“ପରେ ନକଲି ହାତ ଗୋଡ଼ ଲଗାଇ ନେଲେ ଆଉ କିଛି ଜଣାପଡ଼ିବ ନାହିଁ।”-ସତ୍ସାହାସରେ ରେଇଜା ସେମାନଙ୍କୁ ଅଭୟ ଦେଲା । ଏକଥାରେ ସେ ସ୍ତ୍ରୀଲୋକଟି ମୁଣ୍ଡ ହଲାଇଲା।
“କାହିଁକି ? ଲୋକଙ୍କଠାରୁ ଶୁଣିଛି ନକଲି ହାତଗୋଡ଼ ଗୁଡ଼ିକ ଭାରି ଓଜନ ହୋଇଥାଏ। ଆମ ଗ୍ରାମରେ ଗତ ମହାଯୁଦ୍ଧର ଗୋଟିଏ ଛୋଟା ଅଛି, ତାହାର ଗୋଟିଏ ନକଲି ପାଦ ଅଛି। କିନ୍ତୁ ସେ କହେ ବଡ଼ ଭାରି ସେଇଟା, ତାହାଠାରୁ ବରଂ ବାଡ଼ି ଭଲ। ଆଉ ଯଦି ଲୋକଙ୍କର ବୁଝି ବା ନ ବୁଝିବାର ପ୍ରଶ୍ନ ଉଠେ, ତେବେ ବୁଝିପାରିଲେ, ଏଥିରେ ଲଜ୍ଜିତ ହେବାର କଅଣ ଅଛି? କି ବୋକାମି ସେଇଟା। ସମସ୍ତେ ଦେଖନ୍ତୁ, ଜାଣନ୍ତୁ ସେ ଯୁଦ୍ଧ କରିଛନ୍ତି- ଭାସ୍ୟା, କଣ କହୁଚ?”
ରେଇଜା ତା ନିଜ କଥା ବଜାୟ ରଖିବା ଲାଗି କହିଲା,“ସେଗୁଡ଼ାକ ପୁରୁଣା ଧରଣର କିନ୍ତୁ ବର୍ତ୍ତମାନ କଥା ଅନ୍ୟ ପ୍ରକାରର।”
“ବେଶ୍ ତାହା ଯଦି ହୁଏ ଭଲ।” ଏକାନ୍ତ ଉଦାସୀନ କଣ୍ଠରେ ସ୍ତ୍ରୀଟି ତାହାର କଥାକୁ ସମର୍ଥନ କଲା । “ ଅବଶ୍ୟ ବୁଲାଚଲା କରିବାକୁ ବାଡ଼ିଖଣ୍ଡେ ବଡ଼ ସୁବିଧାଜନକ ନୁହେଁ? ଇଚ୍ଛା ହେଲେ ବଗିଚାରେ ବୁଲିପାରିବ, ରାସ୍ତାରେ ମଧ୍ୟ ଚାଲିପାରିବ, କ୍ରମେ ଅଭ୍ୟାସ ହୋଇଗଲେ ଦରକାର ପଡ଼ିଲେ ଭରାଦେଇ ଡେଇଁଯାଇ ପାରିବ ମଧ୍ୟ। ନୂଆ ନୂଆ ଅବଶ୍ୟ ଟିକିଏ ଅସୁବିଧା ହେବ।” ମସୃଣ ଚଟାଣ ଆଡ଼େ ଅନାଇ ସ୍ତ୍ରୀଟି କହିଲା।
“ହଁ, ଦିଚାରି ଦିନରେ ସେଇଟା ହୋଇଯିବ ଯେ।” ଭାସ୍ୟା ତାହାର କଥାରେ ହଁ ଭରି କହିଲା।
“ଆଚ୍ଛା, ଆସ ଏବେ ଆମେ ବାହାରିବା। କଅଣ କହୁଛ?” ସ୍ତ୍ରୀ ଲୋକଟି ବ୍ୟସ୍ତ ହୋଇପଡ଼ିଲା। ସେ ଶୀଘ୍ର ତାହାର ଭାସ୍ୟାକୁ ହାସପାତାଳର ଏହି ପରିସରର ବାହାରକୁ ନେଇଯିବାକୁ ଚାହେଁ- ସେ ତାକୁ ଏକାନ୍ତରେ ପାଇବାକୁ ଚାହେଁ। “ଷ୍ଟେସନକୁ ଗାଡ଼ି ଯାଉଛି, ତୁମକୁ ପହଞ୍ଚାଇ ଦେବ ଅଳ୍ପ ସମୟ ଭିତରେ ।” ମରିୟା ସଂକ୍ଷେପରେ କହିଦେଲା।
“ତାହାହେଲେ ତ ଚମତ୍କାର ହେବ। ନ ହେଲେ ବାଟଟା ଯେପରି ବୁଲି ବୁଲି ବାରବାଙ୍କରେ ଯାଇଛି ଠିକ୍ ବାଟକୁ ବି ଭୁଲି କୁଆଡ଼େ ଯାଇଥାଆନ୍ତି।” ଖୁସିରେ ଓଲେୟା କହିଗଲା ।
