ପ୍ରେମର ନିକଷ




ଭରୋନତ୍ସଭ୍‌ର ଅଚେତନ ମନର ନିଭୃତ କୋଣରେ ତଥାପି ଗୋଟିଏ ଗୋପନ ଆଶା ଲୁକ୍କାୟିତ ଥିଲା- ହୁଏତ ଦିନେ ସୁଦିନ ଆସିବ, ମରିୟାର ଅନ୍ତରରେ ସେ ଟିକିଏ ସ୍ଥାନ ପାଇବ, ଆଉ ନିବିଡ଼ ସାନ୍ନିଧ୍ୟ। କିପରି ସେଦିନ ଆସିବ,ସେ କଥା ସେ କୌଣସି ଦିନ ଭାବି ନାହିଁ। ଏପରିକି ତାହାର ସେହି ଚରମ ଦୁଃଖମୟ ରାତ୍ରିରେ ସେ ଗ୍ରେଗରୀର ମୃତ୍ୟୁ କାମନା କରିନାହିଁ। ଗ୍ରେଗରୀ ଦୂରରେ ଥିଲା, ବହୁତ ଦୂରରେ ,ଆଉ ସେ ଭାବିଥିଲା ଚିରଦିନ ଏହିପରି ରହିଯିବ। ଯେଉଁ ଲୋକଟି ବିନା ମରିୟାର ଗୋଟିଏ ମୁହୂର୍ତ୍ତ କଟେନାହିଁ, ଦିନେ ଭରୋନତ୍ସଭ୍‌ ସେହି  ଲୋକ ହେବ, ଗ୍ରେଗରୀ ନୁହେଁ। ସେ ମରିୟାର ଅନ୍ତର ଜୟ କରିବ।

କିନ୍ତୁ ସବୁ ଶେଷ ହୋଇଗଲା । ନିଜ ଉପରେ ଘୃଣା, ଦୁଃଖ ଏବଂ ଅନୁଶୋଚନାରେ ଦାନ୍ତ କଡ଼ମଡ଼ କରି ଉଠିଲା ଭରୋନତ୍ସଭ୍‌ର। ତାହାର ହାତ ଦୁଇଟି କଠିନ ମୁଷ୍ଟିବଦ୍ଧ ହୋଇଆସିଲା। ଦାନ୍ତ ଚାପି କ୍ରୁଧିତ ଅନୁଚ୍ଚ କଣ୍ଠରେ କହିଉଠିଲେ,“ବେକୁବ୍‌,ବେକୁବ୍‌, ବଡ଼ ବୋକା ମୁଁ ଗୋଟାଏ।” ପର ମୁହୂର୍ତ୍ତରେ ବ୍ୟଥାରେ ତାହାର ଅନ୍ତର ସଙ୍କୁଚିତ ହୋଇଗଲା, ପୁଣି ତୋତେ ଚିରଦିନ ପାଇଁ ହରାଇବି।”

ତାହାର ଅନ୍ତର ଗୁମୁରି ଉଠିଲା । ଜୀବନର ସମସ୍ତ ଆନନ୍ଦ, ସମସ୍ତ ସୁଖ-ଶାନ୍ତି , ଆମୋଦପ୍ରମୋଦ, ସବୁ ଉଭେଇଯିବ ତାର ।

ତୀବ୍ର ଏକତାଳିଆ ସ୍ବରରେ ଟେଲିଫୋନ୍‌ର ଘଣ୍ଟାଟି ବାଜିଉଠିଲା “ହଲୋ।”ଯନ୍ତ୍ର ଭିତରୁ ଘସ୍‌ ଘସ୍‌ ଶବ୍ଦ ଶୁଣାଗଲ- ଭାସିଆସିଲା ଛିଣ୍ଡା ଟୁକୁରା ଅସଂଲଗ୍ନ କଥା…। “ ହଲୋ ! ହଲୋ” ପୁଣି ଏହି ଶବ୍ଦ ଶୁଣାଗଲା। ତା,ପରେ ସବୁ ନୀରବ ହୋଇଗଲା।

