ସଭ୍ୟତାର ଆଗେ




ସମାଜରେ ବ୍ୟକ୍ତିଗତ ସମ୍ପତ୍ତି ଦେଖାଦେବା ସହିତ ନାରୀ ସମାଜରେ ପୁରୁଷ ସହିତ ସମାନ ଆସନ ହରାଇ ବସିଲା। ପୁରୁଷ ପରିବାରର ମୁଖ୍ୟକର୍ତ୍ତା ସ୍ଥାନ ଅଧିକା କଲା ଓ ନାରୀ ତାର ଅଧୀନତା ସ୍ବୀକାର କରିବାକୁ ବାଧ୍ୟ ହେଲା। ଏଥିପୂର୍ବେ ମାତାକୁ କେନ୍ଦ୍ରକରି ଗୋତ୍ର ଗଢ଼ା ଯାଉଥିଲା। ପୁତ୍ରମାନେ ଅନ୍ୟ ଗୋତ୍ରରେ ବିଭା ହୋଇ ସ୍ତ୍ରୀର ଗୋତ୍ର ଅନ୍ତର୍ଭକ୍ତ ହେଉଥିଲେ। ଚାଷ ଓ ପଶୁ ପାଳନର ପ୍ରବର୍ତ୍ତନ ପରେ ପିତା ଚାଷାଦି କାର୍ଯ୍ୟରେ ପୁତ୍ରମାନଙ୍କ ସହଯୋଗ ଉପରେ ନିର୍ଭର କଲା। ଚାଷାଦି କାର୍ଯ୍ୟ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ଦୃଷ୍ଟିରୁ ପୁତ୍ରମାନଙ୍କୁ ଅନ୍ୟ ଗୋତ୍ରକୁ ପଠାଇବା ଅସୁବିଧାଜନକ ବିବେଚିତ ହେଲା। ତେଣୁ କନ୍ୟାମାନଙ୍କୁ ଅନ୍ୟ ଗୋତ୍ର ଅନ୍ତର୍ଭୁକ୍ତ କରାଗଲା। ପିତୃକୂଳକୁ ନେଇ ଏବେ ଗୋତ୍ର ଗଢ଼ାହେଲା। ସମାଜରେ ମାତାନୁବର୍ତ୍ତୀ ଉତ୍ତରାଧିକାର ପ୍ରଥା ବିଲ୍‌କୁଲ୍‌ ଲୋପ ପାଇଲା। ସମ୍ପତ୍ତି ଗୋତ୍ର ମଧ୍ୟରେ ଯେପରି ରହିବ, ସେପରି ବ୍ୟବସ୍ଥା ହେଲା, ପିତୃକୂଳର ଉକ୍ତସମ୍ପର୍କୀୟ ମାନଙ୍କୁ ପରିବାରର ସମ୍ପତ୍ତିରେ ଉତ୍ତରାଧିକାରୀ କରି।

    ସମାଜରେ ବ୍ୟକ୍ତିଗତ ସମ୍ପତ୍ତିର ପ୍ରତିଷ୍ଠା ଫଳରେ ନାରୀ ପୁରୁଷ ସହିତ ସାମ୍ୟ ହରାଇବା ସଙ୍ଗେ ସଙ୍ଗେ ତାର ମୁକ୍ତି ବି କ୍ରମଶଃ ହ୍ରାସ ଲାଭ କରି ଶେଷରେ ସେ ପୁରୁଷର ବ୍ୟକ୍ତିଗତ ସମ୍ପତ୍ତି ତଳେ ଗଣା ହେଲା; କୁରୁସଭା ତଳେ ସେ ହେଲା ପଣ୍ୟ । ବିବାହ ବନ୍ଧନ ଛେଦ କରିବା ଲାଗି ତାର କୌଣସି ଅଧିକାର ରହିଲା ନାହିଁ। ପୁରୁଷର ଅପର ନାରୀ ସହ ସହବାସ କରିବାର, ଏପରି କି ବହୁ ବାର ଗ୍ରହଣ କରିବାର ସ୍ବାଧୀନତା ଥିଲେ ମଧ୍ୟ ନାରୀଠାରୁ ଦାବି କରାଗଲା ସ୍ବାମୀ ପ୍ରତି ଏକାନ୍ତ ଅନୁରକ୍ତି।  ପର ପୁରୁଷର ଛାଇ ଦେଖି ସୀତାଙ୍କର ସତୀତ୍ବ ନଷ୍ଟ ହେଲା ଓ ସେ ଭ୍ରଷ୍ଟା ଦୋଷରେ ଦୂଷିତା ହେଲେ। ଶେଷରେ ସ୍ବାମୀର ବିଚାରେ ନାରୀର ଦେହୋତ୍ସର୍ଗ ମଧ୍ୟ ସମାଜର (ପୁରୁଷର) ଅନୁମୋଦିତ ଧର୍ମ ହେଲା। ପୁରୁଷ ପକ୍ଷରେ ବହୁ ନାରୀ ସଂଭୋଗର ସ୍ବାଧୀନତା ସମାଜାନୁମୋଦିତ ହେଲେ ମଧ୍ୟ ଏକାଧିକ ନାରୀକୁ ପ୍ରତିପୋଷଣ କରିବା ସାଧାରଣ ବ୍ୟକ୍ତି ପକ୍ଷରେ ସମ୍ଭବପର ନଥିଲା। ଏକ ଦାରା ଗ୍ରହଣ ସାମଜରେ ସାଧାରଣତଃ ପ୍ରଚଳିତ ରୀତି ହେଲା। କେବଳ ସ୍ବଚ୍ଛଳ ବ୍ୟକ୍ତି ଏକାଧିକ ନାରୀ ସହିତ ପ୍ରଣୟ ବା ପରିଣୟ କରୁଥିଲା।

