ପ୍ରେମର ନିକଷ




॥ସାତ॥

“ମରିୟା, ତୋ ନାଁରେ ଗୋଟେ ଟେଲିଗ୍ରାମ ଆସିଛି।” ତାତ୍ୟାନା ପେଟ୍ରୋଭାନା କହିଲେ।

“ଟେଲିଗ୍ରାମ୍‌?- କୋଉଁଠୁ ଆସିଛି?”

“ମୁଁ ତାହା ଦେଖିନାହିଁ ତୋ ଟେବୁଲ ଉପରେ ଥୁଆ ହୋଇଛି। ଯାଆ ଦେଖ।” ତରତର ହୋଇ ମରିୟା କୋଟ୍‌ଟି ଖୋଲି ରଖିଲା। ହୁଏତ କେହି ଲୋଡ଼ି ପାରିଥାଏ ଆହତ କୌଣସି ରୋଗୀର ଖବର – ଅଥବା କେହି ରୋଗୀ ଦେହ ଖୁବ ବେମାର ଥିଲା, ଏପରି ତ ପ୍ରାୟ ହୋଇଥାଏ। ଏହି ମା, ଭଉଣୀ, ସ୍ତ୍ରୀମାନେ ଶହଶହ ମାଇଲ୍ ଦୂରରେ ରହି ମଧ୍ୟ ସେମାନଙ୍କର ଆତ୍ମୀୟ ଲୋକଙ୍କର ଖବର ଶୁଣିବାକୁ ପାଆନ୍ତି। ଶୁଣନ୍ତି ଯେ ମୃତ୍ୟୁ ସଙ୍ଗେ ଯୁଦ୍ଧକରି ତାଙ୍କର ଆତ୍ମୀୟ ଲୋକଟି ପରାସ୍ତ ହୋଇଛି।

କିନ୍ତୁ ମରିୟାର କାନରେ ସେପରି ଭାବ କୌଣସି ମତେ ଆସି ନାହିଁ। ନୋଟିସ୍‌ଟା ପାଇବା ଆଗରୁ ସେତ କିଛି ବୋଲି କିଛି ଅନୁଭବ କରି ପାରିନଥିଲା-କୌଣସି ଆଭାସ ତ ପାଇନାହିଁ। ତାହାହେଲେ କିପରି ସେ ବିଶ୍ବାସ କରିବ ଯେ ଆଗରୁ ମନ ଅମଙ୍ଗଳର ସୂଚନା ପାଏ? ଗ୍ରିଶା ତା ସହଚର ଥିଲା-ସବୁଠାରେ, ସମସ୍ତ କାର୍ଯ୍ୟରେ । ମୁହୂର୍ତ୍ତକ ପାଇଁ ତ ସେ ତାହାର ଅନ୍ତର ଛାଡ଼ିଯାଇନାହିଁ। ମରିୟା ତାର ଉପସ୍ଥିତି ଅନୁଭବ କରିପାରୁନଥିଲା, ତାର କଣ୍ଠସ୍ବର ଶୁଣିପାରୁ ନଥିଲା, ତାର ଆଖି ଆଗରେ ତାର ହସ ଖେଳିଯାଉଥିଲା।ତାହାହେଲେ ସେସବୁ କଣ ଭୁଲ୍‌? ସେ ଯେତେବେଳେ ଗ୍ରିଶା ବିଷୟରେ ଏତେ ଆଶା ଏତେ ଭରଶା ମନରେ ପୋଷିଥିଲା ସେତେବେଳେ ସେ କଣ ଜୀବିତା ବସ୍ଥାରେ ନଥିଲା।

ମରିୟା ଟେଲିଗ୍ରାମର ଖୋଳଟି ଛିଡ଼ାଇ ପକାଇଲା। ତା’ପରେ ଦୁଇଟି ଆଖି ଯେପରି ପ୍ରତ୍ୟେକଟି ଶବ୍ଦର ଅର୍ଥ ଗ୍ରହଣ କରିବାରେ ବ୍ୟସ୍ତ। ପତଳା କାଗଜରେ କେତେ ଗୁଡ଼ାଏ ଅସମାନ ଧାଡ଼ି … ଖଣ୍ଡେ କାଗଜ ଦେହରେ ଅଠାରେ ଲଗା ହୋଇଛି। କିନ୍ତୁ ମରିୟା କିଛି ବୁଝିପାରୁନାହିଁ, ସତେ ଯେପରି ତାହାର ସମସ୍ତ ଶରୀର ଭିତରେ ଗୋଟିଏ ଶୀତଳ ସ୍ରୋତ ବହିଗଲା ସମସ୍ତ ଅଙ୍ଗ-ପ୍ରତ୍ୟଙ୍ଗ କମ୍ପି ଉଠିଲା।

