ଗ୍ରିଶା ହାତ ବଢାଇ ତାହାର ଗଳାକୁ ଭିଡ଼ି ଧରିଲା ; କିନ୍ତୁ ଗ୍ରିଶାର ଯେ ହାତବୋଲି ଗୋଟିଏ ମାତ୍ର, ଏକଥା ଭାବି ତାହାର ହୃଦୟରେ ସ୍ପନ୍ଦନ ଆସିଲା ନାହିଁ, ସେ ସ୍ତବ୍ଧ ହୋଇଗଲା । ମରିୟାର ନିଜର ତ ଦୁଇଟି ହାତ ଅଛି- ତରୁଣ ଶକ୍ତିଶାଳୀ,କର୍ମଠ, ଆଉ ଗ୍ରିଶାର ହାତଟି ମଧ୍ୟ ଠିକ୍ ସେହିପରି , ଖରାରେ ସିଝି ଯାଇଥିବା ବିଶାଳ ପୌରୁଷଭରା ସେ ହାତଟି।
“ଗ୍ରିଶା, ଗ୍ରିଶା, ଗ୍ରିଶା!” ଡାକିବାର ତାଳେ ତାଳେ ମରିୟାର ସର୍ବାଙ୍ଗ ଦୋହଲି ଉଠିଲା। ଗ୍ରିଶାର ସର୍ବାଙ୍ଗରେ ସେ ଶିହରଣ ଲାଗିଲା, ଯେପରି ସେ ତାହାର ଶିଶୁକୁ ଝୁଲାଉଛି। ଗ୍ରିଶା ତାହାର ସନ୍ତାନ, ସ୍ବାମୀ, ପ୍ରଣୟୀ। ଆଜି ସେ ସାରା ପୃଥିବୀ ତାହାର ହୃଦୟ ମଧ୍ୟରେ ପାଇଛି- ତାହାର ବାହୁବନ୍ଧନ ମଧ୍ୟରେ ।
ଗ୍ରିଶାର କପାଳରେ ମରିୟା ଶତଚୁମ୍ବନ ଆଙ୍କିଦେଲା…ତାହାର କଳାଭ୍ରୂଲତା,ସ୍ବଚ୍ଛ ଚକ୍ଷୁ ଦୁଇଟିର ପତା, ଗାଲ,ଦୁଇଟି ଓଠ ଉପରେ । ଗ୍ରିଶାର ଦୁଇଟି ଚକ୍ଷୁର କୋଣରୁ ଅବିରଳ ଅଶ୍ରୁଧାରା ଗଡ଼ିପଡ଼ିଲା। ଗ୍ରିଶା ଓ ମରିୟାର ଅଶ୍ରୁର ମିଳିତ ଧାରା ବହିଗଲା-ଉଭୟେ ତାହାର ମୃଦୁ ସ୍ବାଦ ଅନୁଭବ କଲେ ; ଲୋତକ ଜଳରେ ଭାସି ଉଭୟ ଉଭୟଙ୍କ ମୁହଁଆଡ଼େ ଚାହିଁ ହସି ଉଠିଲେ- ଅପୂର୍ବ ସୁଖର ପୁଲକଭରା ହସ।
ନା, ଗ୍ରିଶା ପଚାରିନାହିଁ-କୌଣସି ପ୍ରଶ୍ନ ପଚାରି ନାହିଁ, ମରିୟାକୁ କୌଣସି କୈଫିୟତ୍ ଦେବାକୁ ପଡ଼ିନାହିଁ, ପୁଣି ସେମାନେ ଦୁଇ ଜଣ ମିଳିଯାଇଛନ୍ତି, ମିଳିଛି ପ୍ରାଣ , ଆଖି ଆଉ ଆଖି। ବାଣୀମୟୀ ଦୃଷ୍ଟିର ବିନିମୟରେ ସବୁ ପରିଷ୍କାର ହୋଇଯାଇଛି। ଯାହା କିଛି ଜାଣିବାକୁ ଥିଲା, କହିବାକୁ ଥିଲା ତାହା ଏହି ମୁଖର ମୌନତା ପ୍ରକାଶ କରୁଥିଲା । ଏବେ ଭାଷା ଅର୍ଥହୀନ ଅବାନ୍ତର । ସମୟ ବହି ଚାଲିଛି…।
