କିନ୍ତୁ ମରିୟା ଭଲ ରକମ ଜାଣେ ସେ କଥା- ଭରୋନତ୍ସଭ୍ କଠିନ ହୃଦ୍ରୋଗ ଭୋଗ କରୁଛି। ତାହାଛଡ଼ା ସେ ଡ଼ାକ୍ତର, ଅସ୍ତ୍ର ଚିକିତ୍ସାରେ ବିଶେଷଜ୍ଞ ଏବଂ ତାହାର ଯେଉଁ କାର୍ଯ୍ୟ ସେ ତା ଭଲ ଭାବରେ କରୁଛି- ତାହାପରି ଲୋକର ଯେଉଁଠି ବେଶୀ ଦରକାର ସେ ଠିକ୍ ସେହିଠାରେ ନିୟୋଜିତ।
କୌଣସି ଏକ ରହସ୍ୟଜନକ କାରଣବଶତଃ ଭରୋତ୍ସନଭ୍ର ଲଜ୍ଜ୍ୟା କରୁଣା ମୁଖମଣ୍ଡଳର ଆଭା ଓ ହାତର ଅଙ୍ଗୁଳି ଗୁଡ଼ିକର କମ୍ପନ ମରିୟାର ମନରେ ବିଜାତୀୟ ତୃପ୍ତି ଆଣିଛି।ହଁ, ଏହାହିଁ ସେ ଯେପରି ମନେ ମନେ ଦରକାର କରୁଥିଲା, ଆଘାତ କରିବାକୁ ଚାହିଁଥିଲା- କଠିନ ଆଘାତ, ଯେତେଦୂର ଆଘାତ ଦିଆଯାଇପାରେ।
ଶୁଖିଲା ମୁହଁରେ ଭରୋନତ୍ସଭ୍ ବସିରହିଲା। ମରିୟାର ମନେ ହେଲା ଯେପରି ତାହାପ୍ରତି ତାହାର ଟିକିଏ ଦୟା କରିବା ଉଚିତ୍ ଥିଲା। କିନ୍ତୁ ତାହାକୁ ଏହିପରି ବସି ରହିବାର ଦେଖି ତାହାର ମନରେ ଅଦ୍ଭୁତ ତୃପ୍ତି ଆସିଲା। ଏହି ଡ଼ାକ୍ତର ଏଡ଼େବଡ଼ ଜଣେ ବିଶେଷଜ୍ଞ, ଯାହାଙ୍କ ଆଗକୁ ଆସିବା ପାଇଁ ଅପରିଚିତ ଲୋକର ଗୋଡ଼ ଥରି ଉଠେ । ସେ ଗୋଟିଏ ଅସହାୟ ବାଳକ ପରି ବସିଛି।…
ହଠାତ୍ ଗୋଟେ ତୀବ୍ର ବେଦନା ସହ ଘଟଣାଟିର ନଗ୍ନ ବାସ୍ତବତା ତାହାର ମନେ ପଡ଼ିଗଲା।ସେହି ଭୟଙ୍କର କଥା ସେ ବାରମ୍ବାର ଉଚ୍ଚାରଣ କରୁଛି କିନ୍ତୁ ତାହାର କୌଣସି ଅର୍ଥ ଏ ପର୍ଯ୍ୟନ୍ତ ସେ ବୁଝିନାହିଁ। ଅଜଣା ଅବୁଝା ‘ଶବ୍ଦ-ଯୋଜନା’ କରି କଥାଟା ସେ ଉଚ୍ଚାରଣ କରିଯାଉଛି ବହୁତ ଥର, ତାହାର ମାନେ ବୁଝି ନାହିଁ। ମରିୟା ଉଠି ବସିଛି। ତାହାର ସମସ୍ତ ଶରୀର ଥରୁଛି, ଗଭୀର ହତାଶାରେ ଆଖି ଡ଼ୋଳା ଦୁଇଟି ବାହାରି ପଡ଼ିଛି, ମରିୟା ଆଖି ମଳି ମଳି କାନ୍ଦି ଉଠିଲା, “ଗ୍ରିଶା ମରିଯାଇଛି, ଗ୍ରିଶା ନାହିଁ…”
