ଚମକିପଡ଼ି ମରିୟା ଉଠିପଡ଼ିଲା। ସେ କ୍ଷଣକ ପାଇଁ ସ୍ତବ୍ଧ ହୋଇଗଲା; ସେ ପାସୋରି ଯାଇଛି ସେ ବର୍ତ୍ତମାନ କେଉଁଠାରେ! ଓ, ହଁ ସେ ତ ବର୍ତ୍ତମାନ ଟ୍ରାମ୍ରେ, ଆଉ ଏଇଠି ତାକୁ ଓହ୍ଲାଇବାକୁ ପଡିବ। ଟ୍ରାମ୍ରୁ ଓହ୍ଲାଇ ରାସ୍ତାରେ କାଦୁଅ ଚକଟି ସେମାନେ ଆଗେଇଗଲେ। ଦୂର ଆକାଶରେ ଧୂସରତା ମଧ୍ୟରୁ ମରିୟାର ଘର ଆସ୍ତେ ଆସ୍ତେ ସ୍ପଷ୍ଟ ହୋଇଆସିଲା। ଥୁଣ୍ଟା ଗଛପରି ଅନାବଶ୍ୟକ କଳା ବତୀଖୁଣ୍ଟଗୁଡ଼ିକ ଆକାଶର ଉର୍ଦ୍ଧ୍ବକୁ ଚାହିଁ ରହିଥାନ୍ତି। ଘରଭିତରେ ଏ ପର୍ଯ୍ୟନ୍ତ ତ ବତୀ ଜଳୁଛି। କବାଟର ଫାଙ୍କରୁ କ୍ଷୀଣ ଆଲୋକରେଖା ଦେଖାଦେଲା। ସିଡିରୁ ଉଠୁ ଉଠୁ ମରିୟାର ଦମ୍ ଫାଟିଗଲା। ବିଜୁଳି ଆଲୁଅ ଉପରେ ନେଳିଆ କାଗଜ ଢ଼ଙ୍କା ହୋଇଥିବାରୁ ନେଳିଆ ଆଲୁଅ ଭରୋନତ୍ସଭର ଦେହସାରା ବିଛୁଡି ହୋଇପଡ଼ିଲା। ତାହାର ମୁଖମଣ୍ଡଳ ଶୀର୍ଣ୍ଣ ଆଉ ବୁଢ଼ାଳିଆ ଦେଖାଯାଉଛି। ଏକାନ୍ତ ଅନିଚ୍ଛା ସତ୍ବେ କୌଣସି ରକମ ଅତିଥିଙ୍କ ସହିତ କରମର୍ଦ୍ଦନ କରି ସେମାନେ ବେଗେ ରୋଷେଇ ଘରକୁ ଗଲେ। ଏପରିକି ତାହାର ଅଭିବାଦନର ପ୍ରତ୍ୟୁତ୍ତରରେ ସେ କୌଣସି କଥା କହିନାହିଁ।
“ ମା ଟିକେ ଚା ଆଉ-ଯେତେ ଗରମ ଥାଇପାରେ ଭଲ।”
“କଣ କହିଲୁ ? –ଗରମ ! ଏତେବେଳା ଯାଏଁ ବସିଛି, ଭାବୁଚି ଏଇ ଆସିଲା ପରା। ଥରକୁ ଥର ଚା’ ପାଣି ଗରମ କରୁଛି, ପୁଣି ଥଣ୍ଡା ହୋଇଯାଉଛି-କେତେଥର ଗରମ କଲି, କେତେ ଥର ଥଣ୍ଡା ହେଲା, ତେବେ ବି ତୋର ଦେଖା ନାହିଁ।”
ଗୋଟିଏ ସ୍ବସ୍ତିର ନିଃଶ୍ବାସ ମାରି ମରିୟା ତାହର କ୍ଲାନ୍ତ ଦେହକୁ ଛିଣ୍ଡା ଚଉକି ଖଣ୍ଡକ ଉପରେ ପକାଇ ଦେଲା। ଗୋଡ଼ ଦୁଇଟା ଆଗକୁ ବଢ଼ାଇ ଦେଇଛି- ହାତ ଦୁଇଟି ଶିଥିଳ ହୋଇ ଦୁଇ କଡ଼କୁ ଓହଳି ପଡ଼ିଛି।
