ପ୍ରେମର ନିକଷ




 ଭୂମିକା

 

ସୋଭିଏଟ୍‌ ରୁଷ୍‌… କମ୍ୟୁନିଷ୍ଟ ନେତୃତ୍ବରେ ଚାଷିମୂଲିଆଙ୍କ ସରକାର…ମାନବସମାଜର ଗତିପଥରେ ନୂଆ ଏକ ଅଧ୍ୟାୟ ସେ । ପୁରୁଣା ସମାଜର କଳଙ୍କିଲଗା ବ୍ୟବସ୍ଥା ଗୁଡ଼ିକ ଭାଙ୍ଗି ନୂଆ ଜୀବନ ଗଢ଼ାଯାଇଛି; ପରିବର୍ତ୍ତିତ ପରିସ୍ଥିତିରେ ନୂଆ ଅନୁଭୂତି ଭିତରେ ମନୁଷ୍ୟକୁ ଗତି କରିବାକୁ ପଡ଼ୁଛି। ଏହି ଅଭିନ‍‍‍ବ ସମାଜର ବ୍ୟବସ୍ଥାମାନ ସୁସ୍ଥ କି ରୁଗ୍‌ଣ , ଅନୁଭୂତିଗୁଡ଼ିକ ତିକ୍ତ କି ମଧୁର , ସେଠି ଜୀବନ ମଧୁମୟ କି ବିଷାକ୍ତ ସେ ବିଷୟରେ ଆମେ ଅନୁଭବୀ ନୋହୁଁ। ଦେଶେ  ଦେଶେ କମ୍ୟୁନିଷ୍ଟମାନଙ୍କର ‘ପ୍ରଚାର’ ଯେ ପୁଞ୍ଜିବାଦୀ ସମାଜର ଅମଙ୍ଗଳ ସେଠି ନାହିଁ। ରୁଷ ଦେଶରେ ଯାହା ବାସ୍ତବ ହୋଇଛି ତା ଅନ୍ୟ ଦେଶମାନଙ୍କରେ ହେଉ- ସେଥିଲାଗି କମ୍ୟୁନିଷ୍ଟମାନେ ସଚେଷ୍ଟ। ବିଶ୍ବକବି ରବୀନ୍ଦ୍ରନାଥ ଠାକୁର ରୁଷ୍‌  ଭ୍ରମଣ ଅନୁଭୂତିକୁ ତାଙ୍କର କବି ସୁଲଭ ଭାଷାରେ କହିଛନ୍ତି, “ ଯୁଗ ଯୁଗାନ୍ତେର  କବିର କଳ୍ପନା ଆଜି ବାସ୍ତବେ ପରିଣତ ହୟେଛେ।” ଅପରପକ୍ଷରେ ପୁଞ୍ଜିବାଦୀମାନେ ସେମାନଙ୍କର ଭାଷା ଖବର କାଗଜ , ବହି, ବେତାର ଆଦି ଜରିଆରେ ଲୋକଙ୍କୁ ‘ନୀତିଶିକ୍ଷା’ ଦିଅନ୍ତି ଯେ ସୋଭିଏଟ୍‌ ରୁଷରେ ନରକର ସୃଷ୍ଟି ହୋଇଛି, ସେ ଆଦର୍ଶ ଅତି ଜଘନ୍ୟ , ସେଠିକାର ବ୍ୟବସ୍ଥାମାନ ଅତି କୁତ୍ସିତ, କଦାକାର;- ତେଣୁ ଆମକୁ ସମାଜରେ ଚଳିତ ବ୍ୟବସ୍ଥାମାନ ଗ୍ରହଣ କରିନେବାକୁ ହିଁ ହେବ ଅପରିବର୍ତ୍ତିତ ଓ ଅପରିବର୍ତ୍ତନୀୟ ଭାବେ । ଏ ଦୁଇ ବିରୋଧାତ୍ମକ ବିବରଣୀରୁ କିଏ ସତ, କିଏ ମିଛ ବାରିବା ମୁସ୍କିଲ ହୋଇପାରେ , କମ୍ୟୁନିଷ୍ଟମାନେ ରୁଷିଆର କୁଟୁମ୍ବ ବା (ପୂଞ୍ଜିବାଦୀମାନେ ଯେପରି ବର୍ଣ୍ଣନା କରନ୍ତି)  ରୁଷିଆର ଭଡ଼ାଟିଆ ଦଲାଲ , ଦେଶକୁ ରୁଷିଆକୁ ବିକି ଦେବାକୁ ବସିଛନ୍ତି।ଦଲାଲି ରାଜନୀତିରେ ଅନୁଭୂତି ଜର୍ଜରିତ ଆମ ମନକୁ କଥାଟା ସତ ପରି ଲାଗେ , କିନ୍ତୁ ପ୍ରତ୍ୟେକ ପୁଞ୍ଜିବାଦୀ ଦେଶରେ ସୋଭିଏଟ୍‌ ଓ ଅପର ଦେଶରେ କମ୍ୟୁନିଷ୍ଟ  ମାନଙ୍କ ବିରୁଦ୍ଧରେ ଏହି ଏକ  ପ୍ରକାର ଅଭିଯୋଗ ଅତି ପ୍ରବଳ ଭାବେ ସରକାରୀ ଓ ବେସରକାରୀ ନେତୃତ୍ବରେ ପ୍ରଚାରିତ ହେଉଥିଲେ ବି କୌଣସିଠାରେ ତ କାହିଁ କୌଣସି କମ୍ୟୁନିଷ୍ଟ ଅନୁଷ୍ଠାନ ସହିତ ସୋଭିଏଟ୍‌ର ଗୁପ୍ତ ଯୋଗସୂତ୍ର ବା ବିକ୍ରିଖରିଦ କବଲା ବା ଚୁକ୍ତିନାମା ବା ଟଙ୍କା ପଇସା ଦେଣନେଣ ପ୍ରଭୃତିରେ ପ୍ରମାଣ ଅଦ୍ୟାବଧି ଦର୍ଶାଯାଇ ନାହିଁ ! ଆଉ ୟା କଣ ହେଇପାରେ ଯେ ପୁଞ୍ଜିପତିମାନେ ପୁଞ୍ଜିବାଦୀ ବ୍ୟବସ୍ଥାରେ ଯେଉଁ ସୁଖସୁବିଧାର ମଉକା ମାରୁଛନ୍ତି, ତା ସେମାନେ ସେ ପରିବର୍ତ୍ତିତ ଅବସ୍ଥାରେ ପାଇବେ ନାହିଁ ବୋଲି ପୁଞ୍ଜିପତିମାନେ ସେମାନଙ୍କର ବିଭିନ୍ନ ଭେକଧାରୀ ଦଲାଲଙ୍କ ଜରିଆରେ ସୋଭିଏଟ୍‌ ବିରୁଦ୍ଧରେ ତୁଚ୍ଛା ମିଛ ଖବର ବାହାର ଜଗତରେ ପ୍ରଚାର କରି କମ୍ୟୁନିଜିମ୍‌ ଓ କମ୍ୟୁନିଷ୍ଟମାନଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି।

