“ଭାସ୍ୟା, ପ୍ରିୟତମ…”
ଗୋଟିଏ ହାତରେ ଭରାଦେଇ ରୋଗୀଟି ଟିକିଏ ଉଚ୍ଚା ହୋଇ ଶୁଏ, ଯେପରି ସେ ସେହି ବହୁତ ଥର ଶୁଣିଥିବା କଥାଗୁଡ଼ାକ ସ୍ପଷ୍ଟ ଶୁଣିପାରିବ ।ତାହାର ରକ୍ତହୀନ ପାଉଁଶିଆ ଓଠ କୋଣରେ ଟିକିଏ ହସ ଫୁଟିଉଠେ।
“-ମୋର ପ୍ରାଣଭରା ସମସ୍ତ ପ୍ରେମ ଗ୍ରହଣ କରିବ। ମାଆଙ୍କର ଆଶୀର୍ବାଦ ଗ୍ରହଣ କରିବ, ଖୁଡ଼ୀ ଆଉ ଦେଈ ଫ୍ରୋସିୟାଙ୍କର ସ୍ନେହାଶିଷ ଆଉ ପ୍ରତିବେଶୀଙ୍କର ଶୁଭେଚ୍ଛା। କୁହତ, କାହିଁକି ଲେଖିନ ତୁମର କେଉଁଠାରେ ଆଘାତ ଲାଗିଚି…”
“ମୁଁ ଭାରି ଖୁସି ଅଛି” ବାଧାଦେଇ ଲୋକଟି କହିଉଠିଲା।
“ହଁ, ହଁ, କ୍ଷମାକର, ମୁଁ ଦେଖି ପାରିନାହିଁ।” ମରିୟା କହିଲା।
“ମୁଁ ଭାରି ଖୁସି ହୋଇଛି, ତୁମେ କେଉଁଠାରେ ଅଛ ଜାଣିପାରେ କି ତୁମର ଠିକଣା । କିନ୍ତୁ କୁହ ତ କେଉଁଠାରେ ଆଘାତ ଲାଗିଛି, କାହିଁକି ଲେଖି ନ ?”
କିଛି ସମୟ ମରିୟା ଚୁପ୍ ହୋଇ ବସିରହିଲା॥ ତାହାର ମନେ ପଡ଼ିଗଲା, କରଧାଡ଼ିରେ କଅଣ ଲେଖାଅଛି। ମରିୟାର ଅନ୍ତର ସଙ୍କୁଚିତ ହୋଇଆସିଲା। ଲୋକଟି ଅବାକ୍ ହୋଇ ତାହା ଆଡ଼କୁ ଚାହିଁଲା ।
“ଟିକଏ ଅପେକ୍ଷା କର, ଏ ଜାଗାଟା ଏକବାରେ ଲିଭିଯାଇଛି କି ନା…।”
“କହି ଦେଇଛି ମୁଁ।” ଲୋକଟି କହିଗଲା।
“ହଁ,ହଁ, ନିଶ୍ଚୟ ତୁମକୁ ଜଣାଇ ଦେଉଛି, ମୁଁ ଚାଲିଯିବି ତାହାହେଲେ; ସୁତରାଂ ଲେଖି କଅଣ କେଉଁଠାରେ ଆଘାତ ଲାଗିଛି। ଆଉ ଗୋଟାଏ କଥା, ଧର ଯଦି ଚିରଦିନ ପାଇଁ ଅକର୍ମଣ୍ୟ ହୋଇଯାଇଥାଅ-ବାଜେ ଚିନ୍ତା କିଛି ମୁଣ୍ଡକୁ ଆଣନା। ଯେପରି ଥିଲି ଠିକ୍ ସେହିପରି ତୁମ ପାଖରେ ଚିରଦିନ ରହିବି।”
ମରିୟାର କଣ୍ଠ କ୍ଷୀଣରୁ କ୍ଷୀଣତର ହୋଇ ମିଳାଇଗଲା । ଭାସ୍ୟା ହାତ ବଢାଇଲା, “ଦିଅ ତ ମୋର ଚିଠିଟା”।
