ମୁଁ ହଲପ କରି କହିଲି: ଦେବି
ନିର୍ମଳ ଶାସନ।
ଗୋଳିଆ ପାଣିକି କଲି ଆହୁରି ଗୋଳିଆ
ବେଠିଆ ପିଠିକୁ ଆଉଁଷିଲି;
ଲୋଡା ତା’ର ଗୋଟିଏ କୋଠିଆ।
କଂବଳଟା ଯାକ ଖାଲି ସାଲୁବାଲୁ;
କିଏ ହେଟା ପୁଣି କିଏ ଗଡଭାଲୁ
ରକ୍ଷାକର, ରକ୍ଷାକର
ମୋତେ ଗୋଡ଼ାଇଛି ମୋର ଦୈତ୍ୟ ଭୟଙ୍କର।
ମୁଁ କହିଲି ଉଚ୍ଚେ: ଏଥରକ ନିଶ୍ଚେ
ହଟାଇବି ଗରିବାନା।
ହୁଙ୍କିମାରି ମନ୍ତ୍ରୀ ହେଲି,
ବନିଗଲି ମୁଁ ତାଙ୍କ ମୁରବୀ ।
ପେଟୁଆଙ୍କ ତଳିପେଟେ କିନ୍ତୁ
ବଢ଼ିଲା ଚରବି।
ତା’ ଦେଖି, ଗରିବଗୁଡାକ ପାଟି କଲେ,
କେହି କେହି ଛାଡିଲେ ବି ଢ଼େଲା।
ବନ୍ଦ କରି ଜମାଏତି
ଠୁଙ୍କିଦେଲି ମୁଖବନ୍ଦ ତାଲା
ଦେଶସାରା।
ମଉକା ଦେଖି
ଜନତା ମାଇଲା କୁର୍ସିକୁ ଶକ୍ତ ଏକ ନାତ୍
ଗଡ଼ିପଡ଼ି ହଜିଲା ମୋ ବୁଦ୍ଧିଜ୍ଞାନ, କୁର୍ସି?
ହେଲି ଚିତ୍କାତ୍।
ରକ୍ଷାକର, ରକ୍ଷାକର
ମୋତେ ଗୋଡ଼ାଇଛି ମୋର ଦୈତ୍ୟ ଭୟଙ୍କର।
ମୁଁ ସେମାନଙ୍କୁ କଥା ଦେଇଛି;
କମାଇବି ଦରଦାମ୍
ବେପାରୀଙ୍କ ପାଣ୍ଠି ନେଇ କରିଥିଲି କାରବାର;
ନୋଟ ନେଇ ଭୋଟ ଦିଅ; ନିଅ ପୁଣି ଶସ୍ତା ସାର।
ବେପାରୀ ମାଗେ ସୁଝଣ, ସୁଧମୂଳ କଳନ୍ତରେ;
ମୁଁ ନାଚାର ବିକିଲେ, ବିକନ୍ତୁ
ତାଙ୍କ ମନେ ଇଚ୍ଛା ଦରେ।
ରକ୍ଷାକର, ରକ୍ଷାକର
ମୋତେ ଗୋଡ଼ାଇଛି ମୋର ଦୈତ୍ୟ ଭୟଙ୍କର।