“ଭରୋନତ୍ସଭ୍‌, ଭରୋନତ୍ସଭ୍, କିଏ ତୁମେ କହୁଛ? ୟ…ଶାସା”-ଟେଲିଫୋନ୍‌ର ଆଉ ପାଖରୁ ଗୋଟାଏ ବିକୃତ ଉଚ୍ଚକଣ୍ଠ ଶୁଣାଗଲା, କିଏ ଯେପରି ସମସ୍ତ ଗୋଳମାଳ ବନ୍ଦ କଅଣ କହିବାକୁ ଚେଷ୍ଟା କରୁଛି।

“କିଏ ? ଭିକ୍‌ଟର ? ହଁ ମୁଁ, ଖବର କଅଣ? ”

“ଶାସା, ଶୁଣ ଶାସା। ହଲ୍ଲୋ ! ହଁ, ହଁ, ବର୍ତ୍ତମାନ ସୁଦ୍ଧା ଆମେ କଥାବାର୍ତ୍ତା ହଉଚେ। ଶାସା, ଶୁଣ, କାପ୍‌ଟେନ୍‌ ଚେର୍ନଭ୍‌ ବୋଲି କେହି ତୁମର ସେଠି ଅଛନ୍ତି କି?”

“କିଏ? କାହା କଥା କହିଲ?”

“ଚେର୍ନଭ୍‌, ଚେର୍ନଭ୍‌, ”ଭରୋନତ୍ସଭ୍‌ ଗୋଟି ଗୋଟି କରି ତାଙ୍କରନାମର ଅକ୍ଷରଗୁଡ଼ିକ କହିଲା।

“ଚେର୍ନଭ୍‌?”

“ହଁ, ହଁ, ଚେର୍ନଭ୍‌?”

“ଟିକିଏ ଅପେକ୍ଷା କର, ମୁଁ ଖୋଜି ଦେଖୁଛି, ଧରିଥାଅ, ଅନ୍ୟ ଜାଗାରୁ ଫୋନ୍‌ କରୁଚି ତୁମକୁ ।”

ଭରୋନତ୍ସଭ୍‌ ଅପେକ୍ଷା କଲା। ପୁଣି ଭାସି ଆସିଲା କଥାର ଛିନ୍ନଧାରା…ସତେ ଯେପରି କେଉଁ ଦୂର ଉପସାଗରର ଗଭୀର ଅତଳରୁ ଆସୁଛି ସେ । ଲାଇନ୍‌ର କୋଉଠି ଯେପରି ଟେଲିଫୋନ୍‌ ଅପରେଟର ଝଗଡ଼ା କରୁଛି…। କୋଉଠି ଯେପରି ଯନ୍ତ୍ର ଭିତରେ ଦୀର୍ଘ କ୍ରୁନ୍‌, କ୍ରୁନ୍‌ ଶବ୍ଦ ଉଠୁଛି…।‌‌‌‌‌‌‌‌‌‌

“ଚେର୍ନଭ୍‌?”

“ହଁ, ହଁ…”

“ପୁରା ନାଁ?”

ଜି.ଆଇ- ଗ୍ରେଗରୀ ଆଇଭାନୋଭିଚ୍‌।”

“ନା, ସେ ନାଁରେ କେହି ଏଠି ନାହାନ୍ତି । ଏଠି ଅଛନ୍ତି ଚେର୍ଣ୍ଣିସେଭ୍‌, ଚେର୍ଣ୍ଣିକ୍‌, ଚେର୍ଣ୍ଣିୟା କଭ୍‌… ଏଇସବୁ।”

“ନା ନା, ଅସମ୍ଭବ….।” ନିଜକୁ ମରିୟାର ଚିନ୍ତାଧାରାରେ ମଜ୍ଜାଇ ଦେଇ ଭରୋନତ୍ସଭ୍ ଚିତ୍କାର କରି ଉଠିଛି…“ଅସମ୍ଭବ, ଦି ମାସ ଆଗରେ ସେ ସେଠି ଥିଲା।”

“ଦୁଇ ମାସ ଆଗରେ …”

“ଟିକିଏ ଅପେକ୍ଷା କର, ମୁଁ ଫେର୍‌ ଥରେ ଦେଖୁଛି।”

