ପ୍ରେମର ନିକଷ




॥ଛଅ॥

 ଛୋଟ ଷ୍ଟେସନ୍‌ । ଗାଡ଼ି ଆସି ଛିଡ଼ାହେଲା ମାତ୍ରେ ମରିୟା ଓହ୍ଲାଇ ପଡ଼ିଲା, ଭରୋନତ୍ସଭ୍‌କୁ ବିଦାୟ ସମ୍ଭାଷଣ ମଧ୍ୟ ଜଣାଇନାହିଁ।

ବୋମା ବିଧ୍ବଂସ୍ତ ଷ୍ଟେସନଟିର ଧ୍ବଂସସ୍ତୁପ ପାଖେ ପାଖେ କାଦୁଅ ବାଟ ବାରି ମରିୟା ଆଗେଇ ଚାଲିଲା। ତାହାର ଗତିପଥକୁ ଭରୋନତ୍ସଭ୍‌ ନିର୍ନିମେଷ ନୟନରେ ଅନାଇରହିଥାଏ; ମରିୟାକୁ ଦେଖି ତାହାର ମନେହେଉଥାଏ  ଯେପରି ସେ ପରିତ୍ୟକ୍ତ ଗୋଟିଏ ଛୋଟ ବାଳିକା , ଜୀବନ୍ତ ନୈରାଶ୍ୟର ଧୂସର ଧ୍ବଂସାବଶେଷ …। ଭରୋନତ୍ସଭ ଉଠି ଦରଜାପାଖକୁ ଆଗେଇଗଲା, କିନ୍ତୁ ସେହି ସମୟ ଭିତରେ ଟ୍ରେନ୍‌ଟା  ଭସ୍‌ ଭସ୍  ଶବ୍ଦ କରି ଅନେକବାଟ ଅତିକ୍ରମ କରି ଚାଲିଗଲା।

ବରଫ ନଥିବା ଶୀତଳ କାଦୁଅ ବାଟରେ ମରିୟା କ୍ଳାନ୍ତ ପାଦଦୁଇଟିକୁ ଟାଣିଟାଣି ଆଗକୁ ପକାଇଲାପରି ଅତି କଷ୍ଟରେ ଆଗେଇ ଚାଲିଲା । ଫସଲ ଉଠିଯାଇଥିବା ଥୁଣ୍ଟା ଚାଷଭୂମି ଉପରେ ସ୍ଥାନେ ସ୍ଥାନେ ଧୂଆଁଳିଆ କୁହୁଡ଼ି ଜମିରହିଛି ।   ନିର୍ଜନ ପ୍ରାନ୍ତର ମଧ୍ୟରେ ପଲେ କାଉ  କା କା ବିକଟ ରାବକରି ଉଡ଼ିଯାଉଛନ୍ତି।  ସେମାନେ ଉଡ଼ିଯାଇ ବଣର ଆଖପାଖରେ ଖାଇ ଜଳଳମି ଉପରେ ବସିଲେ, ମରିୟା ଚାରିଆଡ଼କୁ ଚାହିଁଲା । କଳାଛାର… ଆକାଶହୀନ ନିରାନନ୍ଦ ପୃଥିବୀ । ଥଣ୍ଡା ପବନରେ ତା ମୁହଁଉପରେ ଯେ ବିନ୍ଦୁବିନ୍ଦୁ କାକର ଜମିଗଲାଣି ସେଥିପ୍ରତି ତାର ଦୃଷ୍ଟି ନାହିଁ – କି ଭୟ‍ଙ୍କର ଥଣ୍ଡା ।

 ଆଗରେ ପାଇନ୍ ବଣ … ଡ଼େଙ୍ଗା ଗଛଗୁଡ଼ାକ ମୁଣ୍ଡ ଟେକି ଠିଆହୋଇଥାନ୍ତି । ମୋଡ଼ଠି ରାସ୍ତାଟି ବାଙ୍କି ଯାଇଛି। ମରିୟା ଏବେ ସହରର ପ୍ରଥମ ପକ୍କା ଘରଟି ଦେଖିପାରିଛି – ଗୋଟିଏ ଛୋଟ କାରଖାନାର ଘର। ଦିନଥିଲା ଯେତେବେଳେ ଏହି କାରଖାନାର ଶବ୍ଦରେ ସମସ୍ତ ସହରଟି କମ୍ପିଯାଉଥିଲା, ତୀବ୍ର ସୁସୁରିର ଶବ୍ଦରେ ସମସ୍ତେ ଚେଇଁ ଉଠୁଥିଲେ ଏବଂ ସେହି ସୁସୁରି ସ୍ବରରେ ଖରାବେଳର ଖାଇବା ସମୟ ଜାଣିପାରିଥିଲେ। ଅତି ପରିଚିତ ପୁରୁଣା ବନ୍ଧୁ ଭଳି ଟିକିଏ ହସି ମରିୟା କାରଖାନା ଘରଟିକୁ ଅଭିନନ୍ଦନ ଜଣାଇଲା ।

