ପ୍ରେମର ନିକଷ




“ ପିଲାଦିନେ ସାଥୀମାନେ ମୋତେ ମୋର ପାକଲାବାଳ ବୋଲି ଚିଡ଼ାନ୍ତି, ଆଉ କି ଦୁଃଖ ନ ହୁଏ ସେତେବେଳେ ମୋର!! ଭାବେ ବୋଧହୁଏ ବାଳଗୁଡ଼ିକ ଏହିପରି ଧୋବ ରହିଯିବ। କିନ୍ତୁ ବଡ଼ ହେବା ସହିତ ଦେଖିଲି ବାଳଗୁଡ଼ିକ ଟିକିଏ ଟିକିଏ କଳା ହୋଇ ଆସିଛି।”

ନା, କେବଳ ଆଜି ନୁହେଁ, ବହୁଦିନ ଆଗରୁ ମରିୟାର ବାଳଗୁଡ଼ିକ ଅତି ସୁନ୍ଦର ଭରୋନତ୍ସଭ ଜାଣେ। କିନ୍ତୁ ଏହି କ୍ଷଣି ସେ ଯେତେବେଳେ ନଇଁ ପଡ଼ି କପ୍‌ରେ ଚା’ ଢ଼ାଳୁଥିଲା ସେତେବେଳେ ଲ୍ୟାମ୍ପର ଆଲୋକ ତାର କପାଳର ଛୋଟ ବାଳଗୁଡ଼ିକ ଆଡ଼େ ଅନାଇ ରହିଥାଏ। ମରିୟାର ସୁନ୍ଦର ବାଳ, କଳାଆଖି, ତାର ସୁନ୍ଦର ଧାରୁଆ ନାକ, ସବୁ ମିଳି ତାହାର ଅନ୍ତର ଗୋଟିଏ ତୀବ୍ର ବେଦନାର ଅନୁଭୂତିରେ ଥରିଉଠେ। ମରିୟାର ପ୍ରତି ପଦକ୍ଷେପରେ , ପ୍ରତି କଥା ଚିର ଆନନ୍ଦମୟ ବାଣି ବହିଆଣେ। ତାହାର ହୃଦୟ ଗଭୀର ତମ ପ୍ରବେଶରେ ସ୍ବସ୍ତିର ଅନାବିଳ ସ୍ବର୍ଗୀୟଭାବ ଜାଗିଉଠେ। ଏପରି କି ଚବିଶ ଘଣ୍ଟିଆ ଡ଼ିଉଟିରୁ ଫେରିଲା ବେଳେ ମରିୟା ସହିତ ହାସପାତାଳ ବାରଣ୍ଡାରେ ତାର ଯେବେ ଦେଖାହୁଏ ସେତେବେଳେ କ୍ଲାନ୍ତ ହୋଇ ମରିୟା ଦେହ ଭାଙ୍ଗି ପଡ଼ୁଥିଲେ ମଧ୍ୟ ଆଖି କଳାପଡ଼ି ଆସୁଥିଲେ ବି, ତାହର ମୁଖମଣ୍ଡଳରେ ଯୌବନର ଦୀପ୍ତି ଫୁଟି ଉଠୁଥାଏ।

ସେ ତାର ନବବିକଶିତ ଯୌବନର ପ୍ରଭାବରେ ହାସପତାଳର ୱାର୍ଡ଼କୁ ପ୍ରାଣପୂର୍ଣ୍ଣ ଉଚ୍ଛ୍ବାସ ବହିଆଣିଛି। କେତେ ନିରାଶ ହୃଦୟକୁ ଜୟ କରିଛି ମରିୟା-କେତେ ଜ୍ବରଗ୍ରସ୍ତ ଉଭ୍ରାନ୍ତ ମୁଖମଣ୍ଡଳରେ  ମୁଖମଣ୍ଡଳରେ ହସ ଫୁଟାଇ ପାରିଛି-ମୁମୂର୍ଷୁର ହତାଶ ପ୍ରାଣରେ ଆଶାର ସଞ୍ଚାର କରିଛି- ମୃତ୍ୟୁର ବିଭୀଷିକା ଦୂର କରିଛି… ଯାହା ପୁରୁଣା ଅଭିଜ୍ଞା ନର୍ସମାନଙ୍କ ପକ୍ଷରେ ବି ଅସାଧ୍ୟ ଥିଲା। ସେ ଜିନିଷ କଣ ଯାହା ତାହାର ହୃଦୟରେ ଅଜେୟ ଶକ୍ତି ଆଣିଦିଏ- ତାର ମୁଖମଣ୍ଡଳରେ ପ୍ରାଣମତାଣିଆ ହସ ଫୁଟାଏ-ଯାହା ତାହାର ଅନ୍ତରର ଗଭୀରତମ ପ୍ରଦେଶକୁ ଉଦ୍ଭାସିତ କରି ଝରିପଡେ?