ପୁଣି ଲାଇନ୍‌ରେ ଗୋଳମାଳ ଶୁଭିଲା , ଘସ୍‌ ଘସ୍‌ ଶବ୍ଦ…। ତାର ଭୟ ହେଲା, ଯଦି ସେ ତା କଥା ଶୁଣି ନ ପାରେ…

“ସେ ନାଁରେ ଏଠି କେହି ନଥିଲା, ଅତି କମ୍‌ରେ ଏ ବର୍ଷ ଭିତରେ କେହି ସେ ନାଁରେ ତା କଥା ଶୁଣି ନ ପାରେ…”

“କିନ୍ତୁ ଆମେ ତ ଟେଲିଗ୍ରାମ୍‌ ପାଇଛୁ… ଟେଲିଗ୍ରାମ୍‌। ନିଶ୍ଚୟ ରହିଛି ସେ ସେଠି…”

“ଆପଣ କଣ ଏବେ ବି କଥାବାର୍ତ୍ତା କରୁଛନ୍ତି?”

“ଲାଇନ୍‌ କାଟି ଦିଅନା ଅପରେଟର୍‌ … ହଁ, ଆମେ ଏବେ ବି କଥାବାର୍ତ୍ତା କରୁଛୁଁ । ହଁ, ଟେଲିଗ୍ରାମ ଗୋଟାଏ ପାଇଛୁ । ଟେଲିଗ୍ରାମ୍‌।”

“ମୁଁ ନିଜେ ଟେଲିଗ୍ରାମ୍‌ କରିଛି?”

“ନା, ନା,ନର୍ସ୍‌ ସୋନିଆ କୋଜ୍‌ଲୋଭା… ସୋନିଆ କୋଜ୍‌ଲୋଭା…”

“କୋଜ୍‌ଲୋଭା ? ହଁ, ସେ ଏଠି କାମ କରେ ତ।”

“ତାକୁ ଟିକିଏ ପଚାରନ୍ତୁ,କୋଜ୍‌ଲୋଭାକୁ…”

ପୁଣି ତାର ଭିତରେ ଆବାଜ୍‌ ଶୁଭିଲା, ଗୋଳମାଳ ଭିତରେ ଅସ୍ପଷ୍ଟ କଣ୍ଠ ଭାସି ଆସିଲା…

“ସେ ଆଜି ଏଠି ନାହିଁ, ଆଜି ତାର ଛୁଟି…।”

ଭରୋନତ୍ସଭ୍‌ ଟେଲିଫୋନ୍‌ ରିସିଭରଟାକୁ ରଖିଦେଲା।ଅନେକକ୍ଷଣ ପରେ ତାର ଖିଆଲ ପଡ଼ିଲା ଯେ ସେ ଧନ୍ୟବାଦଟିଏ ଜଣାଇ ପାରିନାହିଁ , ଯାଃ କୌଣସି ଗୋଟାଏ ମୀମାଂସା ହୋଇପାରିଲା ନାହିଁ… କିଛି କଥା ସଫା ଜଣାପଡ଼ିଲା ନାହିଁ। ତୀବ୍ର ସ୍ବରରେ ଟେଲିଫୋନ୍‌ର ଘଣ୍ଟା ବାଜି ଉଠିଲା ।

 “ଆପଣଙ୍କ ଶେଷ ହେଲା ?”

“ହଁ, ହଁ ।” କ୍ଳାନ୍ତ କଣ୍ଠରେ ଭରୋନତ୍ସଭ ଜବାବ ଦେଲା।

ଭାରି କ୍ଳାନ୍ତ ଲାଗୁଛି ତାକୁ । କାଲି ଯେତେବେଳେ ମରିୟାକୁ ତାକୁ ପଚାରିବ, କଣ ଜବାବ ଦେବ ସେ?... କହିବ, ଲାଇନ୍‌ ମିଳିଲା ନାହିଁ…ମନେ ମନେ ଭରୋନତ୍ସଭ୍‌ ଠିକ୍‌ କରିଦେଲା।




+ -

© Jataayu Charitable Trust
Site designed,developed & maintained by Tekons