“ଚା ଖାଇବୁ?” ପାଖଘରେ ମରିୟାର ମା ପଚାରିଲେ। ମରିୟା କୌଣସି ଜବାବ ଦେଲା ନାହିଁ। ହାତରେ ଧରିଥିବା ଅବୋଧ୍ୟ ଟେଲିଗ୍ରାମ ଉପରେ ଏକଲୟରେ ଖାଲି ଅନାଇ ରହିଲା ସେ । ଘର ଭିତରେ ତାତ୍ୟାନା ପେଟ୍ରୋଭାନାଙ୍କର ଛିଣ୍ଡା ଚଟିର ଫଟ ଫଟ ଶବ୍ଦ ଶୁଣାଗଲା। “ଖବର କଣ?ଏପରି ବସିଛୁ କାହିଁକି? –କି ଟେଲିଗ୍ରାମ?” ବୃଦ୍ଧା ସାମାନ୍ୟ ରୁକ୍ଷ୍ କଣ୍ଠରେ ରାଗିଯାଇ ବଡ଼ପାଟିରେ ପଚାରିଲେ

“ଟେଲିଗ୍ରାମ୍‌ … ଟେଲିଗ୍ରାମ୍‌… ” ପୁଣି ଭଙ୍ଗା ହୋଇଥିବା କାଗଜ ଖଣ୍ଡ ଖୋଲି କମ୍ପିତ କଣ୍ଠରେ ସେ ପଢ଼ିବାକୁ ଅରମ୍ଭ କଲା- “ ଗ୍ରେଗରୀ ଆଇଭାନୋଭିଚ୍‌ ଆହତ ହୋଇ ଆମ ହାସପାତାଲକୁ ଆସିଛନ୍ତି-ସୋନିଆ।”

‘ ଚୁଁ’ ମାରି ତା’ ହାତରୁ ଟେଲିଗ୍ରାମଟି ଚଟ୍‌ କରି କାଢ଼ିନେଇ ଅନୁଚ୍ଚ-ସ୍ବରରେ ମା କାନ୍ଦିଉଠିଲେ। “ ବଞ୍ଚି ରହିଛି। ବଞ୍ଚି ରହିଛି।” ଝିଅ ପ୍ରତି ଲକ୍ଷ୍ୟ ନ ରଖି ପାଖ ଘରକୁ ବୁଢ଼ୀ ଚାଲିଗଲେ। ତାହାରି ପାଇଁ ଗ୍ରେଗରୀ ବଞ୍ଚି ଉଠିଛି- ସେ ତ ମୃତ୍ୟୁ-ଦେଶରୁ ଫେରିଆସିଛି-ସମାଧିର ଗଭୀର ଅନ୍ଧାକାର ଭିତରେ ମଧ୍ୟ ଫେରିଆସିଛି- ତାହାରି ପାଇଁ ଜୀବନ ଫେରିଆସିଛି… ମା ତାହାର ମଙ୍ଗଳ କାମନା କରି ଆକୁଳ ହୋଇପଡ଼ୁଥିଲେ ଆଉ… ସେହି ମୁହୂର୍ତ୍ତରେ ତାତ୍ୟାନାଙ୍କର ମନରେ କେବଳ ସେହିକଥା ଜାଗିଉଠିଥିଲା। ମରିୟା ତାର ମାଙ୍କର କ୍ଷୀଣ କଣ୍ଠସ୍ବର ଶୁଣିପାରୁଥିଲା। ସେ ପ୍ରାର୍ଥନା କରୁ କରୁ ଭାଙ୍ଗି ପଡ଼ିଥିବା ଇକେନ୍‌ର ତଳେ ନଇଁ ପଡ଼ିଛନ୍ତି। ହଁ, ତାହିଁ ହୋଇପାରେ । ପ୍ରଥମେ ଆଣ୍ଠୁମାଡ଼ି ବସି ଇକେନ ଆଗରେ ପ୍ରାର୍ଥନା କରିବେ।

