ଆକାଶର ଛାତି ଫୁଟାଇ ଚମକିଗଲା ବହୁଦୂରକୁ ଗୋଟାଏ ଲାଲ ଆଲୋକ ଜଳିଉଠିଲା। ରକେଟ୍ର ପଟ୍ ପଟ୍ ଶବ୍ଦ ସହିତ କଳା ଆକାଶରୁ ସବୁଜ ସୁନେଲି ଓ ନୀଳ ଆଲୋକର ତାରାସବୁ ଝରିପଡ଼ିଲା, ଦିଗ ଦିଗନ୍ତରେ ପ୍ରତିଧ୍ବନିତ ହେଲା ଏହି କମାଣରେ ଗର୍ଜନ, ପୃଥିବୀ କମ୍ପି ଉଠିଲା, ଆକାଶରେ ଆଲୋକର ପଥ ତିଆରି କରି ତାରା ଖସିପଡ଼ିଲା। ଶେଷ ଲାଲି ଆଲୋକଟି ବର୍ତ୍ତମାନ ସୁଦ୍ଧା ଆକାଶରେ ଝୁଲି ରହିଛି, ଝଡ଼ିପଡ଼ିଥିବା ପତ୍ରପରି ଧୀରେ ପୃଥିବୀ ଉପରକୁ ଓହ୍ଲାଇ ଆସୁଛି। କ୍ରମେ କମାଣ ଗର୍ଜନର ପ୍ରତିଧ୍ବନି ମିଳାଇଗଲା। ପୁଣି କଳା ଅନ୍ଧାର ଘୋଟି ଆସିଲା ଝରକା ବାହାରେ ।
“ଦୁଇ।” –ଗ୍ରେଗରୀ ଶୁଣିବାକୁ ଆରମ୍ଭ କଲା। ପୁଣି ଆଖି ଝଲସିଆ ତୀବ୍ର ଆଲୋକରେ ଦିଗ୍ବିଦିଗ ଉଦ୍ଭାସିତ ହୋଇଉଠିଲା; ଅନ୍ଧକାର ଭିତରୁ କ୍ରେମ୍ଲିନ୍ର ଢେଉପରି ଟେକି ହୋଇଥିବା ପ୍ରାଚୀର ଆଉ ବିରାଟ ଗମ୍ବୁଜଟା ଦେଖାଗଲା; ଚାରିଆଡ଼ ଆଲୋକିତ କରି ପୁଣି ଗୋଟାଏ ନୀଳ ଆଲୋକ ଦେଖାଗଲା; ପୁଣି କମାଣ ଗର୍ଜନର ଅଭିନନ୍ଦନ-ଚାରିଆଡ଼ ଆଲୋକିତ-ଯେପରି ଦିନର ଆଲୋକ ଫୁଟିଉଠୁଛି।
“ଏହି ଯେ ଏଇତ ଦେଖ।”
ରକେଟ୍ ଫାଟି ଗୋଟାଏ ନୀଳ ଆଲୋକର ଝରଣା ବହିଆସୁଛି, ତାହାପରେ ଉଇଲୋ ଶାଖାପରି ଚାରିଦିଗକୁ ବିଛୁଡ଼ି ହୋଇଯାଉଛି, ମୁହୂର୍ତ୍ତକ ପାଇଁ ଆକାଶରେ ଅଟକି ରହିଯାଉଛି, ତାହାପରେ ଲିଭିଯାଉଛି। ରଖିଯାଉଛି କେବଳ ସୁନେଲି ଧୂଳିର ମେଘ, ଆକାଶରେ ଜଳି ରହୁଛି ଗୋଟାଏ କମ୍ପିତ କୁଝଟିକା।
“ତିନି।”
ହଁ,ହଁ, ଠିକ୍ କହିଥିଲା ଭାସ୍ୟାର ପ୍ରଣୟିନୀ। ସମସ୍ତେ ଗ୍ରେଗରୀର ମୁହଁକୁ ଅନାଇ ଦେଖନ୍ତୁ – ତାହାର ଗ୍ରେଗରୀ, ଶତ କମାଣର ବଜ୍ର-ନିର୍ଘୋଷରେ ଯାହାକୁ ନମସ୍କାରେ ବିଜୟ ଅଭିନନ୍ଦନ ଜଣାଉଛନ୍ତି ଦେଶମାତୃକାର ଯୋଗ୍ୟ ସନ୍ତାନରୂପେ…।
ଏଇ ତ ପ୍ରେମ- ଉର୍ଦ୍ଧ୍ବ ଆକାଶରେ ରକେଟ୍ ଗୁଡ଼ିକ କହିଯାଏ, ଏହି ତ ପ୍ରେମ ବଜ୍ର ନିର୍ଘୋଷରେ କମାଣର ମୁହଁ ଗର୍ଜିଉଠେ; ଆକାଶର ଛାତିରେ ଗୋପନ ଭାଷାରେ ଲେଖିଯାଏ ଲାଲ, ସବୁଜ ଆଉ ସୁନେଲି ଆଲୋକର ଲେଖା।
ଏଇତ ପ୍ରେମ, ପ୍ରକୃତ ପ୍ରେମ।
***