॥ ସତର ॥
ହାସପାତାଳ ପିଣ୍ଡାରେ ଢେଗା ଢେଗା ମିଞ୍ଜି ମିଞ୍ଜି ଆଖି ଗୋଟିଏ ମହିଳା ମରିୟାକୁ ଅଟକାଇଦେଲା ।
“ ଡିରେକ୍ଟରଙ୍କ ଅଫିସଟା କେଉଁଠି କହିପାରିବ?”
“ଆସନ୍ତୁ ମୁଁ ଦେଖାଇ ଦେଉଛି।”
ମରିୟା ତାକୁ ସାଙ୍ଗରେ ଧରି ଡିରେକ୍ଟରଙ୍କ ଘରଆଡ଼େ ଆଗେଇ ଚାଲିଲା। ରଙ୍ଗୀନ୍ ଚଟାଣ ଉପରେ ମହିଳାଟିର ଜୋତାର ଉଚ୍ଚ ଗୋଇଠିର ତଳୁ ତାକୁ ତାଳେତାଳେ ଶବ୍ଦ ଉଠୁଥିଲା। ମରିୟାର ପାଦ ସହିତ ସମତା ରକ୍ଷାକରି ମହିଳାଟି ତାହାର ପାଖେ ପାଖେ ଚାଲିଥାଏ। ଆଗକୁ ଟାଣି ଆଣିଥିବା ଟୋପିତଳେ ତାହାର ପାଣ୍ଡୁର ମୁଖଟିର ସୁଢ଼ଳ ରେଖା… ମନେହୁଏ ଯେପରି ତୁଳାରେ ଅଙ୍କା ହୋଇଛି। ଲୁଗା ଜାମାରୁ ଗୋଟାଏ ପ୍ରକାର ମିଠା ହାଲୁକା ସୁଗନ୍ଧ ଭାସି ଆସୁଛି।
“ମରିୟା ପାଭ୍ଲୋଭ୍ନା ଆସିଛ, ଭଲ କଲା।” ଡିରେକ୍ଟର ମରିୟାକୁ କହିଲେ। ମରିୟା ଅଫିସ ଘର ଭିତରେ ଅପେକ୍ଷା କରିରହିଲା।
ମହିଳାଟି ଆଗେଇଯାଇ ତାହାର ଶୀର୍ଣ୍ଣ ଡିରେକ୍ଟରଙ୍କ ହାତକୁ ବଢାଇ ଦେଲା।
“ମୁଁ ମୋର ସ୍ବାମୀଙ୍କୁ ଖୋଜିବାକୁ ଆସିଛି… ସେ ଏହିଠାରେ ଏହି ହାସପାତାଳରେ ଅଛନ୍ତି ।”ପ୍ରାୟ ଅସ୍ପଷ୍ଟ ଭଗ୍ନ କଣ୍ଠରେ ମହିଳାଟି କହିଲା।
ଡିରେକ୍ଟର ଅନ୍ୟମନସ୍କ ଭାବରେ ମହିଳାଟି ଆଡ଼େ ଚାହିଁଲେ, ସେ ଅନ୍ୟକଥା ଭାବୁଥିଲେ।
“ଏଠାରେ ? ନାମ କଅଣ କୁହନ୍ତୁ ତ?”