ହଠାତ୍ ଘଡ଼ିଟା ଆଡ଼େ ଦୃଷ୍ଟି ପଡ଼ିବାରୁ ମରିୟା ଡେଇଁପଡ଼ି ଉଠିଲା, “କି ଆଶ୍ଚର୍ଯ୍ୟ! ଏତେ ରାତି ହୋଇଗଲାଣି। ଏତେ ରାତି ପର୍ଯ୍ୟନ୍ତ ତୁମକୁ ଉପବାସ ରଖିଲି, ଗ୍ରିଶା! ଆସ, ଆଜି ଗୋଟାଏ ଭୋଜିର ଆୟୋଜନ କରିବା। କାଲି ବୋତଲେ ମଦ ପାଇଛି; ଆଉ ଖାଇବା।”
“ନିମନ୍ତ୍ରଣ ସ୍ବାଦରେ ଗୃହୀତ।” କପଟ ଅଭିବାଦକ ଭଙ୍ଗୀରେ ଗ୍ରିଶା ମୁଣ୍ଡ ତଳକୁ ଗଲା। ପୂର୍ବେ ଏହିପରି କେତେଥର ହୋଇଛି।କେତେ କର୍ମହୀନ ସନ୍ଧ୍ୟାରେ ଅବସରରେ ସେମାନେ ଠିକ୍ କରନ୍ତି ଯିବେ ବାହାରକୁ। ଥିଏଟର୍କୁ ? ନା, ବର୍ତ୍ତମାନ ଆଉ ଟିକଟ ମିଳିବ ନାହିଁ; ତେବେ ସିନେମା ? ନା, ବନ୍ଧୁବାନ୍ଧବଙ୍କ ସହିତ ଦେଖା କରିବାକୁ? ଅବଶେଷରେ…
-“ ଦେଖ, କହୁଛି କଣ କି, ଆଜି ଏହିଠାରେ ଗୋଟାଏ ଭୋଜିର ଆୟୋଜନ କରିବା, ସେଇଟା ସବୁଠାରୁ ଭଲ ହେବ, କଅଣ କହୁଛ?”
ତାହାପରେ ସେମାନେ ଦୁଇଜଣ ମିଳି ଭୋଜିରେ ଯୋଗାଡ଼ରେ ଳାଗିପଡ଼ିଲେ, ସତେ ଯେପରି କୌଣସି ଅତଥି ଆସିଛି ବାହାରୁ; ଟେବୁଲ୍ ଉପରେ ପରିଷ୍କାର କପଡ଼ା ବିଛାଇ ଦେଲେ, ସବୁଠାରୁ ଭଲ ପ୍ଲେଟ୍ଗୁଡ଼ିକ ବାହାର କରି ଆଣିଲେ; ଜକ୍ଜକ୍ କରୁଥିବା କାଚର ସିଗାରେଟ୍ କେଶ୍ , ଦୁଇଟି ମଦ ଗିଲାସ…
ଉଭୟ ପରସ୍ପରର ସ୍ବାସ୍ଥ୍ୟ କାମନା କରି ମଦ ପିଇଲେ ।
ତାହାପରେ ଅନେକସମୟ ବସି ସେମାନେ ଗଳ୍ପ କଲେ। “ମନେ ଅଛି ଯେ ସେଦିନ କେତେ ରାତିରେ ଆମେ ଶୋଇବାକୁ ଯାଇଥିଲେ।”
ମରିୟା ବ୍ୟସ୍ତ ହୋଇଉଠିଲା ; ଛୁଞ୍ଚିକାମ କରାହୋଇଥିବା ଧୋବ ଚଦରଟା ବାହାର କରି ଟେବୁଲ୍ ଉପରେ ବିଛାଇ ଦେଲା; ଟିକିଏ ଛିଡ଼ି ଯାଇଛି-କିନ୍ତୁ ସେଥିରେ ଯାଏ ଆସେ କେତେ ? ତାହାପରେ ଦୁଇଟି ଗ୍ଲାସ୍ ନେଇ ଆସିଲା, ଲହୁଣି ଟିକିଏ ମାଛ,ମଦର ବୋତଲଟା।
“କର୍କ ସ୍କୃଟା କୁଆଡ଼େ ଗଲା? ସେଇଟା ଖୋଲିଦିଅ।” ମଦର ବୋତଲଟା ଟେବୁଲ୍ ଉପରେ ରଖୁ ରଖୁ କିଛି ନଭାବି ମରିୟା କହିଥିଲା, କିନ୍ତୁ ପରକ୍ଷଣରେ ତାହାର ଖିଆଲ ହେଲା ଓ ସେ ଟିକିଏ ସଂନ୍ତ୍ରସ୍ତ ହୋଇପଡ଼ିଲା। କିନ୍ତୁ କପାଳ ଉପରକୁ ଝୁଲି ପଡ଼ିଥିବା ବାଳଗୁଡ଼ିକୁ ପଛକୁ ପକାଇ ଦେଇ କୌତୁକଭରା କଣ୍ଠରେ ଗ୍ରିଶା କହିଲା, “ଜୋ ହୁକୁମ, ବନ୍ଦା ପ୍ରସ୍ତୁତ ହୁକୁମ ତାମିଲ କରିବା ପାଇଁ।”
