ପ୍ରେମର ନିକଷ




ଅନେକ ସହ୍ୟ କରିଛି ଭରୋନତ୍ସଭ୍‌, ଅନେକ ଆତ୍ମସଂଯମ କରିଛି ସେ । କେତେ ବ୍ୟଥା ନବାଜିଛି ତାହାର ଛାତିରେ । ସେ ଦୁଇ ଜଣଙ୍କର ଉଛୁଳି ପଡ଼ୁଥିବା ପ୍ରେମୋନ୍ମୁଖ ଅବାଧ ଆନନ୍ଦରେ ବିହ୍ବଳତା ଦେଖି ଦେଖି, ପରସ୍ପର ପ୍ରତି ସେମାନଙ୍କର ଅସୀମ ଅନୁରାଗ ଦେଖି ଦେଖି।

  ଆଉ ଆଜି ଦୋତାଲା ଘରେ ଏହିଯେ ବସି ରହିଛି ଗୋଟିଏ ଲୋକ, ପଙ୍ଗୁ ଅକର୍ମଣ୍ୟ, ଏ ହେଉଛି ମରିୟାର ସ୍ବାମୀ । ଆଜି ଆଉ ସେମାନଙ୍କ ଭିତରେ ସେଦିନର ସେହି ପ୍ରେମର ଅତଳସ୍ପର୍ଶୀ ଗଭୀରତା ନାହିଁ। ସେ କଥା ନିଜେ ସେ ମରିୟକୁ ରୂଢ କଠିନ କଣ୍ଠରେ ଶୁଣାଇ ଦେଇଛି।  ସମ୍ଭବତଃ ତାକୁ ଭଲପାଏ ବୋଲି ମରିୟା ପ୍ରତି ସେ ଟିକିଏ କଠିନ ହୋଇ ଉଠିବାକୁ ଚାହିଁଥିଲା । ଏତେ ବର୍ଷ ପର୍ଯ୍ୟନ୍ତ ଭରୋନତ୍ସଭ୍‌ ଆତ୍ମସମ୍ମାନସଂପନ୍ନ  ଭଦ୍ର-ଜୀବନ ଯାପନ କରିଆସିଛି। କାହାରି ସହିତ ଆଜି ପର୍ଯ୍ୟନ୍ତ କୌଣସି ଖରାପ ବ୍ୟବହାର, ପ୍ରତାରଣା, ଛଳଚାତୁରୀ କରିନାହଁ; କୌଣସି ଦିନ କୌଣସି ଅବସ୍ଥାରେ ତାହାର ଜୀବନର ଅମଳିନ ଆଦର୍ଶରୁ ବିଚଳିତ ହୋଇନାହିଁ।

   କିନ୍ତୁ ଆଜି, କଅଣ ଗୋଟାଏ ଜୀବ ଆସି ଯେପରି ତାହାର ମନମୂଳରେ ବସା ବାନ୍ଧିଛି, ଦିନରାତି ତାର ଅନ୍ତର କୋରି ଖାଉଛି । କାହିଁକି, କୋଉଥିପାଇଁ କୌଣସି ମହତ୍‌ ଉଦ୍ଦେଶ୍ୟ ସାଧନ ପାଇଁ ଏହି ଉଚ୍ଛଳ ଯୌବନ ନଷ୍ଟ ହେବ , ତାହାର ସମସ୍ତ ଦୀପ୍ତି ନଷ୍ଟ ହୋଇଯିବ? ଉଜ୍ଜ୍ବଳ ଆଖିରେ କାହିକି ଚିରବିଷାଦର କଳାଛାଇ ଢାଙ୍କି ରହିବ? କେଶରାଶିରେ ସୁନେଲି ଆଭା ଉଭେଇଯାଇ ଜାଗି ଉଠିବ ବାର୍ଦ୍ଧକ୍ୟର ଶ୍ବେତ ରୂକ୍ଷତା?  ଜୀବନର ସମସ୍ତ ଆନନ୍ଦ ସମସ୍ତ ଶୋଭା ଚିରଦିନ ପାଇଁ ବିଲୀନ ହୋଇଯିବ? ପ୍ରତିଦିନ ଏହି ସୁକୋମଳ ମୁହଁଟିସାରା କଠିନ ରେଖାମାନ ଜାଗି ଉଠିବ? ପ୍ରତି ମୁହୂର୍ତ୍ତରେ ଦୁଇଟି ରକ୍ତିମ ଉଠାଇ ଗୋଲାପି ଆଉ ଫିକା ପଡ଼ିଆସୁଛି-ଦିନ ପରେ ଦିନ କାଗଜ ପରି ଧୋବ ହୋଇଯାଉଛି।

