ଆହୁରି ଅଧିକୃତ ହେବ ଅନେକ ଜନବସତି, ଷ୍ଟେସନ… ଆହୁରି ଅନେକ ଅନେକ, କିନ୍ତୁ ସେ ଖବର ସହିତ ଗ୍ରିଶାର ଅଭିନନ୍ଦନ ଆସିବ ନାହିଁ, ତାର ଖବର ଆସିବ ନାହିଁ, ତାର ହର୍ଷୋତ୍ଫୁଲ୍ଲ କଣ୍ଠରେ ଦୂରଦେଶରୁ ଭାସି ଆସିବ ନାହିଁ, ଚିରଦିନ ପାଇଁ ଗ୍ରିଶାର କଣ୍ଠ ନୀରବ ହୋଇଯାଇଛି। ଆଉ ସେ କୌଣସି ଆକ୍ରମଣ କରିବାକୁ ଯିବ ନାହିଁ। ଗ୍ରିଶା ଦ୍ବାରା ଆଉ କୌଣସି ଗ୍ରାମ ମୁକ୍ତ ହେବେନାହିଁ। ଏଇ ଯେ ଶତ୍ରୁର ଟ୍ୟାଙ୍କ୍ ଧ୍ବଂସ କରିବାର ଖବର, ସେତ ଗ୍ରିଶା ଦ୍ବାରା ହୋଇ ନାହିଁ। ଏହି ଯେ ବନ୍ଦୀ ହୋଇଥିବା ଶତ୍ରୁ ସୈନ୍ୟ, ଯେଉଁମାନଙ୍କ ସଂଖ୍ୟା କୁହାଗଲା, ସେମାନେ ତ ଗ୍ରିଶା ହାତରେ ବନ୍ଦୀ ହୋଇନାହାନ୍ତି।
‘ବେରି-ଓ-ଝୋଭକା……’ ନା, ନା, ଏ ତ ସେହି ‘ବେରି-ଓ-ଝୋଭକା’ ନୁହଁ। ସେମାନଙ୍କର ‘ବେରି-ଓ-ଝୋଭକା’! ଯେଉଁଠାରେ ସେମାନଙ୍କର ପ୍ରଥମ ମିଳନ ହୋଇଥିଲା, ପ୍ରଥମ ପ୍ରେମ, ଚିରଦିନ ପାଇଁ ଗୋଟିଏ ଅଚ୍ଛେଦ୍ୟ ବନ୍ଧନରେ ବାନ୍ଧି ହୋଇଥିଲା। ଶତ୍ରୁର କବଳରୁ ବହୁତ ଦିନ ଆଗରୁ ‘ବେରି-ଓ-ଝୋଭକା’ ମୁକ୍ତ ହୋଇଛି, ହୁଏତ ଆହୁରି ଅନେକ ‘ବେରି-ଓ-ଝୋଭକା’ ଅଛି, ସେଗୁଡ଼ିକ ସେମାନଙ୍କୁ ଅଜଣା, ସେମାନେ କେବଳ ଗୋଟିଏ ‘ବେରି-ଓ-ଝୋଭକା’ ଜାଣନ୍ତି- ଆକାଶ ବତାସ ଗ୍ରିଶାର କଣ୍ଠସ୍ବର ମୁଖରିତ ହୋଇ ଉଠିଥିଲା, ଯେଉଁ ରାସ୍ତାରେ ତାର ପଦ ଧ୍ବନି ବାଜି ଉଠିଥିଲା।ଯେଉଁଠାରେ ବନଭୂମି ସନ୍ଧ୍ୟା ସମୟରେ ତାହାର ସ୍ବରରେ ଝଙ୍କାରିତ ହୋଇଥିଲା- ଅନ୍ଧକାରାଚ୍ଛନ୍ନ ଗିରି ମଧ୍ୟ।