ସେ ଆଣ୍ଠୁ ଦୁଇଟା ଭିତରେ ବୋତଲଟା ଚାପିଧରି ବାଁ ହାତରେ କର୍କ ସ୍କୃଟା ଉଠାଇନେଲା ଓ ତାହାପରେ ମୁହୂର୍ତ୍ତକେ ବୋତଲ ଠିପିଟା ଖୋଲିଦେଲା।
“ଏହି ନିଅନ୍ତୁ।”
“ବାଃ, ଆଜି ଚମତ୍କାର ତୁମର ଶିକ୍ଷା।” ମରିୟା ହସି ଉଠିଲା, ଗ୍ରେଗରୀ ଦୁଇଟି ଗ୍ଲାସ୍ରେ ମନ ନିଯୋଗ କଲା ; ମରିୟା ତାହାର ଚୌକିଟା ତାହା ପାଖକୁ ଟାଣି ଆଣିଲା ।”
“ନା,ଦୟାକରି ସେପାଖକୁ ଯାଇ ମୋର ସାମନା ସାମନି ବସ ତ ।”
“ନା,ନା, ମୁଁ ଏଇଠି ତୁମ ପାଖରେ ବସିବି ।
ମରିୟା ସର୍ବାଙ୍ଗରେ ତାହାର ଦେହର ଉତ୍ତାପ ଅନୁଭବ କରିବାକୁ ଚାହେଁ-ଆହୁରି ନିକଟରେ ଏକାଠି ବସିବାକୁ ଚାହେଁ ଦେହ ସାଙ୍ଗରେ ଦେହର ଲଗାଇ ଏକ ହୋଇ, ଯଦ୍ବାରା କୌଣସି ଦିନ ସେମାନଙ୍କୁ ଯେପରି କେହି ଅଲଗା କରିନପାରେ, କିଛି ବାଧାବିଘ୍ନ ଆସି ସେମାନଙ୍କ ମଝିରେ ଛିଡ଼ା ନ ହୁଏ ପ୍ରାଚୀର ତୋଳି
ଏହାପରେ ଉଭୟ ପରସ୍ପରର ସ୍ବାସ୍ଥ୍ୟ କାମନା କରି ସୁରାପାନ କଲେ।
ମଦର ତୀବ୍ର ମିଠା ଆସ୍ବାଦ ଏବଂ ଗନ୍ଧ କୌଣସି ଏକ ସୁଦୂର ସୂର୍ଯ୍ୟକିରଣ ଉଦ୍ଭାସିତ କୁସୁମିତ ଉପତ୍ୟାକାର ମଧୁର ସୃତି ଜଗାଇ ଦେଲା, ଯେଉଁଠି ସ୍ବଚ୍ଛ ନୀଳ ଆକାଶ ତଳେ ସବୁଜ ପାହାଡ଼ ଦେହରେ ପେନ୍ଥା ପେନ୍ଥା ହୋଇ ଝୁଲିଥିବା ଅଙ୍ଗୁରର ସୁନେଲି ସ୍ବପ୍ନ ଭରି ତହିଛି।
ସୂର୍ଯ୍ୟକିରଣ ଉଦ୍ଭାସିତ? ଏପରି କଣ ଗୋଟାଏ ଭରୋନତ୍ସଭ୍ କହିଥିଲା। ଅବଶ୍ୟ ଗୋଟାଏ ସେ ଠିକ୍ କହିଛି-‘ଯଦି ସୋନିଆ ସେଠାରେ ନଥାନ୍ତା।’
“ବଞ୍ଚିଛ, ତୁମେ ବଞ୍ଚି ରହିଛ, ବଞ୍ଚି ରହିଛ…।” ହଠାତ୍ ମରିୟା ଯେପରି ଗୀତ ଗାଇ ଉଠିଛି; ତାହାର କଣ୍ଠରେ ଝରଣାର ଧାରାର ସୁର ଜାଗି ଉଠିଲା।
“କି ଅଦ୍ଭୁତ ଆବିଷ୍କାର ।”