ପ୍ରେମର ନିକଷ




॥ ଅଠର॥

  ଆଉ ମୋଟେ ଦୁଇ ତିନି ପାଦ ଅଛି। ମରିୟା ଯେପରି ଗୋଟାଏ ଅବ୍ୟକ୍ତ ଆନନ୍ଦରେ ଉଡ଼ି ଚାଲିଛି। ତାର ଦେହ ମଝିରେ ମଝିରେ ଭୟରେ ଥରି ଉଠୁଛି,- ବେଳକାଳ ଉଛୁର ହୋଇଯାଏ । ଚାବିଟା? ବ୍ୟାଗ୍‌ ଭିତରେ ଚାବିଟା ଅଛି, କିନ୍ତୁ ମରିୟା ମୋଟେ ଖୋଜି ପାଉନାହିଁ। ତାହାର କମ୍ପିତ ହସ୍ତରେ କେବଳ ଥରକୁ ଥର କେତେ ଖଣ୍ଡ ଟୁକୁରା କାଗଚ ପଡ଼ୁଛି ମୋଡ଼ି ହୋଇଥିବା ‌କେତେ ଖଣ୍ଡ ନୋଟ୍‌… ମଇଳା ରୁମାଲ୍‌ ପ୍ରଭୃତି ଭିତରେ… ଚାବିଟା କବାଟର ଛିଦ୍ରବାଟରେ ସେ ଢୁକାଇ ପାରୁନାହିଁ। ଗ୍ରେଗରୀ ତ ମରିନାହିଁ।ଭୁଲ୍‌ ଖବର ଏହି ସରକାରୀ ନୋଟିସ୍‌ଟା ନେଇ ଆସିଥିଲା, ଆଉ ବୃଥା ଅସହନୀୟ ବ୍ୟଥାଭରା ନିଷ୍ଠୁର ହତାଶାରେ ତାହାର କେତେଦିନ କଟିଗଲା, ଭାବିଥିଲା ଗ୍ରେଗରୀ ମରିଯାଇଛି- ଆଉ ମରିୟା କଦାପି ତାର ଦେଖାପାଇବ ନାହିଁ, ତାହାର ସ୍ପର୍ଶ ପାଇବ ନାହିଁ , ତାହାର କଣ୍ଠସ୍ପର ଶୁଣିବ ନାହିଁ। ଏ ଜୀବନରେ ଯେପରି ତାହାର ଛାତି ଉପରୁ ଗୋଟିଏ ଦାରୁଣ ପଥରରର ଚାପ ଓହ୍ଲାଇ ଯାଇଛି, ସେହି ଭୟଙ୍କର ଦୁଃସ୍ବପ୍ନ ଦୂର ହୋଇଯାଇଛି – ଯେଉଁ ଦୁଃସ୍ବପ୍ନ ତାହାର ଗଳା ନିବିଡ଼ ଭାବରେ ଚାପି ଧରିଥିଲା । ଗ୍ରେଗରୀ ବଞ୍ଚି ରହିଛି… ଗ୍ରେଗରୀ ବଞ୍ଚି ରହିଛି…। 

  ଭଗବାନ। ଯଦି ସମୟ ବହି ଯାଇନଥାଏ । ତାଲାରୁ ଚାବିଟା ନ କରି ମରିୟା ଦଉଡ଼ିଗଲା। ବାରଣ୍ଡା ପାରହୋଇ। ତାହାପରେ ସେ ତୋଫାନ୍‌ ବେଗରେ ଘର ଭିତରେ ଢୁକିଗଲା । ହେଇ ତ ସେ ସେଠାରେ ଅଛି; ଟେବୁଲ୍‌ଟା ସାମନାରେ ବସି ଯେପରି ଅତି କଷ୍ଟରେ ତାହାର ବାଁ ହାତଟିରେ କଣ ଟାଣି ଆଣିବାର ଜେଷ୍ଟା କରୁଛି।