   ବ୍ୟକ୍ତିଗତ ସମ୍ପତ୍ତି ସମାଜରେ ଆଣିଦେଲା ନୂଆ ପ୍ରକାର ପରିବାର-ଦାମ୍ପତ୍ୟ ପରିବାର (Monogamous) ବର୍ବର ଯୁଗର ଉତ୍ତମ ସୋପାନରୁ ଏ ପ୍ରକାର ପରିବାର ପ୍ରତିଷ୍ଠା ଲାଭ କରି ଆଦ୍ୟାବଧି ସମାଜରେ ଚାଲୁ ରହିଅଛି।

     -କଥା କଳିଯୁଗେ ରାଜନ୍‌ ଦ୍ବନ୍ଦ୍ବମାପେଦେରେ ଜନାଃ।  

  (ମହାଭାରତ: ଶାନ୍ତିପର୍ବ)

    ଅର୍ଥାତ୍‌ ଏଥିପୂର୍ବେ ପୁରୁଷ ଓ ନାରୀର ସାମ୍ୟ, ମୁକ୍ତି, ମୈତ୍ରୀ ଉପରେ ପ୍ରତିଷ୍ଠିତ ପରିବାର ଏବେ ଲୋପ ପାଇଛି (ବ୍ୟକ୍ତିଗତ ସମ୍ପତ୍ତିର ଆବିର୍ଭାବ ହେତୁ) ବୈଷମ୍ୟ, ବଶ୍ୟତା, ତେଣୁ ବିରୋଧ-ଏହି ଦ୍ବନ୍ଦ୍ବ ଉପରେ ଚଳନ୍ତି ସମାଜର ପରିବାର ପ୍ରତିଷ୍ଠିତ ହୋଇଛି।

     କୃଷି ଓ ପଶୁପାଳନକୁ ମଣିଷ ପ୍ରଧାନ ଅବଲମ୍ବନ ରୂପେ ଗ୍ରହଣ କରିବା ଫଳରେ ପୂଜାପଦ୍ଧତି କରିବା, ଦେଶରକ୍ଷା କାର୍ଯ୍ୟ ଲାଗି ଅସ୍ତ୍ରଶିକ୍ଷା କରିବା ପ୍ରଭୃତି କାର୍ଯ୍ୟ ତୁଲାଇବା ସମସ୍ତଙ୍କ ପକ୍ଷରେ ସମ୍ଭବ ହେଲାନାହିଁ। ସମାଜରେ ଶ୍ରମ ବିଭାଗ ଦେଖାଦେଲା; ଥୋକେ ପୂଜା ପଦ୍ଧତି, ଶିକ୍ଷା,ଅଧ୍ୟାପନା କଲେ; ଥୋକେ ଅସ୍ତ୍ରଶିକ୍ଷା କରି ଦେଶ ରକ୍ଷା କଲେ, ଆଉ କେତେକ ଜାତିର ଜୀବନ ଧାରଣ ଓ ଅର୍ଥ ସମାଗମ ଲାଗି କୃଷି ଆଦିରେ ଲାଗି ରହିଲେ। ଶତ୍ରୁ ପକ୍ଷର ବନ୍ଦୀମାନେ ଭିନ୍ନ ଧର୍ମର ଥିବାର ଜାତି ମଧ୍ୟରେ ସେମାନଙ୍କୁ ଗ୍ରହଣ କରାଯାଇନପାରେ। ସେମାନଙ୍କୁ ଦାସରେ ପରିଣତ କରାଗଲା।ଦାସମାନଙ୍କୁ ସମାଜର ସବୁଠାରୁ କଠିନ ଓ ନିକୃଷ୍ଟ କାର୍ଯ୍ୟମାନ କରିବାରେ ନିଯୁକ୍ତି କରାଗଲା। ଆର୍ଯ୍ୟ ସମାଜ ବାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୁଦ୍ର ଏହିପରି ଚାରିବର୍ଣ୍ଣରେ ବିଭକ୍ତ ହୋଇ ଯାଇଥିଲା। ଗ୍ରୀକ୍‌ ଓ ଲାତିନ୍‌ ରାଜ୍ୟମାନଙ୍କରେ ସମ୍ଭ୍ରାନ୍ତ ଶ୍ରେଣୀ କୃଷକ, କାରିଗର, ଭିନ୍ନ ଜାତୀୟ ବା ପ୍ଲେବିଆନ୍‌, ଦାସ ଏହିପରି ବିଭିନ୍ନ ଶ୍ରେଣୀର ଲୋକ ଦେଖାଦେଇଥିଲେ ମଧ୍ୟ।

   ପୃଥିବୀର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଜାତି ପରସ୍ପରଠାରୁ ସ୍ବତନ୍ତ୍ର ହୋଇ ଗଢ଼ିଉଠି ଥିଲେ ହେଁ ପ୍ରତ୍ୟେକ ଜାତି ପ୍ରାୟ ଏକା ଭଳି ଅର୍ଥନୈତିକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଦେଶ ଓ ଜାତି-ଭେଦରେ ପୂଜା ପଦ୍ଧତି ପ୍ରଥା ଆଦି ଭିନ୍ନ ଭିନ୍ନ ହୋଇଥିଲେ ହେଁ ସର୍ବତ୍ର ସମାଜ ପ୍ରାୟ ଏକାଭଳି ଗତି ଧାରାରେ ପ୍ରବାହିତ ହୋଇଛି; ଫଳରେ ପ୍ରତ୍ୟେକ ଜାତିର ସାମାଜିକ ସଙ୍ଗଠନ ପ୍ରାୟ ଏକାଭଳି ରୂପ ନେଇଥିଲା।




+ -

© Jataayu Charitable Trust
Site designed,developed & maintained by Tekons