ପ୍ରେମର ନିକଷ




॥ନଅ॥

ବ୍ୟାଣ୍ଡେଜ୍‌ ବଦଳାଇବାକୁ ନଆ ନର୍ସ ଆସେ। ଅଳ୍ପ ବୟସ , ବାଳିକାଟିଏ କହିଲେ ଚଳେ। ନୂଆ ସେ ନର୍ସ ଚାକିରୀରେ ନିଯୁକ୍ତ ହୋଇଛି।

   “ ବ୍ୟାଣ୍ଡେଜ୍‌ ଖୋଲିଦିଅ” ଡ଼ାକ୍ତର ବାଳିକାଟିକୁ କୁହନ୍ତି। ଭୀତତ୍ରସ୍ତ ହାତରେ ବାଳିକାଟି ଗ୍ରେଗରୀର ମୁଣ୍ଡରୁ ବ୍ୟାଣ୍ଡେଜ୍‌ଟା ଖୋଲିବାକୁ ଆରମ୍ଭ କରେ। ଅପଲକ ନୟନରେ ଗ୍ରେଗରୀ ତାହାର ଗୋଲାପ ସୁନ୍ଦର ମୁହଁଆଡ଼େ ଚାହିଁରହେ; ଗଭୀର ମନଯୋଗ ସହକାରେ ସେ ତାର କାର୍ଯ୍ୟ କରି ଚାଲିଛି। ଏହି କାର୍ଯ୍ୟରେ କୌଶଳ ଏପର୍ଯ୍ୟନ୍ତ ତାହାର ଆୟତ୍ତ ହୋଇନାହିଁ, ଯତ୍ନ ଏବଂ ଏକାନ୍ତ ମନୋନିବେଶ ଦ୍ବାରା ତାହାର ଅପଟୁତା ଓ ନୈପୂଣ୍ୟର ଅଭାବକୁ ପୂରଣ କରି ନେଇଯାଉଛି ସେ। ତାହାର ମୁହଁରେ ବି ତାହାର ମନର ଭାବ ଫୁଟି ଉଠେ ପରିଷ୍କାର ଭାବେ।  

ବ୍ୟାଣ୍ଡେଜର ଶେଷ ଅଂଶ ଖୋଲିଆସେ। ଗ୍ରେଗରୀ ବାଳିକାଟିର ମୁହଁରେ ଗୋଟାଏ ଦାରୁଣ ଭୟ ଏବଂ ଘୃଣା ଭାବ ଫୁଟି ଉଠିବାର ଲକ୍ଷ୍ୟ କରେ। ଲଜ୍ଜାରେ ଗାଲ ଦୁଇଟି ନାଲି ହୋଇଯାଇଛି, ଆଖି କୋଣରେ ଦୁଇ ଟୋପା ଲୁହ ମଧ୍ୟ ଜମି ଆସିଛି। ଗୋଟାଏ ମୁହୂର୍ତ୍ତ, କେବଳ ଗୋଟିଏ ମୁହୂର୍ତ୍ତ ପାଇଁ ବାଳିକାଟିର ମୁହଁରେ ଏହି ଭାବାନ୍ତର ଲକ୍ଷିତ ହୋଇଥିଲା। ତଥାପି ସେ ଗ୍ରେଗରୀ ଦେଖି ପାରିଛି।

ବିଛଣାରେ ଏକୁଟିଆ ଶୋଇ ଗ୍ରେଗରୀ ହସିଉଠେ-ଗୋଟିଏ ତୀବ୍ର ବିଷାକ୍ତ ହସ।  ।  ବାଃ , ଏହି ଉପହାର ନେଇ ସେ ମରିୟା ପାଖକୁ ଯିବାକୁ ଚାହେଁ ? କୁତ୍ସିତ ବିକୃତ ଗୋଟାଏ ମୁଖ …ଯାହା ଆଡ଼କୁ ଚାହିଁଲେ ଘୃଣା ଜାତ ହୁଏ। ଦିନେ ମରିୟା ଏହି ମୁହଁଟିକୁ ଚାହିଁ ଆତ୍ମହରା ହୋଇ ଆପଣା ମନକୁ ମନ କହି ପକାଇଲା, ‘ତୁମଠାରୁ ତମର ଏହି ସୁନ୍ଦର ଆଖି ଦୁଇଟି ଭାରି ଭଲ ଲାଗେ।’

ଜ୍ଜର ଯେତେହେଉନା କାହିଁକି ,କାପ୍‌ଟେନ୍‌ ଚେର୍ନଭ୍‌ ଆଉ ତାର ସଙ୍କଳ୍ପ ରୁ ବିଚ୍ୟୁତ ହେବ ନାହିଁ। ପତିଜ୍ଞାର ଲୌହ ପ୍ରାଚୀର ଡ଼େଇଁ ସେଇ ସୁନେଲି ରାଜ୍ୟରେ ଆଉ ପରିଭ୍ରମଣ କରିବ ନାହିଁ । ପେନ୍ଥା ପେନ୍ଥା ଯେତେ ଫୁଲ ଫୁଟିଯାଉନା କାହିଁକି, ଥରକ ପାଇଁ ଆଉ ସେ ଫେରି ଚହିଁବ ନାହିଁ, ମୁକୁଳା କବାଟର ଫାଙ୍କରେ ଆଉ ଉଙ୍କି ମାରି ଦେଖିବ ନାହିଁ ।

