“କିନ୍ତୁ ଭିକ୍ଟର, ଏତେଦିନ ଯଦି…”
ଭରୋନତ୍ସଭ୍ ତା କଥାର ଅର୍ଥ ବୁଝିପାରିଲା ନାହିଁ।
“କଅଣ କହିଲ”
“ନା, ନା, କିଛି ନୁହେଁ।” ସେ କଥା ତାହା ପକ୍ଷରେ ପ୍ରକାଶ କରି କହିବା ମଧ୍ୟ ଅସମ୍ଭବ-ଆଉ କେବେ ମଧ୍ୟ କହିପରିବ ନାହିଁ। କିନ୍ତୁ ସବୁ ସମୟରେ ଏହି ଚିନ୍ତା ତା ମୁଣ୍ଡରେ ଜମା ହୋଇ ରହିଛି-ସୋନିଆ ହୁଏତ ଭୁଲ୍ କରି ନାହିଁ,ନିଶ୍ଚୟ। କିନ୍ତୁ ସେ ଏତେଦିନ ହୁଏତ ଆଉ ବଞ୍ଚି ରହିଛନ୍ତି?ଏହି ନୋଟିସ୍ରେ ଲେଖା ହେବା ତାରିଖରେ ତାଙ୍କର ମୃତ୍ୟୁ ହୋଇ ନପାରିଥାଏ, କିନ୍ତୁ କାଲି?-ଆଜି? –ଏହି ମୁହୂର୍ତ୍ତରେ ହୁଏତ ହାସପାତାଳର ବିଛଣାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ହୁଏତ କାଲି ତାଙ୍କର ମୃତ୍ୟୁ ହୋଇଯାଇଛି। ପୁଣି ସବୁଚିନ୍ତା ତାହାର ଆଖିରେ ଉଭେଇଯାଏ।ଅନନ୍ତ ଅନ୍ଧାରରେ କୋଳରେ ସବୁ ବୁଡ଼ିଯାଏ, ପୁଣି ତା ଆଖି ଆଗରେ ଗୋଟିଏ ବିରାଟ ମରୁଭୂମି ଦେଖାଯାଏ, ଯେଉଁଠାରେ ସାରାଜୀବନ ସର୍ବହରା, ଲକ୍ଷ୍ୟହୀନ ଜୀବନକୁ ନେଇ ସେ ଘୂରି ବୁଲିବ।
“ବଡ଼ଜୋର୍ରେ ଦୁଇ ତିନିଦିନ ତୁମକୁ ଧୈର୍ଯ୍ୟ ଧରି ରହିବାକୁ ପଡ଼ିବ, ତା’ପରେ ସବୁ ଜଣାପଡ଼ିବ।” - ଭରୋନତ୍ସଭ୍ କହିଲା।
ମରିୟା ଟିକିଏ ଶାନ୍ତ ହେଲା। ତାହାର ସାନ୍ତ୍ବନାଭରା ଦରଦ କଣ୍ଠସ୍ବରରେ ତାର ଆତ୍ମବିଶ୍ବାସ ଫେରିଆସିଛି। ଭରୋନତ୍ସଭ୍ କଣ୍ଠସ୍ବରରେ ଆଶାର ବାଣୀ ଝଙ୍କାରିତ ହେଲା।
“ତା’ପରେ ତୁମେ ତାହା ପାଖକୁ ସେଠାକୁ ଯିବ, କିମ୍ବା ତାକୁ ଏଠାକୁ ନେଇ ଆସିବ। ତାର ପଠାଇବା ଛଡ଼ା ମୁଁ ଏହି ହାସପାତାଳ ସହିତ ଟେଲିଫୋନ୍ ସଂଯୋଗ କରିବାର ଚେଷ୍ଟା କରିବି, ସେଟା ସବୁଠାରୁ ଭଲ ହେବ-ଆଚ୍ଛା, ମୁଁ ଚେଷ୍ଟା କରି ଦେଖୁଛି।”
“ ସେଇଆ ତ। ଏ କଥାଟା ମରିୟାର ଏ ପର୍ଯ୍ୟନ୍ତ ଖିଆଲ ହୋଇନାହିଁ।ଟେଲିଫୋନ୍ ତାର ଭିତରଦେଇ ଅତିଶୀଘ୍ର କଥାବାର୍ତ୍ତା ଚାଲିବ, ଆଉ ମୁହୂର୍ତ୍ତକେ ସମସ୍ତ ପରିଷ୍କାର ହୋଇଯିବ। ତା’ ପରେ , ତାହାହିଁ ଯଦି ହୁଏ- ଗ୍ରିଶା ନିଜେ ଯଦି… ଗ୍ରିଶାର କଣ୍ଠସ୍ବର ବହୁତ ଦୁରକୁ ଭାସିଆସିବ-ବହୁଦୂରରୁ ଗୋଟାଏ ସହରରୁ… ଗ୍ରିଶାର କଥା…!!
ଭରୋନତ୍ସଭ୍ ଗଲା। ଗାଲରେ ହାତ ଦେଇ ମରିୟା ଅଚଳ ହୋଇ ବସିରହିଲା। କାଗଜ ଦୁଇଖଣ୍ଡ ଉପରୁ- ସେ ତାର ଆଖି ଫେରାଇ ନେଇପାରୁନାହିଁ-ଗୋଟିଏ ନେଇଆସିଛି ମୃତ୍ୟୁ ସମ୍ବାଦ…ଅନ୍ୟଟା ଜୀବନ।