   ତାହାର ସର୍ବାଙ୍ଗରେ ଯେପରି ଗୋଟାଏ ଶିଶୁ ସୁଲଭ ଅସହାୟତାର କରୁଣ ଭଙ୍ଗି ଫୁଟି ଉଠୁଛି; ଅସୀମ ମମତାରେ ମରିୟାର ଅନ୍ତର ଭରିଉଠିଲା। ଏହି ଏକାନ୍ତ ଅସହାୟ ଶିଶୁଟିର ଅଙ୍ଗରେ କିପରି ସେ ଏପରି ନିଷ୍ଠୁର ଆଘାତ କରିଛି। ପ୍ରେମର ଗୋଟାଏ ଅଭିନବ ବିଚିତ୍ର ଦିଗ ତାହାର ଆଖି ଆଗରେ ଖୋଲିଯାଏ; ଗ୍ରେଗରୀ ଯେପରି ତାହାର କେବଳ ସ୍ବାମୀ ନୁହେଁ, ତାହାର ପ୍ରେମାସ୍ପଦ, ତାହାର ସାଥୀ; ଯେପରି ସେ ତାହାର ଏକମାତ୍ର ଶିଶୁସନ୍ତାନ , ସେ ଲୋଡୁଛି ମରିୟାର ସଯତ୍ନ ସେବା, ମମତାଭରା ହୃଦୟର ନିରାପଦ ଆଶ୍ରୟ। ଗୋଟାଏ ଅଦ୍ଭୁତପୂର୍ବ ସ୍ନେହର ଉତ୍ତାପରେ ମରିୟାର ଅନ୍ତର ଭରିଗଲା, ଏକ ଅପୂର୍ବ ଅନୁଭୂତିର ସ୍ପନ୍ଦନ ଜାଗିଉଠିଲା, ଯେଉଁ ଭାବ ଆଉ କେବେ ତାହାର ମନରେ ଇସାରା ଦେଇନଥିଲା।

  “ଗ୍ରିଶା”।

  କମ୍ପିତ ପାଦରେ ମାରିୟା ଦଉଡ଼ିଆସି ଆଣ୍ଠୁମାଡ଼ି ବସିପଡ଼ିଲା ତାହା ଆଡ଼େ ପାଖରେ, ତାହାପରେ ନିବିଡ଼ ଆଲିଙ୍ଗନରେ ତାକୁ ବାନ୍ଧିଧରିଲା। ଏହି ତ ଗ୍ରିଶା ଏଠାରେ ଅଛି… ତାହାର ଗ୍ରିଶା ଏହିଠାରେ ଅଛି। ତାହାର ଦେହର ଉତ୍ତାପ ମରିୟା ସର୍ବାଙ୍ଗରେ ଅନୁଭବ କରୁଛି, ସାନ୍ନିଧ୍ୟରେ ଉଷ୍ଣତା ମଧ୍ୟ ସେ ଅନୁଭବ କରୁଛି। ଗୋଟାଏ ତୀବ୍ର ଆନନ୍ଦର ଅସହନୀୟ ରୁଦ୍ଧ ଆବେଗରେ ମରିୟାର କଣ୍ଠ ପୂରିଆସୁଛି।