ଭରୋନତ୍ସଭ୍ ଧାଇଁ ଆସିଲା; ଭିତରେ ତାହାର ସମସ୍ତ ଶରୀର କମ୍ପି ଉଠୁଛି। ଅନ୍ତରର ଅନ୍ତସ୍ଥଳରୁ କ୍ରନ୍ଦନର ରୋଳ ଉଛୁଳି ଉଠି ମରିୟା ଭାଙ୍ଗି ପଡ଼ିଛି। ତାହାକୁ ଯତ୍ନରେ ତୋଳିଧରି ଭରୋନତ୍ସଭ୍ ତା ପାଖରେ ବସି ରହିଲା। ଛୋଟ ଶିଶୁଟି ପରି ମରିୟା ତାର କାନ୍ଧ ଉପରେ ମୁଣ୍ଡ ରଖିଛି।
ଭରୋନତ୍ସଭ୍ ତାହାକୁ ଏପରିଭାବରେ ଯାକି ଧରିଛି ଯେପରି ସେ ସମସ୍ତ ଅମଙ୍ଗଳ ଏବଂ ଦୁର୍ଭାଗ୍ୟରୁ ତାହାକୁ ଉହାଡ଼ କରି ରଖିବ। ସେହି ମୁହୂର୍ତ୍ତକ ପାଇଁ ତାହାର ମନରେ ଏକ ଅଦ୍ଭୁତ କୋମଳତା ଜାଗି ଉଠିଛି, ଅଭୂତପୂର୍ବ ଅନୁକମ୍ପା-ଗୋଟିଏ ଗୃହତ୍ୟାଗିନୀ ଭଉଣୀ ପ୍ରତି ଭାଇର ପବିତ୍ର ସ୍ନେହ ଯେପରି ତାହାଛଡ଼ା ଦୁନିଆରେ ତାହାର ଆଉ କେହି ନାହିଁ। ମରିୟାର କମ୍ପିତ ଦେହକୁ ନିଜ ଉପରକୁ ଢ଼ାଳି ଦେଇ ଅନଭ୍ୟସ୍ତ, ଅପଟୁ ହାତରେ ଭରୋନତ୍ସଭ୍ ତା ଆଖିରୁ ଲୁହ ପୋଛି ଦେଲା। ଆସ୍ତେ ମରିୟାର କ୍ରନ୍ଦନର ବେଗ କମିଆସିଲା। ଛୋଟ ପିଲାଙ୍କ ପରି ଫୁଲି ଫୁଲି କୋହ ଉଠୁଥାଏ। ଭରୋନତ୍ସଭ୍ ଉଠିଯାଇ କଣ ଗୋଟିଏ ଔଷଧ ଆଣି ତାକୁ ଖାଇବାକୁ ଦେଲା।ମରିୟା ଆପତ୍ତି କଲା, ପରେ ଔଷଧଟା ଖାଇଲା।
“ଏଥର ତୁମକୁ ନିଦ ଆସିଯିବ।” – ଆଉ ଗୋଟାଏ କମ୍ବଳ ଆଣି ତାହାକୁ ଢ଼ାଙ୍କି ଦେଲା। ଅବିରତ ଧାରାରେ ମରିୟାର ଗାଲ ଉପରେ ଆଖିର ଲୁହ ବହିଗଲା। ତାହାର ହାତ, ନିଜ ହାତ ମୁଠାରେ ଧରି ଭରୋନତ୍ସଭ୍ ପାଖରେ ବସିରହିଲା। ନିଦରେ ଶୋଇ ମଧ୍ୟ ମରିୟା କଇଁ କଇଁ କାନ୍ଦୁଥିବା ଯୋଗୁଁ ଫୁଲି ଉଠିଥିବା ତାର ଦେହ ଆଡ଼କୁ ସେ ଚାହିଁ ରହିଥାଏ। ଆଖିର ଲୁହ ଗାଲ ଉପର ବହିଯାଇ କମ୍ବଳର ଉଜ୍ଜଳ ବାଳଗୁଡ଼ିକ ଭିଜାଇ ଦେଲା। ସେହି ଭିଜା ବାଳଗୁଡ଼ିକ ଉପରେ ତାହାର ତୃଷିତ ଓଠ ଦୁଇଟି ଚାପି ଧରିବା ପାଇଁ ଭରୋନତ୍ସଭ୍ର ହଠାତ୍ ପ୍ରବଳ ଇଚ୍ଛା ହେଲା କିନ୍ତୁ ଭଗ୍ନ ହୃଦୟର ଗୋଟିଏ ଦୀର୍ଘ ନିଃଶ୍ବାସ ଛାଡ଼ି ସେ ମୁହଁ ଫେରାଇ ନେଲା।
