ହଠାତ୍ ମରିୟାର ମୁଣ୍ଡରେ ଗୋଟିଏ ଅଦ୍ଭୁତ ଚିନ୍ତା ଆସି ଢ଼ୁକିଲା। ତାହାର ମନେ ହେଲା ସେ ପଥହୁଡ଼ି କୌଣସି ଏକ ଅଜଣା ଦେଶରେ ଆସି ପହଞ୍ଚିଛି… ଭୁଲ୍ରେ ଅନ୍ୟ ଷ୍ଟେସନରେ ଓହ୍ଲାଇଛି। ଏପରି ଗୋଟାଏ ଦେଶ ଅଛି ବୋଲି ତାକୁ ଆଗରୁ ମୋଟେ ଜଣାନଥିଲା।
କିନ୍ତୁ ଏହା କିପରି? ଷ୍ଟେସନ ଯଦିଓ ଧୂଳିରେ ମିଶିଯାଇଛି ତଥାପି କେହି ଯେପରି ତାହାର ଅତି ପରିଚିତ ନାମଟି ଗୋଟିଏ ପଟା ଉପରେ ଲେଖି ଏହି ପୋଡ଼ାଖୁଣ୍ଟିରେ ଆଣ୍ଟି ଦେଇଛି।
ମରିୟା ଯେପରି ସ୍ବପ୍ନରାଜ୍ୟରେ ଘୂରି ବୁଲୁଛି-କୌଣସି ପରିଚିତ ସ୍ଥାନ ବାହର ଖୋଜି ବାହାର କରିବାକୁ ଚାହୁଛି କିନ୍ତୁ ପାରୁନାହିଁ।ଏଇଠି କେଉଁଠି ଛୋଟ କୁଡ଼ିଆଟିଏ ଥିଲା ଯେପରି…… ଯେଉଁଠି ଗ୍ରିଶା ସହିତ ତାହାର ପ୍ରଥମ ଦେଖା। ହଁ, ଏଇଟି ସେ ଉଚ୍ଚ ବେଢ଼ାଟାଏ ଥିଲା ଯାହାପାଖରେ ସେହି ସୁନ୍ଦର ଦୀର୍ଘକାୟ ଅପରିଚିତ ଲୋକଟି ବାଟ ପଚାରୁଥିଲା ଆଉ ଏହି କୁଡ଼ିଆ ଘରର କଳୀବୁଢ଼ୀଟା ମୁଣ୍ଡ ଉପର ଓଢ଼ଣାକୁ ଟେକି କାନ ପାଖରେ ହାତ ଦେଇ ତାହାର ପ୍ରଶ୍ନ ଶୁଣିବା ପାଇଁ ପ୍ରାଣେପଣେ ଚେଷ୍ଟା କରୁଥିଲା, ହସି ହସି ଗ୍ରିଶା ତାର କାନ ପାଖକୁ ତାର ମୁହଁ ଆଣି ଚିତ୍କାର କରି କଥା କହୁଥିଲା, ବଇଁଞ୍ଚ ବଣରୁ ମରିୟା ବାହାରି ଆସି ବେଢ଼ାର ଆର ପାଖରେ ଠିଆ ହୋଇ ତାହାକୁ ବାଟ ଦେଖାଇ ଦେଇଥିଲା। ମରିୟାର ମନେପଡ଼େ ସେହିଦିନ ଗ୍ରିଶାର ଖରାରେ ଲାଲ ପଡ଼ିଯାଇଥିବା ହାତ କଥା- ସେଇଟା ବର୍ତ୍ତମାନ ଯେପରି ତାହାର ଆଖି ଆଗରେ ନାଚୁଛି, ସତେ ଯେପରି ପରିଷ୍କାର ତାହାର ହାତରେ ଆଙ୍ଗୁଳି ଗୁଡ଼ିକ ଦେଖିପାରୁଛି ସେ- ମଝି ଆଙ୍ଗୁଳି ଉପରେ କଟାଦାଗ, ଯାହା ତାହା ଆଖି ଆଗରେ ଚଟ୍ କରି ପଡ଼ିଥିଲା।