  “ମରିୟା।” ଆବେଗରେ କମ୍ପିତ କଣ୍ଠରେ ଗ୍ରିଶା ଡାକିଲା ; ଗଳାର ସ୍ବରଟା ମନେହେଲା ଯେପରି ତାହାର ନୁହେଁ। ମରିୟା ତାହାର କେଶରାଶି ଉପରେ ଗ୍ରିଶାର କୋମଳ ସ୍ପର୍ଶ ଅନୁଭବ କରୁଛି। ଆନନ୍ଦରେ ଉଛୁଳି ପଡ଼ୁଥିବା ଚକ୍ଷୁର କୋମଳ ଦୃଷ୍ଟିମେଲି ମରିୟା ତାହାର ମୁହଁଆଡ଼େ ଚାହିଁଲା । ହଁ, ହଁ, ଏଇତ ଗ୍ରିଶା; ଗ୍ରିଶାର ସେହି ମୁହଁଟି, ସଇତାନ ଯୁଦ୍ଧର ନିର୍ମମ ହସ୍ତରେ ଯେ ମୁହଁଟି ଆଜି ବିକ୍ଷତ, ବିକୃତ,ଶତ୍ରୁର ବୋମା ଆଘାତରେ ଗୋଟାଏ ଚକ୍ଷୁ ଜଳି ନଷ୍ଟ ହୋଇଯାଇଛି। ଏତେ ନିକଟରୁ ମରିୟା ଏହି ପ୍ରଥମ ଥର ଭଲକରି ଲକ୍ଷ୍ୟ କରି ଦେଖୁଛି କିନ୍ତୁ ବର୍ତ୍ତମାନ ତାହାର ମନରେ ଗୋଟାଏ ସମ୍ପୂର୍ଣ୍ଣ ନୂଆ ଭାବ ଜାଗିଉଠୁଛି; ନା, ଏଇ କ୍ଷତଚିହ୍ନ ଯେ ଦିନେ ତାକୁ ଗ୍ରିଶାଆଡ଼େ ଆଖି ଟେକି ଅନାଇବାରେ ବାଧା ଦେଇଥିଲା। ସେ କଥା ମୋଟେ ସତ୍ୟ ନୁହେଁ, ତାହା ସେ ସ୍ବୀକାର କରିବ ନାହିଁ। ଗ୍ରିଶା ତାହାର ପ୍ରେମ, ତାହାର ସୁଖ, ଶାନ୍ତି ତୃପ୍ତି-ପରମ ଆନନ୍ଦର ଏକମାତ୍ର ସମ୍ପଦ ସେଇ ଗ୍ରିଶା। ମରିୟାର ସମସ୍ତ  ଅନ୍ତର ଆଲୋକିତ କରି ଜଳିଉଠିଛି-ମହତ୍‌ ଅତି ଉଜ୍ଜ୍ବଳ ଆନନ୍ଦର ଏକ ଶ୍ବେତ ବହ୍ନିଶିଖା; ସମସ୍ତ ଦେହ ମନ ଆତ୍ମାରେ ଅନୁଭବ କରୁଚି ଯେ ତାହାର ଗ୍ରିଶା ବଞ୍ଚି ରହିଛି ଓ ସେ ପୁଣି ଫେରିଆସିଛି ତାହାର ନିବିଡ଼ ଅଲିଙ୍ଗନକୁ। ସେ କେଶ ଉପରେ ଅନୁଭବ କରୁଛି ତାହାର ସ୍ନେହଭରା କୋମଳସ୍ପର୍ଶ, କାନରେ ଶୁଣିପାରୁଛି ତାହାର କମ୍ପିତ ହୃଦୟର ଦୂରଦୂର ଶବ୍ଦ।

   “ମରିୟା!” ପୁଣି ଗ୍ରିଶା ଡାକିଲା। ମରିୟା ଦେଖିଲା, ଦରବିଗଳିତ ଧାରାରେ ତାହାର ଚକ୍ଷୁ ଦୁଇଟିର କୋଣରୁ ଅଶ୍ରୁଜଳ ଝରିପଡ଼ୁଛି। ମରିୟା ଉଠି ଛିଡ଼ା ହେଲା ଓ ଦୁଇଟି ହାତ ବଢାଇ ପ୍ରବଳ ଆବେଗରେ ତାହାର ମୁଣ୍ଡଟି ଟାଣି ଟାଣି ଚାପି ଧରିଲା।