“ଆଉ ପଢି ଶୁଣାଇବାର ଦରକାର ନାହିଁ ତାହାହେଲେ? ଏତେବେଳେ ମରିୟା ତା ନିଜ କଣ୍ଠର ନିର୍ଜୀବତା ଅନୁଭବ କରିପାରିଲା।
ନା, ଆଉ ଦରକାର ନାହିଁ ସେଟା ମୋତେ ଦିଅ।” ଭାସ୍ୟାର କଣ୍ଠରେ ଅସ୍ଥିରତାର ସ୍ବର। ଜୀର୍ଣ୍ଣ ମଳିନ କାଗଜ ଖଣ୍ଡ ମରିୟା ହାତରୁ ନେଇ ସେ ସଯତ୍ନରେ ଭାଙ୍ଗ କରି ତକିଆ ତଳେ ରଖିଦେଲା, ତାହାପରେ କୁଟିଳ ଦୃଷ୍ଟିରେ ମରିୟା ଆଡ଼େ ଚାହିଁଲା ।
“ଧନ୍ୟବାଦ ନର୍ସ୍। ମୋର କିଛି ଦରକାର ନାହିଁ।”
“ହଁ, ସେଇଆ” ଏତିକି କହି ଭାସ୍ୟା କାନ୍ଥ ଆଡ଼କୁ ମୁହଁ ଫେରାଇ ଶୋଇପଡ଼ିଲା, ଯେପରି ତାହା ସହିତ ଆଉ କୌଣସି କଥା କହିବାକୁ ସେ ଚାହେଁନାହିଁ।
“ତୁମେ ଶୋଇବ ବର୍ତ୍ତମାନ?”
“ହଁ, ଟିକିଏ ଶୋଇବାକୁ ଚେଷ୍ଟା କରିବି ।”
ମରିୟା ତାହାର ଶେଯଟି ଟାଣିଦେଇ ଧୀରେ ଧୀରେ ଚାଲିଗଲା, ତାହାପରେ ପିଣ୍ଡାକୁ ବାହାରିଆସି ଝରକା ସାମନାରେ ଚୁପ୍ ହୋଇ ଛିଡ଼ା ହୋଇଗଲା। କି ବ୍ୟାପାର? ଏହାର ଅର୍ଥ କଅଣ? କେତେଥର ତ ସେ ଭାସ୍ୟାକୁ ଚିଠିଟା ପଢାଇ ଶୁଣାଇଛି, ଆଉ ପ୍ରତ୍ୟେକ ଥର ସେ ଆନନ୍ଦ ଅନୁଭବ କରିଛି, ପାଇଛି ଶାନ୍ତି, ଆଉ ଜୀବନ ପ୍ରତି ନୂତନ ବିଶ୍ବାସ ଆସିଛି ତାର, ଭବିଷ୍ୟତ ସମାଜ ପ୍ରତି ବିଶ୍ବାସ ଆସିଛି, ତେବେ କଅଣ ତାହାର କିଛି ପରିବର୍ତ୍ତନ ହୋଇଛି? ସେହିପରି କାହିଁକି ସେ ଚିଠିଟା ପଢିପାରିଲା ନାହିଁ; ତାହାର ପଢିବାର ସ୍ବର ଭିତରେ ଲେଖାଟିର ସ୍ବାଭାବିକ ରଙ୍ଗ, ମାଧୁର୍ଯ୍ୟ ସବୁକିଛି ନଷ୍ଟ ହୋଇଯାଇଛି। କି ଅଧିକାର ଅଛି ମରିୟାର ଯେ ଏ ତରୁଣ ଜୀବନଟିର ସମସ୍ତ ଆଶା, ସବୁ ବିଶ୍ବାସ ଏପରି ନଷ୍ଟ କରିଦେବ ଯେ? ଯାହାର ଜୀବନ ସେ ଦିନେ ନିଜ ହାତରେ ଫେରାଇ ଆଣିଥିଲା।
“କଅଣ ହୋଇଛି ତୋର? କଅଣ ହୋଇଗଲୁଣି ତୁଁ” ଝରକାର କାଚଦେହରେ ନିଜର ଗରମ କପାଳକୁ ଚାପିରଖି ମରିୟା ନିଜକୁ ପ୍ରଶ୍ନ କଲା, “ତୁ କଣ ମରିୟା?”