  ତାହାହେଲେ ହୋଇଛି କଅଣ? ସେ ମରିୟା ଶେଷ ହୋଇଯାଇଛି, ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି, ଚିରଦିନପାଇଁ ମରିଯାଇଛି, ଆଉ ଏହି ଗ୍ରେଗରୀ ଯେ ଧୋବ କାନ୍ଥଆଡ଼େ ଅପଲକ  ଦୃଷ୍ଟିରେ ଅନାଇ ଉପରମହଲାରେ ବସିରହିଛି- ତାହାର ମୁହଁଆଡ଼େ ଚାହିଁ ଯେତେ ସୁମଧୁର ହସ ହସୁନା କାହିଁକି, ତାକୁ ଠକିବା ଅସମ୍ଭବ। ଜାଣେ, ଖୁବ୍‌ ଭଲ କରି ଜାଣେ ସେ ତାହାର ନିଜ ସ୍ତ୍ରୀକୁ । ଆଉ ଜାଣେ, ଦିନେ ମରିୟା ତାକୁ କି ଗଭୀର ଭାବରେ ଭଲ ପାଉଥିଲା । ନା, ମୋଟେ ସମ୍ଭବ ନୁହେଁ ଯେ ଗ୍ରେଗରୀ ସେ କଥା ବୁଝିପାରିବ ନାହିଁ ଓ ତାହାର ମନରେ କଅଣ ହେଉଛି ସେ ଅନୁଭବ କରିପାରିବ ନାହିଁ। କାହିଁକି ତେବେ ତିନୋଟି ଜୀବନ ବ୍ୟର୍ଥ ହେବ? କୁବୁଦ୍ଧି ଚୁପ୍‌ଚାପ୍‌ ମସ୍ତିଷ୍କରେ ଖେଳେ, ତାହାର କାନରେ କାନରେ କହିଦିଏ,“ସେଇ ଭଲ, ତାହାଠାରୁ ଗ୍ରେଗରୀ ଏକା ଅସୁଖୀ ହେଉ, ଯେକୌଣସି କାରଣରୁ ହେଉ ଯେତେବେଳେ ତେହାର ଜୀବନର ସମସ୍ତ ନଷ୍ଟ ହୋଇଯାଇଛି, ଆଉ ମରିୟା ବି ତାକୁ ଭଲ ପାଉନାହିଁ…।” କିନ୍ତୁ ଏବେବି ତ ମରିୟା ତାକୁ ଭଲ ପାଇପାରେ। ଏବେ ବି ତ ତାହାରର ପୂର୍ଣ୍ଣ ଯୌବନ ରହିଛି, ଉଜ୍ଜ୍ବଳ ପ୍ରାଣମୟ ଭାବ, ଅନନ୍ତ ସମ୍ଭାବନା, ସେ ତାକୁ ଭଲ ପାଇପାରେ,ଭରୋନତ୍ସଭକୁ । ସେ ତାକୁ ଯତ୍ନ କରିବ, ତାହାର ଶୀତଳ ହୃଦୟକୁ ପ୍ରେମର ଉଷ୍ମତାରେ, ଉଷୁମ କରି ଉଠାଇବ,ଓଠ ଦୁଇଟିରେ ପୁଣି ସେହି ଜୀବନ୍ତ ପ୍ରାଣମତାଣିଆ ହସ ଫୁଟାଇ ଦେବ, ଜୀବନକୁ ନୂତନ କରି ଭଲ ପାଇବାକୁ ଶିଖାଇବ। ସେ ଆଜି ମରିୟାର ଏକମାତ୍ର ନିକଟତମ, ତାକୁ ଛାଡ଼ି ବର୍ତ୍ତମାନ  ଆଉ ସେ କାହାକୁ ଭଲ ପାଇପାରେ? ଏକମାତ୍ର ତାକୁ; ଆଉ ସେଥିରେ ସେ ଦୁହେଁ ସୁଖୀ ହେବେ ।