କିନ୍ତୁ କାରଖାନା କାହି? କାରଖାନାର ଅସ୍ତିତ୍ବ ନାହିଁ । ଝଙ୍କାଳିଆ ପାଇନ୍ ବଣଭିତରେ ପ୍ରାଗ୍‌ ଐତିହାସିକ ଯୁଗର କୌଣସି ବୃହାଦ୍‌କାର ଜନ୍ତୁର କଙ୍କାଳପରି କଣ ଗୋଟାଏ ଯେପରି ଛିଡ଼ାହୋଇଛି କମ୍ଭୂତ କିମାକାର । ଘରଟା ବିଲ୍‌କୁଲ୍‌ ଧ୍ବଂସ ହୋଇଯାଇନାହିଁ। ସିମେଣ୍ଟ ଆଉ କଂକ୍ରିଟ୍‌ର ଛାତ। ଇସ୍ପାତ କଣ୍ଟା ମରାହୋଇଥିବାରୁ କୋଉଠି କୋଉଠି ଲାଗିରହିଛି , ବିସ୍ଫୋରଣ ର ଆଘାତରେ ମୁଳଦୂଆ ଏବଂ କାନ୍ଥ ଭୁଶୁଡ଼ି ପଡ଼ିଛି,ଛାତ ଗଳି ପଡ଼ିଛି କାଦୁଆ ମାଟିରେ ପିଲାମାନଙ୍କର ଘରପରି । ନିଆଁରେ ତାତିଯାଇଥିବା ଭଙ୍ଗାଘରଟିର ଖୁଣ୍ଟ ଓ କଣ୍ଟାଗୁଡ଼ିକୁ ଦେଖିଲେ  ମନେହୁଏ ଯେପରି ଗୋଟିଏ ଅଦ୍ଭୂତ ବିରାଟକାୟ ଜନ୍ତୁ ଜଙ୍ଗଲରେ ଆତ୍ମଗୋପନ କରିବାର ବ୍ୟର୍ଥ ପ୍ରୟାସ ହୋଇ ଛିଡ଼ା ହୋଇଛି।

ମରିୟାର ମନ ଦବିଗଲା। ଏହିଠାରେ ଏହି କାରଖାନା ଘରେ- ଆଜି ଯେଉଁଠାରେ ଘର ବୋଲି କିଛି ନାହିଁ-ଇଞ୍ଜିନିୟର ଗ୍ରିଶା ପ୍ରଥମେ ଏହିଠାରେ କାମ ଆରମ୍ଭ କରିଥିଲା। ପ୍ରତ୍ୟେକ ବଖୁରିକୁ ଯାଇ ସେ କଳକବ୍‌ଜା ପରୀକ୍ଷା କରେ,ବିରାଟ ଗର୍ଜନ, ବୟଲରର  ଚାପ, ମେସିନ୍ର ଗତି ଆଉ ଚମଡ଼ା ଫିତା ଘେରା ଘୁରୁଥିବା ଚକର ହିସ୍‌ହିସ୍‌ ଶବ୍ଦ…

ଚଟାଣର ଗାତଗୁଡ଼ିକରେ ମଇଳା ବରଫ ଜମିଯାଇଛି। ବରଫ ତଳେତଳେ ଚାଲିଛି ଜଳର ଧାରା- ଉପରେ ବରଫକୁ ତାହା ଧିରେଧିରେ ଖାଇଯାଉଛି, ଖୁଣ୍ଟା ପାଇନ୍‌ ବଣର ଡାଳ ଦେଇ ଟୋପାଟୋପା ପାଣି ଏହି ଗାତଭିତରକୁ ଝରିପଡ଼ୁଛି, ଲୁଣିଆ ମାଟି ଉପରେ ।

ଦିନେ ଏହିଠାରେ ଥିଲା ବସନ୍ତର ଆନନ୍ଦ ସମାରୋହ, ଯେଉଁ ସମୟରେ ପାଇନ୍‌ ବଣ ଉପରେ ଗୋଧୁଳିର ଝିଲ୍‌ମିଲ୍‌ ସୁନେଲି କିରଣ ବିଛୁଡ଼ି ହୋଇପଡ଼ିଥିଲା। ଧୋବ ରାସ୍ତା ଉପରେ ଈଷତ୍‌ ଭୟବିହ୍ବଳ ପଦକ୍ଷେପରେ ଧୂଳି ଉଡ଼ାଇ ଅପେକ୍ଷା କରିବାର ବ୍ୟକୁଳତା ଭାଙ୍ଗି ଗ୍ରିଶା ମରିୟା ପାଖକୁ ଚାଲିଆସିଥିଲା।

ପାଇନ୍‌ ଗଛଗୁଡ଼ିକ ସତେ ଯେପରି ଛୋଟ ହୋଇଯାଇଛି, ବହଳିଆ ଜଙ୍ଗଲ ପତଳା ହୋଇ ଯାଇଛି, ଗୋଟିଏ ଛୋଟ ବୁଦ୍‌ବୁଦିଆ ଜଙ୍ଗଲରେ ପରିଣତ ହୋଇଛି। ମୁଣ୍ଡ ଉପରଦେଇ ଦୂର ଦିଗନ୍ତର ସୀମାରେଖା ଦେଖାଯାଏ, ଜଳଭରା ମେଘ ଢ଼ଙ୍କା ଆକାଶ ଆଉ ବହଳିଆ କୁହୁଡ଼ି।

ଅଳ୍ପ ଆଗରେ ସ୍କୁଲ ଦେଖାଯାଏ-ବାଡ଼ା ଘେରା ଭିତରେ ଧଉଳା ଘରଟିଏ, କିନ୍ତୁ ଘରର ଚିହ୍ନ ସୁଦ୍ଧା ସେଠାରେ ନାହିଁ। ଗଦା ଗଦା ପାଉଁଶ ଏବଂ ଭଙ୍ଗା ଇଟାଗଦା।




+ -

© Jataayu Charitable Trust
Site designed,developed & maintained by Tekons