ଧୀରେ ମରିୟା ସିଡ଼ି ଦେଇ ଓହ୍ଲାଇ ଆସିଲା। ଏହି ସେହି ଚିର ପରିଚିତ ବାରଣ୍ଡାଟା, ଯେଉଁ ବାରଣ୍ଡା ଉପରେ ଉଆର୍ଡ଼ ବା ଅପରେସନ୍ ଥିଏଟରକୁ ଯିବାଆସିବା ବାଟରେ ଶତ କଣ୍ଠସ୍ବର ଜାଗି ଉଠୁଥିଲା, ତ୍ରସ୍ତପଦରେ ମରିୟାକୁ ଦଉଡ଼ିଯିବାକୁ ହେଉଥିଲା, ସେହି ରୋଗୀମାନଙ୍କ ପ୍ରତି ତାହାର ଅନ୍ତର ଦୟା- ପ୍ଳାବିତ ହୋଇଉଠୁଥିଲା, ସ୍ବତଃପ୍ରବୃତ୍ତ ମମତା ଜାଗି ଉଠୁଥିଲା ତାହାର ପ୍ରାଣରେ, ଆଉ ଏକ ଅଦ୍ଭୁତପୂର୍ବ ଆନନ୍ଦରେ ତାହାର ମନ ଭରି ଉଠୁଥିଲା।
କିନ୍ତୁ ଆଜି ବାରଣ୍ଡାଟା ନୀରବ, ଯେପରି ଅତି ସାଧାରଣ , ଶୀତଳ, ସାଧାସିଧା ଗୋଟାଏ ବାରଣ୍ଡା, ଖଣ୍ଡେ ସରୁ ନାଲି ଗାରିଗାରିକା ସତରଞ୍ଜିରେ ଏ ମୁଣ୍ଡରୁ ସେ ମୁଣ୍ଡଯାଏଁ ଢଙ୍କା । ୱାର୍ଡ଼ର ବନ୍ଦ କବାଟ ଭିତରେ ପାଗଟା ବି ନୀରବ; କାନ୍ଥ ଦେହରୁ ଯେପରି ଥଣ୍ଡା ନିଃଶ୍ବାସ ବିଛୁଡ଼ି ହୋଇପଡ଼ୁଛି… ସେହି କାନ୍ଥ ଯାହାକୁ ସେ ଦିନେ ନିଜ ଘରର କାନ୍ଥ ବୋଲି ମନେ କରୁଥିଲା।
“ତୋ ନିଜ ଭିତରେ ପରିବର୍ତ୍ତନ ଆସଛି, ନୂତନ ମନୁଷ୍ୟ ପାଲଟିଯାଇଛୁ।” ସିଡିରେ ଓହ୍ଲାଇ ଯାଉଯାଉ ମରିୟା ନିଜକୁ ଉଦ୍ଦେଶ୍ୟ କରି ଆପଣା ମନରେ କହିଉଠେ । ‘କେତେ ଲୋକ ସିଡ଼ିରେ ଓହ୍ଲାଇ ଯାଇଛନ୍ତି, ଯେଉଁମାନଙ୍କୁ ସେ ନିଜ ହାତରେ ବଞ୍ଚାଇ ଉଠାଇଛି, ଅନିବର୍ଯ୍ୟ ମୃତ୍ୟୁର ହସ୍ତରୁ ଛଡ଼ାଇ ଆଣିଛି। ସେମାନେ ଚାଲିଯାଇଛନ୍ତି,କିନ୍ତୁ ଆଜି ମଧ୍ୟ ସେମାନଙ୍କ ସ୍ମୁତି ପଟରେ ଉଜ୍ଜ୍ବଳ ହୋଇରହିଛି ତାହାର ନାମଟି। ଆଉ ସେହି ଭାସ୍ୟା ବି ତାହା ପ୍ରତି ବିମୁଖ ହୋଇଉଠିଛି? ମରିୟା ତାର ଚିଠିଟା ଭଲ କରି ପଢିପାରିଲା ନାହିଁ, ସେଇଥିପାଇଁ ତ ନୁହେଁ ? କି ଏକ ଅନୁଭୂତି ବଳରେ ସେ ମଧ୍ୟ ଜାଣିପାରିଲା ଯେ ତାହା ଭିତରେ ଗୋଟାଏ ଆମୂଳ ପରିବର୍ତ୍ତନ ଆସିଛି, ମରିୟା ଯେପରି ତାହା ସହିତ ପ୍ରତାରଣା କରିଛି। କିନ୍ତୁ ଏହା ବି ତ ହୋଇପାରେ ଯେ ମରିୟା ନିଜେ ପ୍ରବଞ୍ଚିତ ହୋଇଛି, ଜୀବନ ପାଖରେ ଭୀଷଣ ଭାବରେ ପ୍ରତାରିତ ହୋଇଛି। ସେ ଯାହା କିଛି ବିଶ୍ବାସ କରିଥିଲା ସେଥିରୁ ପ୍ରବଞ୍ଚିତ ହୋଇଛି, ଯାହାକୁ ଜୀବନର ଶ୍ରେଷ୍ଠ ସଂମ୍ପଦ ବୋଲି ମନେ କରିଥିଲା ।
“କିନ୍ତୁ ତାହାହିଁ ଯଦି ହୁଏ ତେବେକାହିଁକି ତାହାର ଏହି ଅଶ୍ବସ୍ତି , କାହଁକି ଏ ଅପରାଧୀ ମନୋଭାବ, ଏହି ଲଜ୍ଜା…ଯାହା ମୁହୂର୍ତ୍ତକ ପାଇଁ ଦୂରକୁ ଯାଉନାହିଁ। ଯେତେବେଳ ସେ ରୋଗୀମାନଙ୍କର ଶୁଶ୍ରୂଷା କରିବାକୁ ଯାଉଛି ତାକୁ ମୁଣ୍ଡ ଟେକି ଚାଲିବାକୁ ଲଜ୍ଜ୍ୟା ହେଉଛି। କାହିଁକି ଆଜି ସେମାନଙ୍କର ଉନ୍ମୁଖ ଆଗ୍ରହାକୁଳ ଜିଜ୍ଞାସୁ ଦୃଷ୍ଟି ସାଙ୍ଗରେ ତାହାର ଅଖି ମିଳାଇ ପାରୁନାହିଁ ସେ ? କାହିଁକି ଆଜି ସେମାନଙ୍କର ପ୍ରଶ୍ନର ଉତ୍ତର ଆଜି ଦେଇପାରୁନାହିଁ…ଯେପରି ଆଗେ ଦେଇପାରୁଥିଲା?”
