ପ୍ରେମର ନିକଷ




ନା, ଆଉ କେବେ ସେ ଏ କାମନାକୁ ପ୍ରଶୟ ଦେବନାହିଁ,ଚେର୍ନଭ୍‌ ତାହା ନିଜ ମନକୁ ସାନ୍ତ୍ବନା ଦିଏ। ଯେପରି ଗୋପନ ମୃଦୁ ପଦକ୍ଷେପରେ ତାହା ରୋଗଶଯ୍ୟା ଚାରିପାଖରେ ବୁଲୁଛି-ମରିୟାର ପାଦଧ୍ବନି; ମରିୟାର କଥା ଯେପରି ଫୁସ୍‌ ଫୁସ୍‌ କଥା ତା କାନରେ କହିଯାଉଛି। ବନ୍ୟାର ଜଳ ପରି ଅତୀରର ସେହି ସ୍ମୃତିଗୁଡିକ ତାହାର ମନରାଜ୍ୟ ପ୍ଲାବିତ କରିହିଏ… ପ୍ରାଣ ପୁଲକଭରା ସେହି ଦିନରେ ଘଟଣାବଳୀ- ସେହି ଛୋଟ ସହରଟିରେ ଯେଉଁଦିନ ତାହାର ମରିୟା ସହିତ ପ୍ରଥମେ ଦେଖା ହୋଇଥିଲା; ବଇଁଞ୍ଚ ବଣ ଭିତରୁ ବାହାରିଆସି ମରିୟା ସେହି ଛୋଟ ବଗିଚାଟିର ବେଢ଼ା ପାଖରେ ଠିଆ ହୋଇଥିଲେ; ମୁଣ୍ଡରେ ଗୋଟିଏ ନାଲିଆ ରଙ୍ଗର ରୁମାଲ  ବାନ୍ଧିଥିଲା; କିନ୍ତୁ  ଆଜି-ଆଜି ଆଉ ସେ ଦିନର ଇଞ୍ଜିନିୟର ଚେର୍ନଭ୍‌ ବଞ୍ଚି ରହିନାହିଁ, କେବଳ ଗୋଟଏ ଅକ୍ଷମ ପଙ୍ଗୁ ହାସପାତାଳରେ ପଡ଼ିରହିଛି।

ଆଜି ଆଉ ତାହାର କଅଣ ଅଛି ଯାହା ସେ ମରିୟାକୁ ଦେଇପାରେ, ତା’ ନହେଲେ କଅଣ ତାହାର ଏହି ଅକ୍ଷମ ପଙ୍ଗୁ ଜୀବନ ମରିୟା ସହିତ ସାରା ଜୀବନ ତାକୁ ବାନ୍ଧି ରଖିବ?  ତାହାର ଉଜ୍ଜଳ ଦୁଇଟି ଆଖିରେ ଚିର ଜୀବନ ପାଇଁ ମଳିନ ଛାଇ ଭରିଦେବ? ନା, ତାହା ଅପେକ୍ଷା ଶ୍ରେୟସ୍କର ଆଉ ସେ ମରିୟା ପାଖକୁ ଫେରିବ ନାହିଁ। ତାହାର ସ୍ମୃତି ଚିର ଦିନ ପାଇଁ ତାହାର ଅନ୍ତରରେ ଉଜ୍ଜଳ ହୋଇଥାଉ… ଯେ ଦିନେ ତାକୁ ଭଲ ପାଉଥିଲା। ତାହାପରେ ସ୍ବଦେଶ ପାଇଁ ଯୁଦ୍ଧକ୍ଷେତ୍ରରେ ସେ ପ୍ରାଣ ଦେଇଛି, ପୁଣି ସେ ନୂତନ ଜୀବନ ଗଢ଼ିବ, ନୂତନ ସଂସାର କରିବ। ତୀବ୍ର ବ୍ୟଥାରେ ଚେର୍ନଭ୍‌ର ଅନ୍ତର କଇଁ କଇଁ ହୋଇଉଠେ। ସେହି ଗୋଲାପି ଓଠ ଦୁଇଟିରେ ସେ ଫୁଟି ଉଠିବ ଅନ୍ୟ ପାଇଁ… ସେହି ଦୁଇଟି ଚିର-ବିଶ୍ବସ୍ତ ଆଖିରେ ସେ ଅନ୍ୟ ଜଣଙ୍କ ଆଡ଼େ ନାହିଁ…କିନ୍ତୁ…ତଥାପି…ହଁ ତାହାହିଁ ଭଲ… ତାହାହିଁ ହେଉ।

