“ଦେଖ ଭିକ୍ଟର, ମୁଁ ଏ ବିଷୟରେ ନିଶ୍ଚିତ ହେବାକୁ ଚାହେଁ, ବୁଝିଲ? ସଠିକ୍ ଖବର ଜାଣିବାକୁ ଚାହେଁ।”
“ବେଶ୍ ତ , ସେଥିରେ ଏତେ ଭାବିବାର କଥା କଅଣ ଅଛି? ଗାଡ଼ିରେ ସେଠାକୁ ଚାଲିଗଲେ ହେଲା। ଆଉ ତତେ ବି ଯିବାକୁ ପଡ଼ିବ, ସେଠାରେ ଆହତ ହୋଇ ସେ ହାସପାତାଳରେ ପଡ଼ିରହିଛି।” ଧୈର୍ଯ୍ୟଚ୍ୟୁତ ବିରକ୍ତ କଣ୍ଠରେ ତାତ୍ୟାନା କହିଲେ।
“ନା, ବର୍ତ୍ତମାନ ଏହି ଅବସ୍ଥାରେ ସେଠାକୁ ଯିବା ଉଚିତ୍ ନୁହେଁ, ତାହାଠାରୁ ସେଠାକାର ହେଡ଼୍ସର୍ଜନଙ୍କୁ ତାର କରି ତାଙ୍କଠାରୁ ସତ ଖବରଟା ଆଗେ ଜାଣିବା ଉଚିତ୍।”
“ହଁ, ହଁ, ସେଇ ତ ଠିକ୍ କଥା, ଆଗେ ତ ନିଶ୍ଚିତ ହେବା ଉଚିତ୍।”
ବ୍ୟସ୍ତ ହୋଇ ମରିୟା ଘରର ଏପାଖ ସେ ପାଖ ହେଲା।
“କି ମୁସ୍କିଲ୍,ମୋ ସୁଟ୍କେଶ୍ଟା ଗଲା କୁଆଡ଼େ?”
“ସୁଟ୍କେଶ୍ଟା କଣ କରିବୁ,ବର୍ତ୍ତମାନ ତ ତୁ ଯାଉନାହୁଁ। ଭଗବାନ୍, ହେ ଭଗବାନ୍। ଆଜିକାଲିକାର ପୁଅ ଝିଅଙ୍କର କଣ ହୋଇଛି? କେତେବେଳେ କଅଣ କରିବାକୁ ହେବ ସେତକ ଜାଣନ୍ତି ନାହି। ସବୁକାମ ଓଲଟାପୋଲଟା। କେତେବେଳେ ଶୋକ ପ୍ରକାଶ କରିବାକୁ ହୁଏ ଜାଣନ୍ତି ନାହିଁ। ଆଉ ସୁସମ୍ବାଦ ପାଇଲେ କିପରି ଆନନ୍ଦ ପ୍ରକାଶ କରିବାକୁ ହୁଏ, ତାହା ମଧ୍ୟ ଜାଣନ୍ତି ନାହିଁ।”ତାତ୍ୟାନା ମୁହଁ ମୋଡ଼ିଦେଇ ରୋଷେଇଘର ଭିତରକୁ ଚାଲିଗଲେ। ଜଣାଗଲା ସେ ଯେପରି ଏଗୁଡ଼ାକ ସହି ପାରୁନାହାନ୍ତି।ସେ ବର୍ବର୍ ହୋଇ ହାଣ୍ଡି ମାଠିଆ ଠକ୍ ଠକ୍ କରୁଥିବାର ଶୁଣାଗଲା।
“କିଛି ବୁଝିପାରୁନାହିଁ-କିଛି ନୁହେଁ… ଯଦି କିଛି ଗୋଟାଏ ବିଶ୍ବାସ କରିପାରନ୍ତି।”
“କଥାଟା ସହଜ ଭାବରେ ଗ୍ରହଣ କର। ମୁଁ ତାର କରିଦେଉଛି ଦିନେ ଦୁଇ ଦିନ ଭିତରେ ଜବାବ ଆସିଯିବ। ହେଡ୍ସର୍ଜନଙ୍କ ପାଖକୁ ତାର କରୁଛି, ତାଙ୍କ ସହିତ ମୋର ବ୍ୟକ୍ତିଗତ ପରିଚୟ ମଧ୍ୟ ଅଛି।”
“କିନ୍ତୁ ଯଦି…”
“ବର୍ତ୍ତମାନ ସେ ସବୁ ଚିନ୍ତା କରିବାର ଦରକାର ନାହିଁ, ବାଜେ ଚିନ୍ତାରେ ନିଜକୁ ଜାଳିପୋଡି କି ଲାଭ ? ବର୍ତ୍ତମାନ କିଛି ବୁଝାପଡ଼ୁ ନାହିଁ। ମୋର କାହିଁ ମନେ ହେଉନାହିଁ ଯେ କୋଜ୍ଲୋଭ୍ର ଭୁଲ୍ ହୋଇଛି। ହୁଏତ ଅନ୍ୟ କୌଣସି ୟୁନିଟ୍ର ରେଡ଼କ୍ରସ ଲୋକମାନେ ତାଙ୍କୁ ଆହତ ଅବସ୍ଥାରେ ପାଇ ହାସପାତାଳକୁ ନେଇ ଯାଇଛନ୍ତି, ଏକରକମର ଘଟଣା ତ ବରାବର ଘଟୁଛି।”