            ସୋଭିଏଟ୍‌ ପାରିବାରିକ  ବ୍ୟବସ୍ଥା, ବିଶେଷତଃ ବୈବାହିକ ସମ୍ବନ୍ଧ ବିଷୟରେ ପୁଞ୍ଜିବାଦୀ ପତ୍ରପତ୍ରିକାଠାରୁ ଆରମ୍ଭ କରି ଅଜ୍ଞଜନର ପ୍ରଳାପରେ ଅତି କଦାକାର ଚିତ୍ରଣ କରାଯାଇଥାଏ……… ଯେପରି କି ଜନସାଧାରଣ କମ୍ୟୁନିଷ୍ଟ ବ୍ୟବସ୍ଥାର ଅନ୍ୟ ସମସ୍ତ ବିଷୟକୁ ପସନ୍ଦ କଲେ ମଧ୍ୟ ଏହି ଚିତ୍ରଣ ଦ୍ବାରା ତାହା ପ୍ରତି ସେମାନଙ୍କର ମନ ବି ହଟିଯିବ  ଓ ସେମାନେ କମ୍ୟୁନିଜ୍‌ମ୍‌ ଭାବଧାରାର  ପ୍ରସାରକୁ ବିରୋଧ କରିବେ । ପୁଞ୍ଜିବାଦୀଙ୍କର ଏ ନୀତିଶିକ୍ଷାରେ ଯଥେଷ୍ଟ ମୌଳିକତା ଅଛି। ମୁଁ ସ୍ବୀକାର କରିବାକୁ ଲଜ୍ଜାବୋଧ କରୁ ନାହିଁ ଯେ ମୁଁ କିଛି କାଳ ପାଇଁ ଏ ପ୍ରକାର ପ୍ରଚାରରେ ବିଶ୍ବାସ ସ୍ଥାପନ କରିଥିଲି। ସୋଭିଏଟ୍‌ ରୁଷ ବିଷୟରେ ଯେଉଁମାନଙ୍କର ପ୍ରତ୍ୟକ୍ଷ ଜ୍ଞାନ ଅଛି ସେମାନଙ୍କଠାରୁ ସତ୍ୟାସତ୍ୟ ନ ବୁଝିବା ଯାଏଁ ମୁଁ ଏହି ପ୍ରଚାରର ବଶବର୍ତ୍ତୀ ହୋଇଥିଲି; ମୋର ଧାରଣା ଥିଲା ସୋଭିଏଟ୍‌ରେ ନିରଙ୍କୁଶ ବ୍ୟଭିଚାର ଲାଗି ସ୍ବେଚ୍ଛାଚାର ହିଁ କମ୍ୟୁନିଷ୍ଟ ସରକାର ନିର୍ଦ୍ଧାରିତ ଓ ଅନୁସୃତ ନୀତି । ଯେଉଁ ଶଠତା ଦ୍ବାରା ମୁଁ ପ୍ରତାରିତ ହୋଇଥିଲି, ଅନ୍ୟମାନଙ୍କୁ ସେ ବିଷୟରେ ସାବଧାନ କରାଇଦେବା ମୋ ପକ୍ଷରେ ନିତ୍ୟାନ୍ତ ଉଚିତ୍‌। ଦଶଟି ଗ୍ରନ୍ଥ ଲେଖି ବି ମୁଁ ପାଠମାନଙ୍କ ମନରେ ପ୍ରତ୍ୟୟ ଆଣିପାରି ନାହିଁ  କିନ୍ତୁ ସୋଭିଏଟ୍‌ ରୁଷର ଜଣେ ଲେଖିକାଙ୍କର ଏହି ଉପନ୍ୟାସକୁ ଅନୁବାଦ କରିବା ଦ୍ବାରା ହିଁ ସେମାନଙ୍କ ସମାଜରେ ଦାମ୍ପତ୍ୟଜୀବନ ବିଷୟରେ ବିଶ୍ବାସଯୋଗ୍ୟ ପ୍ରମାଣ ମୁଁ ପାଠକମାନଙ୍କ ସମକ୍ଷରେ ଉପସ୍ଥାପିତ କରୁଛି।

 

 




+ -

© Jataayu Charitable Trust
Site designed,developed & maintained by Tekons