ଏଇ ହେଉଛି ଗ୍ରେଗରୀ। କଠିନ ପ୍ରଚେଷ୍ଟାରେ ମରିୟା ଆତ୍ମସମ୍ବରଣ କଲା। ତା’ ପରେ ତାହା ପାଖକୁ ଆଗେଇ ଯାଇ ଆରାମଚୌକି ପାଖରେ ଆଣ୍ଠୁମାଡ଼ି ବସିଲା। ହଁ, ଏହାହିଁ ତ କରିବାକୁ ହେବ ବର୍ତ୍ତମାନ । ଆଉ ଗୋଟିଏ ମରିୟା ଯେପରି ତାହା ପାଖରେ ଠିଆ ହୋଇ ଯାହା ଯାହା କରିବାର କଥା ସବୁ ବତାଇ ଦେଉଛି।
ପାଦ ଚାପି ଚାପି ଭରୋନତ୍ସଭ ଘରଛାଡ଼ି ବାହାରି ଗଲା ଏବଂ ବାହାରୁ ଦରଜାଟା ବନ୍ଦ କରିଦେଲା।
“ମରିୟା।”
ପାଖରେ ଛିଡ଼ା ହୋଇଥିବା ସେହି ମରିୟାର ନିର୍ଦ୍ଦେଶ ଅନୁଯାୟୀ ମରିୟା ନିଜକୁ ସମ୍ଭାଳି ନେଲା, ତା’ ପରେ ଆଖି ଟେକି ତାହାର ବିକୃତ ମୁହଁଟି ଆଡ଼େ ଚାହିଁଲା । ମରିୟାର ଆଖି ଆଗରେ ଅନ୍ଧକାର ଘନେଇ ଆସିଛି- ସେ ଯେପରି କିଛି ଦେଖିପାରୁନାହିଁ। କିନ୍ତୁ ତାହା ପାଖରେ ଛିଡ଼ା ହୋଇଥିବା ମରିୟା କଠୋର ଭାବରେ ତିରସ୍କାର କରି ଉଠିଲା ଆଉ ନିର୍ଦ୍ଦେଶ ଦେଲା । ତାକୁ ବର୍ତ୍ତମାନ କଅଣ କରିବାକୁ ହେବ- ଅମୋଘ, ଅଲଙ୍ଘନୀୟ ସେ ନିର୍ଦ୍ଦେଶ ।
“ତୁମ ପାଖକୁ ଫେରି ଆସିବାକୁ ଚାହିଁନାହିଁ, ତୁମକୁ ଦେଖାଦେବାକୁ ଚାହଁନାହିଁ…।” ଗୋଟାଏ ଅନୁଚ୍ଚ କଠିନ କଣ୍ଠ ମରିୟା କାନରେ ବାଜିଲା, ନିଶ୍ଚୟ ବର୍ତ୍ତମାନ ତାକୁ କିଛି କହିବାକୁ ହେବ, ସମୟ ଉପଯୋଗୀ ଗୋଟାଏ କଥା ମରିୟା ତାର ମନେ ମନେ ଖୋଜି ବୁଲିଲା, କିନ୍ତୁ ପାଉନାହିଁ।ଯେଉଁ କଥାଟା ତାହାର ପ୍ରଥମେ ମନେପଡ଼ିଗଲା, ତା’ ହେଉଚି-
“ରାଗ କରନି ସୁନାଟି…ଭିକ୍ଟର ମତେ ସବୁ କହିଚି…ପରେ ବୁଝିଲି ସେଟା ମୋର ଭୂଲ୍।”
“ଓଃ, ଭରୋନତ୍ସଭ।”ମରିୟାର ମନେ ହେଲା ଯେପରି ଅବସ୍ଥାଟା ସହଜ ହୋଇଆସିଛି। ନିଶ୍ଚୟ ଭରୋନତ୍ସଭର ତାକୁ ସବୁ କହିଛି…ଆଉ କଅଣ ଦରକାର ତାହାର?