ଯାହାକୁ ଦେଖି ଛୋଟ ପିଲାଙ୍କ ପରି ସବୁ ଜାଣିବା ଲାଗି ଇଚ୍ଛା ତାହାର ମନରେ ଜାଗି ଉଠିଥିଲା ଓ ସେ ପଚାରିଥିଲା ଆଙ୍ଗୁଳିଟି ଏପରି ଭାବରେ କଟିଲା କିପରି? ପର ମୁହୂର୍ତ୍ତରେ ସେ ସଚେତ ହୋଇଯାଇଥିଲା- କାଳେ ତାହାର କୌତୂହଳ ପୂର୍ଣ୍ଣ ମନୋଭାବ ଅପରିଚିତ ଲୋକଟି ପାଖରେ ଧରାପଡ଼ିଯିବ, ଏହାଭାବି ସଂକୋଚରେ ସେ ନାଲି ପଡ଼ିଯାଇଥିଲା। ଗ୍ରିଶା ଅତି ଅନନ୍ଦରେ ତାହାର ମୁହଁଆଡ଼େ ଅନାଇ ରହିଥିଲା। ଗ୍ରିଶାର ସମସ୍ତ ଆନନ୍ଦମୟ ଥିଲା, ସତେ ଯେପରି ସେ ଅସରନ୍ତି ଆନନ୍ଦର ଗୋଟିଏ ପ୍ରତିମୂର୍ତ୍ତି ତାହାର ହାତ, ତାହାର ଦୃଷ୍ଟି, ତାହାର କଣ୍ଠ, ତାହାର ଚାଲିବାର ଭଙ୍ଗି ସବୁଥିରୁ ଯେପରି ଆନନ୍ଦର ଆସରନ୍ତି ଧାରା ଛୁଟି ଯାଉଥିଲା। ତାହାର ଏହି ସରଳ ପ୍ରଫୁଲ୍ଲ ଆନନ୍ଦମୟ ଭାବ ସର୍ବପ୍ରଥମେ ସବୁରି ଆଖିରେ ତାହା ଆଡ଼କୁ ଟାଣି ନେଉଥିଲା।
ପ୍ରଥମ ଦୃଷ୍ଟିର ବିନିମୟରେ ପ୍ରେମାସକ୍ତ ହେବା… ବାଜେ ଉପନ୍ୟାସମାନଙ୍କରେ ଯାହା ସବୁ ବର୍ଣ୍ଣନା ମିଳେ, ସେମାନଙ୍କର ବାସ୍ତବ ଜୀବନରେ ତାହାହିଁ ଘଟିଥିଲା। ଗ୍ରିଶା ତାହାର ବାଟ କଥା ଭୁଲି ଯାଇଥିଲା- ଦୁଆର ଖୋଲି ଭିତରୁ ଆସିବାକୁ ତାର ଖିଆଲ ପଡ଼ିଲା ନାହିଁ।ଏକା ଡ଼ିଆଁକେ ବେଢ଼ାଟା ଡ଼େଇଁ ତାହା ପାଖରେ ଆସି ସେ ଛିଡ଼ା ହୋଇଥିଲା। ସେ ବେଢ଼ାର ଚିହ୍ନ ସୁଦ୍ଧା ଆଜି ନାହିଁ, ୟାକି କଦାପି ହୋଇପାରେ! କୋଲ ମାରିଯାଇଥିବା ଆଙ୍ଗୁଳି ହଲାଇ ମରିୟା ସେଦିନ ସେହି ଧ୍ବଂସସ୍ତୂପ ଭିତରେ କଣ ଖୋଜି ବୁଲୁଚି। ଭଙ୍ଗା ଇଟାର ଧାରୁଆ କର ବାଜି ହାତ ଖଣ୍ଡିଆ ହୋଇ ରକ୍ତ ବାହାରିବାକୁ ଲାଗିଲା… ଖଣ୍ଡେ କାଠ ନାହି ଯାହା ଦେଖି ମରିୟା ସେଦିନ ସେହି ବେଢ଼ାଟା ଚିହ୍ନି ପାରିବ।