“କଅଣ ହୋଇଯାଇଛୁ ତୁ ମରିୟା ?” ମରିୟା ତାହାର ଅନ୍ତରକୁ ପଚାରେ, ଆଉ ଦେଖେ ତାହାର ଅନ୍ତରର ସମସ୍ତ ଐଶ୍ବର୍ଯ୍ବ୍ୟ, ସମସ୍ତ ସମସ୍ତ ସମ୍ପଦ ଆଜି ଧୂଳିରେ ଲୋଟିଯାଇଛି।
ଡାକ୍ତର ଭରୋନତ୍ସଭ୍ର ଜୀବନରେ ମଧ୍ୟ ଦୁର୍ଦ୍ଦିନର କଳାମେଘ ଘୋଟିଆସେ, ଚୁପ୍ଚୁପ୍ ଆସି ତାହାର ସମସ୍ତ ଅନ୍ତରାତ୍ମାକୁ ତାହା ଆଚ୍ଛାଦିତ କରି ପକାଇଛି; ନିଜର ଅଜ୍ଞାତରେ ତାକୁ ସମ୍ପୂର୍ଣ୍ଣ ଅଭିଭୂତ କରି ପକାଇଛି । ଗୋଟିଏ ଅନ୍ଧ ସଇତାନି ଶକ୍ତି ଜାଗିଉଠିଛି, ଆଉ ସେ ଦୁର୍ବାର ଶକ୍ତି ପାଖରେ ସେ ନିଜକୁ ଅତି ଅସହାୟ ମନେ କରୁଛି।
ପିଣ୍ଡା ଉପରେ ମରିୟା ଚାଲିକରି ଯାଉଥାଏ , ତାହାର ଦୁଇଟି ଆଖିରେ ଗଭୀର କଳାଛାଇ ଢାଙ୍କି ହୋଇଯାଇଛି, ମୁହଁଟି ଶୀର୍ଣ୍ଣବିଷଣ୍ଣ। ଏହି ସେହି ମରିୟା ଯାହାକୁ ଭରୋନତ୍ସଭ୍ ସ୍ନେହ କରେ, ଦୁନିଆରେ ଏହି ଗୋଟିଏ ମାତ୍ର ନାରୀ ଯାହାକୁ ସେ ପ୍ରାଣ ଦେଇ ଭଲପାଏ। ଅବଶ ହୋଇ ତାହାର ହାତ ଦୁଇଟି ଓହଳି ପଡ଼ିଛି, ଦାରୁଣ କ୍ଳାନ୍ତିରେ କାନ୍ଧ ଦୁଇଟା ନଇଁ ଆସିଛି; ଭରୋନତ୍ସଭ୍ର ଇଚ୍ଛାହୁଏ ତାକୁ ଦୁଇ ହାତରେ ଟେକିନେଇ କୁଆଡ଼େ ଦୂରକୁ ଦଉଡ଼ି ପଳାଇଯିବ- ବହୁତ ଦୂରକୁ, ରୌଦ୍ରାଜ୍ଜ୍ବଳ ପାହାଡ଼ଘେରା ବନତଳକୁ, ଅସରନ୍ତି ଧାରାରେ ଝରିପଡ଼ୁଥିବା ଝରଣା-ମୁଖରିତ ଦେଶକୁ । ରୌଦ୍ରତପ୍ତ ଦିବସର ମଧ୍ୟାହ୍ନରେ ତା ମୁଣ୍ଡ ଉପରେ ସବୁଜ ବଣର ଶୀତଳ ଛାଇ ଢାଙ୍କିଦେବ; ଦିଗନ୍ତବ୍ୟାପି ଏହି ଘନନୀଳିମା ଆଡ଼େ ଫେରିଆସିବ ତାହାର ଆଖି, ମନରୁ ସମସ୍ତ ଭାବନା, ସମସ୍ତ ଚିନ୍ତା ପୋଛି ପକାଇ ନିଶ୍ଚିନ୍ତ ହୋଇଯିବ ସେ।
ନୀରବରେ ମରିୟା ତାହାର ସ୍ବାଭାବିକ ନୈପୁଣ୍ୟ ସହକାରେ ଯନ୍ତ୍ରପାତି ବଢାଇଦିଏ…ଠିକ୍ ସେପରି ସେ ଆଗରୁ ଦେଉଥିଲା । କିନ୍ତୁ ତାହାର ମୁହଁଟିସାରା ଅସହ୍ୟନୀୟ ବ୍ୟଥାରେ ବିରକ୍ତରେଖା ଫୁଟି ଉଠିଛି… ଯାହା କୌଣସି ଦିନ ତାହାର ମୁହଁରେ ଦେଖାଯାଉନଥିଲା, ଆଖି ଦୁଇଟି ନିଷ୍ପ୍ରଭ, ମୃତବ୍ୟକ୍ତିର ଚକ୍ଷୁ ଯେପରି।