“ତୁମକୁ ପ୍ରବଞ୍ଚନା କରୁନାହିଁ, ପ୍ରିୟତମ। ତୁମର ପ୍ରସ୍ଫୁଟିତ ଯୌବନକୁ ବିଷାକ୍ତ କରିବାକୁ ଚାହେଁ ନା ମୁଁ, ମୋର ଜୀବନର ଅନନ୍ଦ ତୁମ ଉପରେ ଗୋଟିଏ ବୋଝ ହୋଇ ଏହି ଅକର୍ମଣ୍ୟ ପଙ୍ଗୁ ଜୀବନକୁ ଚିରଦିନ ତୁମ ଜୀବନ ସହିତ ଜଡ଼ିତ ରଖିବାକୁ ଚାହେଁନାହିଁ।”ଜ୍ବରତପ୍ତ ଶୁଷ୍କ ଓଠରେ ଆପଣା ମନକୁ ମନ କହେ । ଏହି ଜ୍ବରର ଉତ୍ତାପରେ ତାହାର ସମସ୍ତ ଶକ୍ତି ଦବିଯାଏ, ଅନ୍ତରର ସମସ୍ତ ବଳ ପୋଡ଼ି ପାଉଁଶ ହୋଇଯାଏ; ତାହାର ମାନସପଟରେ ଭାସିଉଠେ ସେହି ପ୍ରଲୋଭନର ମହନୀୟ ଛବି। ଯଦି ଧରେ, ଥରେ ଯଦି ସେ ହାତଟି ବଢ଼ାଇଦିଏ ତାହାହେଲେ ସବୁ ଫେରିଆସିବ, ‍ଫେରିଆସିବ ସେହି ଅତୀତର ମଧୁମୟ ଦିନଗୁଡ଼ାକ। କାହାପାଇଁ ତାହାର ଏ ଯୁଦ୍ଧ? ଆତ୍ମପ୍ରବଞ୍ଚନା ବା ସେ କୋଉଁଥିପାଇଁ କରିବ? କିପରି ସମ୍ଭବ ଯେଉଁ କଥା ବହୁବାର କାନେ କାନେ ପ୍ରାଣେ ପ୍ରାଣେ କୁହା ହୋଇଯାଇଛି, ସେ ପ୍ରତିଜ୍ଞା , ସେ  ଶପଥ!! ସେ କଅଣ କଦାପି ଏପରି ନିର୍ଜୀବ, ପ୍ରାଣହୀନ ହୋଇପାରେ? କିପରି ସେହି ଦୁଇଟି ବର୍ଷ-ମିଳନର ଛନ୍ଦଭରା ସେହି ଦୁଇଟି ବର୍ଷ ଠିକ୍‌ ଗୋଟିଏ ସଙ୍ଗୀତର ସ୍ବର ଲହରୀପରି ଯାହା ସେମାନଙ୍କର ଦୁଇଟି ଜୀବନରେ ପୂରି ରହିଛି, ଯାହା ଗୋଟିଏ ଅସରନ୍ତି ଆନନ୍ଦମୟ ମୂର୍ତ୍ତିର ପ୍ରତୀକ, ତାହାର କଅଣ କୌଣସି ଚିହ୍ନ ରହିବ ନାହିଁ? ସେମାନଙ୍କର ଭବିଷ୍ୟତ ଜୀବନ ପଥରେ କୌଣସି ରେଖାପାତ କରିବ ନାହିଁ!!

