ପ୍ରେମର ନିକଷ




“ ଯୁଦ୍ଧ ଖବର ଶୁଣିବାକୁ ଚାହୁଁଚ ତୁମେ?” ମୁହୂର୍ତ୍ତକ ଯାଏଁ ଲୋକଟି ଆଖି ବୁଜି ପଡ଼ି ରହିଲା- ତାହାର ମୁଖମଣ୍ଡଳରୁ ଅସ୍ଥିରତା ।ଲୋକଟି ମୁହଁ ଉପରେ ନଇଁପଡ଼ି ମରିୟା ଯୁଦ୍ଧ ଖବର କହିଲା।“ବର୍ତ୍ତମାନ ଆମ ପାଖରୁ ଆକ୍ରମଣ ଚାଲିଛି। ଆମ ସୈନ୍ୟ କୋଡ଼ିଏ କିଲୋମିଟର ଆଗେଇ ଯାଇଛନ୍ତି।ପ୍ରାୟ ଶହେ ଗାଁ ଫେର୍‌ ଦଖଲ କରିଛନ୍ତି”।

କ୍ଷଣିକ ପାଇଁ ମୁମୂର୍ଷ ଲୋକଟିର ମୁଖମଣ୍ଡଳ ଉଜ୍ଜଳ ହୋଇ ଉଠିଲା। ଜ୍ବର଼ତପ୍ତ ଚକ୍ଷୁ ଦୁଇଟିରେ ମଧ୍ୟ ଚେତନାର ସଜୀବ ଦିପ୍ତୀ ଜାଗି ଉଠିଲା ; ଏହି ଖବର ସେ ଚାହିଁଥିଲା। ଏହି ଖବର ଶୁଣିବା ପାଇଁ ତାହାର ଅନ୍ତର ଆକୁଳିତ ହେଉଥିଲା ଏତେବେଳେ ଯାଏଁ। ଟିକିଏ ପରେ ହାତର ଆଙ୍ଗୁଳିଗୁଡ଼ିକ ମୋଡ଼ି ହୋଇ ଆସିଲା, ଆଖି ଦୁଇଟି ପୁଣି ମଳିନ ହୋଇଆସିଲା, ଯେପରି ସେ ବହୁତ ଦୂରକୁ ଚାଲିଯାଇଛି। ଜ୍ବର ଯନ୍ତ୍ରଣାରେ ପ୍ରଳାପ ଆରମ୍ଭ କଲା, ଓଠ ଦୁଇଟି ପୁଣି ଚାପିବାକୁ ଆରମ୍ଭ କଲା, ଯେପରି ଆଉ କିଛି କହିବାକୁ ଚାହୁଁଛି। କିନ୍ତୁ ଏଥର କିଛି ବୁଝିହେଲା ନାହିଁ। ଯେପରି ସେ ନିଜେ ନିଜେ କଥା କହୁଯାଉଛି…। ଓଠ ଦୁଇଟି ଶୀଘ୍ର ହଲି ଯାଉଥାଏ।

ଡଠାତ୍‌ ମରିୟା ଖିଆଲ ହେଲା ଯେ ତା ନିଜର ଓଠ ମଧ୍ୟ ହଲୁଛି। ପ୍ରବଳ ଜ୍ବରରେ ସେ ଯେପରି  ଗୋଟିଏ କଥା ପ୍ରଳାପ କରି ଚାଲିଛି, କ୍ଷୀଣ ଅସ୍ପଷ୍ଟ ସ୍ବରରେ ‘ ଗ୍ରିଶା… ଗ୍ରିଶା… ଗ୍ରିଶା…

ମରିୟା ନିଜକୁ ସମ୍ଭାଳି ନେଲା। ତାହାର ମନେ ହେଲା ସବୁ ଯେପରି ଗୋଟିଏ ବିରାଟ ପ୍ରହେଳିକା, ଗୋଟିଏ ଦୁଃଶ୍ଚିନ୍ତା, ଦୁଃସ୍ବପ୍ନ, ଗୋଟିଏ ଭୁଲ୍‌ ।ତାହାର ନର୍ସ ପୋଷାକ ଭିତରୁ ଖଣ୍ଡିଏ କାଗଜଟା ବାସ୍ତବ, କିନ୍ତୁ ତାହା ଅର୍ଥହୀନ!