ପୋଡା କାଠ ଖଣ୍ଡେ, ଭଙ୍ଗାଇଟା-କୌଣସି ଗୋଟାଏ ପୋଡ଼ା ଅଂଶ-କିଛି…
ମରିୟା ଉଠି ଠିଆହେଲା, ଫେରିଯିବ ବୋଲି ବସିଲା। ପୁଣି ସେହି ଛୋଟ ପିଲାଟା। କେତେଦିନ କେତେ ଥର ଏହି ତିନିଟି ତକ୍ତାରେ ଝୁଲୁଥିବା ପୋଲ ଉପରେ ସେ ଦୁଇ ଜଣ ହାତ ଧରାଧରି ହୋଇ ଚାଲିଯାଇଛନ୍ତି। ଏକାନ୍ତ ଲୋଲୁପ୍ତ ଦୃଷ୍ଟିରେ ସେହି କାଦୁଆ ପୋଲ ଉପରେ ସେ ଦୁଇଜଣ ହାତ ଧରାଧରି ହୋଇ ଚାଲିବାକୁ ଆରମ୍ଭ କଲା। ଯଦି କେଉଁଠାରେ ଗ୍ରିଶାର ପଦଚିହ୍ନ ଖୋଜି ଯାଇପାରେ, କିନ୍ତୁ ଶତ ଜର୍ମାନ୍ ସୈନ୍ୟର ବୁଟ୍ ତଳେ ଗ୍ରିଶାର ପଦଚିହ୍ନ ଉଭାଇ ଯାଇଛି।
ଶୀତରେ ମରିୟା କମ୍ପୁଛି-ଦାନ୍ତରେ ଦାନ୍ତ ବାଜି ଠକ୍ ଠକ୍ ହେଉଛି। ହଠାତ୍ ସେ ବୁଝିପାରିଲା ଯେ ତାର ଗୋଡ଼ ଦୁଇଟା ତିନ୍ତି ଯାଇଛି। କୋଟ୍ଟା ମଧ୍ୟ ତିନ୍ତି ଲୋଚାକୋଚା ହୋଇଯାଇଛି। ପାଦକୁ ଘୋଷାରି ଘୋଷାରି ସେ ଷ୍ଟେସନ ଆଡ଼େ ଫେରିଚାଲିଲା। ହଠାତ୍ ତାର ମନେହେଲା ସେ ଯେପରି ଗୋଟାଏ ମୁର୍ଦ୍ଦାର ପଛରେ ଚାଲିଛି। କାହିଁ, ସେ ତ ଗ୍ରିଶା ଶବର ଅନୁଗମନ କରୁନାହିଁ। କିପରି ସେ ବା ସେଠାକୁ ଯିବ? ଯୁଦ୍ଧକ୍ଷେତ୍ରରେ ଗ୍ରିଶା ଶହୀଦର ମୃତ୍ୟୁବରଣ କରିଛି- କିଏ ଜାଣେ କୋଉଁଠି କୌଣସି କବର ତଳେ ଚିର-ନିଦ୍ରାରେ ସେ ଶୋଇ ରହିଛି। ହୁଏତ ତାର ଦେହ ଛିନ୍ନଭିନ୍ନ ହୋଇଯାଇଛି-ପୋଡ଼ି ପାଉଁଶ ହୋଇଯାଇଛି ଅବା ଯାହା ଅଛି ତହିଁରୁ ତାକୁ ଚିହ୍ନିବା ଅସମ୍ଭବ।