କଅଣ ସେ, ଯାହା ତାହାର ଦିନେ ଥିଲା ଆଜି ନାହିଁ। ସେ ତ ବଞ୍ଚିରହିଛି।ଆଜି ବି ଠିକ୍‌ ସେହି ଲୋକ, ଯାହାକୁ ଦିନେ ମରିୟା ଭଲ ପାଇଥିଲା… ଯାହାର ପ୍ରାଣରେ ସୁମଧୁର ପ୍ରଣୟ କୂଜନ ଶୁଣାଯାଉଥିଲା। ତେବେ ତାହାର କି ପରିବର୍ତ୍ତନ ହୋଇଛି।

ଆକୁଳ ପ୍ରତୀକ୍ଷାରେ ଚେର୍ନଭ୍‌ ଅନ୍ତର ଗର୍ଜିଉଠେ।ବର୍ତ୍ତମାନ ତ ସେମାନେ ଦୁହେଁ ଅଛନ୍ତି-ମରିୟା ଆଉ ଗ୍ରେଗରୀ ଯେପରି ଆଗରୁ ଥିଲେ ଠିକ୍‌ ସେହିପରି।

ଜ୍ବରର ପ୍ରାବଲ୍ୟ ତାହାର ପ୍ରିୟତମାକୁ ତା ପାଖକୁ ନେଇଆସେ। ପ୍ରଥମ ଶୀତର କୁହେଳିକାମୟ ପ୍ରଭାତ… ହିମ ସନ୍ଧ୍ୟାର ଛାୟା ଶୀତଳ ପଥ ଦେଇ ଦେଇ ଧୀର ଧୀରେ  ପାଦ ପକାଇ ତାହାର ପ୍ରିୟତମା ଅତି ସାବଧାନତା ସହିତ  ଆସେ। ଆଲୋକ? ନା, ଏ ତ ଆଲୋକ ନୁହେଁ… ମରିୟାର ସୁନେଲି କେଶର ଉଜ୍ଜଳ ଦୀପ୍ତି! ଏହି  ଯିଏ ଏଠାରେ କଥା କହୁଛି, ଏ ତ ନର୍ସ ନୁହେଁ… ମରିୟାର କଣ୍ଠସ୍ବର ଭାସି ଆସୁଛି।

ଏ ସବୁ କିଛି ନୁହେଁ, କିଛି ନୁହେଁ, କେବଳ ଜ୍ବରର ବିକାର । ଯେତେସବୁ ବାଜେ ଚିନ୍ତା ଆସିଯାଉଛି-ଗ୍ରେଗରୀ ନିଜ ମନକୁ ପ୍ରବୋଧନ ଦେବାକୁ ଚେଷ୍ଟା କରେ। କିନ୍ତୁ ସନ୍ଧ୍ୟାରେ ଯେତେବେଳେ ଜ୍ବର ଘୋଟିଆସେ , କ୍ରମେ ଉତ୍ତାପ  ବଢ଼ିବାକୁ ଲାଗେ, ଲୁପ୍ତ ଆନନ୍ଦରେ ଆତ୍ମହରା ହୋଇ ସେହି ସୁନେଲି ସ୍ବପ୍ନରେ ନିଜକୁ ବୁଡ଼ାଇ ଦିଏ ସେ, ସେହି ସ୍ବପ୍ନରାଜ୍ୟରେ ପୁଷ୍ପିତ କୁଞ୍ଜବନକୁ ଚୋର ପରି ପ୍ରତିଜ୍ଞାରେ ଲୌହ ପାଚେରୀ ଡ଼େଇଁ ପ୍ରେମାନନ୍ଦଭରା ସେହି ସୁଖମୟ ର୍ସ୍ବଲୋକକୁ ସେ ଚାଲିଯାଏ।

ପୁଣି ଜ୍ବର ଛାଡ଼ିଯାଏ। ପ୍ରତିଜ୍ଞା ଭାଙ୍ଗିବାର ତୀବ୍ର ଅନୁଶୋଚନାରେ ନିଗର ମନକୁ ଗ୍ରେଗରୀ ଧିକ୍କାର କରେ। ତାହାର ମନରେ ଦୁର୍ଜୟ ଶକ୍ତି କେଉଁଆଡ଼େ ଭାସି ଯାଇଥିଲା…ଦୃଢ଼ ପ୍ରତିଜ୍ଞା। ପୁଣି ସନ୍ଧ୍ୟା ଫେରିଆସେ ସ୍ବପ୍ନ, ଯାହାର ଶେଷ ନାହିଁ ଯେତେବେଳେ ପର୍ଯ୍ୟନ୍ତ ରାତି ନପାହିଛି।




+ -

© Jataayu Charitable Trust
Site designed,developed & maintained by Tekons