  “ଗ୍ରିଶା, ଗ୍ରିଶା ଗ୍ରିଶା !”  ଅସ୍ପୁଟ କଣ୍ଠରେ ବାରମ୍ବାର ଡାକିଲା ; ଯେପରି ଗୋଟାଏ ସୁଦୀର୍ଘ ବନ୍ଧୁରପଥ ପାରିହୋଇ ଆସି ତାହାର ପ୍ରିୟତମର ଦେଖାପାଇଛି ସେ । ଚିରବିଷାଦମୟ ଅନ୍ଧକାର ଦେଶରୁ ଆସି ସେ ଗୋଟାଏ ସୂର୍ଯ୍ୟକିରଣ ଉଦ୍ଭାସିତ ପାର୍ବତ୍ୟ ଉପତ୍ୟକାରେ ପହଞ୍ଚିଛି ; ତାହାର ଆଲିଙ୍ଗନଭରା ଦୁଇଟି ବ୍ୟାକୁଳ ବାହୁର ନିବିଡ଼ ବନ୍ଧନରେ ବିଶାଳ ପୃଥିବୀ ଧରା ଦେଉଛି-ବିଭୀଷିକାମୟ କାଳରାତ୍ରୀ ଅବସାନ ପରେ ନୂତନ ପ୍ରଭାତ ଆସିଛି ଓ ସେ ଜାଗି ଉଠିଛି ଏବଂ ତାହାରର ଗ୍ରିଶା ବଞ୍ଚି ରହିଛି। ତାହାର ସୁନ୍ଦର କେଶ ଉପରେ ମରି଼ୟା ତାହାର ତୃଷିତ ଓଷ୍ଠ ଦୁଇଟି ଚାପି ଧରିଛି, ଗ୍ରିଶାର କେଶଗୁଡ଼ିକ କି ସୁନ୍ଦର, ଆଉ ନରମ…ମରିୟାର ମନେପଡ଼ିଗଲା ତାହାର କେଶରାଶିର ସେହି  ମୃଦୁ ସୁଗନ୍ଧର କଥା।

 “ବଞ୍ଚି ରହିଛି, ବଞ୍ଚି ରହିଛି ତୁମେ, ବଞ୍ଚି ରହିଛ ।” ମରିୟା ବାରମ୍ବାର ଅନୁଚ୍ଚ ମୃଦୁ ଆବେଗଭରା କଣ୍ଠରେ କହିଗଲା। ଅତି ଆନନ୍ଦରେ, ଅଫୁରନ୍ତ ସୁଖରେ ମରିୟାର ଗଳାରୁଦ୍ଧ ହୋଇଆସୁଛି। ନା, ସମୟ ଚାଲିଯାଇ ନାହିଁ-କିଛି ହଜି ନାହିଁ-ମୃତ୍ୟୁର ଶ୍ରୀହୀନ ଶୀତଳ ସ୍ପର୍ଶରେ କିଛି ଶେଷ ହୋଇଯାଇନାହିଁ।

  “ବଞ୍ଚିଅଛ ତୁମେ, ବଞ୍ଚିଅଛି, ବଞ୍ଚିଅଛ।” ଚୌକିର ହାତ ଉପରେ ମରିୟା ବସିପଡ଼ିଲା, ଦୁଇଜଣ ଆହୁରି ନିକଟରୁ ନିକଟତର ହୋଇଯାଇଥିଲେ,ମରିୟା ଆଉ ମୁହୂର୍ତ୍ତକ ପାଇଁ ତାକୁ ଛାଡ଼ିଦେବ ନାହିଁ ତାହାର ନିବିଡ଼ ଆଲିଙ୍ଗନର ବନ୍ଧନରୁ ; ଆଜି ମରିୟା ତାହାର ହରାଇଥିବା ନିଜର ଲୋକକୁ ଖୋଜି ପାଉଛି, ତାହାର ସ୍ବାମୀଙ୍କୁ ପାଇଛି। ଆଜି ସେ ତାହାର ପ୍ରିୟତମକୁ ତାହାର ହୃଦୟରେ ଖୋଜି ପାଇଛି, ସେ ପଙ୍ଗୁ ହୁଅନ୍ତୁ ; ଅକର୍ମଣ୍ୟ ହୁଅନ୍ତୁ , ତଥାପି ସେ ତ ବଞ୍ଚି ରହିଛନ୍ତି…।

 

 




+ -

© Jataayu Charitable Trust
Site designed,developed & maintained by Tekons