“ହଁ, ତାହାର ବନ୍ଦୋବସ୍ତ କରାଯିବ, ମୋର ମଧ୍ୟ ସିଆଡ଼େ ଯିବାର ଅଛି…, ସେହି ହସପାତାଳଟା ପରିଦର୍ଶନ କରିବାକୁ; ସେହି ଯେ ରିପୋର୍ଟ କଥା ତୁମକୁ ମୁଁ କହିଥିଲି ତା’ରି ପାଇଁ, ସେଇଟା ହେଉଛି ବେରି-ଓ-ଝୋଭକାର ଗୋଟିଏ ଷ୍ଟେସନ ଆଗକୁ। ତେବେ ସାଙ୍ଗ ହୋଇଯିବା।”
“ତେବେ ତୁମେ ସାଙ୍ଗରେ ଯିବାକୁ ପଡ଼ିବ”“ ନା ମୁଁ ଏକୁଟିଆ ଯିବି।”
“କିଛି ମନେ କର ନାହିଁ ମରିୟା, ଚାଲ ସାଙ୍ଗ ହୋଇଯିବା। ଫେରିବା ସମୟରେ ତୁମକୁ ସାଙ୍ଗରେ ନେଇ ଆସିବି। ମୋର ମଧ୍ୟ ଗୋଟିଏ ଦିନର କାମ-ଆଉ ତୁମର ମଧ୍ୟ ଗୋଟିଏ ଦିନ ଯଥେଷ୍ଟ ହେବ। ଶୁଣାଯାଏ ‘ବେରି-ଓ-ଝୋଭକା ଭୀଷଣ ଭାବରେ ବିଧ୍ବଂସ ହୋଇଛି।”
“ଜାଣେନା, ମୁଁ କିଛି ଜାଣେନା।”
“ଆଚ୍ଛା, ନିଜେ ମୁଁ ତାହାର ବନ୍ଦୋବସ୍ତ କରିବି।”
ମରିୟା ଘଡ଼ିଟି ଆଡ଼େ ଚାହିଁଲା।
“କୁଆଡ଼େ ଯିବ କି ବର୍ତ୍ତମାନ,ମରିୟା?”
“ନା…। କିନ୍ତୁ ମୋର ମନେ ହେଉଛି ବର୍ତ୍ତମାନ ତୁମର ଯିବାର ସମୟ ହୋଇଛି।”
“ନିଶ୍ଚୟ।… ମୁଁ –ଯାଉଛି ବର୍ତ୍ତମାନ , କିନ୍ତୁ ତୁମେ ଆଜି ମୋ ଉପରେ ଟିକିଏ ହେଲେ ଖୁସି ହୋଇ ନାହଁ।”
“ଆଜି କାହିଁ କୌଣସି ଦିନ ନୁହେଁ;ଚାହେଁନା ମଧ୍ୟ।ଖୁସି ହେବାର କୌଣସି ସେପରି କାରଣ ମଧ୍ୟ କିଛିନାହିଁ।”
“ମୋ ଉପରେ?”
“ତୁମ ଉପରେ ନୁହେଁ କି ଆଉ କାହା ଉପରେ ନୁହେଁ-ସମସ୍ତଙ୍କ ଉପରେ।”
ଆଚ୍ଛା ହେଉ, ବର୍ତ୍ତମାନ ମୁଁ ବିଦାୟ ନେଉଛି।ବୋଧହୁଏ ଆସନ୍ତା ସପ୍ତାହ ଭିତରେ ବ୍ୟବସ୍ଥା କରିପାରିବ, ଯଦି ଯିବାକଥା ନିଶ୍ଚୟ ହୁଏ।”
“ନିଶ୍ଚୟ ମୁଁ ଯିବି। ବହୁତ ଦିନ ଆଗରୁ ସେଠାରୁ ଥରେ ଯିବାକୁ ମୋର ଇଚ୍ଛା ଅଛି।”
“ମୋର ମନେ ହୁଏ ‘ବେରି-ଓ-ଝୋଭକା’କୁ ଯିବା ପାଇଁ ସେପରି କିଛି ବିଶେଷ କାରଣ ନାହିଁ”
“ତାହା ତ ନିଶ୍ଚୟ, ବିଶେଷ କାରଣ ଆଉ ମୋର କଅଣ ଥାଇପାରେ।”
“ ତେବେ ଯିବାଟା କଅଣ ନିହାତି ଦରକାର?”
“ଆହାଃ…
“ଆଚ୍ଛା, ଆଚ୍ଛା, ଯାହା ତୁମର ଇଚ୍ଛା, କ୍ଷମା କରିବ ମରିୟା- ତେବେ ବର୍ତ୍ତମାନ, ମୁଁ…”
ଦୁଆର ପର୍ଯ୍ୟନ୍ତ ମରିୟା ଭରୋନତ୍ସଭ୍କୁ ବାଟେଇ ଦେଇ ସେହିକ୍ଷଣି ଫେରିଆସିଲା।ଆଉ ସେ ମିନିଟିଏ ସତାର କରିପାରିଲା ନାହିଁ। ମରିୟା ରେଡ଼ିଓଟା ଖୋଲି ଯୁଦ୍ଧ ଖବର ଶୁଣିଛି ସେ, ନା, କେବଳ ଶକ୍ତି ଲାଭ କରିଛି, ବାରମ୍ବାର ତାହାର ଚେତନା ଜାଗି ଉଠିଛି।
“ଆମର ସୈନ୍ୟ ଆକ୍ରମଣ ଆରମ୍ଭ କରିଛନ୍ତି।” ମରିୟା ଚୁପ୍ କରି ଶୁଣୁ ଶୁଣୁ ଆଖି ବୁଜିଦେଲା। ଖୁବ୍ ବେଶିଦିନ ଆଗର କଥା ନୁହେଁ, ପ୍ରତ୍ୟେକ ଖବର ଯେପରି ବହି ଆଣୁଥିଲା ଗ୍ରିଶାର ଅଭିନନ୍ଦନ- ଗ୍ରିଶାର ସମ୍ବାଦ…। ହୁଏତ ଯେଉଁମାନଙ୍କର ନାମ କୁହା ହୋଇଗଲା ବର୍ତ୍ତମାନ ସେପରି ସ୍ଥାନରେ ଗ୍ରିଶା ଏହି ଗ୍ରାମ ଦଖଲ କରିଛି, ସହରରେ ପ୍ରବେଶ କରିଛି।ଶତ୍ରୁର ପାଖ ପାଖ ସ୍ଥାନମାନଙ୍କରେ ଆକ୍ରମଣ ଚଳାଇଛି-ବିଜୟର ଅଭିଯାନ; ଶତ୍ରୁର ଅସଂଖ୍ୟ ସୈନ୍ୟ ଧ୍ବଂସ କରିଛି। ଶତ୍ରୁର ସୈନ୍ୟଙ୍କୁ ପଦଦଳିତ କରି ଆଗେଇ ଚାଲିଛି ଗ୍ରିଶା; କମାଣ ଗର୍ଜନ ଓ ରକେଟର ଆଲୋକ ଗ୍ରିଶାକୁ ଅଭିନନ୍ଦନ ଜଣାଉଛି।