ମରିୟାର କେଶଗୁଚ୍ଛ ଉପରେ ଗ୍ରିଶାର ହାତର ସ୍ପର୍ଶ… କିନ୍ତୁ ମରିୟାର ମନକୁ ବାରମ୍ବାର ଭୟ ଘୂରି ଘୂରି ଫେରି ଆସୁଛି- ସେହି କଥାଟା ବାରମ୍ବାର ସମସ୍ତ ଚିନ୍ତା ଏବଂ ଅନୁଭୂତିକୁ ଆଚ୍ଛାଦିତ କରି ଗୋଳମାଳିଆ କରୁଛି। ମରିୟା ଟିକିଏ ଘୁଞ୍ଚି ବସିଲା। ତାହାର ଆଣ୍ଠୁ ଉପରେ କହୁଣି ଭରାଦେଇ ବସିବାର ଆଉ ଉପାୟ ନାହିଁ ବର୍ତ୍ତମାନ, ଯେପରି ସେ ଆଗେ ବସୁଥିଲା। ପୁଣି ସେ ତାହାର ମୁହଁଆଡ଼େ ଚାହିଁବାକୁ ମରିୟା ଡରୁଛି।
ମରିୟା କହିବାକୁ ଆରମ୍ଭ କଲା, ‘ପ୍ରିୟତମ।’
ମରିୟା ଆଖି ବୁଜିଛି, ହୁଏତ ଆନନ୍ଦରେ, ଅସହନୀୟ ସୁଖରେ ଆତ୍ମହରା ହୋଇ କଣ ଭାବିବ ଗ୍ରିଶା?... ମରିୟା ଯେ ତାହାର ହୃଦୟର ଶୂନ୍ୟ ସ୍ଥାନଟା ଆଡ଼େ ଚାହିଁ ରହିଛି, ଏହା ସେ କଣ ବୁଝିପାରିବ ନାହିଁ? ଗୋଟାଏ ଦାରୁଣ ଭୟଙ୍କର ରୂପ ଛଡ଼ା ଆଉ କିଛି ନାହିଁ। କେତେ ବିଭତ୍ସ ବିକୃତି- କେତେ ସବୁ ଭୀଷଣ ଆଘାତର କ୍ଷତ ପ୍ରତିଦିନ ତାକୁ ଦେଖିବାକୁ ହୋଇଛି ଏହି ହାସପାତାଳରେ । ନିଜ ହାତରେ ବ୍ୟାଣ୍ଡେଜ୍ ବନ୍ଧା ହୋଇଛି- ଶୁଶ୍ରୂଷା କରିବାକୁ ହୋଇଛି। କିନ୍ତୁ ନା, ନା, କଦାପି ନୁହେଁ… ମାତ୍ର ଏଇଟା…ଏହାହିଁ ପ୍ରଥମ।
ପ୍ରବଳ ଚେଷ୍ଟାରେ ମରିୟା ତାହାର ବିକ୍ଷିପ୍ତ ଭାବକୁ ସମ୍ଭାଳି ନେଲା । ତାହାପରେ ଅନ୍ୟଆଡ଼େ ବୁଲିପଡ଼ି ନିଜ ହାତକୁ ତାହାର ହାତ ଉପରେ ଆସ୍ତେ ଆସ୍ତେ ଆଘାତ କଲା, “ପୁଣି-ଆମେ ଏକ ସାଙ୍ଗରେ ମିଳିଛେଁ… ମୋର ଯେ କି ଆନନ୍ଦ ହେଉଛି…।”
ମୁଣ୍ଡ ହଲାଇ ମରିୟା କଥା ପ୍ରକାଶ କଲା, ଗ୍ରେଗରୀ କିଛି ଦେଖିନାହିଁ କି କିଛି ବୁଝିପାରି ନାହିଁ। ଯଦି ସେ କୌଣସି ପ୍ରଶ୍ନ କରେ- ଯଦି ମରିୟାକୁ କୌଣସି କଥା ନକହିବାକୁ ହୁଏ। ହଁ, ହଁ, ଭରୋନତ୍ସଭ… କି କଥା ତାକୁ କହିଛି ?
