ପ୍ରେମର ନିକଷ




॥ ଚଉଦ ॥

 

  “ସେହି ସ୍ତ୍ରୀ ଲୋକଟି ଆସିଛି- ଭାସ୍ୟାର ପ୍ରଣୟିନୀ।” ରେଇଜା ଆସି ମରିୟାକୁ ଜଣାଇଲା। ହାସପାତାଳରେ ସମସ୍ତେ ତାକୁ ଭାସ୍ୟା ବୋଲି ଡାକନ୍ତି-ସେହି ଏକଜିଦିଆ ଅବୁଝା ଯୁବକଟି, ଯେ ନିଜେ ସମୁଦାୟ ହାସପାତାଳକୁ ନିଦାରୁଣ ହାତାଶାରେ ଭାରାକ୍ରାନ୍ତ କରି ପକାଇଥିଲା, ଆଇନ-କାନୁନସବୁ ଭାଙ୍ଗିଚୁରି ପ୍ରତ୍ୟେକ ଲୋକକୁ ଆକ୍ରାନ୍ତ କରିପକାଇଥିଲା । ଶେଷରେ ବାଧ୍ୟ ହୋଇ ତାକୁ ଗୋଟିଏ ଏକୁଟିଆ ଘରକୁ ନିଆହେଲା ଏବଂ ଛୋଟ ପିଲାଙ୍କ ପରି ସବୁବେଳେ ତା ଉପରେ ଆଖି ରଖିବାକୁ ପଡ଼ିଥିଲା ପହରା ଦେଇ। କ୍ରମେ ଲୋକଟି ନିଜର ଅଦୃଷ୍ଟ କଥା ବୁଝିପାରି ଶାନ୍ତ ହୋଇଗଲା । ସବୁ ମରିୟାର କୃତିତ୍ବ। କିନ୍ତୁ ସେଦିନ ମନେହୁଏ ଯେପରି କେତେଦିନ ଆଗର କଥା- ଯଦିଓ ତାହା ବେଶି ଦିନର କଥା ନୁହେଁ। ମରିୟା ଏଥିପାଇଁ ମନେମନେ ଖୁବ୍‌ ଗର୍ବ ଅନୁଭବ କରୁଥିଲା, ପ୍ରଥମ ଗର୍ଭିଣୀ ନାରୀର କୃତିତ୍ବର ଗୋପନ ଅହଙ୍କାର ପରି।

  କିନ୍ତୁ ଆଜି ସବୁ ବଦଳି ଯାଇଛି- ତାହାର ଅନ୍ତରରେ ଓ ବାହାରେ ପରିବର୍ତ୍ତନ ଆସିଛି, ଆଜି ତାହାର ଗର୍ବ ଅନୁଭବ କରିବାର କିଛିନାହିଁ ତାହା ଭିତରେ । ସେହି ଚିରନ୍ତନ ସତ୍ୟ ତାହାର ଜୀବନରେ ମିଥ୍ୟା ହୋଇଯାଇଛି। ଏହି ଏକାନ୍ତ ନିର୍ଭରଶୀଳ ଲୋକଟିର ପରମ ବିଶ୍ବସ୍ତତା ନେଇ ସେ ମର୍ମାନ୍ତିକ ପ୍ରତାରଣା କରିଛି। ଅନ୍ଧକାରମୟ ନୈରାଶ୍ୟର ଅତଳତାରୁ ଜୋର କରି ଟାଣି ଆଣି ମରିୟା ସେ ଦିନ ତାହାର ପ୍ରାଣରେ ବଞ୍ଚି ରହିବାର ଆଶା ଜଣାଇଥିଲା । କାହିଁକି, କି ଅଧିକାର ଥିଲା ତାର ତାକୁ ଏପରି ଠକିବାରେ ? ଏକ ସମୟରେ ମରିୟାର ବିଶ୍ବାସ ଥିଲା ଯେ ତାହାର ଏ ଅଧିକାର ଅଛି। ଯେଉଁ ଉଜ୍ଜ୍ବଳ ଅଗ୍ନିଶିଖା ଦିନେ ତାହାର ଅନ୍ତରକୁ ଆଲୋକରେ ଉଦ୍ଭାସିତ କରି ଜଳି ଉଠିଥିଲା, ଆଜି ସେ ଆଲୋକ ଲିଭିଯାଇଛି । ନା, ଯେଉଁମାନେ ଭାବୁଛନ୍ତି ଯେ ଗ୍ରିଶା ପାଇଁ ତାହାର ସେ ଅଧରର ହସ ଟିକକ ମଳିନ ପଡ଼ିଯାଇଛି, କଣ୍ଠରୁ ସେ  ସ୍ବର ସେ ହରାଇ ବସିଛି, ପ୍ରିୟତମର ଦୁଃଖରେ ତାହାର ଅନ୍ତର ଉଦ୍‌ବେଳିତ ହୋଇଉଠିଛି, ସେମାନେ କିଛି ବୁଝି ପାରୁନାହାନ୍ତି। ମିଛ, ସବୁ ମିଛ, ତାହାର ଗଭୀର ଆତ୍ମବିଶ୍ବାସ ମୂଳରେ କୁଠାରଘାତ ହୋଇଛି। ଯେଉଁ ବିଶ୍ବାସ ତାହାର ଅନ୍ତରରେ ଶକ୍ତି ଜଣାଉଥିଲା , ପ୍ରେରଣା ଦେଉଥିଲା, ଶାନ୍ତି, ତୃପ୍ତି ଏବଂ ଆନନ୍ଦ ପାଣି ଦେଉଥିଲା , ସେହି ବିଶ୍ବାସ ଆଜି ତାହାର ଅନ୍ତରରୁ ପୋଛି ହୋଇଯାଇଛି, ଆଉ ଏକ ନିକଷ ସମ ଘନକୃଷ୍ଣ ଅନ୍ଧକାରରେ ସେହି ଶୂନ୍ୟସ୍ଥାନ ପୂରି ଉଠିଛି।

