॥ ଦଶ॥
ଟେଲିଫୋନ୍କୁ ଅପେକ୍ଷାକରି ଭରୋନତ୍ସଭ୍ ତାହାର ଅଫିସ୍ ଘରେ ଏପାଖ ସେପାଖ ହେଉଥାଏ। ସବୁଜ ରଙ୍ଗର ବତୀରୁ ଆଲୋକ ବିଛୁଡ଼ି ହୋଇପଡ଼ୁଥାଏ।
“ଏହାର ଅର୍ଥ ହେଉଛି, ବୋଧହୁଏ ଗ୍ରେଗରୀ ବଞ୍ଚି ରହିଛି।”–ଭରୋନତ୍ସଭ୍ ମନେ ମନେ ଚିତ୍କାର କଲା। ତାହାର ଆନନ୍ଦିତ ହେବା ଉଚିତ୍ ଥିଲା, ମରିୟା ଆଉ ଗ୍ରିଶା ପାଇଁ ତାହାର ଅନ୍ତର ଅକପଟ ଆନନ୍ଦରେ ପୂରିଉଠିବା ଉଚିତ୍ ଥିଲା। ସେ କୌଣସି ଭଦ୍ରଲୋକ ପକ୍ଷରେ ଏହାହିଁ ସ୍ବାଭାବିକ। କିନ୍ତୁ କାହିଁ, ତାହାର ମନରେ ତ ସେପରି ଗୋଟାଏ ଖୁସିର ଭାବ ଫୁଟିଉଠିଲା ନାହିଁ। ଖବରଟି ଅପ୍ରତ୍ୟାଶିତ ଭାବରେ ଶୁଣି ସେ କେବଳ ମୁହୂର୍ତ୍ତକ ପାଇଁ ଖୁସି ହୋଇଯାଇଥିଲା, କିନ୍ତୁ ପରୀକ୍ଷାରେ ସେହି ଭାବ କୁଆଡ଼େ ମିଳାଇଗଲା। ସେହି ଭାବକୁ ଆଣିବାକୁ ସେ ଅନେକ ଚେଷ୍ଟା କରିଛି… ସେମାନଙ୍କର ଆନନ୍ଦରେ ଖୁସି ହେବାକୁ। କିନ୍ତୁ ବାରମ୍ବାର ତାହାର ସେ ପ୍ରୟାସ ବ୍ୟର୍ଥ ହୋଇଛି।
“କି କଦର୍ଯ୍ୟ ମନୋଭାବ ମୋର”। ବାରମ୍ବାର ଦାନ୍ତ ଚାପି, ଭରୋନତ୍ସଭ୍ କହିବାକୁ ଲାଗେ, କିନ୍ତୁ କୌଣସି ଫଳ ହୁଏନାହିଁ ସେଥିରେ ।“ପୁଣି ତାକୁ ହରାଇବାକୁ ବସିଛୁ”। ଭରୋନତ୍ସଭ୍ ନିଜ ମନକୁ ମନ ଜୋର୍ରେ କହିପକାଇ ଭୀତତ୍ରସ୍ତ ହୋଇ ପଛକୁ ଫେରିପଡ଼ି ଚାହେଁ। କିନ୍ତୁ ଦ୍ବାର ବନ୍ଦ, ଆଉ ବି ଏ ସମୟରେ ଏଠାକୁ କାହାରି ଆସିବାର କଥା ନୁହେଁ।