   “କେଉଁଟା ବଡ଼?”- ତାହାର ମନରେ କୁବୁଦ୍ଧି ଚୁପ୍‌ଚାପ୍‌ କହିଉଠେ, “ଦୁଇଟି ତରୁଣ ଜୀବନର ସୁଖଶାନ୍ତି, ନା ଗୋଟିଏ ଅକର୍ମଣ୍ୟ ପଙ୍ଗୁ ପ୍ରତି ଶୁଷ୍କ କର୍ତ୍ତବ୍ୟ ପାଳନ? ଆଚ୍ଛା, ବର୍ତ୍ତମାନ ଯଦି ମରିୟା ତାକୁହିଁ ଭଲପାଏ?- ନା, ବର୍ତ୍ତମାନ ଆଉ କୌଣସି ଆକର୍ଷଣ ନାହିଁ… ତେବେ ତିନୋଟି ଜୀବନ ବ୍ୟର୍ଥ ହବା ଅପେକ୍ଷା ଗୋଟିଏ ହେଉ-ତେବେ ଜଣକୁ ଚିରବିଦାୟ ନେବାକୁ ହେବ…।”

    ଏହି ଗୋଟିଏ ଚିନ୍ତା ସହିତ ପ୍ରାଣପଣେ ଯୁଦ୍ଧକରି ଭରୋନତ୍ସଭ୍‌ ଚାଲିଛି, ବାରମ୍ବାର ଦୂରକୁ ଠେଲି ଦେଉଛି, କିନ୍ତୁ ପୁଣି ସେହି ଗୋଟିଏ ଚିନ୍ତା ଗୋଳାଇ ପୋଳାଇ ହୋଇ ତାହାର ମନରେ ଆସି ଜମୁଛି।

    “ତୁମେ ତ ଆଜିକାଲି ଭଲ ଦେଖା ଯାଉନ?” ହଠାତ୍‌ ପ୍ରଫେସର ଭରୋନତ୍ସଭ୍‌କୁ ସେ ପଚାରିଲା। ଛୋଟପିଲାଙ୍କ ପରି ଭରୋନତ୍ସଭ୍‌ ନାଲି ପଡ଼ିଗଲା , ମନେହେଲା ଯେପରି ତାହାର କୌଣସି ଗୋପନ ଅପରାଧ ହଠାତ୍‌ ତା ପାଖରେ ଧରାପଡ଼ିଯାଇଛି, ପ୍ରଫେସରର ତୀକ୍ଷ୍‌ଣ ଦୃଷ୍ଟି ଯେପରି ତାହାର ଅନ୍ତରର ଗଭୀରତମ ପ୍ରଦେଶ ଭେଦକରି ଏକାନ୍ତ ଗୋପନ କଥାଟି ଧରା ପକାଇଛି, ଯେଉଁ କଥାଟିକୁ ସେ ଏତେଦିନ ପର୍ଯ୍ୟନ୍ତ ଚକ୍ଷୁର ମଣି ପରି ଲୁଚାଇ ରଖିଥିଲା ଅତି ଯତ୍ନରେ ।

   “ଖୁବ୍‌ କ୍ଳାନ୍ତ ହୋଇପଡ଼ିଛି।” ଯନ୍ତ୍ରପାତି ଆଡ଼କୁ ଝୁଙ୍କିପଡ଼ି ମୁଣ୍ଡ ନୁଆଇଁ ଭରୋନତ୍ସଭ୍‌ ଜବାବ ଦେଲା ।

    ମରିୟା ସହିତ ଦେଖା ହେବାମାତ୍ରେ ଗୋଟାଏ ଅଜଣା ଭ଼ୟରେ ତାହାର ଅନ୍ତର କମ୍ପିଉଠେ-ସେ ଗ୍ରେଗରୀ ସହିତ କଥା କହିବାକୁ ଭୟକରେ, କିନ୍ତୁ ଥରକ ପାଇଁ ହେଲେ ଗ୍ରେଗରୀ କୌଣସି ବେଦନାଦାୟକ ପ୍ରସଙ୍ଗର ଅବତାରଣା କରେନନାହଁ। କେବଳ ମାତ୍ର ରୋଗୀଟିଏ ଛଡ଼ା ସେ ଆଉ କିଛି ନୁହେଁ, କେତେବେଳେ ଘଣ୍ଟା ପରେ ଘଣ୍ଟା ଏକ ଦୃଷ୍ଟିରେ ଗୋଟାଏ ଆଡ଼େ ଚାହିଁ ରହିଥାଏ, ଆଉ କେତେବେଳେ ଦେଖାଯାଏ ବ୍ୟାୟାମ କଲାଭଳି ବାଁ ହାତଟା ହଲୁଛି ଗୋଟାଏ ଯାନ୍ତ୍ରିକ ପରି , ଏସବୁ ସହିତ ବସ୍ତୁତଃ କୌଣସି ସମ୍ପର୍କ ନାହିଁ ତାହାର। ସେ ଦିନରାତି କଅଣ ଭାବେ? କି ଚିନ୍ତା ଆସି ତାହାର ସମସ୍ତ ଅନ୍ତର ଘୋଡ଼ାଇ ପକାଇଛି? କାହାକୁ କଥା କହେନାହିଁ, ଭରୋନତ୍ସଭ୍‌ ସହିତ କଥାବାର୍ତ୍ତା କଲା ବେଳେ ତାହାର କଣ୍ଠରେ ଗୋଟାଏ କଠିନ କୃତ୍ରିମ ସ୍ବର ଫୁଟିଉଠେ, କେବଳ ମାତ୍ର ଜ୍ବରର ଉତ୍ତାପ ଏବଂ ଘା’ ପୂରି ଆସିବା ଛଡ଼ା ଦୁଇ ଜଣଙ୍କ ଭିତରେ ଅନ୍ୟ କୌଣସି ସମ୍ପର୍କ ନାହିଁ।

  କିନ୍ତୁ ଗ୍ରେଗରୀର ମନରେ ଏହି ବାହ୍ୟିକ ନୀରବତାର ଆବରଣ ଅନ୍ତରାଳରେ ସମ୍ପୂର୍ଣ୍ଣ ଅନ୍ୟ ଏକ ଭାବନାର ସ୍ରୋତ ଚାଲିଛି। ଭରୋନତ୍ସଭ୍‌ ବହୁବାର ଲକ୍ଷ୍ୟ କରିଛି ଯେ ଅଲକ୍ଷ୍ୟରେ ଗ୍ରେଗରୀ ତାହା ଆଡ଼େ ଚାହିଁ ରହିଛି ଏବଂ ତାହାର ସେ ଦୃଷ୍ଟିରୁ ଗୋଟାଏ ଘୃଣାର ଭାବ ଝରିପଡ଼ୁଛି। ନଗ୍ନ, ଅବାଧ୍ୟ ସଂଯମହୀନ ଯେ ଘୃଣା ,ଆଉ ଭରୋନତ୍ସଭ୍‌ ଜାଣେ ଏ ଘୃଣାର ଉତ୍ପତ୍ତି କେଉଁଠାରେ- ଏହାର କାରଣ କଅଣ; ହାସପାତାଳରେ ସେଦିନର ସେହି ଆଲୋଚନା ଯାହା ତାକୁ ତାହାର ସିଦ୍ଧାନ୍ତକୁ ପରିବର୍ତ୍ତନ କରିବାକୁ ପ୍ରରୋଚିତ କରିଥିଲା- ଯାହାପାଇଁ ଗ୍ରେଗରୀ ଶେଷରେ ରାଜି ହୋଇଥିଲା ଏଠାକୁ ଫେରିଆସିବାକୁ ତାହାରି ପାଇଁ ଗ୍ରେଗରୀ ଆଜି ତାକୁ କ୍ଷମା ଦେଇପାରୁନାହିଁ। ବର୍ତ୍ତମାନ ଯାହାସବୁ ଏଠାରେ ଘଟୁଛି, ତାହାପାଇଁ ଭରୋନତ୍ସଭ ଦାୟୀ। ଠିକ୍‌ ଏହିକଥା  କାପ୍‌ଟେନ ଚେର୍ନଭ୍‌ ତାହାର ସେହି ନାହିଁ ନଥିବା ଦୁଃଖମୟ ଦିନରେ ଭାବିଥିଲା, ଆଉ ଏହାହିଁ ଭାବି ସେ ଚିରଦିନ ପାଇଁ ମନେମନେ ବିଚ୍ଛେଦ ବରଣ କରିନେଇଥିଲା। ଯଦି ଭରୋନତ୍ସଭ୍‌ ନଯାଇଥାନ୍ତା…।ଗ୍ରେଗରୀର ଆଖିରେ ଗୋଟାଏ ତୀବ୍ର ଘୃଣାଭାବ ଫୁଟିଉଠେ, ଭରୋନତ୍ସଭ୍‌ ଲକ୍ଷ୍ୟକରେ ଏବଂ ମନେ ମନେ ସବୁ ବୁଝେ । କିନ୍ତୁ ଆଜି ମନେହୁଏ ନୂତନ କରି କୌଣସ ସିଦ୍ଧାନ୍ତ କରିବାର ଶକ୍ତି ଆଉ ତାହା ଭିତରେ ନାହିଁ। ଯାହା କିଛି ଘଟୁନା କାହିଁକି ଗ୍ରେଗରୀ ଠିକ୍‌ କରିଛି ନୀରବରେ ଘଟଣାର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବ। ମରିୟା ଆଡ଼େ ସେ ଥରକ ପାଇଁ ବୁଲି ଚାହେଁ ନାହିଁ, ସ୍ପଷ୍ଟ ଜଣାଯାଏ ଯେ ସେ ମରିୟାକୁ ଏହି ଚଳିବାକୁ ଚେଷ୍ଟା କରୁଛି।