ମୁମୂର୍ଷର ଅନୁଚ୍ଚକଣ୍ଠ ଉଚ୍ଚତର ହେଲା। ଜ୍ବର-ତପ୍ତ ଶୁଷ୍କ ଓଠ ଦୁଇଟି ଭିତରୁ ଅବୁଝା ଅସ୍ପଷ୍ଟ ସ୍ବର ବାହାରି ଆସିଲା। ହଠାତ୍‌ ତାହାର ପଲକହୀନ ଦୃଷ୍ଟି ଉପରକୁ ହୋଇଗଲା। ଦୁଇଟି କହୁଣି ଉପରେ ଶୁଆଇ ଦେଲା। ଧକ୍କାମାରି ହାତ ଦୁଇଟି ହଲାଇ ସେ ଛାଟିପିଟି ହେଲା। ମରିୟା ତାହାର ମୁଥିରୁ ନିଜକୁ ରକ୍ଷା କରିବା ପାଇଁ ମୁହଁ ଘୁଞ୍ଚାଇ ନେଲା, ତା’ପରେ ହାତ ଦୁଇଟା ଧରିପକାଇଲା। “ଶାନ୍ତ ହୁଅ, ଟିକିଏ ଶାନ୍ତ ହୋଇ ଶୋଇରହ।” କ୍ରମେ ଲୋକଟି ନିସ୍ତେଜ ହୋଇଆସିଲା, ଖୁବ୍‌ ଜୋର୍‌ରେ ନିଃଶ୍ବାସ ପ୍ରଶ୍ବାସ ନେଲା, ତା’ପରେ ଅବଶ ହେଲା ପରି ବିଛଣାରେ ପଡ଼ି ରିହଲା। ମୁହଁଟି ଫିକା ହଳଦିଆ ହୋଇ ଆସିଲା, ନାକଟି ଆହୁରି ଥଣ୍ଡା ହୋଇଗଲା। ମୁହୁର୍ତ୍ତକ ପାଇଁ ତାର ଶ୍ବାସପ୍ରଶ୍ବାସ ଏତେ ଧୀର ହୋଇ ଆସିଲା ଯେ, ମରିୟା ଭାବିଲା ସବୁ ଶେଷ ହୋଇ ଗଲା। କିନ୍ତୁ ପର ମୁହୂର୍ତ୍ତରେ ସେ ଅସ୍ପଷ୍ଟ ସ୍ବରରେ ଭଟ୍‌ ଭଟ୍ ହେବାକୁ ଆରମ୍ଭ କଲା। ତାର ମୃତ୍ୟୁ ମଳିନ ପାଣ୍ଡୁ ମୁହଁରୁ ଗୋଟିଏ କଥା ଥରକୁ ଥର ବାହାରୁଛି…।