ଭରୋନତ୍ସଭ କୌଣସି ଦିନ ଏ ପ୍ରଶ୍ନର ମାମାଂସା କରିବାକୁ ଚାହେଁ ନାହିଁ।ଏହା ପ୍ରଥମ ନୁହେଁ; ବହୁଦିନ ଆଗରୁ କାନ୍ଥରେ ଟଙ୍ଗା ଫଟଟିର ଉଜ୍ଜ୍ବଳ ଦୃଷ୍ଟିର ବିଶେଷତ୍ବ ଲକ୍ଷ୍ୟ କରିଛି ସେ। ମରିୟାର ହସ ଗ୍ରୀଶାର ଏହି ପୌରଷପୁର୍ଣ୍ଣ ହସର ପ୍ରତିବିମ୍ବ ପରି ବୋଧହୁଏ। ତାହର ସ୍ବାମୀ-ଦୀର୍ଘ ଏକ ବର୍ଷ  ହେଲା ତାଙ୍କୁ ସେ ଆଖିରେ ଦେଖିନାହିଁ, ତଥାପି ମୁହୁର୍ତ୍ତକ ପାଇଁ ସୁଦ୍ଧା ସେ ତାଙ୍କୁଠାରୁ ଅନ୍ତର ହୋଇନାହିଁ।ଗ୍ରିଶାର ହସଟିକକ ନେଇ ସେ ଯେପରି  ବଞ୍ଚି ରହିଛି। ଏଇ ହସ ଭିତରେ  ସେ ଯେପରି ଦେଖିପାରେ ତାହାର ଅନ୍ତରର ନିର୍ମଳ ଶକ୍ତି।

ଚା’ ପିଆଲାରେ ଚାମଚ ବୁଡ଼ାଇ ଭରୋନତ୍ସଭ ଆସ୍ତେ ଆସ୍ତେ ଘୂରାଇଉଥାଏ।

“ତାକୁ ହଲାଇଲେ କଣ ହେବ?ସେଥିରେ ଚିନି ନାହିଁ” ମରିୟା କଥରଟି ଏପରି ଭାବରେ କହେ ଯେ ଜଣାଯାଏ ସତେ ଯେପରି ସେ ଗୋଟିଏ ଆହତ ଅବୁଝା ରୋଗୀକୁ ବୁଝାଇ କହୁଚି।

“ ମୁଁ ତା’ ଜାଣେ।”- ଟିକିଏ ବିବ୍ରତ ହୋଇ ଭରୋନତ୍ସଭ୍‌ କହିଲା।

“ ଭାରି ଗରମ କି ନା, ଟିକିଏ ଥଣ୍ଡା କରି ନେଉଥିଲି।” କିନ୍ତୁ ସାଙ୍ଗେ ସାଙ୍ଗେ ଚାମଚଟି କାଢ଼ି ରଖେ।