ଦୁଆରଟା ଖୋଲିଗଲା ।
“ମରିୟା ପ୍ୟାଭ୍ଲୋଭ୍ନା, କିଛି ସମୟ ପାଇଁ ସ୍ବାମୀଙ୍କୁ ଛାଡ଼ିଯିବାକୁ ହେବ ତୁମକୁ।”
ହସି ହସି ଡାକ୍ତର ମରିୟାକୁ କହିଲେ।“ଟିକିଏ ବିଶ୍ରାମ ନିଅ ଯାଇ ଆମେ ତାହା ମଧ୍ୟରେ ରୋଗୀକୁ ପରୀକ୍ଷା କରିନେଉଁ।”
“ମୁଁ…।” କ୍ଷୀଣ ପ୍ରତିବାଦ ସ୍ବରରେ ମରିୟା କଣ ଯେପରି ଗୋଟାଏ କହିବାକୁ ଚେଷ୍ଟା କଲା, କିନ୍ତୁ ହାତ ହଲାଇ ଡାକ୍ତର ତାକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଲେ।
“ଆଉ କଥା ନାହିଁ। ଯାଅ ଟିକିଏ ବିଶ୍ରାମ କର ବର୍ତ୍ତମାନ, ପରେ ପୁଣି ଆମେ ତୁମକୁ ଡାକିବୁ।”
ପ୍ରବଳ ପ୍ରଚେଷ୍ଟାରେ ମରିୟା ତାହାର ଶୁଷ୍କ ଓଠ ଦୁଇଟିରେ ଟିକିଏ ହସିଦେଲା। ତା‘ପରେ ଆରାମଚୌକି ଭିତରେ ସେହି ପଙ୍ଗୁଲୋକଟି ଆଡ଼କୁ ଅନାଇ ମୃଦୁ ପଦକ୍ଷେପରେ ଘର ଛାଡ଼ି ଚାଲିଗଲା। ନର୍ସ୍ମାନଙ୍କ ଘରକୁ ଯାଇ ଧପ୍ କରି ଗୋଟାଏ ଚୌକି ଉପରେ ବସିପଡ଼ି ଛନ୍ଦି ହୋଇଥିବା ଦୁଇଟି ହାତ ଉପରେ ମୁଣ୍ଡ ତଖି ଚୁପ୍ ହୋଇପଡ଼ିଲା।
ଏ ହେଉଛି ଗ୍ରେଗରୀ ତାହାହେଲେ ସେମାନଙ୍କର ଆନନ୍ଦମୟ ଯୌବନର ସବୁ ସୁଖ ସବୁ ଶାନ୍ତିର ଏହିଠାରେ ପରିସମାପ୍ତି ।
“ମରିୟା…।”
ଟେବୁଲ ଉପରେ ମରିୟାର ହାତରେ ଭରୋନତ୍ସଭ୍ ମୃଦୁ ମୃଦୁ ଆଘାତ କଲା, ମରିୟା ଆଖି ଟେକି ତାହା ଆଡ଼େ ଚାହିଁଲା- ଦୁଇଟି ଚକ୍ଷୁରୁ ଯେପରି ବିଜାତୀୟ ବିଦ୍ବେଷଭାବ ଝରିପଡ଼ୁଛି।
“ଦୁଃଖ କରନା ମରିୟା…ଏହି ପ୍ରଥମ ବୋଲି ଏପରି ବୋଧ ହେଉଛି, ଦେଖ ତାକୁ ଆମେ ଭଲ କରିଦେବୁଁ… ବର୍ତ୍ତମାନ ଅନେକ କିଛି କରିବାର ଅଛି…।”
ଗୋଟାଏ ଶୁଷ୍କ କ୍ରୂଦ୍ଧ ହସରେ ମରିୟା ଫାଟି ପଡ଼ିଲା ,
“ଅନେକ କିଛି କରିବାର ଅଛି,ନା? କଅଣ ତୁମେ କରିପାର ଶୁଣେ, ବିଜ୍ଞ ଡାକ୍ତର?”
“ଏହି ଧର ନକଲି ହାତ, ଚକ୍ଷୁ ପ୍ଲାଷ୍ଟିକ୍ ସର୍ଜରୀ।”
“ଜଣାଅଛି, ଢେର ଜଣାଅଛି ମତେ।”