॥ଆଠ॥
ନାଲି କୁହୁଡ଼ି ମାଡ଼ିଆସିଲା। କାପ୍ଟେନ୍ ଚେର୍ନଭ୍ ଏହି ନାଲି କୁହୁଡ଼ି-ଢ଼ଙ୍କା ଦୁନିଆରେ ବକ୍ଷ ଉପରେ ଯେପରି ଏକୁଟିଆ ବୁଲୁଛି। ଆଖପାଖରେ ଯେ କଅଣ ଘଟୁଛି ଯେପରି ସେ କିଛି ବୁଝିପାରୁନାହିଁ। କେବଳ ସେ ଗୋଟିଏ କଥା ବୁଝିପାରୁଛି ଯେ ତାହାର ମୃତ୍ୟୁ ନିକଟ ହୋଇ ଆସୁଛି। ଅସଂଖ୍ୟ ମନୁଷ୍ୟର କୋଳାହଳପୂର୍ଣ୍ଣ ତାହାର ଏହି ବିସ୍ତାରିତ ବିଶାଳ ସ୍ବଦେଶର ବକ୍ଷରୁ ଗ୍ରେଗରୀ ଚେର୍ନଭର ନାମ ଲୋପ ପାଇଯିବ। ତାହାର ଅସ୍ତିତ୍ବ ବିସ୍ମୃତିର ଅତଳଗର୍ଭରେ ଲୀନ ହୋଇଯିବ। ହାସପାତାଳ ଟ୍ରେନ୍ର ଚକ ଘୂରୁଘୂରୁ ‘ଠକ୍’ ‘ଠକ୍’ ଶବ୍ଦ କରେ- ଯେପରି ଡ଼ାକ ଦେଉଛି… ତାହାର ମନର ଭାବନା ପ୍ରତିଧ୍ବନି ବାଜି ଉଠିଛି। ତେବେ ଏତିକି ଭଲ ଯେ ତାହା ପାଖରେ ଥିବା କାଗଜପତ୍ର ସବୁ ହଜି ଯାଇଛି, ସେହି ପାହାଡ଼ିଆ ଉପତ୍ୟକା ମଧ୍ୟରେ ପଡ଼ି ରହିଛି। ତାକୁ ସେଠାରୁ ଉଠାଇ ଆଣିବା ପୂର୍ବରୁ ଯେଉଁ ମୃତ ବ୍ୟକ୍ତିଙ୍କର ଦୁର୍ଗନ୍ଧ ସ୍ତୂପ ମଧ୍ୟରେ ପଡ଼ି ରହିଥିବା। କାପ୍ଟେନ୍ ଚେର୍ନଭ୍ ଭାବେ… ଭଲ ହୋଇଛି। ଯେତେବେଳେ ତାହାର କଥା କହିବାର ଶକ୍ତି ଲୋପ ପାଇଯାଇଛି ସେବେଠୁ ଆଉ ତାଙ୍କୁ ଚିହ୍ନାଇ ଦେବାର ପରିଚୟପତ୍ର ନାହିଁ।
ଅଚେତ ହେବା ଆଗରୁ କେବଳ ମାତ୍ର ହାସପାତଳର ଗନ୍ଧ ସଙ୍ଗେ କ୍ଲୋର୍ଫରମ୍ର ତ୍ରୀବ ମିଠା ବାସ, ସର୍ଜନର ଚକ୍ଚକ୍ ଚଷମଟା ଛଡ଼ା ଆଉ କିଛି ତାହାର ମନେ ପଡ଼େ ନାହିଁ।
ପୁଣି ଟ୍ରେନ୍ ଚକର ଘର୍ ଘର୍ ଶବ୍ଦ ତାହାର କାନରେ ବାଜେ- କଅଣ ଯେମିତି ଗୋଟିଏ ଅଦୃଶ୍ୟ ଭବିଷ୍ୟତବାଣୀ ତାହାର କାନରେ କହିଯାଏ-କିନ୍ତୁ କିଛି ବୁଝାଯାଏ ନାହିଁ।ସମସ୍ତ ବିଶ୍ବ ଦୋହଲି ଉଠି ବିଲୀନ ହୋଇ ଯାଉଛି ଯେପରି ।
ଅବଶେଷରେ ତାହାର ଚେତନା ଫେରି ଆସେ, ଫେରି ଆସେ ଜ୍ଞାନ, ଆଉ ସ୍ବାଭାବିକତା… ଏଇତ ହାସପାତାଳର ଉଆଡ଼େ, ଏହି ବିଛଣା, ଝରକା ବାହାରେ ଏହି ବରଫାବୃତ ପାହାଡ଼। କାପେଟେନ୍ ଚେର୍ନଭ ମନେ ମନେ କହେ, ‘‘ ମୁଁ ତ ଆଉ ଫ୍ରଣ୍ଟକୁ ଫେରିଯାଇ ପାରିବି ନାହିଁ।ଗୋଟିଏ ହାତ ଉଡ଼ି ଯାଇଛି, ଗୋଟିଏ ଗୋଡ଼ ନଷ୍ଟ ହୋଇ ଯାଇଛି, ମୁହଁ ଉପରେ କଅଣ ଯେ ହୋଇଛି ବୁଝା ଯାଉ ନାହିଁ।”