ଲୋକଟି ଯେପରି କଣ ଦେଖୁଛି-କାହା ସହିତ ଯେପରି କଥାବାର୍ତ୍ତା ହେଇଛି ଆଉ କଅଣ ଗୋଟେ ପ୍ରଶ୍ନ ତାକୁ ବାରମ୍ବାର ପଚାରୁଛି। ରୋଗଶଯ୍ୟା ଏବଂ ମୃତ୍ୟୁଶଯ୍ୟା ସବୁ ପଛରେ ପକାଇ ଯେପରି ସେ ଦୂରକୁ…ବହୁତ ଦୂରରେ ଯୁଦ୍ଧକ୍ଷେତ୍ରରେ… ସେଠାର ମାନଚିତ୍ର ଉପରେ ନଇଁପଡ଼ି ଗଭୀର ମମତାର ସହିତ ନିଜ ଦେଶର ସୀମା ରେଖା ମାପିବାରେ ଲାଗିଛି ସେ କଅଣ ଯେପରି ଉତ୍ତେଜିତ କରି ପାକାଉଛି, କଅଣ କରିବା ପାଇଁ ଯେପରି ସେ ବାରମ୍ବାର ନିର୍ଦ୍ଦେଶ ଦେଉଛି, ସେହି କାର୍ଯ୍ୟ ବର୍ତ୍ତମାନ ଶେଷ କରିବାକୁ ଚାହୁଁଛି।ହାସପାତାଳ ବିଛଣାରେ ସେ ବର୍ତ୍ତମାନ ନାହିଁ ଯେପରି ସେ ଯୁଦ୍ଧ କ୍ଷେତ୍ରରେ ନିଜ ଦେଶ ପାଇଁ ପ୍ରାଣ ଦେଇଛି। ତାହାର ସମସ୍ତ ଚିନ୍ତା, ସକଳ ଭାବନା, ସବୁ ଉତ୍ତେଜନା ଯେପରି ସେହି କ୍ଷେତ୍ରର କାର୍ଯ୍ୟକଳାପ ନେଇ- ଯେଉଁଠାରେ ପ୍ରତି ମୁହୂର୍ତ୍ତରେ କମାଣ ଗର୍ଜିଉଠୁଛି; ଦଳେ ସାଥୀ ଦାନ୍ତ କାମୁଡ଼ି ଚିତ୍କାର କରି କରି ମରଣାନ୍ତ ଆକ୍ରମଣ ପାଇଁ ଛୁଟି ଚାଲିଛନ୍ତି। ଏଇ ଶେଷ ମୁହୂର୍ତ୍ତରେ ଆଉ କୌଣସି ଭାବନା କୌଣସି ଚିନ୍ତାର ସ୍ଥାନ ତାର ମନେରେ ନାହିଁ। ମରିୟା କାନ ପାତି ତାହାର ଅସ୍ପଷ୍ଟ କଣ୍ଠର ଭାଷା ଶୁଣିବାକୁ ଚେଷ୍ଟା କଲା। ଯେବେ ସେ ଦୁଇପଦ କଥା କହି ଏହି ମୃତ୍ୟୁ ପଥରେ  ଯାତ୍ରୀଟିକୁ  ଶାନ୍ତି ଦେଇପାରେ, ଟିକିଏ ତୃପ୍ତି ଏବଂ ସାନ୍ତ୍ବନା ! କିନ୍ତୁ ତାହାର ଚେତନା ପ୍ରାୟ ଲୋପ ପାଇବା ଉପରେ। କିଛି ଦେଖିବା ଶୁଣିବାର ବହୁତ ଦୁରରେ ସେ।

କେତେବେଳେ ଏହି ଅଭିଶପ୍ତ ରାତ୍ରିର ଶେଷ ହେବ? ପ୍ରତ୍ୟେକ ମିନିଟ୍‌ ଯେପରି ଧିମେଁଇ ଧିମେଁଇ ଚାଲିଛି। ସମସ୍ତ ଗତି ଯେପରି ବନ୍ଦ ହୋଇଆସୁଛି। ମରିୟାର ଚିନ୍ତାର ଧାରା ଗୋଳମାଳିଆ ଧରିଯାଇଛି, ତାହାର ମନରେ ଯାହା କିଛି ସବୁ ଏକ ହୋଇଯାଇଛି। ଗ୍ରିଶା… ଏହି ମୁହୂର୍ତ୍ତ ଲୋକଟି… ରେଇଜା. ଡ଼ିରେକ୍‌ଟର। ଡ଼ିରେକ୍‌ଟ୍‌ରଙ୍କୁ ସେ କେତେବେଳେ ଦେଖା କରିଛି? କାଲି ? ପରଦିନ? ନା ତା’ ଆରଦିନ?  ,ନା  ବର୍ଷକ ଆଗେ? କେବେ? ଭଲା ତାଙ୍କ ସହିତ ତାହାର ଦେଖା ହୋଇଛି?




+ -

© Jataayu Charitable Trust
Site designed,developed & maintained by Tekons