“ତୁମକୁ ଧୈର୍ଯ୍ୟଧରି ରହିବାକୁ ହେବ-ଧୈର୍ଯ୍ୟ ଧରିବାକୁ ହେବ, ମନକୁ ନିଜ ଆୟତ୍ତକୁ ଆଣିବାକୁ ହେବ।” ମରିୟା ହସି ଉଠିଲା… ତିକ୍ତ ବିଷାକ୍ତ ହସ।
“ନିଜ ବଶରେ ମୁଁ ନିଜକୁ ଆଣିନାହି? ମୋ ବିଷୟରେ ତୁମର କ’ଣ ଅଭିଯୋଗ ଅଛି?ମୁଁ କଣ ପୋଲ ଉପରୁ ନଈକୁ ଡ଼େଇଁ ପଡ଼ୁଛି?ନା ପାର୍କମାନଙ୍କରେ କାନ୍ଦି କାନ୍ଦି ବୁଲୁଛି? ନା, ବାଳ କେରା କେରା କରି ଛିଣ୍ଡାଉଛି?କି କାନ୍ଥରେ ମୁଣ୍ଡ ବାଡ଼ଉଛି? କ’ଣ କରୁଛି ମୁଁ? ମୋ ବିଷୟରେ କାହିଁକି ମୁଣ୍ଡ ଖେଳାଇବାକୁ ଯାଉଛ? ଦୟାକରି ସେଥିରୁ ମୋତେ ରକ୍ଷା କର-ମୋତେ ନିଜ ହିସାବରେ ରହିବାକୁ ଦିଅ। ସେ ଅଧିକାର ମୋର ଅଛି ବୋଧହୁଏ, ନୁହେଁ?କାହିଁକି ମୋ ବିଷୟରେ-ମୋର ବ୍ୟକ୍ତିଗତ ବିଷୟରେ ତୁମର ମୁଣ୍ଡ ଏତେ ବିନ୍ଧୁଛି?”
ଭରୋନତ୍ସଭ୍ ମୁଣ୍ଡତଳକୁ କରି ଆଙ୍ଗୁଳିଗୁଡ଼ିକ ମୋଡ଼ିବାରେ ଲାଗିଲା।
“କାରଣ ଅଛି ମରିୟା, ଆଉ ତୁମେ ଭଲ ରକମ ଜାଣ କାରଣଟା କଅଣ।”
ଭରୋନତ୍ସଭ୍ ମୁଣ୍ଡ ତଳକୁ କରି କହିଲା।
“କାରଣ?ସେ ତୁମର ଭୁଲ୍, ଡାକ୍ତର। ସେ ମସ୍ତବଡ଼ ଭୁଲ୍-ମିଥ୍ୟା; ଖାଲି ମିଥ୍ୟା ନୁହେଁ, ଅତି ବିରକ୍ତିଜନକ।”
“କ୍ଷମା କରିବ ମରିୟା, ମୁଁ ତୁମକୁ ଉତ୍ତ୍ୟକ୍ତ କରିଛି, ଭାବିଥିଲି…”
“ତୁମେ କଣ ଭାବିଛ ନ ଭାବିଛ ତାହା ତୁମେ ହିଁ ଭଲ କରି ଜାଣ, କିନ୍ତୁ ବର୍ତ୍ତମାନ ଗୋଟିଏ କାମ କରିପାରିବ?”
“କି କାମ?”
ମରିୟା ଚୌକିର ପଛପାଖକୁ ମୁଣ୍ଡ ଓହଳାଇ ଦେଲା, ତା’ପରେ ହାତରେ ଆଖି ଦୁଇଟା ଚାପି ଧରିଲା।
“ଗୋଟାଏ କାମରେ ତୁମେ ମୋତେ ସାହାଯ୍ୟ କରିପାର, କିନ୍ତୁ ତୁମେ ଯେ… ଏକଦମ୍ ଗୁଡ଼ାଏ ବାଜେ କଥା ବକିଯାଉଛ- ‘ଦେଖ ମରିୟା’- ‘ବୁଝ ମରିୟା’।…”
“ଏତେ ରାଗିଗଲ କାହିଁକି କୁହତ? କଥାଟା କଅଣ କେତେବେଳେ ହେଲେ ତ ମୋତେ କିଛି କହିନାହିଁ।”
“କହିନାହିଁ? ” ଅବାକ୍ ହୋଇ ମରିୟା କହିଲା- “ହଁ, ସେ କଥା ଅବଶ୍ୟ ଠିକ୍। ଶୁଣ, ମୁଁ ଥରେ ବେରି-ଓ-ଝୋଭକା ଯିବାକୁ ଚାହେଁ।”
“ବେରି-ଓ-ଝୋଭକା?”
“ହଁ,ହଁ, ନିଉୟର୍କ ନୁହେଁ କି ସାଂହାଇ ମଧ୍ୟ ନୁହେଁ ବେରି-ଓ-ଝୋଭକା, ବୁଝିଲ?”
“ କିନ୍ତୁ କିପରି ଯିବା ସେଠାକୁ?”
“ଯେପରି ସମସ୍ତେ ଯାଅନ୍ତି। ରେଳଗାଡ଼ିରେ।”
ମୁହୂର୍ତ୍ତକ ପାଇଁ ଭରୋନତ୍ସଭ୍ ଚୁପ୍ ରହିଲା,ତା’ପରେ ପଚାରିଲା-“କଣ ଅନେକ ଦିନ ପାଇଁ?”
“ଅନେକ ଦିନ ପାଇଁ ନୁହେଁ, କେବଳ ଥରେମାତ୍ର ସେଠାକୁ ଯିବାକୁ ଚାହେଁ- ଥରେ ଦେଖିବାକୁ ଚାହେଁ।”
“ସେଥିରେ ତୁମର କଅଣ କିଛି ଉପକାର ହେବ ବୋଲି ଭାବୁଛ।”
“ମୁଁ କିଛି ମନେ କରୁନାହିଁ,ତୁମକୁ କିପରି ବୁଝିଇବି? ହେଇ ଦେଖ, ଏଇଲାଗି ତ ତମ ମୁହଁରେ ତୁମେ କହିଲ ଯେ ଯେତେବେଳେ ଦରକାର ହେବ, ସବୁ ସମୟରେ ତୁମେ ମୋତେ ସାହାଯ୍ୟ କରିବ ଆଉ ବର୍ତ୍ତମାନ ଏତେ ପ୍ରଶ୍ନ ନ ପଚାରି ମୋ ପାଇଁ କିଛି ବ୍ୟବସ୍ଥା କରିପାରୁନାହଁ? ଭାବିଥିଲି ନିଜେ ଡ଼ିରେକ୍ଟରଙ୍କୁ ଏକଥା କହିବି। କିନ୍ତୁ ପାରିଲି ନାହିଁ… ସୁତରାଂ ଯଦି ତୁମେ-”
କ୍ଷଣକ ପାଇଁ ଚୁପ୍ ରହି ଭରୋନତ୍ସଭ୍ କଅଣ ଭାବିନେଲା।