ରେଇଜାର ସାହାଯ୍ୟରେ ଭାସ୍ୟା ଉଠି ଛିଡ଼ା ହେଲା। ଓଲେୟା ତାହାର ହାତ ପାଖକୁ ବେଗେ ବାଡ଼ିଟା ବଢାଇଦେଲା। ବାଡ଼ିଖଣ୍ଡ ଉପରେ ଭରାଦେଇ ଭାସ୍ୟା ସିଧା ହୋଇ ଛିଡ଼ା ହେଲା। ସେ ଅତି ରୁଗ୍ଣ ଏବଂ ଦୀର୍ଘ ଦେଖାଯାଉଛି।
“କି ଭୟଙ୍କର ରୋଗୀ ହୋଇଯାଇଛ ତୁମେ” ବିସ୍ମୟପୂର୍ଣ୍ଣ କଣ୍ଠରେ ଓଲେୟା କହିଲା।
“ଏଠାରେ ଏମାନେ ତୁମକୁ ପେଟପୂରା ଖାଇବାକୁ ଦେଇନାହାନ୍ତି ନା କଅଣ?” ଏପରି ଭାବରେ ଓଲେୟା କଥାଟା କହିଗଲା ଯେପରି ନର୍ସ୍ ପ୍ରଭୃତି ଆଉ ସେଠାରେ କେହି ନାହାନ୍ତି, ଯେପରି ବର୍ତ୍ତମାନ ଭାସ୍ୟା ସହିତ ହାସପାତାଳର କୌଣସି ସମ୍ପର୍କ ନାହିଁ-ବର୍ତ୍ତମାନ ସେ ପୂରା ଓଲେୟାର।
“ତୁମେ ତ ଆଚ୍ଛା କଥା କହିଲ, ଏତେ ମାସ ଧରି ହାସପାତାଳରେ ପଡ଼ିରହିଲି, ସେ କଥାଟା ତୁମେ ବିଲ୍କୁଲ୍ ପାଶୋରି ପକାଇଲ?”
“ବେଶ୍ କିଛି ଚିନ୍ତା ନାହିଁ। ଖୋଇପେଇ ଦୁଇଦିନରେ କିପରି ମୋଟାସୋଟା କରିଦେବି ଦେଖିବ।”ଟେବୁଲ ଉପରେ ଥିବା ପୁଟୁଳିଟା ଉଠାଇ ନେଉ ନେଉ ଓଲେୟା କହିଲା।
ଭାସ୍ୟା ରେଇଜା ଆଡ଼େ ହାତ ବଢାଇଦେଲା ଏବଂ ବାଡ଼ି ଉପରେ ଭରାଦେଇ କେତେ ପାଦ ଆଗେଇ ଯାଇ ମରିୟା ପାଖରେ ଛିଡ଼ା ହେଲା।
“ମୁଁ ଯଦି ଚିଠି ଦିଏ, ନର୍ସ୍, ତୁମେ ଉତ୍ତର ଦେବଟି?”
ତାହାର ଗଳାର ସ୍ବର ମରିୟାକୁ ଉତ୍ତେଜିତ କରି ପକାଇଲା। ଭାସ୍ୟା ହାସପାତାଳର ବିଗତ ଦୁଃଖପୂର୍ଣ୍ଣ ଦିନଗୁଡ଼ିକ କଥା ଭୁଲିଯାଇଛି, ବିଭୀଷିକାମୟ, ଭୟଙ୍କର ରାତିଗୁଡ଼ିକ ବିବାକ ପାଶୋରି ଦେଇଛି; ଯେଉଁ ରାତିଗୁଡ଼ିକ ଦାରୁଣ ଭୟ ଏବଂ ଅସହନୀୟ ବ୍ୟଥାରେ କଟିଛି; ସେ ତାହାର ସେହି ହୃଦୟଭରା ତୀବ୍ର ହତାଶାର କ୍ଷିପ୍ତ ଚିତ୍କାର କଥା ଭୂଲିଯାଇଛି… ଯାହାକୁ ମରିୟାହିଁ କେବଳ ଶାନ୍ତ କରିପାରୁଥିଲା, ତାହାଛଡ଼ା ସମ୍ଭାଳିବାକୁ ଆଉ କାହାରି ଶକ୍ତି ନଥିଲା।