  ଆଜି ଭାସ୍ୟାର ପ୍ରଣୟିନୀ ଆସିଛି। ଅବିକଳ ଠିକ୍‌ ଯେପରି ତାକୁ ମରିୟା ବୁଝାଇଥିଲା ସେହିପରି ଭାସ୍ୟା ଏକାନ୍ତ ବିଶ୍ବାସ ଏବଂ ଆନନ୍ଦିତ ଅନ୍ତରରେ ଅପେକ୍ଷା କରିଛି , ବହୁତ ଦୂରରୁ ଗୋଟିଏ ଗ୍ରାମର ସ୍ତ୍ରୀ ଲୋକଟି ଦଉଡ଼ି ଆସିଛି । ହୁଏତ ଅତି କଷ୍ଟରେ ତାକୁ ରେଳ ଟିକଟ ଖଣ୍ଡେ ସଂଗ୍ରହ କରିବାକୁ ପଡ଼ିଛି… ଆସିଛି, ସେ ତାହାର ନିଜର ଲୋକଟିକୁ ନିଜ ପାଖକୁ ଫେରାଇ ନେବାକୁ ଆସିଛି, କିନ୍ତୁ ଆସି ଦେଖିବ କଠୋର ଯୁଦ୍ଧର ନିର୍ମମ ହସ୍ତରେ ତାହାର ସେ ଲୋକଟି ବଦଳିଯାଇଛି, ସଂପୂର୍ଣ୍ଣ ଅକର୍ମଣ୍ୟ ହୋଇଯାଇଛି,ଯାହାକୁ ସେ  ଦିନେ ଭଲ ପାଉଥିଲା ସେ ଲୋକଟି ଆଉ ନାହିଁ,ତାକୁ ଦେଖି ଆଜି ମନେ କରିବ ନାହିଁ ଯେ ସେ ଏହି ଭାସ୍ୟା ଯାହା ସହିତ ସେ ଏକାନ୍ତ ସଂଗୋପନରେ ଯାଇ ମିଶୁଥିଲା… ପୁଷ୍ପିତ ଚେରୀବଣ ଛାଇରେ ଢାଙ୍କି ହୋଇଥିବା ନିର୍ଜନ କୋରରେ ।ଆଜି ସେ ଅନ୍ୟ ଗୋଟିଏ  ମନୁଷ୍ୟ… ସଂପୂର୍ଣ୍ଣ ଅଲଗା, ଅପରିଚିତ।

   “ତାକୁ ଉପରକୁ ନେଇଯିବି ନା ଏଠାରେ ଆଣି ବସାଇବି?”

   “ଉପରକୁ ନେଇଯାଅ, ଆଉ ଯଦି ସେ ଇଚ୍ଛା କରେ ତେବେ ସେଠାକୁ ଯାଇ ତାକୁ ଟିକିଏ ସାହାଯ୍ୟ କରିପାର।” ଏତକ କହିବାକୁ ଯାଇ ମରିୟା କଣ୍ଠରେ ଗୋଟିଏ ଅଦ୍ଭୁତ ସ୍ବର ଶୁଣାଗଲା । ଅବାକ୍‌ ହୋଇ ବିସ୍ମୟରେ ରେଇଜା ତାହାର ମୁହଁଆଡ଼େ ଅନାଇଲା ।

  “ଯଦି ସେ ଇଚ୍ଛାକରେ ” ଏହାର ଅର୍ଥ?”