ଆଉ ଗୋଟିଏ ହାସପାତାଳକୁ ଗ୍ରେଗରୀ ଆସିଛି – ସମ୍ପୂର୍ଣ୍ଣ ନୂତନ ପରିସର। ଲୋକବସତି ଭିତରକୁ ଆଉ ଗୋଟିଏ ପାଦ ଆଗେଇ ଆସିଛି – ତାହାର ନିଜ ଦେଶର ଆଉ ଟିକିଏ ପାଖକୁ ।

ଦିନେ ସକାଳେ ହଠାତ୍‌ କାପ୍‌ଟେନ୍‌ ଚେର୍ନଭ୍‌ ଗୋଟାଏ ପରିଚିତ କଣ୍ଠର ସ୍ବର ଶୁଣିପାରିଲା, ଶୁଣି ଚେର୍ନଭ୍‌ ଚମକି ଉଠିଲା।

କାହାର, କାହାର, କଣ୍ଠସ୍ବର ଏ! ଅନୁଚ୍ଚ,ଧିର ଓ ମଧୁର…ହଁ, ଆଉ କୌଣସି ସନ୍ଦେହ ନାହିଁ, କେଉଁଠାରେ ନିଶ୍ଚୟ ଯେପରି ଏ କଣ୍ଠସ୍ବର ସେ ଶୁଣିଛି।

“ସେ କିଏ,ସେ ? ”

 ପାଖର ରୋଗୀଟି ବଛଣାରେ ଉଠି ବସିଥିଲା, ପ୍ରଥମେ ତା କଥାର ମାନେ ସେ ବୁଝି ପାରିନଥିଲା।

“ଏହି ଯେ ବାହାର ବାରଣ୍ଡାରେ ।”

“ସେ-ସେ  ହେଉଛନ୍ତି ଆମର ନର୍ସ୍‌ ସୋନିଆ କୋଜ୍‌ଲୋଭା।” ଗ୍ରେଗରୀର ମନେ ହେଲା ସେ ଏଠାରୁ କୁଆଡ଼ୁ ଦୌଡ଼ି ପଳାଇଯିବ, କିନ୍ତୁ ସେ ତ ଉଠିପାରିବ ନାହିଁ, କି ଚାଲିପାରିବ ନାହିଁ। ସେ ପଙ୍ଗୁ, ଗୋଟିଏ ମାତ୍ର ହାତ, ଗୋଟିଏ ଗୋଡ଼ ଛୋଟା, ଅସହାୟ, ସେ ଅନ୍ୟର ସାହାଯ୍ୟ ଦରକାର କରେ ,ଅନ୍ୟ ଜଣକର କାନ୍ଧର ଆଶ୍ରୟ, ଅନ୍ୟ ଜଣକର ହାତର ସଯତ୍ନ ସେବା।

ହଠାତ ତାହାର ମନେ ପଡ଼ିଲା- କି ବୋକା ସେ।ସୋନିଆ ତାକୁ କିପରି ଚିହ୍ନିବ? ନିଜର ମନକୁ ବୁଝାଏ- ଭୁଲିଯା, ଦିନକପାଇଁ ସୁଦ୍ଧା ଭୁଲି ଯାଇ ଯେ ତୁ ଆଗକାର ଇଞ୍ଜିନିଅର ଗ୍ରେଗରୀ ଚେର୍ନଭ୍‌- ଯାହାକୁ ସୋନିଆ ଚିହ୍ନିଥିଲା। ଆଜି ତୁ ହସ୍ତପବବିହୀନ ଗୋଟିଏ ମନୁଷ୍ୟ ଦେହର ଅଂଶ ମାତ୍ର, ଅସହାୟ ଅବସ୍ଥାରେ ବିଛଣାରେ ପଡ଼ିରହିଛୂ, ଆଉ ବ୍ୟାଣ୍ଡେଜର ମୁହଁ ପୁରା ଢାଙ୍କି ହୋଇରହିଛି। ନା,କୌଣସି ଉପାୟରେ ସୋନିଆ  ତାକୁ ଚିହ୍ନିବାର ଜୁ ନାହିଁ।

ତଥାପି ଦୁଆର ଖୋଲା ହେବା ସଙ୍ଗେ ସଙ୍ଗେ ତାହାର ହୃଦୟ ଥରିଉଠିଲା। ହଁ, ସେଇ ତ ସୋନିଆ କୋଜ୍‌ଲୋଭା । ସେ ଟିକିଏ ହେଲେ ବଦଳିଯାଇଛି, ସତେ ଯେପରି ସେ ବର୍ତ୍ତମାନ ମରିୟା ପାଖକୁ ଉଠି ଆସିଛି, ତାର ନର୍ସର ଲମ୍ବା ପୋଷାକରେ ମରିୟା ଦେହର ମିଠାଗନ୍ଧ ଲାଗିରହିଛି, ତାର ଆଖି ଡୋଳାରେ ବର୍ତ୍ତମାନ ସୁଦ୍ଧା ମରିୟାର ଛାୟା ଦେଖାଯାଉଛି। ମରିୟାର ବନ୍ଧୁ…




+ -

© Jataayu Charitable Trust
Site designed,developed & maintained by Tekons