“ ଏନୋଖିନ୍…କର୍ଣ୍ଣେଲ୍ ଏନୋଖିନ୍… ଇଲ୍ୟା ଏଲେକ୍ଜାଣ୍ଡୋଭିତ୍ ।”
ମରିୟା ଟିକିଏ ଭାବିଲା, କର୍ଣ୍ଣେଲ୍ ଏନୋଖିନ୍-ଓଃ, ହଁ-ଠିକ୍…।
“ଟିକିଏ ଅପେକ୍ଷା କରନ୍ତୁ… ବର୍ତ୍ତମାନ ଦେଖି କହୁଛି ।” ଡିରେକ୍ଟର ଏତକ କହି ସାମ୍ନାରେ ଲେଖାଲେଖି ହେବାପାଇଁ ଥିବା ଟେବୁଲ୍ ଉପରୁ ଗୋଟାଏ ମୋଟା ଖାତା ଟାଣିନେଲେ। ମହିଳାଟିର ପଛରେ ଛିଡ଼ା ହୋଇ ମରିୟା ଡିରେକ୍ଟରଙ୍କୁ ଇଙ୍ଗିତ ଦ୍ବାରା କଅଣ କହିବାକୁ ଯେପରି ପ୍ରାଣପଣେ ଚେଷ୍ଟା କରୁଛି। ଅବାକ୍ ହୋଇ ଡିରେକ୍ଟର ମରିୟା ଆଡ଼େ ଚାହିଁଲେ, କିଛି ବୁଝିପାରିଲେ ନାହିଁ। ମହିଳାଟି ମଧ୍ୟ ତାହା ମୁହଁଆଡ଼େ ଚାହିଁଲା।
“ଖବର କଅଣ ନର୍ସ୍? ତୁମେ କଅଣ ତାକୁ ଚିହ୍ନ ନା କଅଣ?” –ସେଦିନ କର୍ଣ୍ଣେଲ୍ ଏନୋଖିନ୍ ମରିଗଲେ, ଯେଉଁଦିନ ମରିୟା ପାଖକୁ ଗ୍ରିଶାର ମୃତ୍ୟୁ ଖବର ଆସିଥିଲା। ତଳିପେଟରେ ଆଘାତ, ମଲାବେଳକୁ ଅନେକ ସମୟ ଭୟଙ୍କର କଷ୍ଟ ପାଇଛନ୍ତି।
“ମୁଁ ବାହାରେ ଥିଲି, ମାନେ, ମୋର କୌଣସି ନିର୍ଦ୍ଦିଷ୍ଟ ଠିକଣା ନଥିଲା କେତେଦିନ ପର୍ଯ୍ୟନ୍ତ। ସେଥିପାଇଁ ଏବେ ନୋଟିସ୍ଟି ପାଇଲି ଯେ ତାଙ୍କୁ ଏହି ହାସପାତାଳକୁ ଅଣାଯାଇଛି। କିନ୍ତୁ ନୋଟିସ୍ଟା ବହୁତଦିନ ଆଜର-ପୁରୁଣା; ସୁତରାଂ ଏତେଦିନ ସମ୍ଭବତଃ… ଆଚ୍ଛା, ଆଘାତଟା ଲାଗିଛି କେଉଁଠି?” ଝାଲରଥିବା ଛୋଟ ରୁମାଲ ଖଣ୍ଡି ବାହାର କରି ମୁହଁଟି ଥରେ ପୋଛିନେଇ କାତର କଣ୍ଠରେ ମହିଳାଟି ପ୍ରଶ୍ନକଲା।
“ବର୍ତ୍ତମାନ ମୁଁ ଦେଖିଦେଉଛି। ଡିରେକ୍ଟରଙ୍କ କଣ୍ଠରେ ଟିକିଏ ଇତସ୍ତତ ହେବାର ସ୍ବର ଶୁଣାଗଲା । ନୀରବରେ ସେ ଖାତାଟିର ପତ୍ର ଲେଉଟାଇ ଚାଲିଲେ । ଯୋଡ଼ି ହୋଇଯାଇଥିବା ଦୁଇଟି ପୃଷ୍ଟାକୁ ଫୁଙ୍କି ଖୋଲିଦେଲେ।
“ଏନୋଖିନ୍… ଏନୋଖିନ୍…କେବେ ତାଙ୍କୁ ଏଠାକୁ ଅଣାହୋଇଥିବା ବୋଲି କହିଲେ?