   ଗୋଟିଏ ଉତ୍କଟ ଶୁଷ୍କହସ ମରିୟା ଉଠିବସିଲା। “ତାହାର ମାନେ ବୁଝିପାରିଲ ନାହିଁ ହୁଣ୍ଡି। ସେ କାମଟା ତୁମର କି ନା, ରୋଗୀମାନେ ଚାଲିଗଲାବେଳେ ସେମାନଙ୍କର ବିଛଣାପତ୍ର ଗୋଟାଇ ବାନ୍ଧିଦେବା କାହାର କାମ?”

  “ହଁ, ତା ଅବଶ୍ୟ ଠିକ୍‌ ।” ରେଇଜାର ବିସ୍ମିତ ଭାବ କଟିଗଲା, ସେ ଘର ଛାଡ଼ି ବାହାରିଗଲା।

   ମରିୟା ଦୁଆର ପର୍ଯ୍ୟନ୍ତ ଆଗେଇ ଯାଇ ପୁଣି ଫେରିଆସିଲା। କି ଗୋଟାଏ ଦୃଶ୍ୟ ଶକ୍ତି ଯେପରି ତାକୁ ଉପରକୁ ଠେଲିନେଇ ଚାଲିଛି …ସେଠାରେ କଅଣ ଘଟୁଛି ଦେଖିବା ପାଇଁ ତାହାର ଅଦମ୍ୟ କୌତୂହଳ ଜାତ ହେଉଛି, ନିଃଶବ୍ଦରେ ଦୁଆର ଖୋଲି ପାଦ ଚାପି ଚାପି ଉପର ଘର ଆଡ଼କୁ ଆଗେଇଗଲା ସେ , ନିଃଶ୍ବାସ ବନ୍ଦ କରି ଆସ୍ତେ ଆସ୍ତେ ସେ ଭାସ୍ୟାର କୋଠରୀ ପାଖକୁ ଗଲା, ଟିକିଏ କାନ୍ଦିବାର ଶବ୍ଦ ଶୁଣାଗଲା କି? ନା ତାର ଭୁଲ୍‌?

  ହଠାତ୍‌ ତାର ସର୍ବାଙ୍ଗରେ ଗୋଟାଏ ତଡ଼ିତ୍‌ ପ୍ରବାହ ଖେଳିଗଲା । ଗୋଟାଏ ଅସମ୍ଭବ ଅବିଶ୍ବାସ ଶବ୍ଦରେ ମରିୟା ଚମକି ଉଠିଲା, ରୁଦ୍ଧ ଦରଜା ଭିତରୁ ସେ ଦୁହେଁ, ସୁସ୍ଥ ସବଳ ସ୍ବାଭାବିକ ପ୍ରାଣଖୋଲା ହସ।

   ମରିୟା ବନ୍ଦ ହୋଇଥିବା ଦରଜାଟି ଖୋଲିଦେଲା। ଲୁଗାପଟା ପିନ୍ଧି ଭାସ୍ୟା ଗୋଟାଏ ଚଉକି ଉପରେ ବସିରହିଛି, କମିଜର ଶୂନ୍ୟ ହାତଟା କରୁଣଭାବରେ ଝୁଲିପଡ଼ିଛି। ମୁଣ୍ଡରୁ ଗୋଛାଏ ବାଳ ଟାଣି ଆଣି ଚକ୍ଷୁର ଶୂନ୍ୟ-ଗର୍ଭଟା ଢାଙ୍କି ଦେଇଛି ସେ।

   ଆଉ ଏହି ପଲ୍ଲୀ ବାଳିକାଟି ଚଉକି ଆଗରେ ଆଣ୍ଠୁମାଡ଼ି ବସି ପାଇଜାମାର ଖାଲି ପାଦଟି ପିନ୍‌ରେ ଆଣ୍ଟିଦେବାରେ ଚେଷ୍ଟା କରୁଛି, ଆଉ  ଦୁଇ ଜଣଯାକ ହସୁଛନ୍ତି ପ୍ରାଣଖୋଲା ହସ। ଭାସ୍ୟା କେତେବେଳେ ଚାହୁଁଛି ବାଳିକାଟିର ଦୁଇଟି କାର୍ଯ୍ୟବ୍ୟସ୍ତ ହାତକୁ, କେତେବେଳେ ଚାହୁଁଛି ଟେକି ବସିଥିବା ତାର ରୁମାଲବନ୍ଧା ମୁଣ୍ଡଆଡେ। ପାଖରେ ଛିଡ଼ା ହୋଇ ରେଇଜା ତାହାର ଜିନିଷପତ୍ର ଗୋଟାଇବାରେ ବ୍ୟସ୍ତ।