ମରିୟା ଛନ୍ଦି ହୋଇଥିବା ଦୁଇଟି ହାତ ଉପରେ ମୁଣ୍ଡ ରଖିଲା। ରେଡ଼ିଓରେ ଯୁଦ୍ଧ ଖବର କୁହାହେବା ଶେଷ ହୋଇଯାଇଛି, ଏଥର ଅନ୍ୟାନ୍ୟ ଖବର କୁହାହେଉଛି। କେଉଁଠାରେ କାରଖାନା ଚାଲିଛି,ଯୌଥ କୃଷି ବ୍ୟବସାୟ-କେଉଁଠାରେ କାମ ଜୋରସୋର୍ରେ ଚାଲିଛି,କେଉଁଠାରେ କିଏ ବୀରତ୍ବର ପୁରସ୍କାର ପାଉଛି…କେଉଁଠି କିଏ ଜାଣେ। କିନ୍ତୁ ଏଠାରେ ଏହି ସମୟରେ କାହାରି କୌଣସି ଆଶାର ସମ୍ଭାବନା ନାହିଁ। ଏଠାରେ ଗ୍ରିଶା ରହିଛି; କେବଳ ଗ୍ରିଶା ଏବଂ ତାର କଣ୍ଠ ସ୍ବର, ସେହି ଗାନ… ଡ଼ନ୍ ଉପତ୍ୟକାର କିଶୋରଟି ଦିନେ ଯେଉଁ ଗୀତ ଗାଉଥିଲା, ଗ୍ରିଶାର କଣ୍ଠରେ ସେହି ସ୍ବର ଜାଗି ଉଠିଲା-ତାହାର ତୁଳନା ଦୁନିଆରେ ନାହିଁ। ମରିୟା ଯେପରି ସ୍ପଷ୍ଟ ଶୁଣିପାରୁଛି-କେବଳ କଥା ନୁହେଁ, ଗ୍ରିଶା ଗଳାରେ ପ୍ରତ୍ୟେକଟି ଭଙ୍ଗି, ତାନ, ଲୟ, ମୂର୍ଚ୍ଛନା। ଅନ୍ଧକାର ମଧ୍ୟରୁ ସେହି ସ୍ବର ଝରିପଡ଼ୁଛି-ସେହି ଦୂରର ତରଙ୍ଗାୟିତ ଅତଳ ଗର୍ଭରେ। ସାରା ସଂସାର ପୁରି ଉଠୁଛି, ଠିକ୍ ସେହି ଆଗ ସମୟ ପରି ମରିୟାର ମନେହୁଏ-ହଁ, ଗ୍ରିଶା କଣ୍ଠରେ ଏହି ସ୍ବର ଶୁଭାଯାଏ।ଗ୍ରିଶା ଆପଣା ମନକୁ ମନ ତନ୍ମୟ ହୋଇ ଏହି ଗୀତଟି ଗାଏ-କଥାରେ ଓ ସ୍ବରରେ। ତାହାର ପ୍ରାଣ ପୁରିଉଠେ।
ପୁଣି ଗାନ ଶୁଣାଯାଏ, ସ୍ବର ପଞ୍ଚମକୁ ଉଠିଯାଏ, ସ୍ବର ଲହରୀରେ ଜଗତ ପ୍ଲାବିତ ହୋଇଯାଏ;ଗ୍ରିଶାର ଗାନ……
ପାଖ ଘରୁ ଚଟିର ଶବ୍ଦ ଆସିଲା।ଦୁଆର ଖୋଲା ହେବାର ଶବ୍ଦ ଶୁଣାଗଲା।“ଅନ୍ଧାରରେ ଏକୁଟିଆ ବସିଛୁ କାହିଁକି?ସେ କଣ ଚାଲିଗଲା? “ଉଜ୍ବଳ ଆଲୋକରେ ଘର ଆଲୋକିତ ହୋଇଉଠୁଛି।
“ଆଜିର ଯୁଦ୍ଧ ଖବରଟା ଶୁଣାହେଲା ନାହିଁ,ଭାବିଲା ସେ ବୋଧ ହୁଏ ବର୍ତ୍ତମାନ ସୁଦ୍ଧା ବସିଛି। ଆଜିକାଲି ଖବର କଣ?”
ମରିୟା ମନେ ପକାଇବାକୁ ଚେଷ୍ଟା କଲା। କିନ୍ତୁ କିଛି ମନେ ପଡ଼ିଲା ନାହିଁ ତାର।