“ନଭେମ୍ବର ମାସରେ।” ହଠାତ୍ କହିଦେଇ ମରିୟା ଜୋର୍ରେ ଦାନ୍ତରେ ଓଠ ଦୁଇଟି ଚାପି ଧରିଲା। ହେଲେ ପାଟି ବୁଝିବାର ଅର୍ଥନାହିଁ।
“ତୁମେ ତାଙ୍କୁ ଚିହ୍ନ , ନର୍ସ୍? ମୋ ସ୍ବାମୀଙ୍କୁ? ମନେଅଛି ତୁମର? ”ମରିୟା ଆଡ଼େ ଚାହିଁ ମହିଳାଟି ପ୍ରଶ୍ନ କଲା।
ମରିୟା ଦେଖିଲା ତାହାର ଦୁଇଟି ସ୍ବଚ୍ଛ ଚକ୍ଷୁରେ ଶଙ୍କାକୁଳ କାତର ଦୃଷ୍ଟି ଜାଗିଉଠିଛି। ବାମ ଚକ୍ଷୁର ପତାଟି ଘନ ଘନ କମ୍ପିଯାଉଛି ।
ପୃଷ୍ଟା ଲେଉଟାଇବା ବନ୍ଦକରି ଡିରେକ୍ଟର ଭୟମିଶ୍ରିତ ଦୃଷ୍ଟିରେ ମରିୟାଆଡ଼େ ଚାହିଁଲେ ।
“ହଁ, କର୍ଣ୍ଣେଲ୍ ଏନୋଖିନ।” ମରିୟା ଫୁସ୍ ଫୁସ୍ କରି କହିଲା। ମହିଳାଟି ଉଠିଆସି ତାହା ପାଖରେ ଛିଡ଼ା ହେଲା।
“ନର୍ସ୍, ବେଗେ କୁହ ଟିକେ ତାଙ୍କର କଅଣ ହୋଇଛି?” ମହିଳାଟିର ଗଳାର ସ୍ବର ବନ୍ଦ ହୋଇଆସିଛି। ଏହି ଅପରିଚିତା , ଅଦ୍ଭୁତ ଶୀର୍ଣ୍ଣ ମୁହଁଟି ଉପରୁ ମରିୟା ଦୃଷ୍ଟି କାଢି ନେଇ ପାରିନଥିଲା ।
“ଅଧୀର ହୁଅନା, ଟିକିଏ ଶାନ୍ତ ହୋଇ ବସ, ମୁଁ ଖୋଜି ଦେଖୁଛି।” ବାଧାଦେଇ ଡିରେକ୍ଟର କହିଲେ । ମହିଳାଟି ପୁଣି ବସିପଡ଼ିଲା।
“କର୍ଣ୍ଣେଲ୍ ଏନୋ ଖିନ୍…କଅଣ ଆଉ କହିବି? କର୍ଣ୍ଣେଲ୍ ଏନୋଖିନ୍… ଡିସେମ୍ବର ପାଞ୍ଚ ତାରିଖରେ ଏହି ହାସପାତାଳରେ ମରି ଯାଇଛନ୍ତି।”
“କଅଣ କହିଲେ?
“ମରିଯାଇଛନ୍ତି। ପେଟରେ ସାଙ୍ଘାତିକ ଆଘାତ ଲାଗିଥିଲା… ତେଣୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିଲା ନାହିଁ। ଅଦ୍ଭୁତ ନୋଟିସ୍ଟା।”
“ସେ ସମୟରେ ମୁଁ ଘରେ ନଥିଲି।” ମହିଳାଟି ପୁଣି କହିଲା, ତାହାପରେ ଆଉ ଥରେ ରୁମାଲରେ ମୁହଁଟି ପୋଛି ପକାଇଲା। ତାହାର ଶୀର୍ଣ୍ଣ ଦେହଟି କମ୍ପୁଛି, ମୁଣ୍ଡଟି ଝୁଲି ପଡ଼ିଛି; ପରକ୍ଷଣରେ ଆଖି ନିଷ୍ପ୍ରଭ ଦୃଷ୍ଟିରେ ମରିୟାର ମୁହଁଆଡ଼େ ସେ ଚାହିଁଲା।
“ବୋଧହୁଏ ତୁମେ ତାଙ୍କର ଶୁଶ୍ରୂଷା କରୁଥିଲ ନର୍ସ୍?” ମହିଳାଟି କଷ୍ଟ ସ୍ବରରେ ସ୍ବାଭାବିକତା ରକ୍ଷାକରିବାକୁ ଚେଷ୍ଟା କରୁଛି କିନ୍ତୁ ବର୍ତ୍ତମାନ ଅବସ୍ଥାରେ ସେଇଟା ମୋଟେ ସମ୍ଭବପର ହେଉନାହିଁ।
“ହଁ”
“ମରିଯିବା ସମୟରେ ତୁମେ ସେଠାରେ ଥିଲ?”
