ତାର କୌଣସି କଥା ଦେଖୁନାହିଁ କି ଶୁଣୁନାହିଁ। ମୃତ୍ୟୁର ପଲକହୀନ ଦୃଷ୍ଟିରେ ସେ ଝରକାର ବାହାରକୁ ଅନାଇ ରହିଛି। ଦାନ୍ତରେ ଦାନ୍ତ ଚାପି ଭରୋନତ୍ସଭ ଉଠି ଠିଆ ହେଲା। ଅତି ଧିର ଭାବରେ ବିଛଣା ଉପରେ ମରିୟାକୁ ଶୁଆଇଦେଲା। କମ୍ବଳଟି ଦେହ ଉପରେ ଢ଼ାଙ୍କି ଦେଲା। ମରିୟା ପ୍ରତିବାଦ କଲା ନାହିଁ, ଗୋଟିଏ ବଡ଼ ପୁତ୍ତଳିକା ପରି ନିଶ୍ଚଳ ନିସ୍ତବ୍ଧ ଭାବରେ ପଡ଼ିରହିଲା।
ଇଲେକ୍ର୍ଟିକ୍ କେଟିଲ୍ରେ ପାଣି ଫୁଟୁଥାଏ। ଚା’ ତିଆରି କରି ଗ୍ଲାସରେ ଚା’ ନେଇ ଭରୋନତ୍ସଭ୍ ତା ପାଖରେ ଆସି ବସିଲା।
“ଚା’ ଟା ପିଇଦିଅ, ଦେଖ- ଯେତେ ପାର ଅଳ୍ପଟିକେ ଖାଇଲେ ସୁଦ୍ଧା ତୁମକୁ ଖାଇବାକୁ ହେବ।”
ଯତ୍ନ ସହକାରେ ଭରୋନତ୍ସଭ୍ ଚାମଚରେ ଚା’ ଭର୍ତ୍ତିକରି ଛୋଟ ଶିଶୁକୁ ଦୁଧ ଖୁଆଇଲା ପରି ତାହାର ମୁହଁରେ ଚା’ ଢ଼ାଳି ଦେଉଥାଏ। ଗରମ ଚା’ ଗଳା ଦେଇ ବହିଯାଇ ଚାଏଁ କରି ଦେହରେ ଲାଗିଗଲା। ମରିୟା ଉଠିପଡ଼ି ଆଗ୍ରହର ସହିତ ସମସ୍ତ ଚା’ ଦି ଢ଼ୋକରେ ପିଇଦେଲା।
“ବର୍ତ୍ତମାନ ତୁମର କିଛି ଖାଇବା ଦରକାର।”ମରିୟା ଶୋଇପଡ଼ିଲା କିନ୍ତୁ ତାହାର ଦେହ ଘୋଳାଇ ହେଉଥାଏ।
“ଏପରି ହୁଅନା ମରିୟା, ତୁମକୁ ଖାଇବାକୁ ହେବ, ବିଶ୍ରାମ ନେବାକୁ ମଧ୍ୟ ହେବ।”
“ନା…।”
“ଏପରି ହୁଅନା ମରିୟା ତୁମକୁ ବଞ୍ଚିବାକୁ ପଡ଼ିବ, ଯାହା ହୋଇଛି ତାହାର ପ୍ରତିକାର ନାହିଁ, ତୁମକୁ ବଞ୍ଚିରହିବାକୁ ହେବ।”
ଅବାକ୍ ଜିଜ୍ଞାସୁ କଣ୍ଠରେ ମରିୟା କଥାର ପୁନରାବୃତ୍ତି କଲା। ତା’ପରେ ଝରକା ବାହାରକୁ ଅନାଇଁ ନୀରସ ଶୁଷ୍କ କଣ୍ଠରେ କହି ଉଠିଲା “ଗ୍ରିଶା ମରିଯାଇଛି…”
“ ଶୁଣ ମରିୟା ମୁଁ କହୁଛି ଗୋଟିଏ କଥା ଶୁଣ। ଲୋକ ମରୁଛନ୍ତି ଏବଂ ଆହୁରି ଅନେକ ମରିବେ- ଏ ହେଉଛି ଯୁଦ୍ଧ। ଯୁଦ୍ଧ ବୋଇଲେ ଏଇୟା, ଏ କଥା ତୁମେ ତ ନିଜେ ଜାଣ; କେବଳ ତୁମେ ଏକା ନୁହେଁ। କେତେ ସ୍ତ୍ରୀ, ପୁତ୍ର ପ୍ରଣୟିନୀ ସବୁ ପଛରେ ପଡ଼ିରହିଛନ୍ତି…। ଏହାହିଁ ଯୁଦ୍ଧ……। କିନ୍ତୁ ଆମେ- ଯେଉଁମାନେ ପଡ଼ି ରହୁଛେଁ ସେମାନଙ୍କୁ ବଞ୍ଚି ରହିବାକୁ ହେବ- କାମ କରିବାକୁ ହେବ, ନିଜ ପାଇଁ।
“ କିନ୍ତୁ ଗ୍ରିଶା ମରିଯାଇଛି…’ ସେହି ଏକରକମ ସ୍ବରରେ ମରିୟା କହି ଉଠିଲା।
“ ହଁ… ଏହା ହେଉଛି ଦୟାର ମୂଲ୍ୟ…ଗ୍ରିଶା ଏବଂ ଏପରି ଆଉ ଅନେକ।”
“ କିନ୍ତୁ ତୁମେ ତ ବେଶ୍ ବଞ୍ଚି ରହିଛ।”- ହଠାତ୍ ମରିୟା ପରିଷ୍କାର କଣ୍ଠରେ କହି ପକାଇଲା। ତା’ପରେ ତୀବ୍ର ସ୍ବରରେ ହସି ଉଠିଲା-ଗୋଟିଏ ବିଜାତୀୟ ବିଦ୍ବେଷ ଭାବ ଏବଂ ବିକ୍ଷୋଭ ସେହି ହସରେ ଫୁଟି ଉଠିଛି।
ପଲକ ମାତ୍ରେ ଭରୋନତ୍ସଭ୍ ଖୁବ୍ ରାଗି ଗଲା।