ଦୁଇ ହାତରେ କପ୍‌ଟି ଧରି ମରିୟା ତା’ ପିଆଲାରେ ଚୁମା ଦେଉଥାଏ।

“ ଆଃ କି ସୁନ୍ଦର ନ ଲାଗୁଛି ଏଇ କାମ-ନ-ଥିଲା ଛୁଟି ସମୟତକ-ତା ସାଙ୍ଗରେ ପୁଣି ଗରମ ଚା’ ଏବଂ ଛୋଟ ଉମ୍‌ହେଇର ଗରମରେ ଉଷୁମ ଘରଟି! ଏହି ସମୟରେ ସେ ଯେବେ ଟିକିଏ ଚୁପ୍‌ ହେଇପାରନ୍ତା!! ଟିକିଏ ଏକୁଟିଆ ଚୁପ ହୋଇ ରହିବା ପାଇଁ ତାହାର ମନ ବ୍ୟାକୁଳ ହୋଇଉଠିଛି… କଥା କହିବାରେ ସେ ଯେପରି କଷ୍ଟ ଅନୁଭବ କରୁଛି… କିନ୍ତୁ ଅତିଥି ଆଗରେ ଚୁପ୍‌ କରି ବସି ରହି, ନ ହସି, କିଛି ନ କହି ଯଦି ମୁଣ୍ଡ ହଲାଇ କଥାର ଜବାବ୍‌ ଦବାର ଛଳନା କରାଯାଏ, ତେବେ ସେଇଟା ଅଭଦ୍ରତା। ମରିଆ ସୁଇଚ୍‌ ଟିପି ବେତାର ଯନ୍ତ୍ରଟା ଚଳାଇ ଦେଲା। ଏଇଟା ହେଉଛି ସବୁଠାରୁ ଭଲ ବାଟ। ଗୀତ ଶୁଣ- ଇଚ୍ଛା ନ ହେଲେ ନଶୁଣି ପାର- କିନ୍ତୁ କଥା କହିବାତ ହେବନାହିଁ।

 ପବନରେ ଗୀତ ବହି ଆସିଲା କେବେ ବହୁଦିନ ଧରି ଆଗେ କୌଣସି ସୀମାହୀନ ପ୍ରାନ୍ତରେ ମଧ୍ୟରେ ସ୍ବର ଜାଗି ଉଠିଥିଲା। ପବନର ଦୋଳରେ ଦୋହଲି ଦୋହଲି ଭାସି ଆସିଲା ସେହି ସ୍ବରର ଝଙ୍କାରରେ ବିସ୍ତୀର୍ଣ୍ଣ ଶ୍ୟାମଳ ତୃଣଭୂମି ମୁଖରିତ ହୋଇଉଠିଥିଲା। ନଦୀର ଢ଼େଉ ସଙ୍ଗେ ତାଳେ ତାଳେ ନାଚି ସମୁଦ୍ରରେ ପ୍ରବେଶ କଲା ସେଇ ସୁର । ମନୁଷ୍ୟର କଣ୍ଠରେ ସ୍ବର ରୂପ ଧାରଣ କଲା । ସଙ୍ଗୀତର ବ୍ୟଥାଭରା ମୁର୍ଚ୍ଛନାରେ ଗୀତ ଜାଗି ଉଠିଲା । ଯାହା ହେଉନା କାହିଁକି ଗୀତର ପଦ ଣୁଣିବାରେ ତାହାର ଦରକାର ନାହିଁ। କେବଳ ସ୍ବର ଯୌବନର ପ୍ରଣୟ, ଆନନ୍ଦର; ଝଙ୍କାଳିଆ ଝଉଁବଣାର ଫାଙ୍କରେ ବସନ୍ତଋତୁର ଘନନୀଳ ଆକାଶର ଆଲୋକ-ଝରଣା ଦେଇ ତାର ସ୍ବର ଭାସିଆସେ। ଏ ସ୍ବର ପାଇନ୍‌ ବନର କାକରପୂର୍ଣ୍ଣ ମାର୍ଗର-ବର୍ଷାଋତୁ କଣ୍ଟକିତ ପୁଷ୍ପିତ କିଆକୁଞ୍ଜର। ଆଲୋକିତ ପଥରେ ହାତ ଧରା ଧରି  ହୋଇ ଚାଲିଲାବେଳେ ଯେଉଁ ଗୋପନ କଥା କାନେ କାନେ ପ୍ରାଣେ ପ୍ରାଣେ କୁହାଯାଏ  ତାହର ସୁର ଇଏ…।




+ -

© Jataayu Charitable Trust
Site designed,developed & maintained by Tekons