ଟେଲିଗ୍ରାମ୍‌ଟା ଖୋଲି ମରିୟା ଆଉଥରେ ପଢ଼ିବାକୁ ଆରମ୍ଭ କଲା। ଯୁଦ୍ଧ ଆରମ୍ଭରୁ ସୋନିଆ ଯୁଦ୍ଧଭୂଇଁ ଠାରୁ ବହୁତ ଦୂରରେ ଗୋଟିଏ ହଷ୍ଟେଲରେ କାମ କରୁଛି। ସେଠାକୁ ଗ୍ରିଶା ଗଲା ବା କିପରି! ନୋଟିସ୍‌ଟା ତ ଖୋଦ୍‌ ଯୁଦ୍ଧଭୂଇଁରୁ ଆସିଛି। ତାହାର ସେହି ସାଙ୍ଗର ନାମ ଛଡ଼ା ଆଉ ଯେପରି କିଛି ସେ ବୁଝି ପାରୁନାହିଁ।

ଡ୍ରୟର୍‌ ଖୋଲି ପୁଣିଥରେ ମୃତ୍ୟୁ-ସମ୍ବାଦ ବୋହି ଆଣିଥିବା ନୋଟିସ୍‌ଟା ପଢ଼ିବାକୁ ସେ ଆରମ୍ଭ କଲା। କୌଣସିଠାରେ କୌଣସି ସନ୍ଦେହ କରିବାର ଅବସର ତ ନାହିଁ।ମୃତ୍ୟୁର ଖବର ଖୋଦ୍‌ ଯୁଦ୍ଧଭୂଇଁରୁ ତାହାର ୟୁନିଟ୍‌ରୁ ଆସିଛି- କୌଣସି ହାସପାତାଲରୁ ତ ନୁହେଁ। ତାହା ହେଲେ ଅବସ୍ଥାଟା କଅଣ? ସୋନିଆଠାରୁ ସେମାନେ ନିଶ୍ଚୟ ଖାଣ୍ଟି ସତ କଥା ପାଇବାକୁ  ଆଶା କରନ୍ତି…ଆଛା, ତା’ ହେଲେ ସୋନିଆର ବା କି ଗରଜ ଥିଲା ଟେଲିଗ୍ରାମ କରିବାକୁ?

 

ମରିୟା ଦୁଇ ହାତରେ ତାର କପାଳକୁ ଚାପି ଧରିଲା- ତାହାକୁ ଯେପରି ଭୀଷଣ ଭୟ ହେଊଛି- ସେହି କଥାଟା ଉଚ୍ଚାରଣ କରିବାରେ ତାହାର ଭୀଷଣ ଭୟ- ସେ କଥାଟା ତା ମା ବର୍ତ୍ତମାନ କହିଦେଇ ଗଲେ ନାହିଁ ଯେ ମନ ଭିତରେ ଗୁନ୍ଥି ଦେଇଗଲେ।–“ବଞ୍ଚି ରହିଛି- ସେ ବଞ୍ଚି ରହିଛି।” ହୁଏତ ଶେଷରେ ଦେଖାହେବ- ହୁଏତ ନିଶ୍ଚୟ ଏଇଟା ଗୋଟାଏ ଭୁଲ୍‌- ଗୋଟାଏ ମାରାତ୍ମକ ଭ୍ରାନ୍ତି।ତାତ୍ୟାନା ପେଟ୍ରୋଭାନା ଘରକୁ ପଶି ଆସିଲେ-ତାଙ୍କର ମୁଖ ଆନନ୍ଦରେ ଉଦ୍‌ଭାସିତ ହୋଇ ଉଠିଚି। ଝିଅର ଚିନ୍ତାକୁଳିତ ମଳିନ ମୁହଁକୁ ଅନାଇ ସେ ଭୀଷଣ ରାଗିଗଲେ।




+ -

© Jataayu Charitable Trust
Site designed,developed & maintained by Tekons