ମରିୟା ମୁଣ୍ଡ ନୁଆଇଁ ଦେଲା।
“ହଁ ।”
“ସବୁ କଥା ତୁମର ମନେଅଛି , ନର୍ସ୍? ଅନେକ ଦିନ ଆଗର ଘଟଣା , ଆଉ ଏହା ଭିତରେ କେତେ ଲୋକ ମରିଗଲେଣି ଏଠାରେ ।
“ଏଠାରୁ ଭଲ ହୋଇ ଫେରିଯାଇଛନ୍ତି ଶତକଡ଼ା…” ଡିରେକ୍ଟର କହିବାକୁ ଆରମ୍ଭ କରୁଥିଲେ କିନ୍ତୁ ମଝିରେ ସେ ମହିଳାଟି ହାତ ହଲାଇ ବନ୍ଦ କରିଦେଲେ।
“ମୁଁ ମୋଟେ ସେ କଥା ଜାଣିବାକୁ ଚାହୁଁନାହିଁ। ତାହାହେଲେ ସେଦିନର ସବୁ କଥା ମନେଅଛି ତୁମର ? ଶୁଣ, ମୋ ଆଡ଼େ ଅନାଅ, ନର୍ସ୍।” ମହିଳାଟିର କଣ୍ଠରେ ଆନ୍ବେଷାର ସ୍ବର । ମନ୍ତ୍ର-ମୁଗ୍ଧ ପରି ମରିୟା ତାହା ଆଡ଼େ ଚାହିଁଲା।
“ହଁ, ମନେ ଅଛି।”
“ସେ କିପରି ମରଣକୁ ବରଣ କଲେ? ଟିକିଏ ଭଲକରି ମନେ ପକାଇବାକୁ ଚେଷ୍ଟା କର-ମୁଁ ଶୁଣିବାକୁ ଚାହେଁ…ସବୁ କଥା ଶୁଣିବାକୁ ଚାହେଁ…।”
ମହିଳାଟିର ସେହି ମ୍ଳାନ ଚକ୍ଷୁ ଦୁଇଟିର କର୍ତ୍ତୃତ୍ବପୂର୍ଣ୍ଣ ଦୃଷ୍ଟି ସମ୍ମୁଖରେ ସ୍କୁଲର ଛାତ୍ରୀ କ୍ଲାସରେ ପଢା କହିବା ଭଳି ମରିୟା ସବୁକଥା କହିଗଲା।
“ସେ ଦିନ ସେମାନେ ମୋତେ ଡକାଇ ପଠାଇଲେ, କହିଲେ ଯେ ସାତ ନମ୍ବର ରୋଗୀଟି ମରିଯିବା ଉପରେ … କର୍ଣ୍ଣେଲ୍ ଏନୋଖିନ୍…”
“ଏଁ, ସାତ ନମ୍ବର ରୋଗୀ।” –କର୍ଣ୍ଣେଲ୍ର ସ୍ତ୍ରୀକଥାଟା ପୁନରାବୃତ୍ତି କରି ସତେ ଯେପରିକି କଥାଟାକୁ ସେ ସ୍ମୃତିପଟରେ ଆଙ୍କି ନେବାକୁ ଚାହୁଛି।
“ବେଶ୍, ତାହାପରେ?”
“ମୁଁ ତାହାପରେ ଉପରକୁ ଚାଲିଗଲି।”
“ହଁ… ତାହାହେଲେ ସେତେବେଳେ ସତରେ ସେ ମରିଯିବା ଉପରେ?”
“ହଁ।”