“ନାଃ, କିଛି ଫଳ ନାହିଁ”। ଜୋର୍ କରି ଚିନ୍ତାଧାରା ପରିବର୍ତ୍ତନ କରିବାକୁ ସେ ଚେଷ୍ଟା କରେ କିନ୍ତୁ ମନ ଭିତରେ ଗୋଟିଏ ମାତ୍ର ଚିନ୍ତା ଆସି ବାରମ୍ବାର ଧକ୍କା ଦେଉଛି। ପୁଣି ସେ ମରିୟାକୁ ହରାଇ ବସିଛି, ଭରୋନତ୍ସଭ୍ ଭାବେ, ତାହାର ଜୀବନରେ ଏହି ଦ୍ବିତୀୟବାର ଯେ ଗ୍ରେଗରୀ ଆସି ଠିଆ ହୋଇଛି-ସେ ଆଉ ମରିୟା ମଝିରେ- ଆଉ ମରିୟାର ମନ ଗ୍ରେଗରୀ ପ୍ରତି ଅନୁରକ୍ତ ହୋଇଛି। ପୁଣି ସେହି ପୁରୁଣା କ୍ଷତ ଚିଡ଼ି ଘା ହୋଇଉଠିବ- ସେ କ୍ଷତ ମନେ ହେଉଥିଲା ଯେପରି ଶୁଖିଗଲାଣି, ନିରାମୟ ବେଦନାହୀନ ହୋଇଗଲାଣି-ପୁଣି ସେହି କ୍ଷତ ଦେଇ ତାହାର ଅନ୍ତରାତ୍ମା ନିର୍ଗତ ହେବ।
ନର୍ସ୍ ଟ୍ରେନିଂ ସ୍କୁଲର ଛାତ୍ରୀ ମରିୟା …ପ୍ରଥମ ଦିନରୁ ଭରନୋତ୍ସଭ ତାହା ପ୍ରତି ଆକୃଷ୍ଟ ଆଉ ସେହି କେତେଦିନ ଭିତରେ ମରିୟାକୁ ଯେ ସେ ଭଲ ପାଇଛି ଏହା ସେ ଅନୁଭବ କରିଥିଲା। ମରିୟା ପ୍ରଥମେ କିଛି ଲକ୍ଷ୍ୟ କରିନାହିଁ। ଶିକ୍ଷକ ଆଉ ଛାତ୍ରୀର ବ୍ୟବଧାନର ଦୂରତ୍ବ ସେମାନଙ୍କର ମଝିରେ ବାଧାଦେଇ ଛିଡ଼ା ହୋଇଥିଲା । ମରିୟା ମଧ୍ୟ ଭାବିପାରିଲା ନାହିଁ ଯେ ଭରୋନତ୍ସଭ୍ ତାହା ପ୍ରତି ଆକୃଷ୍ଟ ହୋଇପାରେ। କି ମର୍ମାନ୍ତିକ ହୋଇଉଠନ୍ତା ଯଦି ମରିୟା ତାହାର ନିର୍ମଳ ଅପଲକ ନୟନରେ ତାହାର ମୁହଁ ଆଡ଼କୁ ଅନେଇ ରହନ୍ତା, କିନ୍ତୁ ସେ ଦୃଷ୍ଟିରେ ସେ ଭରୋନତ୍ସଭ୍କୁ ଦେଖୁନାହିଁ, ଦେଖୁଛି ଜଣେ ନାମଜାଦା ବିଶେଷଜ୍ଞଙ୍କୁ। ତାହାର ସେ ଦୃଷ୍ଟି ଭିତରେ ଟିକିଏ ମାତ୍ର ସାନ୍ନିଧ୍ୟର ଉତ୍ତାପ ନାହିଁ, ଅଛି ଶିକ୍ଷାର୍ଥିନୀର କଠିନ ପ୍ରଚେଷ୍ଟା।ଏତେ ଅଳ୍ପ ବୟସ, କିନ୍ତୁ ବଡ଼ ଗମ୍ଭୀର ମରିୟା। ତାହାପରେ ପ୍ରଥମେ ଯେବେ କାର୍ଯ୍ୟରେ ନିଯୁକ୍ତ ହୋଇ ବେରି-ଓ-ଝୋଭ୍କା ଚାଲିଗଲା, କେତେଥର ଭରୋନତ୍ସଭ୍ ଭାବିଛି ସେଠାକୁ ଯାଇ ତାହାର ମନକଥା କହିବ। ଖଣ୍ଡେ ଛୋଟ ଚିଠି ମଧ୍ୟ ଲେଖିଥିଲା ,ଆଉ ମରିୟା ମଧ୍ୟ ଜବାବ ଦେଇଥିଲା । କିନ୍ତୁ ସେ ଚିଠି ଭିତରେ କେବଳ ପରିଚିତର ସୌଜନ୍ୟ ଛଡ଼ା ଆଉ କିଛିର ସେ ଆଭାସ ପାଇନାହିଁ। ଆହୁରି ଅନେକ ଥର ମଧ୍ୟ ସେ ଚିଠି ଲେଖିଛି, ଆଉ ଜବାବ ମଧ୍ୟ ଠିକ୍ ସେହିପରି ମାମୁଲି ଧରଣର ପାଇଛି।
ତା, ପରେ ମରିୟାର ଜୀବନ କ୍ଷେତ୍ରରେ ଗ୍ରେଗରୀର ଆବିର୍ଭାବ, ଆଉ ଏହିଠାରେ ହିଁ ଭରୋନତ୍ସଭର ସଯତ୍ନଲାଳିତ ଗୋପନ କାମନାର ପଥରୁଦ୍ଧ ହୋଇଗଲା। ସେ ଗ୍ରେଗରୀକୁ ଆଗରୁ ଜାଣେ । ତା ସହିତ ବହୁବାର ଦେଖା ମଧ୍ୟ ହୋଇଛି, କିନ୍ତୁ ଏପରି ସୁନ୍ଦର ତରୁଣ ଇଞ୍ଜିନିୟରଟି ଯେ ଦିନେ ଆସି ସେମାନଙ୍କର ମିଳନ ପଥରେ ପ୍ରତିବନ୍ଧକ ହୋଇ ଛିଡ଼ା ହେବ ସେ କଥା କୌଣସି ଦିନ ଭରୋନତ୍ସଭ୍ ଭାବି ପାରିନଥିଲା।
ମରିୟା ଓଠର ସେହି ପ୍ରାଣମତାଣିଆ ହସଟି, ଯହିଁରୁ ଟିକିଏ ଟିକିଏ ପାଇ ସେ ବହୁବାର ନିଜକୁ ଧନ୍ୟ ମନେ କରିଛି, ମରିୟାର ହୃଦୟ, ତାହାର ପ୍ରେମ ସମ୍ଭାଷଣ, ଗ୍ରେଗରୀ ସବୁତକ ଜୟ କରିନେଇଛି ଅବଲୀଳାକ୍ରମେ। କାହିଁକି ଗ୍ରେଗରୀ ପାରିଲା-ଭରୋନତ୍ସଭ୍ ପାରିଲା ନାହିଁ?
ବନ୍ଧୁତ୍ବ , ଯେତେ ଗଭୀର ହେଉନା କାହିଁକି ମରିୟା ସହିତ ତାହାର ବନ୍ଧୁତ୍ବ, ତାହାର ଅସାର, ଅବାସ୍ତବତା ସେହିଦିନ ଧରାପଡ଼ିଲା ସେଉଁଦିନ ପ୍ରଥମେ ଏହି ନବବିବାହିତ ଦମ୍ପତି ଫେରିଆସିଲେ। ଭରୋନତ୍ସଭ୍ ପ୍ରାୟ ସେମାନଙ୍କ ପାଖକୁ ଯାଏ। ତାହା ସହିତ କଥାବାର୍ତ୍ତା କଲାବେଳେ ମରିୟାର କଣ୍ଠରେ ସେତେବେଳେ ସୁଦ୍ଧା ଗୋଟାଏ ଆନ୍ତରିକତାର ଆଭାସ ଫୁଟି ଉଠୁଥିଲା, ବ୍ୟଥାଭରା ଦୁଃଖର ତୀବ୍ର ଅସହିଷ୍ଣୁତା ରୂପାନ୍ତରିତ ହୋଇ ପୁରାତନ କ୍ଷତର କଷ୍ଟଦାୟକ ଅଭ୍ୟସ୍ତତାରେ ପରିଣତ ହେଲା।
