॥ ତେର ॥
“ଆସିଗଲ,ମରିୟା ପ୍ୟାଭ୍ଲୋଭ୍ନା । ତୁମକୁ ବାଦ୍ଦେଇ ଆମେ କାମ ଆରମ୍ଭ କରିବାକୁ ଚାହିଁଲୁ ନାହିଁ। ତୁମର ସ୍ବାମୀଙ୍କର ବ୍ୟାଣ୍ଡେଜ୍ ବାନ୍ଧିବାରେ ତୁମେ ନିଜେ ସାହାଯ୍ୟ କରିବା ଦରକାର,କଅଣ କହୁଛ?” ଅମାୟିକ ହସରେ ବୃଦ୍ଧ ପ୍ରଫେସରଙ୍କ ମୁହଁଟି ଉଜ୍ଜ୍ବଳ ହୋଇଉଠିଲା ।
“ଯନ୍ତ୍ରଚାଳିତ ପରି ମରିୟା ବ୍ୟଣ୍ଡେଜ୍, ଆୟୋଡ଼ିନ , ସ୍ପିରିଟ୍ ପ୍ରଭୃତି ଡାକ୍ତରଙ୍କ ହାତରେ ଯୋଗାଇଦେଲା , ଟିକିଏ ହେଲେ ତାହାର ହାତ ଥରୁନାହଁ।ଏତେ ଟିକିଏ ଚାଞ୍ଚଲ୍ୟ ତାହା ଠାରେ ଲକ୍ଷିତ ହେଉନାହିଁ ପ୍ରତିଦିନର ଅଭ୍ୟାସ ପରି ସବୁ କାମ ସେ କରିଯାଉଛି। ବୃଦ୍ଧ ପ୍ରଫେସର ଅବଶ୍ୟ ଭାବୁଛନ୍ତି ସେ ଗ୍ରେଗରୀର ବ୍ୟାଣ୍ଡେଜ୍ ବାନ୍ଧିବାରେ ମରିୟା ବଡ଼ ଆନନ୍ଦ ଅନୁଭବ କରୁଛି, ତେଣୁ ତାକୁ ଛାଡ଼ି ସେ କାମ ଆରମ୍ଭ କରିନାହାନ୍ତି।
କେତେଶହ ଥର ମରିୟା ଏହି ଅପରେସନ୍ ଥିଏଟର୍ରେ ଡାକ୍ତରମାନଙ୍କର ସହଯୋଗିତା କରିଛି, କେତେ ଦିନ କେତେଥର ସେମାନଙ୍କ ହାତକୁ ବ୍ୟାଣ୍ଡେଜ୍ ଆଉ ଯନ୍ତ୍ରପାତି ବଢାଇ ଦେଇଛି। ଏହି ଅପରେସନ୍ ଟେବୁଲ୍ ଉପରେ ଯେ ମାଂସପିଣ୍ଡଟା ପଡ଼ିରହିଛି ସେ ହେଉଛି ଗ୍ରେଗରୀ। ବାଜେ କଥା, କଦାପି ସେ ଗ୍ରେଗରୀ ନୁହେଁ। ଯଦି ଏହି ମୁହୂର୍ତ୍ତରେ ପ୍ରଫେସର ତାର ମନୋଭାବ ବୁଝିପକାନ୍ତି, ତାହାହେଲେ ସେ ତାକୁ ଅପରେସନ୍ ରୁମ୍ରୁ ତଡ଼ିଦେବେ, ଆଉ କୌଣସିଦିନ ଏଠାକୁ ଆସିବାକୁ ଦେବେନାହିଁ। କାମ କରୁ କରୁ ବହୁବାର ଆଖିଟେକି ମମତାଭରା ଦୃଷ୍ଟିରେ ତାହା ଆଡ଼େ ଚାହିଁଛନ୍ତି ସେ । ହଁ, ମାନନୀୟ ପ୍ରଫେସରଙ୍କ ପାଖରେ କଥାଟା ଅତି ସରଳ ମନେହେଉଛି, ସେ ଯେତେବେଳେ ସଶରୀରେ ଫେରିଆସିଛି, ସେତେବେଳେ ନିଶ୍ଚୟ ସ୍ତ୍ରୀଟି ଆନନ୍ଦରେ ଆତ୍ମହରା ହୋଇଯାଇଛି। ଏହାଛଡ଼ା