ହଁ ଆଜି ଏହିଠାରେ- ସେମାନଙ୍କର ତରୁଣ ପ୍ରେମର ମଳିନ-ସ୍ବର୍ଗରେ ମରିୟା ନିଜେ ହାତରେ ଗ୍ରିଶାର ସମାଧି ହେଇଛି।
କାଦୁଅ ଲାଗି ମରିୟା ଗୋଡ଼ ଦୁଇଟା ଓଜନିଆ ଲାଗିଲା। ପୁଣି ପଲେ କାଉ ଉଡ଼ିଗଲେ- ପ୍ରବଳ ପବନରେ କମ୍ବଳର ଟୁକୁରା ଗୁଡ଼ିଏ ଉଡ଼ିଗଲା ପରି । ଅତି କଷ୍ଟରେ ଗୋଡ଼କୁ ଘୋଷାରି ଘୋଷାରି ମରିୟା ଚାଲିଛି। ଗୋଡ଼ କେଉଁଠାରେ ପଡ଼ୁଛି ତା ପ୍ରତି ଭୂକ୍ଷେପ ନାହିଁ। ଅସରାଏ ବର୍ଷା ମାଡ଼ି ଆସିଲା। ଛୁଞ୍ଚିପରି ତାର ଧାର । ଭାରି ଶୀତ ହେଲା। ବର୍ଷାଜଳ ତା ମୁହଁକୁ ଭିଜାଇ ଗଡ଼ିଗଲା ତାହାର ଓଠ ଉପରକୁ। ଶୁଖିଲା ଜିଭଟିରେ ବୁନ୍ଦାଏ ଦିବୁନ୍ଦା ପାଣିକୁ ସେ ଚାଟିନେଲା। ମରିୟା ଏହି ବର୍ଷା ପାଣିରେ ଲବଣ ଆସ୍ବାଦ ପାଇ ଆବାକ୍ ହୋଇଗଲା। ଓଠ ଫାଟି ରକ୍ତ ବୋହିଲା କି? ମରିୟା ତାର ହାତକୁ ଅନାଇ ଦେଖିଲା, ଅଙ୍ଗୁଳି କଟି ରକ୍ତ ବୋହୁଛି। ଏ କାହାର ରକ୍ତ?ଗ୍ରିଶାର? ନା, ଏ ତ ଗ୍ରିଶାର ରକ୍ତ ନୁହେଁ … ମରିୟା ତ ତାର କ୍ଷତ ସ୍ଥାନରେ ବ୍ୟାଣ୍ଡେଜ୍ ବାନ୍ଧି ଦେଇନାହିଁ। ଖାଲି ସେ କାହିଁକି, କେହି ତ ତାକୁ କୌଣସି ସାହାଯ୍ୟ କରିନାହାନ୍ତି- ତାକୁ ବଞ୍ଚାଇବା ଲାଗି କେହି ତ ଚେଷ୍ଟା କରି ନାହିଁ। କାରଣ ଯେଉଁଠାରେ ଗ୍ରିଶାର ମୃତ୍ୟୁ ହୋଇଛି ସେଠାରେ ତାକୁ ସାହାଯ୍ୟ କରିବା କାହାରି ପକ୍ଷରେ ସମ୍ଭବ ନଥିଲା। ଆହତ ହୋଇ ସେ ନ ହାସପାତାଳରେ ରହି ମରିନାହିଁ। ବୀରପରି ଯୁଦ୍ଧ କ୍ଷେତ୍ରରେ ପ୍ରାଣ ଦେଇଛି- ହଁ ତାହାହିଁ ତ ସେ କାଗଜରେ ଲେଖିଥିଲା-ଯୁଦ୍ଧ କ୍ଷେତ୍ରରେ ଦେଶ ପାଇଁ ଷ୍ଟାଲିନ୍ର ଡ଼ାକରେ ସେ ବରଣ କରିଛି ବୀର ଶହୀଦ୍ର ମୃତ୍ୟୁ…।