“ନିଶ୍ଚୟ ଉତ୍ତର ଦେବି।” ସଂକ୍ଷେପରେ ମରିୟା ଜବାବ ଦେଲା । ହଠାତ୍ ଭାସ୍ୟା ତାହାର ବାଡ଼ି ଦୁଇଖଣ୍ଡ ନେଇ ବ୍ୟସ୍ତ ହୋଇପଡ଼ିଲା। ମରିୟା ବୁଝିପାରିଲା ନାହିଁ ତାହାର କଅଣ ହେଉଛି, ତାହା ପରେ ଭାସ୍ୟା ତାହାର ଅବଶିଷ୍ଟ ହାତଟି ବଢାଇ ମରିୟାର ଗଳା କଅଣ ହେଉଛି, ତାହା ପରେ ଭାସ୍ୟା ତାହାର ଅବଶିଷ୍ଟ କାତଟି ବଢାଇ ମରିୟାର ଗଳା ଚାପିଧରି ତାହାର ଗାଲ ଉପରେ ଗୋଟିଏ ଚୁମ୍ବନ ଆଙ୍କିଦେଲା । ଗୋଛାଏ କଳା ବାଳ ମରିୟାର ଆଖି ଉପରେ ଆସି ପଡ଼ିଲା । ରୁଦ୍ଧ ଆବେଗରେ ମରିୟାର କଣ୍ଠରୁଦ୍ଧ ହୋଇଆସିଲା । ନୀରବରେ ସେ ଭାସ୍ୟାର ମୁଣ୍ଡ ଉପରେ ମୃଦୁ ମୃଦୁ ସସ୍ନେହ ଆଘାତ କରୁଥାଏ-ଯେପରି କରିବାରେ ସେ ଆଗରୁ ଅଭ୍ୟସ୍ତ ଥିଲା… ଯେତେବେଳେ ସେ ଆହତ ରୁଗ୍ଣ ଅବସ୍ଥାରେ ବିଛଣା ଉପରେ ଗୋଟାଏ ବଡ଼ ପୁତ୍ତଳିକା କରି ପଡ଼ିରହିଥିଲା।
“ସୁଖୀ ହୁଅ ଭାସ୍ୟା!”
ମରିୟା ନର୍ସ୍ମାନଙ୍କର ଘରକୁ ଫେରିଆସିଲା। ତାହାର ଗାଲ ଦୁଇଟି ଗରମ ହୋଇ ଉଠିଛି। ଝରକା ପାଖରେ ଛିଡ଼ାହୋଇ ସେ ଥଣ୍ଡା କାଚ ଉପରେ ତାହାର ତପ୍ତ ଗାଲଟି ଚାପି ଧରିଲା। ଏହା କିପରି ସମ୍ଭବ? କିପରି? ତେବେ କଅଣ ଏହି ଗ୍ରାମ୍ୟ ଝିଅଟି ଅପେକ୍ଷା ମରିୟା ନିକୃଷ୍ଟ? କିପରି ତାହାର କଣ୍ଠରେ ଲପରି ଆନନ୍ଦର ହସ ବାଜି ଉଠିଲା, ସାଧାରଣ ସ୍ବାଭାବିକ କଥା। ଏହି ପ୍ରଥମ ସାକ୍ଷାତରେ ସେ ସମୟରେ ତ ଛାନିଆ ହେଲା ନାହିଁ, ତା ମନରେ ହତାଶ ଆସିଲା ନାହିଁ। ଏହି ଅକର୍ମଣ୍ୟ ଲୋକଟି ଭିତରେ ସେ ନିଶ୍ଚିତ ରୂପେ ତାହାର ଭାସ୍ୟାକୁ ଖୋଜି ପାଇଛି, ଚିହ୍ନିଛି ଏବଂ ଗ୍ରହଣ କରିଛି ତାକୁ ସ୍ବାଭାବିକ ଭାବରେ । ନିଦ୍ରାହୀନ ଦାର୍ଶନିକତାରେ ତାହାର ରାତି କଟିନାହିଁ, ନିଜର ମନ ସହିତ ଲଢାଇ କରିବାକୁ ପଡ଼ିନାହିଁ ତାକୁ। ଆସିଲା,ଆସି ସାଙ୍ଗରେ ନେଇ ଚାଲିଗଲା । ଯେପରି ଚିଠିରେ ଲେଖିଥିଲା ଠିକ୍ ସେହିପରି। ତାହାର ଚିଠିର ପ୍ରତ୍ୟେକଟି ଅକ୍ଷର ସତ, ସେ ତାହାର ପଙ୍ଗୁ ସ୍ବାମୀର ବିକଳ ଅଙ୍ଗକୁ ଏତେ ଟିକିଏ ବି ଢାଙ୍କି ରଖିବାର ଆବଶ୍ୟକତା ଅନୁଭବ କରିନାହିଁ, ବରଂ ସେ ଚାହେଁ ସମସ୍ତେ ଦେଖନ୍ତୁ ତାହାର ଭାସ୍ୟା ଯୁଦ୍ଧକୁ ଯାଇ କିପରି ଲଢିଛି।
ମରିୟାର ଗଳାରୁ ଗୋଟାଏ ଅସ୍ପଷ୍ଟ ଶବ୍ଦ ବାହାରି ଆସିଲା, ଦାନ୍ତକୁ ଚାପି ସେ ଓଠ ଦୁଇଟିକୁ ବୁଜି ରଖିଲା।