“ମୋ ମୁହଁ ଉପରେ କଅଣ ହୋଇଛି କି?” ଔଷଧ ଖାଇବା ସମୟରେ ତରୁଣୀ ନର୍ସଟିକୁ ଚେର୍ନଭ୍ ପଚାରେ- ମୁହଁଟିରେ ଗମ୍ଭିର ବିଷାଦପୂର୍ଣ୍ଣ କାଳିମାର ଛାଇ ଢ଼ାଙ୍କି ହୋଇ ରହିଛି।
“ଝଲସି ଯାଇଛି, ଆଉ ବା ଯାହା କିଛି ହୋଇଛି, ଶୀଘ୍ର ଭଲ ହୋଇଯିବ।” ନରମ ସ୍ବରରେ ନର୍ସଟି ଉତ୍ତର ଦିଏ, ଯେପରି କି ବିଶେଷ କିଛି ହୋଇ ନାହିଁ। କିନ୍ତୁ ତାହାର ମନରେ ଅଶ୍ବସ୍ତି ଆସେନାହିଁ-ବ୍ୟାଣ୍ଡେଜ୍ ଭିତର ଦେଇ ଭଲ ଦେଖାଯାଉନାହିଁ, ତଥାପି ଅତି ତୀକ୍ଷ୍ଣ ଦୃଷ୍ଟିରେ ନର୍ସର ମୁଅଁଆଡ଼େ ଚାହେଁ ସେ- ତାହାର ମୁଖର ଭାବ ବୁଝିବାକୁ ଚେଷ୍ଟା କରେ।”
ମୁହଁର ଡ଼ାହାଣ ପାଖରେ ଗୋଟଏ ତୀବ୍ର ଯନ୍ତ୍ରଣା ଚେର୍ନଭ ଅନୁଭବ କରେ। ଆଉ ହାତଟା ମଧ୍ୟ ଦରଜ- ଅଥଚ ହାତଟା ତ ଆଉ ନାହିଁ। ଧୋବ ନରମ ରେଜେଇଟା ଆଡ଼େ ସେ ଚାହେଁ- ଯେଉଁଠାରେ ତାହାର ହାତଟା ଉଚିତ୍ ଥିଲା ସେ ଜାଗାଟା ଫାଙ୍କା, ସେଠାରେ କିଛି ନାହିଁ।ତଥାପି ବ୍ୟଥା- ଭୟଙ୍କର ଦରଜ ହୋଇଛି ହାତଟା। ସେହି ହାତର ଯନ୍ତ୍ରଣାରେ ସାରାରାତି ଶୋଇ ପାରିନାହିଁ ସେ।ନର୍ସ ଆଉ କଅଣ ବା କରିବ?ଯେତେବେଳେ ତାହାର ନିଜ ଅଙ୍ଗପ୍ରତ୍ୟଙ୍ଗ ତାଆ ସହିତ ବିଶ୍ବାଘାତକତା କରୁଛି ସେତେବେଳେ ତା କଥାରେ ବି କୋଉ ବିଶ୍ବାସ ଆଛି? ଯେଉଁ ହାତଟା ନାହିଁ ସେହି ହାତଟା ଭୀଷଣ ବ୍ୟଥା ଦେଉଛି।
ସେ ଆଉ କାହାକୁ କିଛି ପଚାରେ ନାହିଁ-ନା ନର୍ସକୁ, ନା ଡ଼ାକ୍ତରକୁ!କେବଳ ସୁଯୋଗକୁ ଅପେକ୍ଷା କରି ରହେ? ଦରଜା ପର୍ଯ୍ୟନ୍ତ ଆଗେଇ ଯାଇ ନର୍ସ ତାହାର ପକେଟରୁ ଛୋଟ ଆଇନାଟିଏ ବାହାର କରି ନିଜର ମୁହଁଟି ଲୁଚାଇ କରି ଦେଖି ନେଉଥିଲା।ୱାର୍ଡ଼ର ସବୁରୋଗୀ ଜାଣନ୍ତି ଯେ ନର୍ସ୍ଟି ଡ଼ାକ୍ତରଙ୍କ ପ୍ରେମରେ ପଡ଼ିଛି, ଆଉ ଡ଼ାକ୍ତରଙ୍କ ଆସିବାର ସମୟ ମଧ୍ୟ ହୋଇଆସିଛି, ଯେ କୌଣସି ମୁହୂର୍ତ୍ତରେ ସେ ବର୍ତ୍ତମାନ ଆସିପାରନ୍ତି। କିନ୍ତୁ ଚେର୍ନଭ୍ ପାଖରେ ସେ କଥାଟା ଗୋଟାଏ ବଡ଼ କଥା ନୁହେଁ, ବଡ଼ କଥା ହେଉଛି ଏହି ଆରସିଟା, ଯାହା ବର୍ତ୍ତମାନ ନର୍ସ୍ର ପକେଟ୍ରେ ପ୍ରବେଶ କଲା।