    “ସବୁ ମିଛ, ସବୁ ଭୂଲ୍‌ ମୋର।” କଠିନ ତିକ୍ତ କଣ୍ଠରେ ବାରମ୍ବାର ଭରୋନତ୍ସଭ୍‌ ଆପଣା ମନେ ମନେ କହି ଲାଗିଥାଏ । “ତାହାଠାରୁ ଏହା କଅଣ ଭଲ ନୁହେଁ ଯେ ଏହି କଠିନ ବଜ୍ରବେଷ୍ଟନୀ ଭାଙ୍ଗି ମରିୟାକୁ ନେଇ ସେ ଦୂରକୁ ଚାଲିଯିବ, ପୁଣି ନୂତନ କରି ଜୀବନ ଗଢିବ, ନୂତନ ନୀଡ଼… ବିସ୍ତୁତିର ଅତଳ ଗର୍ଭରେ ଏହି ଅକର୍ମଣ୍ୟ ପଙ୍ଗୁ ଚେର୍ନଭର କଥା ବିଲୀନ ହୋଇଯିବ। କାହାର ଏପରି ଅଧିକାର ଅଛି ଯେ ସ୍ବାସ୍ଥ୍ୟ,ସୌନ୍ଦର୍ଯ୍ୟ, ସମୃଦ୍ଧିମନ୍ତ ମୂର୍ତ୍ତିର ପ୍ରତୀକ ଏହି ନାରୀକୁ ଆଜୀବନ ଗୋଟିଏ ଅକ୍ଷମ ପଙ୍ଗୁର ବ୍ୟର୍ଥ ଜୀବନ ସଙ୍ଗେ ବାନ୍ଧି ରଖିବ?”

   ହଁ, ଠିକ୍‌ ଏହି କଥା ସେଦିନ ଗ୍ରେଗରୀ କହୁଥିଲା ଆଉ ତାହାହିଁ ଭାବି ଫେରି ଆସିବାକୁ ଚାହୁଁନଥିଲା ସେ , ଗାହିଁଥିଲା ଆଜୀବନ ମରିୟାକୁ ସେ ମୃତ ବୋଲି ଜଣାଇଦେବ। ଆଉ ସେ ନିଜେ ଗ୍ରେଗରୀ ପାଖକୁ ଉଡ଼ିଗଲା, ତାକୁ ବୁଝାଇ ଏଠାକୁ ଫେରାଇ ଅଣିଲା …। 

  “ତା ସତ୍ତ୍ବେ” ନିଜକୁ ଉଦ୍ଦେଶ୍ୟକରି ଅନୁଯୋଗ କରେ ଭରୋନତ୍ସଭ, “ଟିକିଏ ମିଛ କହିଥିଲେ- କହିଥିଲେ ଟେଲିଗ୍ରାମଟା ଭୁଲ୍‌ ଗ୍ରେଗରୀର ସଂକଳ୍ପ ଆହୁରି ଦୃଢ କରିପାରିଥାନ୍ତା ସେ । ତାକୁ ଗୋଟାଏ ଅତି ଦୂର ହାସପାତାଳକୁ ପଠାଇଦେଇ ପାରିଥାନ୍ତା, ଯେଉଁଠାରେ କେହି ତାହାକୁ ଚିହ୍ନି ନଥାନ୍ତେ। ତାହାପରେ ମରିୟା ମୁକ୍ତ ଏବଂ ସ୍ବାଧୀନ ହୋଇଥାନ୍ତା। ଏପରି ମର୍ମନ୍ତିକ ପରିସ୍ଥିତି ହୋଇନଥାନ୍ତା ଯେଉଁଥିରେ ଆମେ ସମସ୍ତେ ଘାଣ୍ଟି ହେଉଛୁ ଏବେ, ନିଃଶେଷ ହୋଇଯାଉଛୁଁ-ମାଙ୍କଡ଼ଶା ଜାଲରେ ମାଛି ପଡ଼ିଲା ପରି।”




+ -

© Jataayu Charitable Trust
Site designed,developed & maintained by Tekons