ତାହାପରେ ଗ୍ରେଗରୀ ଯେତେବେଳେ ଯୁଦ୍ଧକୁ ଚାଲିଗଲେ, ଭରୋନତ୍ସଭ୍ ପ୍ରତି ମରିୟାର ମନୋଭାବ ଟିକିଏ ବଦଳିଗଲା- ଯେପରିକି ମରିୟା ପାଖରେ ଅତି ଦରକାରୀ ହୋଇପଡ଼ିଲା। ସେ ଏବଂ ତାହାର ବ୍ୟବହାରରେ ଗୋଟାଏ ପ୍ରକାର ମୁରବିପଣିଆ ଭାବ ଫୁଟି ଉଠିଲା। ତାହାର କଣ୍ଠରେ ଏପରି ଅଭିଭାବକତ୍ବର କଥା ଶୁଣି ସୁଦ୍ଧା ମରିୟା କୌଣସି ପ୍ରତିବାଦ କରିନଥିଲା, ତାକୁ ଏକାନ୍ତ ଅନ୍ତରଙ୍ଗ ବନ୍ଧୁ ହିସାବରେ ପାଇବା ମରିୟା ପାଖରେ ଅତି ଦରକାରୀ ହୋଇପଡ଼ିଥିଲା। ଏକୁଟିଆ ରହିବା ମରିୟାର ଅନ୍ତରକୁ ଅସହ୍ୟଭାବରେ ମନ୍ଥି ଦେଉଥିଲା। ସେଥିପାଇଁ ସେ ଦୁହେଁ ପରସ୍ପର ନିକଟକୁ ଆଗେଇ ଆସିଥିଲେ, ସେମାନଙ୍କ ମଧ୍ୟରେ ଏକାନ୍ତ ଘନିଷ୍ଠତା ଜାଗିଉଠିଥିଲା । କିନ୍ତୁ ଭରୋନତ୍ସଭ୍ କୌଣସି ଦିନ ନିଜକୁ ପ୍ରତାରଣା କରିନାହିଁ, ଆତ୍ମପ୍ରବଞ୍ଚନା ମଧ୍ୟ କରିନାହିଁ। ଜାଣେ, ପୁରୁଷ ହିସାବରେ କୌଣସି ଦିନ ସେ ମରିୟାର ଅନ୍ତରରେ ସ୍ଥାନ ପାଇନାହିଁ। ତାହାର ସମସ୍ତ ଅନ୍ତର ଗ୍ରେଗରୀମୟ, ଗ୍ରେଗରୀ ହିଁ ତାହାର ସର୍ବସ୍ବ, ସବୁଥିରେ ସେ ଗ୍ରେଗରୀର ସ୍ପର୍ଶ ଅନୁଭବ କରେ, ତାହାର ଜଗତ ଗ୍ରେଗରୀମୟ ଏଇ ଯୁଦ୍ଧ, ହାସପାତାଳର ଏଇ କାର୍ଯ୍ୟ ସବୁ ଯେପରି ଗ୍ରେଗରୀ ସହିତ ସଂପୃକ୍ତ, ତାହାର ବିରାଟ ବ୍ୟକ୍ତିତ୍ବର ଦିଗନ୍ତ ବିସ୍ତାରିତ ଛାୟାରେ ଆଚ୍ଛନ୍ନ। ତଥାପି ତାହା ଭିତରେ ସେ ସୁଖ ଖୋଜି ପାଇଥିଲା ମରିୟାକୁ ଦେଖି । ତାକୁ ବନ୍ଧୁ ହିସାବରେ ଖୁବ୍ ନିକଟରେ ପାଇ ତାହାର ଅନ୍ତର ଆନନ୍ଦୋଚ୍ଛ୍ବାସରେ ଭରି ଉଠିଥିଲା।