  ଝିଅଟି ଉଠି ଠିଆ ହେଲା। ମରିୟା ଦେଖିଲା ତାହାର ମୁଣ୍ଡରେ ବନ୍ଧା ହୋଇଥିବା ରୁମାଲରୁ ଗୋଛାଏ ହାଲୁକା ବାଦାମି ରଙ୍ଗରେ କେଶ ବାହାରି ପଡ଼ିଛି , ଆଖି ଦୁଇଟି ନୀଳବର୍ଣ୍ଣ ଏବଂ ହସ ହସ ମୁହଁଟି। ଗୋଲଗାଲ ମୁହଁଟି ଖୁସିରେ ଝଲ୍‌ମଲ୍‌ କରୁଛି।

  ମରିୟା ଚମକି ପଡ଼ି ଛିଡ଼ାହେଲା।“ଏହି ସେ ନର୍ସ୍‌, ଯାହାଙ୍କ କଥା ତୁମ ପାଖକୁ ଚିଠିରେ ଲେଖିଥିଲି-ନର୍ସ୍‌-ମରିୟା” ଝିଅଟି ହାତ ବଢାଇ ଦେଲା, ମରିୟା ତାହାର ହାତରେ ଅନୁଭବ କଲା ଗୋଟାଏ ଶକ୍ତ ଆଙ୍ଗୁଳିର ଚାପ। କିଛି ବୁଝି ନପାରି ମରିୟା ଝିଅଟିର ଆନନ୍ଦୋଜ୍ଜ୍ବଳ ନୀଳଚକ୍ଷୁ ଦୁଇଟି ଆଡ଼େ ଅନାଇ ରହିଲା।

  “ଧନ୍ୟବାଦ।” ସହଜଭାବେ ସଂକ୍ଷେପରେ ଝିଅଟି ତାକୁ ଧନ୍ୟବାଦ ଜଣାଇ ଭାସ୍ୟାର ମୁହଁଆଡ଼େ ଫେରିଚାହିଁଲା । କୌଣସି କଥା ସତେ ଯେପରି ତାହାର ମନରେ କୌଣସି ରେଖାପାତ କରିନାହିଁ- ତାହାର ଭାସ୍ୟାକୁ ସେ ଆଜି ତାର ଘରକୁ ଫେରାଇ ନେଉଛି- ଏ ଆନନ୍ଦ ପାଖରେ ଅନ୍ୟ ସମସ୍ତେ ଫେରି ଯେପରି ଅବାନ୍ତର ହୋଇଯାଇଛନ୍ତି । ଅତି ଯତ୍ନରେ ଝିଅଟି ଭାସ୍ୟାର ଜାମାର କଲର ଆଣ୍ଟିଦେଲା, ତା’ ପରେ କାନ୍ଥକୁ ଡେରିହୋଇଥିବା ଛୋଟା ଲୋକର ବାଡ଼ିଟି ଆଣି ପରୀକ୍ଷା କରିବାକୁ ଆରମ୍ଭ କଲା।

  “ଏଇଟା ଖୁବ୍‌ ମଜବୁତ୍‌।”

   “କିଛି ଚିନ୍ତା କରନାହିଁ, ସେଟା ମୋର ଭାର ବହିପାରିବ ବେଶ୍‌।ବର୍ତ୍ତମାନ ମୁଁ ତ ଆଉ ସେତେ ଓଜନ ନୁହେଁ। ଗୋଟାଏ ହାତ ଗୋଟାଏ ଗୋଡ଼ କମିଯାଇଛି ଯେ।”

   ଏତକ କହି ଭାସ୍ୟା ହୋଃ ହୋଃ କରି ହସିଉଠିଲା,ଝିଅଟି ମଧ୍ୟ ଏହି କୌତୁକରେ ଯୋଗଦେଲା, ତାହାର ହାସ୍ୟଭରା ଓ ଦୁଇଟି ଫାଙ୍କରେ ଜକ ଜକ ଉଜ୍ଜ୍ବଳ,ଧୋବ ଦାନ୍ତଗୁଡ଼ିକ ଚକ୍‌ ଚକ୍‌ କରିଉଠିଲା।




+ -

© Jataayu Charitable Trust
Site designed,developed & maintained by Tekons