ଭରୋନତ୍ସଭ୍ ଉଠିଆସି ଝରକା ପାଖରେ ଛିଡ଼ା ହେଲା। ବର୍ଷା ହେଉଛି, ବାହାରେ ଗୋଟିଏ ଲରୀର ଚାରିପାଖେରେ ଲୋକ ଜମି ରହିଛନ୍ତି। ଡ଼େଙ୍ଗା ଯୁବକ ଜଣେ ଏକାଦମ୍ରେ ଗୋଟିଏ ବଡ଼ ଥଳି ପିଠି ଉପରକୁ ଉଠାଉଛି। ଭରୋନତ୍ସଭ୍ ଦେଖିଲା ଲୋକଟିର ଖରାରେ ସିଝା ମୁହଁଟି ହସରେ ଉଜ୍ଜ୍ବଳ ହୋଇଉଠିଛି। ଗୋଟିଏ ପିଲା ଡ଼େଇଁ ପଡ଼ି ନାଳ ପାର ହେବାକୁ ଯାଇଁ ଗୋଡ଼ ଖସିପଡ଼ିଗଲା…ପାଣି ଛିଟିକି ଉଠିଲା। ଥଳି କାନ୍ଧରେ ପକାଇଥିବା ଲୋକଟି ହସି ଉଠିଲା। ଦୂରରୁ ଭରୋନତ୍ସଭ୍ ତାହାର ଧୋବ ଚକଚକିଆ ଦାନ୍ତଗୁଡ଼ିକ ଦେଖି ପାରିଲା।
ବହି ଭିତରୁ ଶୁଖିଲା ଫୁଲଟି ଖସି ପଡ଼ିଲା- ମୌସୁମୀବାୟୁରେ ହଳଦିଆ ହୋଇଯାଇଥିବା ଗୋଟିଏ ଫୁଲ। ଦିନେ ଏହି ଫୁଲଟି କୌଣସି ଏକ ସବୁଜ ଗନ୍ଧଭରା କୁଞ୍ଜତଳ ଛାଇରେ ଫୁଟିଥିଲା…ଝରି ପଡ଼ିଥିବା ପତ୍ରରେ ଢ଼ାଙ୍କି ହୋଇଥିବା ମାଟିର ତୀବ୍ର ମଧୁର ଗନ୍ଧରେ ଚାରିଆଡ଼େ , ଆକାଶ ଏବଂ ବତାସ ଆକୁଳିତ ହୋଇ ଉଠିଥିଲା। ଉଦାସ ଗନ୍ଧଭରା ପଥରେ ସେମାନେ ଏହି ନିର୍ଜନ ଛାୟା- ଶୀତଳ ସ୍ଥାନଟିକୁ ଆସିଥିଲେ- ଯେଉଁଠାରେ ପୃଥିବୀ ଶିଶିରର ସ୍ନିଗ୍ଧ ସ୍ପର୍ଶ ପାଇ ଦୀର୍ଘ ନିଦ୍ରା ଶେଷରେ ନିଦ ଭାଙ୍ଗି ଚେଇଁ ଉଠିଲା ପରି ଜଣାଯାଉଥିଲା। ଏହି ପୁଷ୍ପିତ ଉପତ୍ୟକାରେ ବସନ୍ତ ସବୁଜ ପତ୍ର ସୁଶୋଭିତ କୁଞ୍ଜର କୁସୁମମଞ୍ଜରୀ ଅନ୍ତରାଳରେ ସେମାନଙ୍କର ଅଙ୍ଗୁଳି ପରସ୍ପରକୁ ସ୍ପର୍ଶ କରିଥିଲା ଓ ଆବେଗପୂର୍ଣ୍ଣ ଉଷ୍ମତା ଅନୁଭବ କରି ଦୁଇଟି ହସ୍ତ ଅଚିତରେ ଜଡ଼ିତ ହୋଇଯାଇଥିଲା। କମ୍ପିତ ଆଙ୍ଗୁଳିରେ ସେମାନେ କୁସୁମ ଆହରଣ କରିଥିଲେ ଓ ପୁସ୍ତକର ପତ୍ର ମଧ୍ୟରେ କୁସୁମଟି ସାଇତି ରଖି ଦେଇଥିଲେ। ଯାହା ଲକ୍ଷ୍ୟଦିନ ତଳର ସ୍ମୃତିକୁ ସ୍ବତନ୍ତ୍ର କରି ଏତେ ଦିନ ପର୍ଯ୍ୟନ୍ତ ସଞ୍ଚିତ କରି ରଖିଛି; ତୁଷାର କୁସୁମର ଗନ୍ଧ ଓ ରେଶମୀ ପତ୍ର ଉପରେ ପଡ଼ିଥିବା ଶିଶିର ସ୍ମୃତି। ଉପତକାର ଏହି ମୌସୁମୀ ଫୁଲଟିର ଏପରି ଏକ ଦିନ ଥିଲା-ମରିୟା ଆଉ ଗ୍ରିଶାର ସେହି ପ୍ରଥମ ପ୍ରଣୟର ମିଳନ ଦିବସ।