ଆଉ ବା କଅଣ ଭାବିପାରନ୍ତି ପ୍ରଫେସର? ନିଶ୍ଚୟ ନିଜର ସ୍ବାମୀ ପାଇଁ ବ୍ୟାଣ୍ଡେଜ୍ ବାନ୍ଧିବାରେ ମରିୟା ଆନନ୍ଦ ଅନୁଭବ କରିବ-ସେଥିପାଇଁ ସେ ତାକୁ ଅପେକ୍ଷା କରିଛନ୍ତି –ତାକୁ ବାଦ୍ଦେଇ କାମ କରିବାକୁ ଚାହିଁନାହାନ୍ତି। କି ଦୟାଳୁ, କି ବିବେକୀ ସେ।
ଧୋବ ଗାଙ୍ଗୁଲୀ ଭିତରେ ଏହି ଯେ ରକ୍ତ, ତାହା ହେଉଛି ଗ୍ରେଗରୀ ଦେହର ରକ୍ତ। ଇତସ୍ତତଃ ଜଟ ପଡ଼ିଥିବା ଗୁଡ଼ାଏ ବାଳ, ସେ ହେଉଛି ଗ୍ରେଗରୀ ମୁଣ୍ଡର ବାଳ। ଏହି ଯେ ରକ୍ତରଞ୍ଜିତ ମୁହଁଟି ଆସ୍ତେ ଆସ୍ତେ ବ୍ୟାଣ୍ଡେଜ୍ ତଳେ ଲୁଚିଯାଉଛି। ସେ ହେଉଛି ଗ୍ରେଗରୀର ମୁହଁ।
“ଆଉ ଜୀବନ ସାରା ଏହାହିଁ ଚାଲିବ।” ଏକାନ୍ତ ସତର୍କତା ସହକାରେ ବ୍ୟାଣ୍ଡେଜ୍ ପକାଉ ପକାଉ ମରିୟା ମନେ ମନେ ଭାବିଲା ତାହାପରେ ଦିନେ ଗ୍ରେଗରୀ ଘରକୁ ଆସିବ –ଆଉ ସେହି ଘର ହେଲା, ଯେଉଁ ଘର ସେ ଦୁହେଁ ଦିନେ ତିଆରି କରିଥିଲେ, ସଯତ୍ନରେ ସୁନ୍ଦର କରି ସଜାଇଥିଲେ; ସେ ଆସି ସେହି ଘରେ ରହିବ, ଯେଉଁ ଘରର ପ୍ରତ୍ୟେକ ଜିନିଷ ପ୍ରତି ମୁହୂର୍ତ୍ତରେ ସେମାନଙ୍କର ସୁଖଶାନ୍ତିଭରା ଆନନ୍ଦ-ଉଚ୍ଛୁଳା ଦିନଗୁଡ଼ିକର ସ୍ମୃତିଚାରଣ କରାଇବ। କିନ୍ତୁ ଆଜି ଆଉ ସେ ଦିନର ସ ଗ୍ରେଗରୀ ବଞ୍ଚି ରହିନାହିଁ, ସେ ମରିୟା ମଧ୍ୟ ବଞ୍ଚି ରହିନାହିଁ, ସମ୍ପୂର୍ଣ୍ଣ ନୂତନ ଲୋକ ସେମାନେ, ପରସ୍ପର ପରସ୍ପର ଠାରେ ସମ୍ପୂର୍ଣ୍ଣ ଅପରିଚିତ-ଭୟଙ୍କର ଅସହ୍ୟ…।
ମରିୟା ନିଜେ ମଧ୍ୟ କମ୍ ଭୟଙ୍କର ହୋଇଉଠିନାହିଁ ଗ୍ରେଗରୀଠାରୁ । କେହି ଅବଶ୍ୟ ତାହା ଲକ୍ଷ୍ୟ କରିନାହିଁ । ଶେଷରେ ଦିନେ ସମସ୍ତେ ବୁଝିପାରିବେ। ମରିୟାର ଭାରାକ୍ରାନ୍ତ ହୃଦୟର ଶୂନ୍ୟତା, କାଠିନ୍ୟ ତାହାର ମୁହଁ ଉପରେ ଛାୟା ପକାଇବ ନାହିଁ, କି କୌଣସି ରେଖାପାତ କରିବ ନାହିଁ, ଏହା କି ସମ୍ଭବ?
