ଷ୍ଟେସନ ଲୋକ ସମସ୍ତେ ଆବାକ୍ ହୋଇ ମରିୟା ଆଡ଼କୁ ଅନାଇଲେ। ଗାଡ଼ି ଆସିବାକୁ ସେତେବେଳକୁ ଆହୁରି କେତେ ଘଣ୍ଟା ଅଛି। ମରିୟା ଏପଟ ସେପଟ ହୋଇ ବେଞ୍ଚ ଉପରେ ବସି ରହି ଗାଡ଼ିଟିକୁ ଅପେକ୍ଷା କରି ରହିଲା। ଭୂମି ଉପରେ ତାର ଦୃଷ୍ଟି ନିବଦ୍ଧ।
ଗାଡ଼ି ଆସି ଛିଡ଼ା ହେଲା। ଭରୋନତ୍ସଭ୍ ଗାଡ଼ି ଡ଼ବାରୁ ଡ଼େଇଁ ପଡ଼ି ଓହ୍ଲାଇଲା।ମରିୟା ତାକୁ ଦେଖିପାରିଛି-ଗାଡ଼ିରୁ ସେହି ଜଣେ କେବଳ ଓହ୍ଲାଇଛି। ହାତ ଧରି ଉଠାଇ ନେଇ ଭରୋନତ୍ସଭ୍ ତାକୁ ଗାଡ଼ିରେ ବସାଇ ଦେଲା।
ଭରୋନତ୍ସଭ୍ ମୁହଁରେ ଅତିଶୟ ଭୟର ଚିହ୍ନ ଦେଖାଗଲା। ମରିୟା ମୁହଁ ଫେରାଇ ତା ଆଡ଼େ କିନ୍ତୁ ଚାହିଁଲା ନାହିଁ।
“ଏକଦମ୍ ତିନ୍ତିଯାଇଛି, ମରିୟା! ହାତ କଟି ଯାଇ ରକ୍ତ ବୋହୁଛି ଯେ!” ମରିୟା ଆଖି ତଳକୁ କରି ତାର ହାତ ଆଡ଼େ ଚାହିଁଲା। ତା’ପରେ ଚାରିଆଡ଼କୁ ଅନାଇଲା- ସେମାନଙ୍କର କଥା ଆଉ କିଏ ଶୁଣିଛି କି! କିନ୍ତୁ ସେତେବେଳକୁ ଗାଡ଼ିରେ ଅନ୍ଧାର ହୋଇଯାଇଛି। ନିଦ ଭରା ଆଖିରେ ସମସ୍ତେ ଢ଼ୋଳାଉଛନ୍ତି।
ଭରୋନତ୍ସଭ୍ କାନ ପାଖକୁ ମୁହଁ ଆଣି ଫୁସ୍ ଫୁସ୍ କରି ମରିୟା ପଚାରିଲା, “ କହିଲ ସତେ କଣ ଗ୍ରିଶା ମରିଯାଇଛି?” ଯେପରି ଗୋଟାଏ ଗୋପନ କଥା ସେ ଚୁପ୍ କରି କହୁଛି। ମରିୟା ବରଫରେ ଥରି ଥଣ୍ଡା ହାତ ଦୁଇଟିକୁ ଭରୋନତ୍ସଭ୍ ନିଜର ହାତରେ ଉଠାଇ ନେଲା। “ ମରିୟା-ମରିୟା” ବର୍ତ୍ତମାନ ସୁଦ୍ଧା ତୁମେ ସେ କଥା ପଚାରୁଛ…?” କଥାଟା ଶେଷ ହେବା ଆଗରୁ ଭରୋନତ୍ସଭ୍ ମରିୟାର ଆଖିରେ ଗୋଟିଏ ଭୀତଶଙ୍କିତ ଦୃଷ୍ଟି ଦେଖିପାରିଲା। ମୁଣ୍ଡଟା ଥରକୁ ଥର ହଲୁଛି, ମରିୟା ତ ପାଗଳ ହୋଇ ଯାଉ ନାହିଁ ଭରୋନତ୍ସଭ୍ ଭାବିଲା ଆଜିପର୍ଯ୍ୟନ୍ତ ମରିୟା ଘଟଣାର ବାସ୍ତବତାରେ ସଂପୂର୍ଣ୍ଣ ରୂପେ ହୃଦୟଙ୍ଗମ କରି ପାରି ନଥିଲା। ନୋଟିସ୍ର ଅର୍ଥ ସେ ଯେ ବୁଝିନାହିଁ ତାହା ନୁହେଁ। ଆଜିଭଳି ଆଗରୁ କେବେ ଘଟଣାର ନଗ୍ନ ବାସ୍ତବତା ତାହାର ବୋଧଶକ୍ତି ଭେଦ କରି ଅନ୍ତରର ଅନ୍ତରତମ ପ୍ରଦେଶର ଅନୁଭୂତିକୁ ରାଜ୍ୟକୁ ଏପରି ପ୍ରବେଶ କରି ନଥିଲା। କେବଳ ଆଜି ଯେପରି ଏହି ଜନଶୂନ୍ୟ ଧ୍ବଂସସ୍ତୂପ ପୂର୍ଣ୍ଣ ସହର ଉଇଲୋ ବଣ ମଝିରେ ସେ ତାର ଗ୍ରିଶାକୁ ସମାଧି ଦେଇ ଆସିଛି, ଆଜି ସେ ଯେପରି ଏଠାକୁ ଆସି ନୋଟିସ୍ର ଅର୍ଥ ବୁଝିପାରିଛି, ଆଖି ନଥିଲା ପରି ଖାଲି ଯେପରି ସେ ନୋଟିସ୍ଟା ପଢ଼ିଯାଇଥିଲା କିନ୍ତୁ ଏ ପର୍ଯ୍ୟନ୍ତ ତାହା ହୃଦୟଙ୍ଗମ ହୋଇନଥିଲା। ଅନ୍ଧକାର ଭିତରେ ତୀବ୍ର ଦୃଷ୍ଟି ନିକ୍ଷେପ କରି ମରିୟା ହସି ଉଠିଲା। ଦୋହଲି ଦୋହଲି ଗାଡ଼ିଟି ଆଗେଇ ଚାଲିଛି…।