“ ଭାରି କ୍ଲାନ୍ତ ହୋଇ ପଡ଼ିଛ ତୁମେ ।” କ୍ଲାନ୍ତ ହୋଇ ବସି ପଡିବା ଏବଂ ମୁଖମଣ୍ଡଳ ମଳିନ ପଡ଼ିଯିବା ଦେଖି ଭାରୋନତ୍ସଭ୍ କହିଥିଲା।
“ ହଁ, ଭାରି କ୍ଲାନ୍ତ।” ମରିଆ ସ୍ବୀକାର କଲା । ଆଉ କଥା କହିବାକୁ ମୋଟେ ଇଚ୍ଛା ହେଉନାହିଁ ତାହାର। ଟିକିଏ ବିଶ୍ରାମ ଦରକାର। ଭରୋନତ୍ସଭ୍ ଆସିଛି ବୋଲି ମରିୟା ଆନନ୍ଦିତ, କାରଣ ତାର ଉପସ୍ଥିତିରେ ଯେପରି ତାର ମନରେ ଟିକେ ଜୋର୍ ଆସୁଛି। ନିଜକୁ ନିରାପଦ ବୋଲି ସେ ମନେ କରୁଛି ? କିନ୍ତୁ ତାର ମା କୌଣସି ଦିନ ଏହି ଅତିଥିଙ୍କୁ ପସନ୍ଦ କରି ନାହିଁ। ସତେ ବା ସେ ଗ୍ରିଶାର ଅଧିକାର ରକ୍ଷା କରୁଛନ୍ତି ଏବଂ ସତେ ଯେପରି ତାଙ୍କର ଭାରି ଦରକାର ହୋଇ ପଡ଼ିଛି ଏହି ଅଧିକାର ରକ୍ଷା କରିବାଟା।
“ହସୁଛ ଯେ?”
“ ହସୁଛ? ” ଅବାକ୍ ଏବଂ ବିସ୍ମିତ ହୋଇ ମରିୟା କହି ଉଠିଲା। “ ହୋଇପାରେ। କଅଣ ଭାବୁଥିଲି ଜାଣ? ଦିନେ ଦିନେ ମା ଯେପରି ଗୋଟେ ଶାଶୁ ପାଲଟି ଯାଇଛିନ୍ତି।”
ଭରୋନତ୍ସଭ ସିଗାରେଟ୍ ଲାଇଟ୍ ବାହର କରି ଲଗାଇବାକୁ ଚେଷ୍ଟା କଲା। ଟିକିଏ ନେଳିଆ କ୍ଷୀଣ ଆଲୋକ ଜଳିଉଠି ପୁଣି ଲିଭିଗଲା।
“ ଟେବୁଲ ଉପରେ ଦିଆସିଲି ଅଛି।”
ଭରୋନତ୍ସଭ୍ ଖୋଜି ପାଇଲା ନାହିଁ। ଅତି କଷ୍ଟରେ ମରିୟା ଉଠି ଠିଆ ହୋଇ ଦିଆସିଲିଟି ତାଙ୍କ ଆଡ଼କୁ ବଢ଼ାଇଦେଲା। କାନ୍ଥରେ ଟଙ୍ଗା ହୋଇଥିବା ଗୋଟାଏ ଫଟୋ ଉପରେ ମରିୟାର ଆଖି ପଡ଼ିଲା।–ଗ୍ରିଶା ଫଟୋ- ଠିକ୍ ଯେପରି ତାର ଜୀବନ୍ତ ପ୍ରତିମୂର୍ତ୍ତି, ଆଖି ଦୁଇଟାରେ ସେହିପରି ଉଜ୍ବଳ ଦୃଷ୍ଟି, ମୁଖଭଙ୍ଗୀରୁ ସେହିପରି ନିର୍ଭୀକତା ଫୁଟି ଉଠୁଛି। ଗ୍ରିଶା…।
“ଆଉ କଣ କେହି ଅପରେସନ୍ ହେଇଛି?” ମରିୟା ଭରୋନତ୍ସଭ୍କୁ ପଚାରିଲା।
“ହଁ, ଦେଖ…”