“ହୋଇଯାଇଛି,ଏଥର ତୁମେ ତୁମ ସ୍ବାମୀଙ୍କୁ ନେଇଯାଇପାର।” କୌତୁକରେ ହସି ହସି ପ୍ରଫେସର ଅଭ୍ୟାସଗତ ନୈପଣ୍ୟ ସହ ଗ୍ରେଗରୀର ଚକ ଲାଗିଥିବା ଷ୍ର୍ଟେଚରଟା ଦୁଆର ଆଡ଼କୁ ମରିୟା ଠେଲି ନେଇଗଲା ।
ଅପରିସୀମ କ୍ଳାନ୍ତିର କଳାଛାଇ ଆଖି ଦୁଇଟି ଢାଙ୍କି ପକାଇଛି । ପାଦ ଦୁଇଟି କନ୍ କନ୍ ହୋଇ ବିନ୍ଧି ଉଠୁଛି, ତାହା ସଙ୍ଗେ ସଙ୍ଗେ ହାତ ମଧ୍ୟ। ବ୍ୟଥାଭରା ନୈରାଶ୍ୟର ଗୁରୁଭାରରେ ଅନ୍ତର ପେଷି ହୋଇଯାଇଛି। ସବୁ ସମୟରେ ଏଇ ଏକ ଭାବ,ଏଇ ଅବସ୍ଥା।ଛ’ ନମ୍ବର ରୋଗୀଟି ଯନ୍ତ୍ରଣାରେ ଚିତ୍କାର କରୁଛି। ଦୋତାଲା ଘରେ ମେଜର୍ ମରି ଯାଇଛନ୍ତି, ଦଶ ନମ୍ବର ତରୁଣ ସୈନିକଟି ଆଜି ଛୁଟି ପାଇ ଘରକୁ ଫେରିଯାଉଛି।
ମରିୟା ପ୍ରଥମେ ଅନୁଭବ କଲା ଯେ ତାହାର ସମସ୍ତ ଦେହ-ମନ ନିଦାରୁଣ ଅବସାଦରେ ପୂର୍ଣ୍ଣ ହୋଇଯାଇଛି। ପ୍ରବଳ ଚେଷ୍ଟାରେ ତାକୁ ସବୁ ସମ୍ଭାଳି ନେବାକୁ ହେବ, ଜୋର୍ କରି କାମ କରିବାକୁ ହେବ। ଆଉ ଗ୍ରେଗରୀର ହସ…। ଆଉ ତାହାର କଣ୍ଠରୁ ମରିୟା ଶକ୍ତି, ଆନନ୍ଦ, ପ୍ରେରଣା ଆହରଣ କରିବାକୁ ଚାହୁଁନାହିଁ। ଦିନରାତି ସବୁ ସମୟରେ ଗ୍ରିଶା ତାହାର ଚିରସାଥୀ ଥିଲା, ତାହା ସକଳ କାର୍ଯ୍ୟରେ । ଆହତ ରୋଗୀର ବିଛଣା ପାଖରେ ଛିଡ଼ା ହୋଇ ମରିୟାର କାନେ କାନେ ସାନ୍ତ୍ବନାର ବାଣୀ କହି ଦେଉଥିଲା ସେ; ସେ ବାଣୀର ପ୍ରଭାବରେ ମୃତ୍ୟୁପଥଯାତ୍ରୀର ପାଣ୍ଡୁର ମୁଖରେ ମଧ୍ୟ ଆଶାର ଆଲୋକ ଫୁଟିଉଠେ । ରୋଗୀମାନଙ୍କୁ ଉଠାଇ ଆଣିବାରେ ଗ୍ରିଶାର ଶକ୍ତି ତାହାର ବାହୁରେ ବଳ ଆଣି ଦେଉଥିଲା। ସବୁଥିରେ ଗ୍ରିଶା ତାହାର ସାଥୀରେ ରହୁଥିଲା… ଅନ୍ତରାଳରେ ରହି ସକଳ କାର୍ଯ୍ୟରେ ପ୍ରେରଣା ଆଣି ଦେଉଥିଲା ସେ । ରୋଗୀମାନଙ୍କର ବ୍ୟାଣ୍ଡେଜ୍ ବାନ୍ଧିବା ସମୟରେ ତାର ମନେହୁଏ ଯେପରି ଗ୍ରିଶାର ଆହତ ସ୍ଥାନରେ ବ୍ୟାଣ୍ଡେଜ୍ ବାନ୍ଧି ଦେଉଛି ସେ, ଗ୍ରିଶାର ତୃଷିତ ଓଠରେ ସେ ଯେପରି ପାଣି ଦେଉଛି, ତାହା ଆଡ଼କୁ ଅନାଇ ଯେପରି ସେହି ସୁମଧୁର ହସ ହସୁଛି। ପ୍ରତ୍ୟେକ ଆହତ ରୋଗୀର ମୁଖରେ ସେ ଗ୍ରେଗରୀର ଛାଇ ଦେଖିପାରେ ।