॥ଦୁଇ॥
“ ମୋ ବାହା ଉପରେ ଭରା ଦେଇ ଚାଲ। ଏବେ ବି ଭାରି ଅନ୍ଧାର ହେଇଚି। ସେଥିରେ ପୁଣି ରାସ୍ତାରେ ଠାଏ ଠାଏ ଗାଡ଼ଗୁଡ଼ାକ ଆଁକରି ରହିଚି।”
ଭରୋନତ୍ସଭ୍ର କାନ୍ଧ ଉପରେ ମରିୟା ନିଜର କ୍ଲାନ୍ତ ଦେହକୁ ଲଦିଦେଲା। ଏତେବେଳେ ସେ ବୁଝିପାରିଛି କି ଭୀଷଣ କ୍ଲାନ୍ତ ସେ। ଦୂରରେ ଗୋଟିଏ ନୀଳବର୍ଣ୍ଣ ବତୀ ଉଜ୍ଜଳ ହୋଇଉଠିଲା… ଟ୍ରାମ୍ ଆସୁଛି। ଭୟଙ୍କର ଭିଡ଼। ଭିଡ଼ ଠେଲି ପେଲି ଭରୋନ୍ତ୍ସଭ ମରିୟାକୁ ନେଇ ଟ୍ରାମ୍କୁ ଉଠିଲା।
ଅତି କ୍ଳାନ୍ତ ହୋଇପଡ଼ିଛ, ନା?”
“ କାହିଁକି?”
“ଶୋଇବାକୁ ଯିବା ଆଗରୁ ଯଦି ଏକ କପ୍ ଚା‘ର ନିମନ୍ତ୍ରଣ ଦିଅ ତେବେ ମୁଁ ମନା କରିବି ନାହିଁ।”
ମରିୟା ହସି ଉଠିଲା।
‘ ଦୟା କରି ଡ଼ାକ୍ତରବାବୁ ଗରୀବ କୁଟୀରରେ ପଦାର୍ପଣ କଲେ କୃତାର୍ଥ ହେବି। ଘରେ ଚା’ ତିଆରି ହୋଇଅଛି। ଏକା ସାଙ୍ଗରେ ବସି ଚା’ ପିଆ ହେବ ବର୍ତ୍ତମାନ।”
“ ତାହା ହେଲେ ତ ଚମତ୍କାର ହେବ। ସତରେ ବର୍ତ୍ତମାନ ଘରକୁ ଫେରିବାକୁ ମୋଟେ ଇଚ୍ଛା ହେଉନାହିଁ। କି ସୁନ୍ଦର ସକାଳ।”
ଘର ଘର ଶବ୍ଦ କରି ଯାତ୍ରୀପୂର୍ଣ୍ଣ ଟ୍ରାମ୍ଟି ହଲି ହଲି ଆଗେଇ ଚାଲିଛି। ଚାଲିବା ବେଳେ ବି ଯାତ୍ରୀମାନେ ଟ୍ରାମ୍ରେ ଓହଳି ରହିଥାନ୍ତି। ମରିୟା ଆଖି ବୁଜି ଦେଲା। ଟ୍ରାମ୍ରେ ବର୍ତ୍ତମାନ ଘରକୁ ଫେରୁଛନ୍ତି ସେମାନେ- ମରିୟା ଏବଂ ଗ୍ରିଶା… ଗୋଟିଏ ହାତରେ ଜାକିଧରି ଗ୍ରିଶା ଭିଡ଼ରେ ଠେଲାଠେଲିରୁ ରକ୍ଷା କରୁଛି ତାକୁ ହଠାତ୍… ମରିୟାର ମନ ମଧ୍ୟରେ ଖେଳିଯାଏ ଭାବ। ମୁଣ୍ଡଟି ନୋଇଁଦେଇ ତାହାର ଖସଖସିଆ ପଶମ କୋଟର କଲର ଉପରେ ଗାଲଟି ଚାପି ରଖିଛି। ଟ୍ରମ୍ରୁ ଓହ୍ଲାଇବାକୁ ଯାଇ କିଏ ଜଣେ ଗୋଟିଏ ବୁଢ଼ୀ ଦେହରେ ଧକ୍କ ଦେଲା। ବୁଢ଼ୀଟି ଗାଳି ଦେବାରେ ଲାଗିଥାଏ। ଲୋକଟି ସେଥିରେ ରାଗି ଉଠି ଜବାବ ଦେଲା।… ପରିହାସରେ ଗ୍ରିସା ହସି ଉଠିବ। ସମସ୍ତେ ହସି ଉଠିବେ। ତାହାପରେ ହସଖେଳ ଭିତରେ ସେମାନଙ୍କର କଜିଆ ସମାପ୍ତ ହେବ। କିନ୍ତୁ ଗ୍ରିଶା କାହିଁ? ଗ୍ରିଶା ନାହିଁ… ଯାତ୍ରୀମାନଙ୍କର ଯିବା ଆସିବା ଜାମ୍ରୁ ଯେ ତାକୁ ଅଲଗା କରି ରଖିଛି ସେ ତ ଗ୍ରିସା ନୁହେଁ-ଭରୋନତ୍ସଭ। ଗ୍ରିଶା ତ ଏଠାରେ ନାହିଁ, ସେ ରହିଛି ଦୂରରେ, ବହୁ ଦୂରରେ।–କେଉଁଠାରେ ? କିଏ ଜାଣେ ? କିଏ ଜାଣେ କେଉଁଠାରେ ତାହାର ହର୍ଷୋତ୍ଫୁଲ୍ଲ କଣ୍ଠ ମୁଖରିତ ହୋଇଉଠୁଛି।ଏହି ମନୋହର ବର୍ଷାଦିନର ସକାଳରେ ସେ କେଉଁଠି ଅଛି? ହୁଏତ ଏହି ମୂହୂର୍ତ୍ତରେ ସେ କୋଣସି ଅଜଣା ପଥରେ ଚାଲିଛି, ନ ହେଲେ ବା ଖୁବ୍ ହୁସିଆରି ହୋଇ ଗୁରୁଣ୍ଡି ଗୁରୁଣ୍ଡି କୌଣସି ପାଟ ପାର ହେଉଛି, ଅଥବା କୌଣସି ଭୂଗର୍ଭସ୍ଥ ଗୃହ ମଧ୍ୟରେ ଶୋଇ ରହିଛି। କେଉଁଠାରେ ଗ୍ରିଶା- ଆଉ କେଉଁଠାରେ ସେ ବର୍ତ୍ତମାନ ?.... ତା ପରେ ତାହର ମନର ଭାବଧାରା ଫେରିଆସିଲା। ସେହି ଆହତ ଲୋକଟି ପାଖରେ ବସି ଯେଉଁ ଆନନ୍ଦ ଏବଂ ବେଦନାରେ ତାହାର ଅନ୍ତର ଉଦ୍ବେଳିତ ହୋଇ ଉଠିଥିଲା ତାହାପ୍ରତି। ଯଦି ସେ ଅନ୍ଧ ହୋଇଯାଏ, କିମ୍ବା ହାତ ଗୋଡ଼ ହରାଏ, ତଥାପି…।
“ଆମକୁ ଏଠାରେ ଓହ୍ଲାଇବାକୁ ପଡ଼ିବ।”