କାରାଗାର! କାରାଗାର!
ଅନାଗତ ଲାଗି ଦୀପ୍ତ ଯେଉଁ ପ୍ରାଣ
ଜୀବନ ମରଣ କରି ତୁଚ୍ଛ ଜ୍ଞାନ
ଐକାନ୍ତିକ ଲୋଡା ଜ୍ୟୋତିର ସନ୍ଧାନ
ଆତ୍ମାହୁତି ମହାମନ୍ତ୍ରେ,ଯଜ୍ଞବେଦୀ ତୁମେ ତା’ର ।
କାରାଗାର! କାରାଗାର!
ଅମାବାସ୍ୟାର ଗ୍ଲାନି-ଗଭୀର ଭାରତ…
ଅବିଚଳିତ ତୁମେ ତପସ୍ୟାରେ ରତ;
କ୍ଲାନ୍ତିହୀନ ନେତ୍ରେ ଚାହିଁରହ ପଥ
ଯୁଗେ ଯୁଗେ ଏ ନିଶିଥେ ନିଶ୍ଚିତତା ଆସିବାର।
କାରାଗାର! କାରାଗାର!
ଦେବକୀ ଲୋତକ ସିକ୍ତ ତୁମ କକ୍ଷେ
ଜନ୍ମେ ଯେ ନନ୍ଦନ ପ୍ରହରୀ ଅଲକ୍ଷ୍ୟେ,
ଛିଡାଇ ଶୃଙ୍ଖଳ ଚଳେ ସେ ନିଃଶଙ୍କେ
ବାସୁକୀର ଫଣାତଳେ ସ୍ରୋତକାଟି ଯମୁନାର।
କାରାଗାର! କାରାଗାର!
କବି ଭାବୁକର ରକ୍ତିମ ସପନ;
ବିଚିତ୍ର କରିଛି ଆବଦ୍ଧ ଅଙ୍ଗନ;
ତୁମେ ଅକାମୀର ସୂତିକା-ଭବନ
ହେ ଉଦାର! ହେ ପବିତ୍ର!
ଘେନ ମୋ ନମସ୍କାର।